Unknown

 

 

 

 

 

 

 

 

 

 

 

ନୂତନ ଶିକ୍ଷାର ପ୍ରସ୍ତୁତି

ଚିତ୍ତରଞ୍ଜନ ଦାସ

 

.......ଓଡିଶାରେ ସେହି ଗୋଟିଏ କାମକୁ ଆମେ ସମସ୍ତେ କରୁଛୁ । କେଡ଼େ ଖୁସୀ ହୋଇ କରୁଛୁ । ଏକାବେଳେକେ ପାଖରେ ବସିଥିଲେ ଯେଡ଼ିକି ଖୁସୀ ଲାଗେ, ସେତିକି ଖୁସୀର ସହିତ । ଆମ ଭିତରୁ ଜଣେ ଜଣେ ସତେଅବା ସୂତାଟିଏ ହୋଇ ଆମ ସମସ୍ତଙ୍କୁ ଏକତ୍ର ବାନ୍ଧି ରଖିଛନ୍ତି । ସୂତାଟିଏ କଥା ମନେପଡ଼ିଲେ ସବାଆଗ ଅନାଦି ଭାଇଙ୍କ କଥା ମନେପଡ଼ିଯାଏ । ଅନାଦି ଭାଇ ଅର୍ଥାତ ଶ୍ରୀଯୁକ୍ତ ଅନାଦିଚରଣ ସ୍ୱାଇଁଙ୍କ ହାତରେ ଆମେ ସୁହୃଦ୍‍ଗୋଷ୍ଠୀର ଏହି ଚତୁର୍ଥ ପ୍ରକାଶନଟିକୁ ଉତ୍ସର୍ଗ କରୁଛୁ ।

☆☆☆

 

ସୂଚୀପତ୍ର

 

୧.

ଏଇ ମାନୁଷେ ସେଇ ମାନୁଷ୍ ଆଛେ

୨.

ଆମ ନିର୍ଭରର ଅସଲ ସ୍ଥାନ

୩.

ଜଣେ ଅଭିଭାବକଙ୍କ ଚିଠି

୪.

ପୁତ୍ ନାମକ ନରକରୁ

୫.

ନେତୃତ୍ୱ ଓ କର୍ତ୍ତୃତ୍ୱ

୬.

ପିଲାଙ୍କ ଆଦର୍ଶ

୭.

ବୁଝିବା ଓ ବିଚାର କରିବା

ଉତ୍ତମ ଶିକ୍ଷାର ଆଡ଼ମ୍ବର

୯.

ପଳାୟନର ପଚାଶ ବାଟ

୧୦.

ପ୍ରୟୋଗରୁ ପ୍ରମାଦ

୧୧.

ଆମ ପ୍ରଭାବ ଆଉ କ’ଣ ପଡ଼ିଲା ?

୧୨.

ଆଧ୍ୟାତ୍ମିକ ଶିକ୍ଷା

୧୩.

ଶିକ୍ଷା ଅଶିକ୍ଷାର ବିଡ଼ମ୍ବନା

୧୪.

ସଂକ୍ରମଣର ଆଉ ଏକ ସୂତ୍ର

୧୫.

ସାଧୁ ସତକଥା କହିବ

☆☆☆

 

Image

 

ଏଇ ମାନୁଷେ ସେଇ ମାନୁଷ୍ ଆଛେ

 

ପରସ୍ପରକୁ ଦେଖୁଥିବା ସମୟରେ ଆମେ ସତକୁସତ କ’ଣ ବା କାହାକୁ ଦେଖୁ କେଜାଣି-? ଆମେ ନିଜକୁ ସାଧାରଣତଃ ଯେଉଁପରି ଭାବରେ ଦେଖୁଥାଉ, ସମ୍ଭବତଃ ତାହାରି ଅନୁସାରେ ହିଁ ପରସ୍ପରକୁ ଦେଖିବାକୁ ଭାରି ମନ କରୁ, ଭାରି ଉତ୍ସାହିତ ହେଉ । ମୁଁ ଆଉ ଜଣେ ମଣିଷକୁ କିପରି ଆଖିରେ ବା କିପରି ଭାବରେ ଦେଖୁଛି, ସେଥିରୁ ସେହି ଆଉ ଜଣକ ବିଷୟରେ ଯେତିକି ଜଣା ନ ପଡ଼େ, ହୁଏତ ମୋ ନିଜ ବିଷୟରେ ହିଁ ତାଠାରୁ ଅଧିକ ସୂଚନା ମିଳିଯାଇପାରେ । ଇଉରୋପର ଜଣେ ଦାର୍ଶନିକ ପ୍ରାୟ ସାଢ଼େ ତିନିଶହ ବର୍ଷ ତଳେ କହିଥିଲେ ଯେ, ଯଦି ତିନିଜଣ ବ୍ୟକ୍ତିଙ୍କୁ ଗଧ ବିଷୟରେ ରଚନାଟିଏ ଲେଖିବାକୁ ଦିଆଯାଏ, ତେବେ ସେଗୁଡ଼ିକରୁ ଗଧ ବିଷୟରେ ଯେତିକି ପ୍ରକୃତ କଥା ଜାଣିବାକୁ ନ ମିଳିବ, ସେମାନଙ୍କ ନିଜ ବିଷୟରେ ହୁଏତ ତା’ଠାରୁ ଅନେକ ଅଧିକ ତଥ୍ୟ ଓ ସତ୍ୟ ଜଣାପଡ଼ିଯିବ । ତେଣୁ ଅନ୍ୟର ବିଚାର କଲାବେଳେ, ଅନ୍ୟକୁ ଅନାଇ ଦେଖିବା ସମୟରେ ଆମର ଅନ୍ତତଃ ଅତ୍ୟନ୍ତ ସତର୍କ ହୋଇ ଦେଖିବା ଉଚିତ । ମାତ୍ର ଅନେକ ସମୟରେ ସେକଥା ହୋଇପାରେ ନାହିଁ । ଅନ୍ୟକୁ ଯଥାସମ୍ଭବ ଅଧିକ ସମ୍ପୂର୍ଣ୍ଣ ଭାବରେ ବୁଝିବା ହିଁ ଯଦି ଅନ୍ୟକୁ ଦେଖିବାରେ ଓ ତା’ ବିଷୟରେ ବିଚାର କଲାବେଳେ ଆମର ସର୍ବପ୍ରଧାନ ଉଦ୍ଦେଶ୍ୟ ହୋଇଥାନ୍ତା, ତେବେ ତାହା ନିଶ୍ଚୟ ଅନ୍ୟ ପ୍ରକାରର ହୋଇଥାନ୍ତା । ମାତ୍ର ଆମେ ଅନ୍ୟକୁ ଦେଖିବା ଆଳରେ ନିଜ ବିଷୟରେ ନିଜକୁ ଅସହ୍ୟ ବୋଲି ମନେ ହେଉଥିବା କେତେଟା ମାର୍କାକୁ ନେଇ ତା’ଉପରେ ଲଦି ଦେବାକୁ ଚେଷ୍ଟା କରୁଥାଉ ଓ ସେତିକି କରିପାରିଲେ ହିଁ ଆମେ ତାହାକୁ ଦେଖିଲୁ ବୋଲି ଯଥେଷ୍ଟ ପ୍ରତ୍ୟୟ ପାଇଯାଉ । ଏପରି କରି ଆମେ ଭାରି ଧରା ପଡ଼ିଯାଉ । ନିଜକୁ ଲୁଚାଇ ରଖିବାର କେଡ଼େ କେଡ଼େ ପ୍ରୟାସ କରୁ କରୁହିଁ ଧରା ପଡ଼ିଯାଉ । ନିଜକୁ ନିଜେ ହସି ପାରିବାର ଜୀବନକଳାଟି ଶିଖି ନଥିବାରୁ ହିଁ ପରକୁ ହସିବାକୁ ମନ ବଳାଇ ନିଜେ ଲୋକହସା ହେଉ ।

 

ଆମ ବିଦ୍ୟାଳୟମାନଙ୍କରେ ଆମରି ଉପରେ ଭରସା ରଖି ବିଦ୍ୟାଳୟକୁ ଆସିଥିବା ଯେକୌଣସି ପିଲାଟି ଭିତରେ ଆମେ କ’ଣ ଦେଖିବାକୁ ଅପେକ୍ଷା ରଖି ତା’ ପାଖକୁ ଯାଉ କେଜାଣି-? ଅଧିକାଂଶ କ୍ଷେତ୍ରରେ ଆମେ ଆମର ନିଜ ପ୍ରଚକ୍ଷୁଗୁଡ଼ାକ ଦେଇ ସେମାନଙ୍କୁ ଦେଖୁ-। ତେଣୁ ଅଧିକାଂଶ ସ୍ଥଳରେ ଆମରି ଖଣ୍ଡିଆଗୁଡ଼ାକ ହିଁ ସେମାନଙ୍କ ଭିତରେ ସବାଆଗ ଆମର ଆଖିରେ ପଡ଼ିଯାଏ । ପିଲାଏ ପ୍ରକୃତରେ ଯାହା, ଆମେ ସେମାନଙ୍କୁ ଯଥାସମ୍ଭବ ସେହିପରି ନିଖୁଣ ବା ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ଆଦୌ ବେଳ ପାଉ ନାହିଁ । ହୁଏତ ନିଜର ଜୀବନସାରା ଆମେ ନିଜକୁ ମଧ୍ୟ କେବେହେଲେ ସେହିପରି ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ମନ କରି ନଥାଉ । ସେହି ବିଦ୍ୟାଟିକୁ ହୁଏତ ଅତ୍ୟନ୍ତ ଅଶ୍ୱସ୍ତିକର ବୋଲି ଜାଣି ତାହାକୁ କୋଉ ପଛରେ ପକାଇଦେଇ ଆସିଥାଉ । ଅସଲ ଚକ୍ଷୁଟିକୁ ଛାଡ଼ି ଆସିଥାଉ ଅଥବା କୋଉଦିନୁଁ ନିଜ ଭିତରେ କେତେ ତଳେ ଯାଇ ପୋତି ରଖିଥାଉ ବୋଲି ପ୍ରଚକ୍ଷୁଗୁଡ଼ିକର ସାହାଯ୍ୟରେ ଦେଖିବା ବ୍ୟତୀତ ଆମ ପାଖରେ ଆଉ ଅନ୍ୟ କୌଣସି ଇଲମ ନଥାଏ । ପ୍ରଚକ୍ଷୁ ସାହାଯ୍ୟରେ ଦେଖିବା ଅର୍ଥାତ୍ ଖଣ୍ଡିଆ କରି ଦେଖିବା । ଖଣ୍ଡିଆ କରି ଦେଖୁଥିବା ମଣିଷମାନେ ସବାଆଗ ଖଣ୍ଡିଆଗୁଡ଼ାକୁ ଦେଖନ୍ତି, ସବାଆଗ ନଳାଗୁଡ଼ାକୁ ଦେଖନ୍ତି-। ସେମାନେ ମନ୍ଦଗୁଡ଼ାକୁ ଭଲ କରିବାର ଅଭିପ୍ରାୟ ନେଇ ଯାହା କିଛି ଦେଖନ୍ତି । ତେଣୁ, ସେଠି ଭିତରେ ଅପେକ୍ଷା କରି ରହିଥିବା କଳିକାଟିକୁ ମୋଟେ ଦେଖିପାରନ୍ତି ନାହିଁ-। ହୁଏତ କିଛି ନଦେଖିବା ପୂର୍ବରୁ ମଧ୍ୟ ବିଗିଡ଼ାଗୁଡ଼ାକୁ ସଜାଡ଼ିବାରେ ଲାଗିଯାଆନ୍ତି । ଆମ ସଂସାର ଯୁଗେ ଯୁଗେ ଏହିଭଳି ମଣିଷମାନଙ୍କର କେତେ କ’ଣ ସହ୍ୟ କରିଛି, ଏବେ ମଧ୍ୟ ସହ୍ୟ କରୁଛି-

 

ବଇଦମାନେ ମଣିଷ ଭିତରେ ସବାଆଗ ମଳୁକୁ ଦେଖନ୍ତି । ମଣିଷ ଭିତରେ ରହିଥିବା ମଣିଷ ପାଖରେ ସେମାନଙ୍କର ପ୍ରୟୋଜନତଃ କୌଣସି କାର୍ଯ୍ୟ ନଥାଏ । ତେଣୁ ସେମାନେ ମଣିଷର ମଣିଷ-ଭାଗଟିକୁ ଆଡ଼େଇ ଦେଇ ମଳୁ–ଭାଗଟିକୁ ହିଁ ଦେଖନ୍ତି । ମନର ଚିକିତ୍ସା କରୁଥିବା ବିଶେଷଜ୍ଞମାନେ ମଣିଷ-ମନର ବିକାରଗୁଡ଼ିକୁ ଦେଖନ୍ତି, ହୁଏତ କେବଳ ସେତିକି ଦେଖିବାର ଅପେକ୍ଷା ରଖନ୍ତି । ହୁଏତ ସେହିପରି ଏକ ଦର୍ଶନନ୍ୟାୟ ଦ୍ୱାରା ପ୍ରେରିତ ହୋଇ ଆମ ସଂସାରର ଅନେକ ଗୁଣୀ ମଣିଷ ଅନ୍ୟ ମଣିଷମାନଙ୍କ ଭିତରେ ଆଗ ଅବିଗୁଣଗୁଡ଼ିକ ହିଁ ଦେଖନ୍ତି । ଗୁଣୀ ଭିତରେ ମଧ୍ୟ ଅବିଗୁଣ ଥାଏ,–ମାତ୍ର ଆଢ଼ୁଆଳରେ ଥାଏ, ଦବି କରିଥାଏ,–ପରିଚ୍ଛଦ ତଳେ ରହିଥାଏ । ତାହା ବାହାରକୁ ଦେଖାଯାଏ ନାହିଁ,–ପରିଚ୍ଛଦଗୁଡ଼ିକ ହିଁ ବାହାରକୁ ଦେଖାଯାଏ, ପରିଚ୍ଛଦଗୁଡ଼ିକ ହିଁ ତଥାକଥିତ ଗୁଣୀର ପରିଚୟ ଦିଅନ୍ତି । ଆମ ସଂସାରର ଅଧିକାଂଶ ବେଭାର ଏହି ନିୟମ ଅନୁସାରେ ଚାଲିଥାଏ । ଶିକ୍ଷା କେନ୍ଦ୍ରର ଶିକ୍ଷକମାନେ ତ ସଂସାରରୁ ବାହାର ନୁହନ୍ତି ଯେ ସେମାନେ ହୁଏତ ଆଉ ପ୍ରକାରେ ପିଲାମାନଙ୍କୁ ଦେଖିବାକୁ ମନ କରିବେ । ବିଗିଡ଼ା ପିଲାମାନଙ୍କୁ ସଂସାର ପାଇଁ ଆବଶ୍ୟକ ଭାବରେ ସଜାଡ଼ି ପାରିବା ସକାଶେ ସେମାନେ ସେଥିଲାଗି ଚକ୍ଷୁକୁ କାଢ଼ିଦେଇ ପ୍ରଚକ୍ଷୁ ପିନ୍ଧନ୍ତି । ପ୍ରଚକ୍ଷୁ ପିନ୍ଧିଲେ ମଳୁ ବଇଦ ପରି ଦେଖାଯାଏ, ବିକାରଗ୍ରସ୍ତ ବିକାରମୁକ୍ତ ପରି ଦେଖାଯାଏ, ଅବିଗୁଣୀମାନେ ଗୁଣୀର ସ୍ୱୀକୃତି ଲାଭ କରନ୍ତି । ଏମାନେ ସମସ୍ତେ ଆମ ସଂସାରକୁ ପ୍ରଚକ୍ଷୁ ପିନ୍ଧାଇ ରଖିବାରେ ଅନେକ ସାହାଯ୍ୟ କରନ୍ତି । ମଳୁ ଭିତରେ ହୁଏତ ଏକ ଚକ୍ଷୁ ରହିଥାଏ, ବିକାରଯୁକ୍ତ ଯେକୌଣସି ମଣିଷର ମଧ୍ୟ ଏକ ଚକ୍ଷୁଥାଏ ତଥାକଥିକ ଅବିଗୁଣୀ ଭିତରେ ମଧ୍ୟ ଚକ୍ଷୁ ରହିଥାଏ, ମାତ୍ର ସେହି ଚକ୍ଷୁ କାଳକ୍ରମେ ଆମ ପ୍ରଚକ୍ଷୁଗୁଡ଼ାକର ତାଡ଼ନାରେ କୁଆଡ଼େ ପୋତି ହୋଇଯାଏ । ସଂସାରଟା ଚକ୍ଷୁ ଦ୍ୱାରା ଚାଲୁଥିଲେ ସିନା ଭିତରେ ରହିଥିବା ଚକ୍ଷୁଟି ସ୍ୱାଭାବିକ ଭାବରେ ବାହାରକୁ ବାହାରି ଆସିପାରନ୍ତା । ଯେଉଁଠାରେ ପ୍ରଚକ୍ଷୁ ଦ୍ୱାରା ହିଁ ଜୀବନସାମ୍ରାଜ୍ୟର ପଟ୍ଟନାୟକ ଓ ଗଡ଼ନାୟକମାନେ ସବୁକିଛି ତୁଲାଇ ପାରୁଛନ୍ତି, ସେଠି ଚକ୍ଷୁର ପୁଣି କେଉଁ ପ୍ରୟୋଜନ ରହିଛି ?

 

ଚେତନା ତଳକୁ ଅଚେତନା ରହିଥାଏ । ଚେତନାକୁ ଯଦି ଉପରର ପରିଚ୍ଛଦ ବୋଲି ବିଚାର କରାଯାଏ, ତେବେ ଅସଲ ମଣିଷଟି ହୁଏତ ସେହି ଅଚେତନା ଭିତରେ ହିଁ ଲୁଚି ରହିଥାଏ, ଅପେକ୍ଷା କରି ରହିଥାଏ । ସେହି ଅଚେତନା ଭିତରେ ପ୍ରବେଶ କରିବାକୁ ହୁଏ,–ଅତଳ ଭିତରେ ପଶି ମୁକ୍ତାଗୁଡ଼ିକର ଆବିଷ୍କାର କରିବାକୁ ହୁଏ । ବିସ୍ତାର ଦୃଷ୍ଟିରେ ଦେଖିଲେ ମଧ୍ୟ ବାହାରର, ପୋଷାକୀ ପହରଗୁଡ଼ାକର ତଥାକଥିତ ଆମର ଏହି ଚେତନ ଜୀବନ ଓ ବିତରଣଗୁଡ଼ିକର ତୁଳନାରେ ଅଚେତନାକୁ ପ୍ରକୃତରେ ଅବାଧ ବୋଲି କୁହାଯାଇ ପାରିବ । ବାସନାଗୁଡ଼ିକ ଉପରର ଏହି ପରିଚ୍ଛଦ ସ୍ତରରେ ରହିଥିବା ପର୍ଯ୍ୟନ୍ତ ଆମେ ସେହି ଅଗାଧ ଭିତରେ ପଶିବା ନିମନ୍ତେ ମୋଟେ ସାହସ କରି ପାରୁ ନାହିଁ । ଓଲଟି ତାକୁ ନାନା ତ୍ରାସ ଏବଂ ଭାବକୁଣ୍ଠାର କାନି ପକାଇ ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଥାଉ । ତେଣୁ, ଉପରେ କେଡ଼େ ସଜଡ଼ା ହୋଇ ରହିଥିବା ପରି ଦିଶୁଥାଉ ସିନା, ମାତ୍ର ଆମର ଅସଲ ବଗିଚାଟି ଆମରି ଭିତରେ ସତେଅବା ଭାରି ଅବହେଳିତ ହୋଇ ଉଜୁଡ଼ି ଯିବାରେ ଲାଗିଥାଏ । ସଂସାରର ବିଶାଶହେ ଦାଣ୍ଡରେ ପାଳି ହୋଇ ମାଳ ବିକି ବାହାରିଥିଲେ ମଧ୍ୟ ଆମେ ନିଜ ଘରେ ନିଜର ବଗିଚାଟିରେ ଅର୍ଥାତ୍ ଆମ ନିଜର ଅପେକ୍ଷାମାଣ ଫୁଲଟି ପାଖରେ ମୋଟେ ମାଳି ହୋଇ ପାରୁନାହିଁ । ଏବଂ ଯେଉଁ ଶିକ୍ଷକ ମୂଳତଃ ମାଳିଟିଏ ହୋଇ ଅବାଆଗ ନିଜର ବଗିଚାଟିକୁ ଆଦରିନେଇ ନପାରିଛି, ସିଏ ଆଉ ଅନ୍ୟ ଫୁଲମାନଙ୍କର କି ଖବର କାହିଁକି ରଖିବାକୁ ଯିବ ? ହୁଏତ ସେହି କାରଣରୁ ହିଁ ଆମର ବିଦ୍ୟାଳୟମାନେ ବଗିଚା ପରି ନଦିଶି ସତେଅବା ଗୋଟାଏ ଗୋଟାଏ କମାରଶାଳ ପରି ଭାରି ଦିଶିବାରେ ଲାଗିଥାନ୍ତି । ଆମ ପାଖରେ ହତିଆର ଅନେକ ଥାଏ ଜ୍ଞାନ ଓ ବିଜ୍ଞାନରୁ ମଧ୍ୟ ବେତାଏ ବା ଦୁଇବେତା ରହିଥାଏ, ଯୋଗ୍ୟତାମାନେ ପରିଚ୍ଛଦ ପରି ଆମ ଚାରିପାଖରେ କେଡ଼େ ଶୋଭନୀୟ ହୋଇ ଗୁଡ଼ାଇ ହୋଇଥାନ୍ତି, ଆମ ଦେହ ଉପରର ଚର୍ବିପରି କେଡ଼େ ଚକଚକ ଦିଶୁଥାନ୍ତି । ମାତ୍ର, ମାଳି କେଉଁଠି ହେଲେ ନଥାଏ । ଆମ ନିଜ ଭିତରେ ଆମେ ପ୍ରଜାପତିମାନଙ୍କୁ ଇର୍ଷା କରୁଥାଉ, ଫୁଲକୁ ଇର୍ଷା କରୁଥାଉ–ତେଣୁ ଆମର ଅଧ୍ୟାପନା ଆମ ଇସ୍କୁଲରୂପକ ଫୁଲବଗିଚାମାନଙ୍କରେ ସତେ ଅବା ଏକ ଗଞ୍ଜଣା ହୋଇ ରହିଥାଏ,-ଆମ ବିଦ୍ୟାରେ ଧର୍ଷଣାଶକ୍ତି ହିଁ ସବୁଠାରୁ ଅଧିକ ମାତ୍ରାରେ ରହିଥାଏ ।

 

ଅଚେତନାକୁ ଚେତନାର ସ୍ତରକୁ ଆଣିବା,–ଅର୍ଥାତ୍ ଆମର ବୁଦ୍ଧି ଓ ଆମର ହୃଦୟ ମଧ୍ୟରେ ଆଦୌ କୌଣସି ଅନ୍ତର ବା ବ୍ୟବଧାନ ନ ରଖିବା । ଆମର ବୁଦ୍ଧି ହିଁ ସଚରାଚର ଆମ ଜୀବନ ଉପରେ ଯେଉଁ ରାଜତ୍ୱ କରୁଥାଏ, ଆମ ପରିଚ୍ଛଦପ୍ରଧାନ ସଂସାରରେ ତାହାକୁ ହିଁ ଚେତନା ବୋଲି କୁହାଯାଏ । ହୃଦୟ ଭିତରେ ବହୁଦୂରରେ ଥାଏ; ବୁଦ୍ଧି ହୃଦୟକୁ ଡରୁଥାଏ ବୋଲି ତାକୁ ଆପଣାଠାରୁ ବହୁଦୂରରେ ରଖିଥାଏ । ହାତରେ ଶାସ୍ତ୍ର ଧରି ନିୟମଗୁଡ଼ାକୁ ହିଁ ବିବେକ ବୋଲି କହି ବୁଦ୍ଧି ଆମ ଘରେ ବ୍ରାହ୍ମଣ ହୋଇ ବସିଥାଏ ଏବଂ ହୃଦୟକୁ ସତେଅବା ଶୁଦ୍ରପରି ସାହି ଭିତରୁ ବାସନ୍ଦ କରି ରଖିଥାଏ । ହୃଦୟ ଯଦି ସେହି ନିର୍ବାସନ ମଧ୍ୟରୁ ବାହାରକୁ ଆସିପାରନ୍ତା, ଯଦି ଆମର ବୁଦ୍ଧି ହୃଦୟକୁ ନ ଡରି ତାହାରି ଦ୍ୱାରା ହିଁ ପରିଚାଳିତ ହୁଅନ୍ତା, ତେବେ ଆମ ଜୀବନର ଅନେକ ଅନାବିଷ୍କୃତ ପଥ ଆମର ସମ୍ମୁଖରେ ଉନ୍ମୋଚିତ ହୋଇଯାଇପାରନ୍ତା ;-ଆମର ଏହି ପରିଚୟଟି ପଛରେ ଆହୁରି ଏକ ଅଧିକ ସମର୍ଥ, ଅଧିକ ଅନ୍ତରଙ୍ଗ ଏବଂ ଅଧିକ ମହିମାନ୍ୱିତ ପରିଚୟ ଯେ ଅପେକ୍ଷା କରି ରହିଛି, ଆମେ ସେହି ସତ୍ୟଟିକୁ ପ୍ରତ୍ୟକ୍ଷ କରିପାରନ୍ତେ । ଆମେ ଆପଣାର ବନ୍ଧୁ ହୋଇପାରନ୍ତେ । ଆଉ ଅରଣ୍ୟକୁ ଭୟ କରନ୍ତେ ନାହିଁ,–ଆପଣା ଭିତରେ ଆଲୁଅକୁ ଦେଖିପାରନ୍ତେ ଓ ତେଣୁ ଅନ୍ୟକୁ ମୋଟେ ଭୟ କରନ୍ତେ ନାହିଁ । ମନକୁ ହୃଦୟ ମଧ୍ୟରେ, ଚେତନାକୁ ଅଚେତନ ମଧ୍ୟରେ ଲୀନ କରି ଦେବାକୁ ହିଁ ଯୋଗଶାସ୍ତ୍ରରେ ଅସଲ ଜ୍ଞାନ ଏବଂ ଅସଲ ଧ୍ୟାନ ବୋଲି କୁହାଯାଇଛି । (ଅମୃତ ବିନ୍ଦୁ ଉପନିଷଦ) ପରିଚ୍ଛଦମାନଙ୍କୁ ସତ୍ୟ ଭିତରେ, ଖଣ୍ଡମାନଙ୍କୁ ସମଗ୍ର ଭିତରେ ଓ ଖୁଣମାନଙ୍କୁ ଅଖୁଣ ଭିତରେ ଲୀନ କରିଦେବା,–ଆମେ ନିର୍ଭୟ ହୋଇପାରିଲେ ହିଁ, ଆପଣା ସହିତ ତଥା ଏହି ସବୁଟି ସହିତ ଆତ୍ମୀୟତା ଅର୍ଜନ କରିବାକୁ ଆମ ଯାବତୀୟ ପ୍ରୟାସର ଯଥାର୍ଥ ବଡ଼ପଣ ବୋଲି ଗ୍ରହଣ କରିପାରିଲେ ହିଁ ତାହା ଆମ ଲାଗି ଅତ୍ୟନ୍ତ ସ୍ୱାଭାବିକ ଓ ତେଣୁ ସହଜ ହୋଇଯାଇ ପାରିବ । ତା’ପରେ ଯାଇ ଆମେ ବଗିଚାଟିକୁ ଦେଖିପାରିବା, ବଗିଚାର ଯଥାର୍ଥ ବାସନା ନେଇ ସଂସାର ଭିତରେ ପ୍ରବେଶ କରିପାରିବା,-ଅନ୍ୟମାନଙ୍କ ଦ୍ୱାରା ଯଥାର୍ଥରେ ସ୍ୱୀକୃତ ହୋଇପାରିବା ।

 

....at the very bottom of the inconscience there is the supreme. It is the supreme who enables us to touch the supreme; This is the ‘almighty spring’. (ମାତୃରଚନାବଳୀ (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ, ୧୫ଶ ଖଣ୍ଡ, ୧୯୮୦, ପୃଷ୍ଠା-୩୮୪) ‘‘ଏଇ ମାନୁଷେ ସେଇ ମାନୁଷ ଆଚ୍ଛେ ।’’ ମୋ ଭିତରେ ସେହି ମଣିଷ ଅଛି ବୋଲି ଚିହ୍ନିପାରିଲେ ମୁଁ ଆଉ ନିଜକୁ ପରିଚ୍ଛଦ ପିନ୍ଧାଇ ରଖନ୍ତି ନାହିଁ । ମୁଁ ଭିତରକୁ ଭେଦିବାକୁ ମନ କରନ୍ତି । ତା’ପରେ, ପରସ୍ପର ଭିତରେ ମଧ୍ୟ ସେହି ମଣିଷଟିକୁ ଚିହ୍ନିପାରିବା ଆମ ପାଇଁ ଭାରି ସହଜ ହୋଇଯାଆନ୍ତା । ସବୁରି ଭିତରେ ସବୁକିଛି ଖୁଣ ଭିତରେ ସବୁ ଆବୋରି ରହିଥିବା ପରି ସବାଆଗ ସେଇ ଦିଶୁ ଥାଆନ୍ତେ । ଆତ୍ମୀୟତା ହିଁ ଆମ ସଂସାରର ସର୍ବମୂଳ ସମ୍ବନ୍ଧ ହୋଇ ରହିଥାନ୍ତା । ଜଣେ ଶିକ୍ଷକ ମଧ୍ୟ ନିଜ ଭିତରେ ଓ ପିଲାମାନଙ୍କ ଭିତରେ ସେଇ ମଣିଷଟିକୁ ଦେଖି ପାରୁଥିଲେ ବୟସର କୌଣସି ଦମ୍ଭ ନେଇ ବଗିଚାଟିକୁ ଉପଦ୍ରବପୂର୍ଣ୍ଣ କରି ରଖିବା ଲାଗି କଦାପି ମନ କରନ୍ତା ନାହିଁ । ଜ୍ୟେଷ୍ଠମାନେ କନିଷ୍ଠମାନଙ୍କୁ ଗିଳି ପକାଇବାକୁ ମୋଟେ ମନ କରନ୍ତେ ନାହିଁ । ସମସ୍ତେ ବାଟ ଚାଲନ୍ତେ, ଦଳେ ଆଉ ଗୋଟିଏ ଦଳକୁ ଖାଲି ବାଟ ବତାଇବାକୁ ଆଦୌ ଆଗ୍ରହ ପ୍ରକାଶ କରନ୍ତେ ନାହିଁ । ସେମାନେ ପରସ୍ପରକୁ ପାଇପାରନ୍ତେ ଏବଂ ଏକ ଅନ୍ୟ ପାରସ୍ପରିକତାର ମୂଳଦୁଆ ପକାଇ ପାରନ୍ତେ । ତାହାକୁହିଁ ସକଳ ଅର୍ଥରେ ପୁରାତନ ବିରୁଦ୍ଧରେ ନୂତନର ଯୁଦ୍ଧ ଘୋଷଣା ବୋଲି କୁହାଯାଇ ପାରନ୍ତା । ସମ୍ବନ୍ଧ ବଦଳି ଯାଆନ୍ତା, ତେଣୁ ଯୁଗ ମଧ୍ୟ ବଦଳିଯିବାକୁ ମୋଟେ ଅମଙ୍ଗ ହୁଅନ୍ତା ନାହିଁ ।

 

ତେଣୁ, ଆମେ ଆଉ ନିଜଟାକୁ ଦର୍ପଣ କରି ଅନ୍ୟମାନଙ୍କୁ ଦେଖିବା ନାହିଁ, ମୋ ଭିତରେ ତଥା ଅନ୍ୟମାନଙ୍କ ଭିତରେ ଯେଉଁ ମଣିଷଟି ରହିଛି ବୋଲି ଆମେ ସତେଅବା ସ୍ୱଭାବନିର୍ଦ୍ଦିଷ୍ଟ ହୋଇ ପରସ୍ପରର ପାଖକୁ ଆସିଛୁ, ସେହି ମଣିଷଟିକୁ ଦର୍ପଣ କରି ଆମେ ପରସ୍ପରକୁ ଦେଖିବା । ସେହି ମଣିଷକୁ ଦର୍ପଣ କରି ଗୁଣ ଓ ଅବିଗୁଣକୁ ଦେଖିବା,–ଏକ ସମଗ୍ର ସମ୍ଭାବନାର ପରିପ୍ରେକ୍ଷୀରେ ହିଁ ଆମେ ତିଆରି କରି ରଖିଥିବା ମାର୍କା ଓ ମାପଗୁଡ଼ିକର ବିଚାର କରିବା । ନିଜ ଭିତରେ ଅନୁଭୂତ ହେଉଥିବା ମହିମାଟି ଆମକୁ ଅନ୍ୟ ଭିତରେ ରହିଥିବା ମହିମା ଆଡ଼କୁ ମଧ୍ୟ ବାଟ କଢ଼ାଇ ନେଇଯିବ । ଏହିପରି ଭାବରେ ଅନ୍ୟମାନଙ୍କର ନିକଟବର୍ତ୍ତୀ ହେଉଥିବା ସଙ୍ଗେ ସଙ୍ଗେ ଆମେ ନିଜର ମଧ୍ୟ ନିକଟବର୍ତ୍ତୀ ହୋଇ ପାରୁଥିବା । ନିକଟବର୍ତ୍ତୀ ହେଉ ହେଉ ଆମେ ଖିଅଟିକୁ ପାଇଯିବା ।

 

ତା’ପରେ ଆମର ଶାସ୍ତ୍ର, ଆମର ନିୟମ, ଆମର ବିଦ୍ୟା ଓ ବିଦ୍ୟାଦାନର ପଦ୍ଧତିଗୁଡ଼ାକ ମଧ୍ୟ ଆମକୁ ଅନ୍ୟ ଏକ ସମଗ୍ରତର ବ୍ୟଞ୍ଜନାରେ ଦୃଷ୍ଟିଗୋଚର ହେବାକୁ ଆରମ୍ଭ କରିବ । ଆମର ବର୍ତ୍ତମାନଟି ଅଧିକ ଗତିଶୀଳ ହେବାକୁ ଆରମ୍ଭ କରିବ ଏବଂ ଆମର ଭବିଷ୍ୟତକୁ ଆମେ ସତେ ଅବା ହାତରେ ଧରି, ସାଙ୍ଗରେ ଧରି ବାଟ ଚାଲୁଥିବା ପରି ଲାଗିବ । ସେହି ମଣିଷହିଁ ଏହି ମଣିଷମାନଙ୍କୁ ଏକତ୍ର କରାଇ ଆଣିବ, ଅସଲ ଘରଟିକୁ ଫେରାଇ ଆଣିବ । ସେତେବଳେ ଯାଇ ଆମର ଅସଲ ପ୍ରମାଣ ମିଳିଯିବ, ଅସଲ ପ୍ରାମାଣିକତାର ପ୍ରତିଷ୍ଠା ହେବ ।

 

ଫେବୃଆରୀ, ୧୯୮୬

☆☆☆

 

ଦୁଇ ପ୍ରକାରର ବିବେକ

 

ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ଜଣେ ଚୀନା ଲେଖକଙ୍କର (Han Fei Zi) ଏକ କାହାଣୀରୁ ମୁଁ ଏଥରର ଲେଖାଟିକୁ ଆରମ୍ଭ କରିବି । ଗୋଟିଏ ପରିବାର, ପରିବାରରେ ତିନି ଜଣ,-ବାପା, ମାଆ ଆଉ ଗୋଟିଏ ବୋଲି ପୁଅ । ଦିନେ ମାଆ ବଜାରକୁ ବାହାରିବା ବେଳକୁ ପୁଅ ଜିଦ୍‍ ଧରି ବସିଲା ଯେ ସିଏ ମଧ୍ୟ ମାଆ ସହିତ ବଜାରକୁ ଯିବ । ସାନ ଛୁଆଟିକୁ ସାଙ୍ଗରେ ନେଇ ବଜାରକୁ ଯିବାର ଅର୍ଥ ହେଉଛି ଅଯଥା ଆହୁରି ଝିଞ୍ଜଟକୁ ବଢ଼ାଇବା । ପିଲାଟା ସାଙ୍ଗରେ ଗଲେ ଏମିତି ଅଥୟ ହୋଇ ଏଠିକି ସେଠିକି ଦଉଡ଼ି ପଳାଇବାକୁ ଇଚ୍ଛା କରିବ ଓ ଏଠି ସେଠି ହାତ ବଜାଇ ବୁଲିବ ଯେ ବଜାର-ସଉଦା କରିବା ପ୍ରକୃତରେ ଏକ ସମସ୍ୟାରେ ପରିଣତ ହୋଇଯିବ । ତେଣୁ ପୁଅ ତା’ ସାଙ୍ଗରେ ଯାଉ ବୋଲି ମାଆ ମୋଟେ ରାଜି ହେଲା ନାହିଁ । ପ୍ରଥମେ ବୁଝାଇ କହିଲା, ତା’ପରେ ଆକଟ କରି କହିଲା ଓ ଶେଷକୁ ଗୋଟାଏ ମିଛ କହିବା ପରେ ଯାଇ ପୁଅ ବୁଝିଲା । ମାଆ ତାକୁ କହିଲା, ମୁଁ ହାଟକୁ ଯାଉଛି, ତୁ ଘରେ ଥାଆ,–ତେଣୁ ଆସିଲେ ଆଜି ଖାସି ହାଣିବା । ତୋ ପାଇଁ ମୁଁ ଆଜି ଶାଗୁଆତି ତରକାରୀ ରାନ୍ଧି ଦେବି । ମୋ ସୁନାଟି ପରା, ତୁ ଘରେ ଥାଆ, ଏଇଠି ବସି ଖେଳୁଥାଆ,–ମୁଁ ଇହାଦେ ଯିବି ଆଉ ଇହାଦେ ଲେଉଟି ଆସିବି ।

ପିଲାର ମନ ବୁଝିଗଲା, ମାଉଁସ ତରକାରୀ କଥା ଶୁଣି ତା’ର ମନଟା ଏଡ଼େ ଖୁସି ହୋଇଗଲା ଯେ ସିଏ ମାଆ ସାଙ୍ଗରେ ବଜାରକୁ ଯିବା ପାଇଁ ଆଉ ଜିଦ୍‌ ଲଗାଇଲା ନାହିଁ । ମାଆ ଚାଲିଗଲା ପରେ ପୁଅ ଆସି ତା’ର ବାପାଙ୍କୁ କେତେ ବଡ଼ ପାଟିରେ ଯାଇ କହିଲା ଯେ ମାଆ ହାଟରୁ ଆସିଲେ ଆଜି ତା’ ପାଇଁ ମାଉଁସ ତରକାରୀ ହେବ; –ମାଆ ହାଟକୁ ଗଲାବେଳେ କହି ଯାଇଛି । ଉଚିତ ସମୟରେ ମାଆ ହାଟରୁ ଫେରିଲା । ଦେଖିଲା, ବାପା ହାଣିବା ପାଇଁ କଟୁରୀ ପଜଉଛି ଓ ଜାଗାଜୁଗୁତି ସଜ କରୁଛି । ମାଆ ଆଶ୍ଚର୍ଯ୍ୟ ହୋଇ କହିଲା, ମୁଁ ପିଲାଟାକୁ କ’ଣ କହିଗଲି ବୋଲି ତୁମେ ସେଇଥିରେ ବିଶ୍ୱାସ କଲ ? ମୁଁ ପିଲାଟାକୁ ଭୁଲାଇ ଦେବା ପାଇଁ ସେପରି କହିଥିଲି ନା ! ଆଜି ଖାସି ଫାସି କିଛି କଟା ହେବ ନାହିଁ । ମାଉଁସ ତରକାରୀ କଥା ନ କହିଥିଲେ ଆମ ପୁଅ କ’ଣ ଜିଦ ଛାଡ଼ିଥା’ନ୍ତା ? ସେ ନିଶ୍ଚୟ ମୋ ସଙ୍ଗରେ ହାଟକୁ ଯାଇଥାଆନ୍ତା ଓ ସେଠି ମୋତେ ବାର ହଇରାଣ କରିଥାଆନ୍ତା ।

ବାପା ପ୍ରତିବାଦ କରି କହିଲା, ‘‘କିନ୍ତୁ ତୁମେ ଏପରି ଭାବରେ ପିଲାଟିକୁ କିପରି ଧୋକା ଦେବାକୁ ମନ କଲ କହିଲ ? ପିଲାଏ ପ୍ରଥମରୁ ଆଦୌ କିଛି ହେଲେ ଜାଣି ନଥାନ୍ତି । ସେମାନଙ୍କୁ ଛନ୍ଦ ବା କପଟ କିଛି ଜଣା ନଥାଏ । ମାତ୍ର, ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେମାନେ ବାପମାଆଙ୍କଠାରୁ ନକଲ କରି କ୍ରମେ ସବୁଯାକ ଛନ୍ଦକପଟ ଶିକ୍ଷା କରନ୍ତି । ତୁମେ ପିଲାଟିକୁ ଭୁଲାଇବା ଲାଗି ତାକୁ ଧୋକା ଦେବ, ଠକିବ ।, ତେବେ ତାହାରି ଦ୍ୱାରା ତୁମେ ତାକୁ ମିଛ କହିବାକୁ ମଧ୍ୟ ଶିକ୍ଷା ଦେବ । ଯଦି ଜଣେ ମାଆ ତା’ର ପିଲାକୁ ଠକିବ, ଧୋକା ଦେବ, ତେବେ ସେହି ପିଲାର ତା’ ମାଆର କଥାରେ ଆଉ କୌଣସି ଆସ୍ଥା ରହିବ ନାହିଁ । ଏପରି ହେଲେ ପିଲା ଆଉ ଉଚିତ କଥା କ’ଣ ଶିଖିବ ଓ ଉଚିତ ଭାବରେ କିପରି ବଡ଼ ହୋଇ ସଂସାର ଭିତରକୁ ଯିବ ?’’

କହିବା ବାହୁଲ୍ୟ, ଏକଥା ଉପରେ ମାଆର ଆଉ ଆଦୌ କିଛି କହିବାକୁ ନଥିଲା । ସେଦିନ ବାପ ପ୍ରକୃତରେ ଖାସି ମାରିଲା ଓ ସେଦିନ ତାଙ୍କ ଘରେ ପ୍ରକୃତରେ ମାଉଁସ ରନ୍ଧାଗଲା ।

ଏହି ଗପଟି ପ୍ରାୟ ଏକୋଇଶି ଶହ ବର୍ଷ ପୂର୍ବେ ଆମ ପୃଥିବୀରେ ଲେଖା ହୋଇଥିଲା । ଏବେ ଆମ ବିଂଶ ଶତାବ୍ଦୀର ଶେଷ ଭାଗରେ ଯୁକ୍ତରାଷ୍ଟ୍ର ଆମେରିକାର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିବା ଜଣେ ଅଧ୍ୟାପକ ନିଜର ଅଧ୍ୟୟନ ଓ ଗବେଷଣା ଦ୍ୱାରା ଯେଉଁ ଅନ୍ୟ ସିଦ୍ଧାନ୍ତଟିର ଆବିଷ୍କାର କରିଛନ୍ତି, ଏକ ତୁଳନା ସ୍ୱରୂପ ଆମେ ସେଇଟି ଉପରେ ମଧ୍ୟ ଦୃଷ୍ଟିପାତ କରିପାରିବା । ଗବେଷଣାରୁ ଜାଣିବାକୁ ମିଳୁଛି ଯେ, ସେଇ ଦେଶର ପିଲାମାନେ ଦଶବର୍ଷର ହେଲା ବେଳକୁ, କାହାକୁ ଠକିବା ଯେ ଏକ ଗର୍ହିତ ଓ ନିନ୍ଦନୀୟ କାର୍ଯ୍ୟ, ସେକଥା ଆଉ ମୋଟେ ଅନୁଭବ କରିପାରୁନାହାନ୍ତି । ଚତୁର୍ଦ୍ଦିଗରେ ସମ୍ପୂର୍ଣ୍ଣ ହାଉଆଟା ଭିତରେ ଯେତେବେଳେ ଠକାମି ପ୍ରାୟ ଏକ ସାଧାରଣ କାର୍ଯ୍ୟ ରୂପେ ଚାଲିଛି, ଘରେ ବାହାରେ ଯେତେବେଳେ ପ୍ରାୟ ବୟସ୍କ ସମସ୍ତେ କେତେମନ୍ତେ କାହାକୁ ଠକୁଛନ୍ତି ଓ ସଫଳତା ଅର୍ଜନ କରୁଛନ୍ତି, ସେତେବେଳେ ଠକିବା ଆଉ ନିନ୍ଦନୀୟ ହୋଇ ରହିବ କାହିଁକି ? ସାଧୁ ହେବାକୁ ମନକଲେ ଯେ ବାସ୍ତବ ଜୀବନରେ ମଣିଷ ପଛରେ ପଡ଼ି ରହିବ ଓ ନିଜ ଜୀବନରେ ଆଦୌ କିଛି ହେଲେ ହାସଲ କରିପାରିବ ନାହିଁ, ନାନା ଭଳି ପ୍ରବର୍ତ୍ତନା ଓ ପ୍ରରୋଚନା ବଳରେ ଦୃଶ୍ୟ ଏବଂ ଅଦୃଶ୍ୟ ଉଭୟ ପ୍ରକାରେ ପିଲାକୁ ସେଠାରେ ସେହି କଥାଟିର ଇଙ୍ଗିତ ମିଳିଯାଉଛି । ଯିଏ ସାଧୁ ହେବାକୁ ମନ ଅଥବା ପ୍ରୟାସ କରୁଛି, ତାକୁ ତାର ବନ୍ଧୁମାନେ ଥଟ୍ଟା କରୁଛନ୍ତି, ଏବଂ ତା’ଠାରୁ ବୟସ ଏବଂ ଅକଲରେ ବଡ଼ ଅନ୍ୟମାନେ ତାକୁ ଗୋଟାସୁଦ୍ଧା ଅପଦାର୍ଥ ବୋଲି ମଣିବାରେ ଲାଗିଛନ୍ତି । ତେଣୁ, ବହିରେ ଯାହା ଲେଖା ହୋଇଥାଉ ପଛକେ, ଶିକ୍ଷକମାନେ ଯେତେ ଉତ୍ସାହରେ ଯାହା କହୁଥାନ୍ତୁ ପଛକେ, ଦଶ ବର୍ଷ ହେବା ବେଳକୁ ଗୋଟିଏ ପିଲାର ଯେତିକି ହେତୁ ହୋଇ ପାରିଛି, ସେ ସେତିକିରେ ହିଁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବୁଝିପାରୁଛି ଯେ, ତାକୁ କୌଣସି ପ୍ରକାରେ ସଫଳ ହେବାକୁ ପଡ଼ିବ । ଏବଂ, ସାଧୁତା ଅସାଧୁତା ବିଷୟରେ ଚିନ୍ତା କରି କେଉଁଠି ଅଟକି ରହିଗଲେ ସିଏ ଏହି ସଂସାରରେ ଆଦୌ ମଣିଷ ହୋଇପାରିବ ନାହିଁ ।

ଆମ ଭିତରେ ଗୋଟିଏ ଏଡେବଡ଼ ଠକ ବସିଛି, ଯିଏକି ନିଜକୁ ଠକି ଠକି ଚାଲିଛି । ଚାରିଆଡ଼କୁ ଅନାଇ ଆମେ ହୁଏତ କେବଳ ଠକମାନଙ୍କୁ ଦେଖୁଛୁ (ଜଣେ ଠକ ଆଉ ଅଧିକ କ’ଣ ଦେଖିପାରନ୍ତା ?), ଯେଉଁମାନେ କି ସଂସାର ଭିତରେ ଯଥାସମ୍ଭବ ଅଧିକରୁ ଅଧିକ ଠକି ନେବାରେ ଲାଗିଛନ୍ତି । ଆମେ ସମସ୍ତେ ସଫଳ ହେବାରେ ଧାଇଁଛୁ । ଏଠି ସଫଳ ନହେଲେ ଏ ଘର ଆମକୁ ଆଉ ଘର ପରି ମୋଟେ ଲାଗୁ ନାହିଁ । ଅନ୍ୟମାନଙ୍କର ତୁଳନାରେ ଅଧିକ ସଫଳ ହେବୁ ବୋଲି ବା ଅନ୍ତତଃ ଅଧିକ ସଫଳ ହୋଇଥିବା ପରି ଦେଖାଯିବୁ ବୋଲି ଆମେ ପରସ୍ପରକୁ ଚିତା କାଟି ଅତିକ୍ରମ କରିଯାଇ ସତେଅବା ସବା ଆଗଯାଇ ଆଉ କୋଉଠି ପହଞ୍ଚିଯିବୁ ବୋଲି ପଣ କରି ବାହାରିଛୁ, ସେହି ଦୁଷ୍ଟ ପାଞ୍ଚଗୁଡ଼ାକ ଭିତରେ ନିଜ ଜୀବନଗୁଡ଼ାକୁ ବଞ୍ଚୁଛୁ । ଆମ ପିଲାମାନେ ଆମ ଠାରୁ ଆଉ ଅଧିକ କ’ଣ ଶିଖିବେ ? ସେମାନଙ୍କ ସକାଶେ ଆମେ ଅଧିକରୁ ଅଧିକ ଭଲ ବହି ଆଣି ଖଞ୍ଜିଦେଉଛୁ । ସେମାନେ ଯେପରି ଗୋଟିଏ ଭଲ ପରିବେଶ ଭିତରେ ବଢ଼ିପାରିବେ, ସେଥିଲାଗି ଇସ୍କୁଲ ନାମକ ସ୍ଥାନଟିକୁ କେତେ ମନୋହର ଭାବରେ ତିଆରି କରିଛୁ । ଆମେ ପିଲାଦିନେ ପଢ଼ିଥିବା ବହିଗୁଡ଼ିକ ଆମକୁ ଯେତିକି ବଦଳାଇ ପାରିଲା, ଆମ ପିଲାଏ ବର୍ତ୍ତମାନ ପଢ଼ୁଥିବା ବହି ସବୁ ସେମାନଙ୍କୁ ଆଦୌ ତା’ଠାରୁ ଅଧିକ ପରିମାଣରେ ବଦଳାଇ ପାରିବେ ନାହିଁ ।

ଆମର ଯାବତୀୟ ଅଭିନୟ ଆମ ପିଲାମାନଙ୍କୁ ମଧ୍ୟ ଅଧିକରୁ ଅଧିକ ଅଭିନୟ କୁଶଳ ହେବା ପାଇଁ ଶିକ୍ଷା ଦେବ । ଆମେ ଯେପରି ଭିତରେ ବର୍ବର ଓ ବାହାରେ ବିନୟୀ ହୋଇ ରହିଛୁ ଓ ସଫଳତାମାନଙ୍କୁ ଭୋଗ କରିବାରେ ଲାଗିଛୁ, ଆମ ପିଲାଏ ନିୟମତଃ ଆମଠାରୁ ହୁଏତ ତାହାହିଁ ଶିଖିବେ । ସେମାନେ ଯାବତୀୟ ପ୍ରସୀମନ ଏବଂ ଯାବତୀୟ ପ୍ରରୋଚନା ସତ୍ତ୍ୱେ, ଆମର ଗାରଗୁଡ଼ାକୁ ଅତିକ୍ରମ କରି ଯେପରି ଆହୁରି ଆଗକୁ ଚାଲିଯାଇ ପାରିବେ, ସେମାନଙ୍କୁ ସେହି ଅନ୍ୟ ଓ ଅଭିନବ ଶିକ୍ଷାଟିକୁ କିଏ ଦେଇପାରିବ ?

ଆମର ଯେଉଁ ରୀତିରେ ଗତ କେତେ ପୁରୁଷ ଧରି ଆମ ସଂସାରଟି ଚାଲି ଆସିଛି, ଆମ ବିଦ୍ୟାଳୟମାନଙ୍କରେ ନାନା ଶୋଭନ ପରିପାଟୀ ସହିତ ତାହାରି ପୁନରାବୃତ୍ତି ହେବାର କପଟସମ୍ଭ୍ରମ ଲାଗି ରହିଥିବା ପର୍ଯ୍ୟନ୍ତ ଆମକୁ ନିମିତ୍ତ କରି ଆମ ପିଲାଙ୍କର ବିବେକକୁ କାଞ୍ଜିଆ କରି ଆମ ପୃଥିବୀ ଆହୁରି ବର୍ବର ହେବାରେ ଲାଗିଥିବ । ରୀତି ବଦଳାଇଲେ ଯାଇ ଅସଲ ଭବିଷ୍ୟଟି ନିମନ୍ତେ ସେହି ଅନ୍ୟ ବାଟଟି ଖୋଲିଯାଇ ପାରିବ । ଆମେ, ବିଦ୍ୟାଳୟକୁ ଚଳାଉଥିବା ସମସ୍ତେ ରାଜି ହେଲେ ଯାଇ ତାହା ସମ୍ଭବ ହେବ । ଅର୍ଥାତ୍ ଆମେ କାନ୍ଧ ପତାଇ ଦେବା, ଆମ ପିଲାମାନେ ତାହାରି ଉପରେ ଗୋଡ଼ଭରା ଦେଇ ଆମଠାରୁ ଆହୁରି ଆଗକୁ ଚାଲିଯିବେ, ଏକ ଅନ୍ୟ ରୀତି, ଅନ୍ୟ ସମ୍ବନ୍ଧ ଓ ଅନ୍ୟ ଆତ୍ମୀୟତାର ଆବିଷ୍କାର କରି ପାରିବେ । ଆମ ଦ୍ୱାରା କ’ଣ ପ୍ରକୃତରେ ଏତେବେଶୀ ସମ୍ଭବ ହେବ ? ଅର୍ଥାତ୍‌ ଆହୁରି ଅଧିକ ସମୀଚୀନ ଭାବରେ କହିଲେ, ଆମେ କ’ଣ ଏତେ ଅଧିକ ଲାଗି ପ୍ରକୃତରେ ରାଜୀ ହେବା ? ଏତେଯାଏ ରାଜୀ ହେବା ଲାଗି ଅସଲ ନାଡ଼ୀ ଓ ଅସଲ ଗ୍ରନ୍ଥିଗୁଡ଼ିକରେ ଆମ ଜୀବନର ପ୍ରୟୋଗପଥଟିରେ ଯେତିକି ବିଶ୍ୱାସ ଆମକୁ ପରିଚାଳିତ କରିନେଇପାରିବ, ଆମେ କ’ଣ ସତକୁସତ ସେତିକି ବିଶ୍ୱାସର ଯୋଗ୍ୟ ହୋଇପାରିବା ? ମାତ୍ର, ଗୋଟିଏ କଥା ଅବଶ୍ୟ ସତ ଯେ, ଆମ ପିଲାମାନଙ୍କୁ ଆମେ ଆମ ମଡେଲ ଓ ଆମ ସୀମାଗୁଡ଼ିକର ବୋଲ ଅନୁସାରେ ତିଆରି କରିବାରେ ଲାଗିଥିବା ପର୍ଯ୍ୟନ୍ତ ସେହି ଦିଗରେ ପ୍ରାୟ କିଛିହେଲେ କରିପାରିବା ନାହିଁ । ଆମେ ଯାହା ହୋଇ ନପାରିଲୁ ଯଦି ଆମେ ସେମାନଙ୍କୁ ସେଇଆ ହେବା ଲାଗି ବାଟ ଛାଡ଼ିଦେବା, ଆମର ଜ୍ଞାତଗୁଡ଼ିକର ସମସ୍ତ ଦ୍ୱାର ଖୋଲିଦେଇ ସେମାନଙ୍କୁ ଯଦି ଆମେ ଈପ୍‌ସିତ ଅନବଜ୍ଞାତଗୁଡ଼ିକର ପ୍ରେରଣା ଦେଇପାରିବା, ତେବେ ଯାଇ ହେବ । ତେବେ ଯାଇ କାଳ ହଟିବ ।

ମାର୍ଚ୍ଚ, ୧୯୮୬

☆☆☆

 

ଆମ ନିର୍ଭରର ଅସଲ ସ୍ଥାନ

 

ଯେଉଁମାନେ ଏହି ସଂସାରରେ କୌଣସି ବ୍ୟକ୍ତିଗତ ସିଦ୍ଧି ନିମନ୍ତେ ବାଟ ଚାଲୁଥା’ନ୍ତି, ସେମାନେ ବାଟ ଉପରେ ଅଧିକାଂଶ ସମୟରେ କେବଳ ନିଜକୁ ହିଁ ଦେଖନ୍ତି । ଏହିପରି ବାଟ ଚାଲିବାକୁ ସେମାନେ ବେଳେବେଳେ ଏକ ତପସ୍ୟା ବୋଲି କହନ୍ତି । କେତେ କଷ୍ଟ ସହନ୍ତି, ପ୍ରତିକୂଳ ନାନା ପରିସ୍ଥିତି ସହିତ କେତେ ନା କେତେ ଲଢ଼ିବାରେ ଲାଗିଥାନ୍ତି । ଏହି ଯାତ୍ରାରେ ଯିଏ ସେମାନଙ୍କୁ ଆଗକୁ ବାଟ ଦେଖାଇ ନେଇ ଯାଉଥାଏ, ସେମାନେ ପାରମ୍ପରିକ ଭାବରେ ତାହାକୁ ଭଗବାନ ବୋଲି ବି କହିଥାନ୍ତି । ଆପଣାର ସିଦ୍ଧି ନିମନ୍ତେ ସେମାନେ ସେହି ଭଗବାନଙ୍କୁ ଲୋଡ଼ନ୍ତି, ତାଙ୍କୁ ପ୍ରସନ୍ନ କରିବା ପାଇଁ ନାନା ଆୟୋଜନ କରନ୍ତି । ଏହିସବୁ ଆୟୋଜନ ଅତି ନିଖୁଣ ଭାବରେ ହୁଏ, ବିଧି ଅନୁସାରେ ହୁଏ । କାଳେ କିଏ ସେହି ବିଧିଗୁଡ଼ାକରୁ ବିଚ୍ୟୁତ ହୋଇଯିବ, ସେଥିଲାଗି ସେଗୁଡ଼ିକୁ ଶାସ୍ତ୍ରମାନଙ୍କରେ ଲେଖି ଦିଆଯାଇଥାଏ । ବିଧିମାନେ ଠିକ୍ ଥିବା ପର୍ଯ୍ୟନ୍ତ ସବୁକିଛି ଅବଶ୍ୟ ଠିକ୍ ରହିଛି ବୋଲି ପୂର୍ଣ୍ଣ ପ୍ରତ୍ୟୟ ମିଳି ଯାଉଥାଏ ।

 

ଆମେ ଯେତେବେଳେ ଓଡ଼ିଶାରେ ପ୍ରଥମ କରି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଟିଏ ଆରମ୍ଭ କଲୁ, ସେତେବେଳେ ପ୍ରାୟ ଏହିପରି ଏକ ଏକୁଟିଆ ତପସ୍ୟା ରୂପେ ତାହାକୁ ଆରମ୍ଭ କରିଥିଲୁ । ପାଠଚକ୍ରର ଅଭ୍ୟସ୍ତ ପରିଧିଟି ଆମକୁ ଭାରି ସାନ ପରି ବୋଧ ହେଲା । ଆମେ ଅଧିକ କିଛି କରିବାକୁ ଇଚ୍ଛା କଲୁ । ନୂତନ ବିଦ୍ୟାଳୟଟିଏ ଆରମ୍ଭ କରିବାର ସଙ୍କଳ୍ପ ଗ୍ରହଣ କଲୁ । ଆମର ଇସ୍କୁଲ ଆମ ସମ୍ମୁଖରେ ମୂଳତଃ ଗୋଟିଏ ମଡେଲ ହୋଇ ରହିଥିଲା । ସେହି ମଡେଲଟିକୁ ନେଇ ଆମର କଳ୍ପନା ଓ ଭାବନା ଆମକୁ ଯେତେ ଦୂରଯାଏ ଦଉଡ଼ାଇ ନେଇ ପାରୁଥିଲା, ଆମେ ମଡେଲଟିକୁ ଏକ ମୂର୍ତ୍ତରୂପ ଦେବାର ବାସନା ପୋଷଣ କରି ଓ ସେତିକି ଦୂରଯାଏ ଆପଣାର ବୁଦ୍ଧି ଖଟାଇ ଏଇଟା ବା ସେଇଟା କରିବାରେ ଲାଗିଥିଲୁ । ଆମ ଭିତରେ ନିଷ୍ଠା ପୂର୍ଣ୍ଣ ହୋଇ ରହିଥିଲା । ତେଣୁ ଆମେ ଯାହା ଯେପରି ଭାବରେ କରୁଥିଲେ ମଧ୍ୟ ତଥାପି ଉଚିତ ବାଟରେ ରହିଛୁ ବୋଲି ଅନୁଭବ ମଧ୍ୟ କରି ପାରୁଥିଲୁ ।

 

କ୍ରମେ ଗୋଟିଏ ଇସ୍କୁଲ ଦୁଇଟି ହେଲା, ଦୁଇଟିରୁ ଆଠୋଟି ଓ ଆଠୋଟିରୁ, ଏକୋଇଶିଟି ହେଲା । ସଂଖ୍ୟା ବଢ଼ି ବଢ଼ି ବର୍ତ୍ତମାନ ଷାଠିଏ ସରିକି ହେଲାଣି । ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । ପୂର୍ଣ୍ଣାଙ୍ଗ ଶିକ୍ଷାକୁ ନେଇ ଆମର ଉଦ୍ୟମଟି ଯେତେବେଳେ ଏକରୁ ଏକାଧିକ ସ୍ଥାନକୁ ପ୍ରସାରିତ ହୋଇଗଲା, ସେତେବେଳେ ଆମେ ପରସ୍ପର ଆଡ଼କୁ ଅନାଇ ଦେଖିବାର ଅବସର ପାଇଲୁ, ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କଲୁ; ଅନେକ ସମୟରେ ଅନ୍ୟମାନଙ୍କ ପରି ହେବାକୁ ଅର୍ଥାତ୍ ଦିଶିବାକୁ ଚେଷ୍ଟା ମଧ୍ୟ କଲୁ । ଏହିପରି ଭାବରେ ଆମେ ପରସ୍ପରର ପରିଚୟରେ ଆସିଲୁ–ପରସ୍ପର ପାଖରେ ଆମର ବିଦ୍ୟାଳୟଗୁଡ଼ିକ ସତେଅବା ଗୋଟିଏ ଗୋଟିଏ ମଡେଲ୍‌ ପରି ଅନୁଭୂତ ହେବାକୁ ଲାଗିଲା । ପାଠଚକ୍ରର ପର୍ଯ୍ୟାୟରେ ଆମର ପରସ୍ପର ସହିତ ଏକ ସମ୍ବନ୍ଧ ଅବଶ୍ୟ ରହିଥିଲା ସତ, ମାତ୍ର ତାହା ତଥାପି ଅନ୍ୟ ପ୍ରକାରର ଥିଲା । ବେଳେବେଳେ ଓଡ଼ିଶାର ବିଶେଷ ସ୍ଥାନମାନଙ୍କରେ ବାର୍ଷିକ ସମ୍ମିଳନୀମାନ ବସୁଥିଲା, ସେଥିରେ ବକ୍ତୃତା ଦେବା ଲାଗି ବିଶେଷ ବ୍ୟକ୍ତିମାନେ ଡକା ହୋଇ ଆସୁଥିଲେ । ଆମେ ବକ୍ତୃତା ଶୁଣି ଯାଉଥିଲୁ; କାହାର ପାଠଚକ୍ର କିପରି ଚାଲିଛି, ପ୍ରସଙ୍ଗକ୍ରମେ ତାହାର ଖବର ମଧ୍ୟ ପାଇ ଯାଉଥିଲୁ । ସମ୍ମିଳନୀ ପରେ ପୁନର୍ବାର ନିଜର ପାଠଚକ୍ରକୁ ଫେରି ଆସୁଥିଲୁ । ପୁଣି କେଉଁଠାରେ ସମ୍ମିଳନୀରେ ଯୋଗ ଦେବାର ସୁଯୋଗ ଆସି ପହଞ୍ଚିବା ପର୍ଯ୍ୟନ୍ତ ଆମେ ପ୍ରଧାନତଃ ଆମର ଯାବତୀୟ ଆଗ୍ରହ ଓ ଆଚରଣକୁ ପାଠଚକ୍ର ଭିତରେହିଁ ସୀମିତ ରଖୁଥିଲୁ । ଆମର ସନ୍ତକଗୁଡ଼ିକ ଏକା ହୋଇ ରହିଥିଲେ ମଧ୍ୟ ଆମର ନିଷ୍ଠା ଏବଂ ଆଚରଣ ପ୍ରାୟ ଏକାକୀ ହୋଇ ରହିଥିଲା ।

 

ନୂତନ ବିଦ୍ୟାଳୟଗୁଡ଼ିକକୁ ସ୍ଥାପିତ ହେବା ଆରମ୍ଭ ହେବା ପରେ ଆମ ସମସ୍ତଙ୍କ ସକାଶେ ଏକ ସାଧାରଣ ପାଠ୍ୟକ୍ରମ ପ୍ରସ୍ତୁତ କରାଗଲା । ଆମେ ସମସ୍ତେ ସମଗ୍ରତଃ ଗୋଟିଏ କାର୍ଯ୍ୟକ୍ରମର ଅନୁସରଣ କରିବୁ ବୋଲି ପରସ୍ପର ପାଖରେ ପ୍ରତିଜ୍ଞାବଦ୍ଧ ହେଲୁ । କେତେଦୂର ପ୍ରକୃତରେ ପାରିଲୁ ବା ନପାରିଲୁ, ତାହା ଅବଶ୍ୟ ଭିନ୍ନ କଥା । ତଥାପି, ସମସ୍ତେ ସତେଅବା ଗୋଟିଏ ଗୁଳାକୁ ସ୍ୱୀକାର କରି ନେଇଥିବା ପରି ଆମେ ପରସ୍ପରକୁ କ୍ରମେ ପରସ୍ପରର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ବାଟ ଚାଲୁଥିବା ପରି ଅନୁଭବ କରିବାକୁ ଆରମ୍ଭ କଲୁ । ଅସଲ ମନ୍ଦିରର ଚୂଡ଼ାଟି ସତେଅବା ଦୃଷ୍ଟିଗୋଚର ହୋଇ ଯାଉଥିବା ପରି ଅନୁଭୂତ ହେବାକୁ ଆରମ୍ଭ କଲା । ତାହାରି ଦର୍ଶନ ଆମକୁ ସତେଅବା ଗୋଟିଏ ପାହାଚ ଉପର ଆଡ଼କୁ ଉଠାଇନେଲା । ଆମର ଉଦ୍ୟମ ତା’ପରେ ଏକ ନୂତନ ପ୍ରସ୍ଥକୁ ସ୍ପର୍ଶ କଲା । ଆମର ବିଦ୍ୟାଳୟଗୁଡ଼ିକ ଗୋଟିଏ ଗୋଟିଏ ମଡେଲ୍‌ଠାରୁ ପ୍ରକୃତରେ ଅନେକ ବେଶୀ, ଏଗୁଡ଼ିକ ହେଉଛନ୍ତି ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ ସମ୍ଭାବନାର ପ୍ରତୀକ,–ପରସ୍ପରର ପାଖକୁ ଆସି ଆମେ ଅଧିକରୁ ଅଧିକ ପରିମାଣରେ ସେହି ସତ୍ୟଟିକୁ ଅନୁଭବ କରିବାକୁ ଲାଗିଲୁ । ଆମେ ପ୍ରତ୍ୟେକ ନିଜର ବିଦ୍ୟାଳୟଟିକୁ ଏକ ବୃହତ୍‍ ଏବଂ ମୂଳଭୂତ ଆନ୍ଦୋଳନର ପ୍ରତୀକରୂପେ ଦେଖିବାକୁ ଆରମ୍ଭ କଲୁ, ନିଜକୁ ମଧ୍ୟ ସେହି ଆନ୍ଦୋଳନର ଗୋଟିଏ ଗୋଟିଏ ନିମିତ୍ତରୂପେ ଅନୁଭବ କଲୁ । ଏହି ତପସ୍ୟା କେବଳ ମୋ’ରି ତପସ୍ୟା ନୁହେଁ, ଏହା ଏକ ପରବର୍ତ୍ତୀ ଅବଶ୍ୟମ୍ଭାବୀ ଭବିଷ୍ୟତ ଲାଗି ସମ୍ମତ ମନୁଷ୍ୟମାନଙ୍କର ଏକ ସମ୍ମିଳିତ ତପସ୍ୟା, ଏହିପରି ଉପଲବ୍ଧି ହେବାକୁ ଆରମ୍ଭ କଲା । ଆମ ସମସ୍ତଙ୍କୁ ଅତ୍ୟନ୍ତ ଦୃଶ୍ୟ ଭାବରେ ସତେଅବା ଏକ ବିଧିନିର୍ଦ୍ଦେଶିତ ଉଦ୍ୟମ ଏକତ୍ର ବାନ୍ଧି ରଖିଛି ବୋଲି ଅନୁଭବ ହେଲା । ନିଜର ଭିତରେ ମଧ୍ୟ ଆମେ ସତେଅବା ଗୋଟିଏ ପାହାଚ ଉପରକୁ ଉଠିଗଲୁ ।

 

ଏହିପରି ଅନ୍ୟ ଏକ ସମ୍ବନ୍ଧ ତଥା ଉଦ୍ୟମର ପ୍ରସ୍ଥକୁ ଉଠି ଆମେ ଶ୍ରୀଅରବିନ୍ଦ ଏବଂ ମାଆଙ୍କୁ ମଧ୍ୟ ସତେଅବା ଏକ ସଦ୍ୟ-ଆବିଷ୍କୃତ ସମଗ୍ରତରତାର ପ୍ରସ୍ଥତଳରେ ଖୋଜିବାକୁ ଆରମ୍ଭ କଲୁ । ଆମର ଏହି ମନୁଷ୍ୟ ସମାଜର ଯୁଗଚକ୍ରଟିକୁ ସିଏ ଯେପରି ଭାବରେ ବିଶ୍ଲେଷଣ କରିଛନ୍ତି ଓ ଏକ ଆଧ୍ୟାତ୍ମିକ ଚେତନାର ତଥା ଆତ୍ମିକ ସମ୍ବନ୍ଧକୁ ମୂଳ ମୀମାଂସକ ରୂପେ ଗ୍ରହଣ କରି ଅବଶ୍ୟ ଏକ ଅନ୍ୟ ପ୍ରକାରର ସମାଜ ସମ୍ଭବ ହୋଇପାରିବ ବୋଲି ଯେଉଁ ଘୋଷଣା କରିଛନ୍ତି, ଆମେ ମଧ୍ୟ କ୍ରମେ ସେହି ଆହ୍ୱାନକୁ ଶୁଣିବାକୁ ଆରମ୍ଭ କଲୁ । ସେହି ଅନ୍ୟ ସମ୍ଭାବନାଟି ଆଡ଼କୁ ଅଗ୍ରସର ହେବାରେ ଆମର ନୂତନ ବିଦ୍ୟାଳୟଗୁଡ଼ିକୁ ଆମେ ଗୋଟିଏ ଗୋଟିଏ ପ୍ରୟୋଗଶାଳାରୂପେ ଗ୍ରହଣ ମଧ୍ୟ କଲୁ । ଆମର ବିଦ୍ୟାଳୟ ଆଉ ତେଣିକି ଆମର କୌଣସି ଏକକ ତପସ୍ୟା ଅଥବା ଏକକ ସିଦ୍ଧିଲାଭର ମଡେଲ ହୋଇ ରହିଲା ନାହିଁ । ତାହା ଏକ ମୂଳଭୂତ ସମଗ୍ର ଆନ୍ଦୋଳନର ଅଙ୍ଗରୂପେ ଅନୁଭୂତ ହେଲା । ସେହି ଅନୁଭୂତି ଏକ ଅନ୍ୟ ସାହସ ଆଣିଦେଲା,–ଭିତରେ ସତେଅବା ଅଜସ୍ର ବଳର ଉନ୍ମେଷଣ ଘଟିଲା । ଆପଣାକୁ ସମ୍ମତ କରାଇ ସମ୍ମିଳିତ କରାଇ ପାରିଲେ ନିଜ ଭିତରେ ଯେଉଁ ବିଶ୍ୱାସ ବାଟ ଦେଖାଇ ନେଇଯାଏ, ଏହି ବଳ ସେହି ବିଶ୍ୱାସରୁ ହିଁ ଆସିଲା ।

 

ଠିକ୍ ଏତିକିବେଳେ ଆମ ବାଟରେ ସରକାର ଆସି ହାବୁଡ଼ିଲେ । ଆମର ଉଦ୍ୟମରେ ସିଏ ସହାନୁଭୂତି ପ୍ରକାଶ କଲେ । ସେମାନଙ୍କର ଅନୁରକ୍ତି ଏବଂ ଆନୁଗତ୍ୟର ଅସଳ ସୂତାଗୁଡ଼ାକ ଯେତେ ଅସ୍ୱାଭାବିକ ଏବଂ ଅସଙ୍ଗତିମୟ ଭାବରେ ଯେଉଁଠି ଗୁରାଇ ତୁରାଇ ହୋଇ ରହିଥାଉ ପଛକେ, ସେଠାରେ ବସିଥିବା କର୍ତ୍ତାମାନେ ଆମକୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଲେ । ଆମର ମଧ୍ୟ ସାହାଯ୍ୟ ଆବଶ୍ୟକ ଥିଲା, ତେଣୁ ସାହାଯ୍ୟ ଗ୍ରହଣ କରିବାରେ ଆଦୌ କୌଣସି ଅପ୍ରାସଙ୍ଗିକତା ନଥିଲା । ସରକାର ତାଙ୍କ ନିଜ ବହି ଓ ଖାତା ଅନୁସାରେ ଆମର ସୁମାରି କଲେ ଓ ଆମକୁ ଅଙ୍କ କଷି ସାହାଯ୍ୟ ଦେଲେ । ସେହି ସାହାଯ୍ୟ ଆମକୁ ସତେଅବା ଅଭାବରେ ଭାବ ପରି ଲାଗିଲା । ଯେତେବେଳେ ଆମେ ନିଜ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଯେତେ ଅଳପ ହେଉ ପଛକେ, ତଥାପି ଆଗକୁ ପାଦ ପକାଉଥିଲୁ ଓ ବାଟ ଚାଲୁଥିଲୁ, ସେତେବେଳର ତୁଳନାରେ ଆମର ବାହ୍ୟ ଅସହାୟତା କିଞ୍ଚିତ୍‌ କମିଗଲା ପରି ମନେ ହେଲା ସତ, ମାତ୍ର କ୍ରମେ ସେହି ସାହାଯ୍ୟ ଉପରେ ହିଁ ଆମର ନିର୍ଭରଶୀଳତା ବଢ଼ିଲା । ସେହି ସାହାଯ୍ୟ ମିଳୁନଥିଲେ ହୁଏତ ଆମେ ମୋଟେ ଆଗେଇ ପାରନ୍ତୁ ନାହିଁ, ସେହି ସାହାଯ୍ୟ ମମତା ଆମ ମନରେ ବେଳେବେଳେ ଏପରି ଏକ ପ୍ରତ୍ୟୟ ଦେବାକୁ ବେଶ୍ ଚେଷ୍ଟା ମଧ୍ୟ କଲା । ଅନେକ ସମୟରେ, ଯେଉଁଠାରେ, ଆମେ ନୁଆ ଇସ୍କୁଲଟିଏ ଗଢ଼ିବାକୁ ବାହାରିଲୁ, ସେଠାରେ ସବାଆଗ ସରକାରୀ ସାହାଯ୍ୟ ଉପରେ ହିଁ ଆମ ନଜରକୁ ନିଠ କରି ରଖି ଆମେ ଆମର ଅଟକଳଗୁଡ଼ାକୁ କଲୁ । ସାହାଯ୍ୟଟା ଯଥାସମ୍ଭବ ଅଧିକ ସୁରୁଖୁରୁରେ ଯେପରି ଆସି ପାରିବ, ସେଥିଲାଗି ଆପଣାର ବିବେକକୁ ନାନାପ୍ରକାରେ ବାଆଁରେଇ ଆମେ ସରକାର ଆମକୁ ଯେପରି ଦେଖିଲେ ହୁଏତ ଅଧିକ ପସନ୍ଦ କରିବେ, ଆମେ କ୍ରମେ ସେହିପରି ଦେଖାଯିବା ନିମନ୍ତେ କିଞ୍ଚିତ୍‌ ଚେଷ୍ଟା ମଧ୍ୟ କଲୁ । ତାଙ୍କରି ଫରମାସ ଅନୁସାରେ ତାଙ୍କ କାଗଜଗୁଡ଼ାକୁ ପୂରଣ କଲୁ, ତାଙ୍କରି ମନ ବୁଝିବା ମୁତାବକ କାଗଜଗୁଡ଼ାକର ଭରଣା ମଧ୍ୟ କଲୁ । ହୁଏତ ବେଳେବେଳେ ସେମାନଙ୍କୁ ଅସଲ ବାବୁ ବୋଲି ମାନିଲୁ, ସେମାନଙ୍କର ପାଦ ଆମ ଇସ୍କୁଲ ଭିତରକୁ ପଡ଼ିଲେ ଆମର ନିଅଣ୍ଟିଆ ଧନ୍ଦାଗୁଡ଼ିକ ହୁଏତ ଅଧିକ ସହଜରେ ସଳଖ ହୋଇଯିବ ବୋଲି ବିଶ୍ୱାସ କରି ଆମର ବିଶେଷ କାର୍ଯ୍ୟକ୍ରମମାନଙ୍କରେ ଆମେ ଭାରି ଶ୍ରଦ୍ଧାର ସହିତ ସେହିମାନଙ୍କୁ ଲୋଡ଼ି ବାହାରିଲୁ ।

 

ଏହାର ପରିଣତି ସ୍ୱରୂପ ଆମର ଉଦ୍ୟମ ଏବଂ ଉତ୍ସାହମାନଙ୍କର ଚେହେରା ମଧ୍ୟ କ୍ରମେ ଭିନ୍ନ ଦେଖାଯିବାକୁ ଆରମ୍ଭ କଲା । ଆମ ଭିତରୁ ଯେଉଁମାନେ ସରକାରୀ ଯୋଗସୂତ୍ରଗୁଡ଼ିକୁ ବଜାୟ ରଖିବାର ବିଶେଷ ଦାୟିତ୍ୱଟିକୁ ତୁଲାଇବାରେ ବିଶେଷ ଯୋଗ୍ୟତା ଦେଖାଇଲେ, ଆମ ଭିତରେ ସତେଅବା ସେହିମାନେ ହିଁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଦେଖାଯିବାକୁ ଲାଗିଲେ । ସେମାନେ ଆମ ଭିତରେ ମାମଲତକାର ପରି ଦିଶିଲେ । ଅସଲ କାମ ସେହିମାନେ କରୁଛନ୍ତି ବୋଲି ପ୍ରତୀତ ହେଲେ । ଏହିପରି ଭାବରେ ଆମ ପଙ୍ଗତ ଭିତରକୁ ଏପରି ଦଳେ ମ୍ୟାନେଜର ବା କାରପଟଦାର ଗୋଷ୍ଠୀର ବ୍ୟକ୍ତିମାନେ ପଶି ମଧ୍ୟ ଆସିଲେ, ଯେଉଁମାନଙ୍କର ନିଷ୍ଠାର ନାଡ଼ ଆମର ନିଜ ଘରେ ନ ରହି ଅଧିକତର ପରିମାଣରେ ସରକାରୀ ଉଚ୍ଚ ଓ ଅତ୍ୟୁଚ୍ଚ ଗୋଦାମମାନଙ୍କରେ ଯାଇ ରହିଲା । ଅମୁକ ଆଳୟରେ ଅମୁକ ଅମାତ୍ୟ କିମ୍ବା ଅଧିକାରୀଙ୍କୁ ଧରିପାରିଲେ ଆମର ଅଟକିଥିବା କାମଗୁଡ଼ିକ ହୁଏତ ଠକ୍‍ କରି ହୋଇଯିବ ବା ବନିଯିବ ବୋଲି ଏହି ବିଶେଷ କୁଶଳ ଅଗ୍ରଗାମୀମାନେ ଆମକୁ ଏକ ବିଶ୍ୱାସ ଆଣି ଦେଉଥିବା ପରି ମନେ ହେଲେ । ସେହିମାନଙ୍କର ଭୁଲାରେ ପଡ଼ି, ବିଦ୍ୟାଳୟରେ ଆମର ଅସଲ ଆହ୍ନିକଗୁଡ଼ାକ ମଧ୍ୟ ବଦଳିଗଲା । ସିଲାବସ୍‍ ବୋଲି ଖାତାରେ ଓ ବହିରେ ଯାହା ଦେଖାଇଥିଲେ ମଧ୍ୟ ସତକୁସତ ଆମେ ସରକାରୀ ପରୀକ୍ଷାଘରର ପିଆଦାମାନଙ୍କର ବୋଲ ଅନୁସାରେ ଆମ ପଦ୍ଧତିଗୁଡ଼ାକୁ ବଦଳାଇ ଦେବାକୁ ହୁଏତ ଆଉ କୁଣ୍ଠାବୋଧ କଲୁ ନାହିଁ । ହୁଏତ ପାଞ୍ଚ ବର୍ଷ କି ସାତ ବର୍ଷ ପରେ ଆମ ପିଲାଏ କୌଣସି ସରକାରୀ ପରୀକ୍ଷାରେ ବସିବେ ବୋଲି ଆମେ ସେମାନଙ୍କୁ ମୂଳରୁ ହିଁ ସେହି ଅନୁସାରେ ମଣ କରିବାକୁ ଆରମ୍ଭ କରିଦେଲୁ । ଆମଠାରୁ ପୂର୍ଣ୍ଣ ଅନୁମୋଦନ ପାଇଥିବା ପରି ଆମର ଶିକ୍ଷକମାନେ ମଧ୍ୟ ଅଧିକ ପଇସା ନେଇ ପିଲାମାନଙ୍କୁ ରାତିଦିନ ପାଠ ପଢ଼ାଇ ବାହାରିଲେ, ଚାହାଳୀମାନ ବସାଇଲେ-। ଯାହା ଏକଦା ଫୁଲ ବଗିଚା ପରି ଦେଖା ଯାଉଥିଲା, ଫୁଟା ଫୁଲର ପ୍ରେରଣା ଦେଉଥିଲା, ତାହା ସତେଅବା କମାରଶାଳ ପରି ଦେଖାଗଲା । ଆମେ ଅବାକ୍ ହୋଇ ଆପଣା ଆଡ଼କୁ ଅନାଇବାରେ ଲାଗିଲୁ, ଆପଣାର ଅସଲ ଅକ୍ତିଆର ଭିତରୁ ଖସି ବାହାରକୁ ଚାଲି ଯାଉଥିବା ପରି ଅନୁଭବ କଲୁ-

 

ଯାହା ଉପରେ ପ୍ରକୃତରେ ନିର୍ଭର କରିବା କଥା, ତାହାକୁ ଗୌଣ କରି ପକାଇ ସରକାରଙ୍କ ଉପରେ ନିର୍ଭର କରିବାରେ ହିଁ ଅଧିକତର ଶକ୍ତି ଓ ଅଧିକତର ସମୟ ଖର୍ଚ୍ଚ କରିବା, ଆମ ଅଣଅକ୍ତିଆର ହୋଇପଡ଼ିବା ପଛରେ ସମ୍ଭବତଃ ତାହାକୁ ହିଁ ସର୍ବପ୍ରଧାନ କାରଣ ବୋଲି କୁହାଯିବ । ଆମେ ଆମ ବାଟରେ ରହିବାକୁ ହିଁ ସବୁଠାରୁ ଅଧିକ ଶକ୍ତି ଓ ସବୁଠାରୁ ଅଧିକ ସମୟ ଦେଇ ପାରୁଥିବା ପର୍ଯ୍ୟନ୍ତ ଆମେ କଦାପି ଅଣଅକ୍ତିଆର ହୋଇ ପଡ଼ିବାର ଦୁର୍ଦ୍ଦଶା ମଧ୍ୟରେ ଲଟର ପଟର ହେବାକୁ ମନ କରନ୍ତେ ନାହିଁ । ଆମର ଅସଲ ନିର୍ଭର ଆମ ନିଜ ପାଖରେ, ଆମର ସଙ୍କଳ୍ପରେ, ଆମ ପରସ୍ପର ପାଖରେ । ଯେଉଁ ଉଦ୍ୟମଟି ଆମକୁ ସତେ ଅବା ନିୟତି ଦ୍ୱାରା ନିର୍ଦ୍ଦିଷ୍ଟ ହୋଇଥିବା ପରି ପରସ୍ପର ସହିତ ଆଣି ଭେଟ କରାଇଛି, ସେହି ଉଦ୍ୟମଟି ଉପରେ ହିଁ ଆମର ସବୁଠାରୁ ଅଧିକ ଶ୍ରଦ୍ଧା ରହିପାରୁଥିବା ଉଚିତ । ଅଧିକ ଶୀଘ୍ର କୌଣସି ସଫଳତା ହୁଏତ ମିଳିବାର ଲୋଭରେ ପଡ଼ି, ଆମେ ଯଦି ନାନାଭାବେ ଆମ ପାରସ୍ପରିକତାର ଅସଲ କେନ୍ଦ୍ରଟିରୁ ବିଚ୍ୟୁତ ହୋଇଯିବା, ତେବେ ହୁଏତ ନାନା ଅନ୍ୟ ସଫଳତା ଆମକୁ ଅବଶ୍ୟ ମିଳିବ ସତ, ମାତ୍ର ତାହା ସହିତ ବାହାରର ଅନ୍ୟ ଗୁଳାଗୁଡ଼ିକ ଆସି ଆମର ଧ୍ୟାନପଥଟିକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରି ପକାଇବେ । ଗୋଟିଏ ଗୋଟିଏ ମଡେଲ ରୂପେ ଆମର ଇସ୍କୁଲକୁ ତିଆରି କରିବାରେ ଲାଗିଥିବା ପର୍ଯ୍ୟନ୍ତ ଆମେ ହୁଏତ ଏକୁଟିଆ ହୋଇ ଯେକୌଣସି ପ୍ରକାରେ ଅଧିକରୁ ଅଧିକ ହୋଇ ଦିଶିବାକୁ ନାନା କୁଶଳ ତଥା ଅକୁଶଳ ଉଦ୍ୟମମାନ କରିବାରେ ଲାଗିଥିବା ଅଧିକ ପାରଙ୍ଗମ ଓ ଅଧିକ ସମର୍ଥ ବୋଲି ଦିଶିବାକୁ ଆମେ ଆମର ନିଜ ଇସ୍କୁଲଗୁଡ଼ିକୁ ନାନା ଆବଶ୍ୟକ ଓ ଅନାବଶ୍ୟକ ମଣ୍ଡଣିମାନଙ୍କ ଦ୍ୱାରା ମଣ୍ଡାଇବାରେ ଲାଗିଥିବା । ମାତ୍ର, ଯଦି ସତକୁସତ ଆମେ ନିଜର ଏହି ଇସ୍କୁଲଗୁଡ଼ିକୁ ଏକ ଅବଶ୍ୟମ୍ଭାବୀ ଆନ୍ଦୋଳନର ଅଙ୍ଗ ରୂପେ ଅନୁଭବ କରିବାକୁ ଶିକ୍ଷା କରିବା, ତେବେ ଆମର ସଂସ୍କାର ଓ ସ୍ୱଭାବଗୁଡ଼ାକ ମଧ୍ୟ ଏକାବେଳେକେ ଅନ୍ୟପ୍ରକାର ହୋଇଯିବ । ତା’ହେଲେ ପାରସ୍ପରିକତା ହିଁ ଆମର ସବୁଠାରୁ ବଡ଼ ନିର୍ଭରସ୍ଥାନ ହୋଇ ରହିବ । ଆମେ ପରସ୍ପରର ପରିପୂରକ ହୋଇ ବାଟ ଚାଲିବା । ପରସ୍ପର ଲାଗି ଅପେକ୍ଷା ରଖିବା, ପରସ୍ପରକୁ ପଛରେ ପକାଇ ଦେଇ ଆଗ ଆଗକୁ ବାହାରି ଯିବା ଲାଗି ଆଦୌ ମନ କରିବା ନାହିଁ । ତେବେ ଆମେ ନିଜର ଅନ୍ତର ଭିତରେ ପରସ୍ପରକୁ ଆହୁରି ଅଧିକ ଥାନ ଦେଇ ଶିଖିବା । ଅନ୍ୟମାନଙ୍କର ପାଟିକୁ ବନ୍ଦ ରଖି ନିଜେ ସମସ୍ତଙ୍କ ଅପେକ୍ଷା ଅଧିକ କଥା କହିବାରେ ମୋଟେ ସରାଗ ଦେଖାଇବା ନାହିଁ । ଯେଉଁମାନେ ନିଜ ଭିତରର ଶକ୍ତିଟିକୁ ପ୍ରକୃତରେ ଅନୁଭବ କରି ଶିଖିଥାନ୍ତି, ସେମାନେ ପରସ୍ପରକୁ କେବେହେଲେ ଅବଜ୍ଞା କରନ୍ତି ନାହିଁ । ଯେଉଁମାନେ ନିଜ ଭିତରର ନିଆଁଟି ସମ୍ବନ୍ଧରେ ପ୍ରକୃତରେ ସଚେତନ ହୋଇ ରହିଥା’ନ୍ତି, ସେମାନେ ଅନ୍ୟମାନଙ୍କ ଭିତରେ ରହିଥିବା ନିଆଁଟିକୁ ମଧ୍ୟ ସ୍ୱୀକୃତି ଦିଅନ୍ତି, ସମ୍ମାନ ଦିଅନ୍ତି ।

 

ତେବେ ଆମେ ପ୍ରକୃତରେ କ’ଣ କରିବା ? ନିଜର ବିଦ୍ୟାଳୟରୂପୀ ଆସ୍ଥାନଟିକୁ ଅଧିକରୁ ଅଧିକ ପରିମାଣରେ କେବଳ ଏକ ଆତ୍ମକୈନ୍ଦ୍ରିକ ମଡେଲ୍‌ରୂପେ ତିଆରି କରିବା, ଧନ୍ଦା ଭିତରେ ଅଧିକରୁ ଅଧିକ ଲିପ୍ତ ହୋଇ ରହି କ୍ରମେ ପୁରାତନ ଅରୀତିକୁଡ଼ାକର ଗୁଳା ଭିତରେ ବିସ୍ତୃତ ହୋଇ ରହିବା ଓ ସେହି ପୁରୁଣା ପୋଖରୀରେ ନୂଆ ହୋଇ ପ୍ରବେଶ କରିଥିବା ଫୁଲା ବେଙ୍ଗଟିଏ ପରି ଆତ୍ମସନ୍ତୋଷ ଲାଭ କରିବା ନା ପରସ୍ପର ସହିତ ଏକତ୍ର, ସମ୍ମୁଖକୁ ପାଦ ପକାଇ ପ୍ରକୃତରେ ସମଗ୍ର ପୃଥିବୀ ଲାଗି ପରବର୍ତ୍ତୀ ଉଦ୍‌ବେଳନ ଓ ତଜ୍ଜନିତ ଉତ୍ତୋଳନଟିର ଆହ୍ୱାନ ଜଣାଇ ଆମର ଦ୍ୱାରଦେଶରେ ଆସି ଉପସ୍ଥିତ ହୋଇଥିବା ଆନ୍ଦୋଳନଟିରେ ଭାଗ ନେବା, ନିମିତ୍ତ ହେବାର ଗୌରବ ଅର୍ଜନ କରିବା ? କ୍ରମେ ଆମ ଭିତରେ ଏହି କଥାଟିର ଅଧିକ ଆଲୋଚନା ହେଉ ।

 

ପରବର୍ତ୍ତୀ ଭବିଷ୍ୟତର ଚାବି ମୁମୂର୍ଷୁ ବର୍ତ୍ତମାନଟିକୁ ଯେକୌଣସି ପ୍ରକାରେ ସମ୍ଭାଳି ଧରିଥିବା ସରକାରମାନଙ୍କର ହାତରେ ନାହିଁ, ତାହା ପରବର୍ତ୍ତୀ ସୋପାନଟିର ଆହ୍ୱାନଟି ଅନୁସାରେ ଆପଣାକୁ ପ୍ରସ୍ତୁତ ଓ ଜାଗ୍ରତ କରି ରଖିଥିବା ସମ୍ମତ ମଣିଷମାନଙ୍କ ହାତରେ ହିଁ ରହିଛି । ସେହି ଚାବି କର୍ତ୍ତୃତ୍ୱ ହାତରେ ନାହିଁ, ସେହି କର୍ତ୍ତୃତ୍ୱକୁ କାମୁଡ଼ି ରହିଥିବା କର୍ତ୍ତାମାନଙ୍କ ହାତରେ ମଧ୍ୟ ନାହିଁ, ତାହା ଏକ ନୂତନ ପ୍ରତ୍ୟୁଷର ପ୍ରତ୍ୟୟ ନେଇ, ସେହି ପ୍ରତ୍ୟୁଷ ଅବଶ୍ୟ ଆସୁଛି ବୋଲି ନିଜ ଭିତରୁ ସତେଅବା ଏକ ଭଗବତ୍‌ ସମର୍ଥନ ଲାଭ କରି, ପରସ୍ପରକୁ ଆବିଷ୍କାର କରି କ୍ରମେ ଏକତ୍ର ହେଉଥିବା ସାହସୀ ମଣିଷମାନଙ୍କ ହାତରେ । ଆମର ଅସଲ ଶ୍ରଦ୍ଧା ହିଁ ଆମର ଭୂମିକାଟିକୁ ନିର୍ଣ୍ଣୟ କରି ଦେଉଥିବ ।

 

ଏପ୍ରିଲ, ୧୯୮୬

☆☆☆

 

ଜଣେ ଅଭିଭାବକଙ୍କ ଚିଠି

 

ଆମେରିକା ଯୁକ୍ତରାଷ୍ଟ୍ରର ଶ୍ରୀଯୁକ୍ତ ଆବ୍ରାହମ ଲିଙ୍କନ୍‍ଙ୍କ କଥା ଆମେ ସମସ୍ତେ ଜାଣିଛୁ । ସେ ଏକଦା ସେହି ଦେଶର ରାଷ୍ଟ୍ରପତି ଥିଲେ । ଆମେରିକା ଦେଶରୁ କ୍ରୀତଦାସ--ପ୍ରଥାର ବିଲୋପ ସାଧନ କରିବା ନିମନ୍ତେ ସିଏ ସେହି ପ୍ରଥାର ସମର୍ଥନ ଏବଂ ପ୍ରଚଳନ କରୁଥିବା ରାଜ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ଯୁଦ୍ଧରେ ଜୟଲାଭ କରିଥିଲେ । ନିଜର ନୀତିରେ ଅଟଳ ରହିବାର କାରଣରୁ ଜଣେ ଆତତାୟୀ ହାତରେ ତାଙ୍କୁ ନିଜର ଜୀବନ ଦେବାକୁ ପଡ଼ିଥିଲା । ଲିଙ୍କନ୍‍ଙ୍କ ବିଷୟରେ କେତେ କେତେ ଭାଷାରେ କେତେ ବହି ଲେଖାଯାଇଛି । ତାଙ୍କର କେତେକ ବକ୍ତୃତା ଆଲୋକକାମୀ ମଣିଷମାନଙ୍କୁ ଏବେ ମଧ୍ୟ ପ୍ରେରଣା ଦେଉଛି । ଆବ୍ରାହାମ ଲିଙ୍କନ୍‍ ଜଣେ ଅଭିଭାବକ ମଧ୍ୟ ଥିଲେ । ତାଙ୍କର ପିଲାମାନେ ସେତେବେଳେ ବିଭିନ୍ନ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ତାଙ୍କର ପିଲାମାନେ ସେତେବେଳେ ବିଭିନ୍ନ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ତାଙ୍କର ପୁଅ ପଢ଼ୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟକୁ ଲିଙ୍କନ୍‌ ଏକଦା ଲେଖିଥିବା ଗୋଟିଏ ଦୀର୍ଘ ଚିଠିର ଆମେ ଏହି ପ୍ରବନ୍ଧରେ ଆଲୋଚନା କରିବା । ବିଦ୍ୟାଳୟରେ ପାଠ ପଢ଼ି ତାଙ୍କର ପୁଅ ଜୀବନରେ କ’ଣ ସବୁ ଶିଖୁ ଏବଂ କ’ଣ ସବୁ ହେଉ ବୋଲି ଜଣେ ଅଭିଭାବକ ଭାବରେ ଲିଙ୍କନ୍‍ ଆଶା କରୁଛନ୍ତି, ଆପଣାର ଚିଠିରେ ସିଏ ସେହିସବୁ କଥାର ଉଲ୍ଲେଖ କରିଥିଲେ । ଏ ଯୁଗରେ ମଧ୍ୟ ପୃଥିବୀଯାକ ବିଦ୍ୟାଳୟମାନ ରହିଛି । ସେହି ବିଦ୍ୟାଳୟଗୁଡ଼ିକରେ ଶିକ୍ଷକମାନେ ଅଛନ୍ତି ଓ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି । ସେହି ପିଲାମାନଙ୍କର ବାପାମାଆ ଅଛନ୍ତି । ସେହି ବାପାମାଆମାନେ ନିଜ ପିଲାମାନେ ବିଦ୍ୟାଳୟରୁ କ’ଣ ସବୁ ଶିଖନ୍ତୁ ଓ ବଡ ହୋଇ କ’ଣ ସବୁ ହୁଅନ୍ତୁ ବୋଲି ଆଶା କରୁଛନ୍ତି ? ଆମର ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକରେ ଆମେ ଶିକ୍ଷକ ଏବଂ ଅଭିଭାବକ ହିସାବରେ ଆମ ପିଲାଏ କ’ଣ ଶିଖନ୍ତୁ ବା କ’ଣ ହୁଅନ୍ତୁ ବୋଲି ପ୍ରକୃତରେ ଆଶା କରୁଛୁ ? ତାହାରି ପରିପ୍ରେକ୍ଷୀରେ ଆମେ ଶ୍ରୀଯୁକ୍ତ ଆବ୍ରାହମ୍‌ ଲିଙ୍କନ୍‌ଙ୍କର ଚିଠିଟିର ଆଲୋଚନା କରିବା ।

 

ଲିଙ୍କନ୍‍ ନିଜର ପୁଅଟି କଥା ପକାଇ ପ୍ରଧାନ ଶିକ୍ଷକଙ୍କ ପାଖକୁ ଲେଖିଥିବା ଚିଠିରେ ଲେଖିଥିଲେ, ‘‘ପୃଥିବୀରେ ସବୁ ମଣିଷ ଯେ ସତ୍ୟପରାୟଣ ଅଥବା ନ୍ୟାୟପରାୟଣ ନୁହନ୍ତି, ପୁଅକୁ ଏହି କଥାଟିକୁ ଅବଶ୍ୟ ଶିକ୍ଷା କରିବାକୁ ହେବ ବୋଲି ମୁଁ ବେଶ୍ ବୁଝିପାରୁଛି । ମାତ୍ର, ଆପଣ ତାକୁ ଏକଥା ମଧ୍ୟ ଶିକ୍ଷା ଦିଅନ୍ତୁ ଯେ, ଏହି ପୃଥିବୀରେ ବଦମାସ୍‌ମାନେ ଯେତିକି ସଂଖ୍ୟାରେ ରହିଛନ୍ତି, କଲ୍ୟାଣକାରୀ ବୀରପୁରୁଷମାନେ ମଧ୍ୟ ସେତିକି ସଂଖ୍ୟାରେ ଅଛନ୍ତି । ସ୍ୱାର୍ଥସିଦ୍ଧି ନିମନ୍ତେ ଯେତେ ମଣିଷ ରାଜନୀତି କରୁଛନ୍ତି, ଠିକ୍ ସେତିକି ମଣିଷ ଏକ ପୂର୍ଣ୍ଣ ଉତ୍ସର୍ଗର ମନୋଭାବ ସହିତ ବି ରାଜନୀତିରେ ନେତୃତ୍ୱ ଦେଉଛନ୍ତି । ...ତାକୁ ଆପଣ ଶିକ୍ଷା ଦେବେ ଯେ ପୃଥିବୀଯାକ ସବୁ ମଣିଷ ଆଦୌ ଶତ୍ରୁ ନୁହନ୍ତି, କାରଣ ଏଠି ଯେତିକି ସଂଖ୍ୟାରେ ଶତ୍ରୁ ଅଛନ୍ତି, ସେତିକି ସଂଖ୍ୟାରେ ବନ୍ଧୁ ମଧ୍ୟ ରହିଛନ୍ତି । ଏହିସବୁ କଥା ଶିଖିବାକୁ ତାକୁ ଅବଶ୍ୟ ସମୟ ଲାଗିବ । ମାତ୍ର ଯଦି ଆପଣ ପ୍ରକୃତରେ ପାରିବେ, ତେବେ ତାକୁ ଆପଣ ଏକଥା ମଧ୍ୟ ଶିକ୍ଷା ଦିଅନ୍ତୁ ଯେ,ବାଟ ଚାଲୁ ଚାଲୁ ପାଇଥିବା ପାଞ୍ଚ ଡଲାର ଅପେକ୍ଷା ପ୍ରକୃତ ପରିଶ୍ରମ କରି ଅର୍ଜନ କରିଥିବା ଗୋଟିଏ ଡଲାରର ମୂଲ୍ୟ ଅନେକ ଅଧିକ । ...ଆପଣ ତାକୁ ହଜାଇବା ଶିଖାଇବେ, ହାରିବାକୁ ମଧ୍ୟ ଶିଖାଇବେ, କିନ୍ତୁ ତାହା ସଙ୍ଗେ ସଙ୍ଗେ ହାସଲ କରିବା ଏବଂ ବିଜୟଲାଭ କରିବାର ଆନନ୍ଦକୁ ଅନୁଭବ କରିବାକୁ ମଧ୍ୟ ଅବଶ୍ୟ ଶିଖାଇବେ । ଆପଣ ତାକୁ ଇର୍ଷା ଏବଂ ପରିଶ୍ରୀକାତରତାଠାରୁ ଦୂରକୁ ନେଇଯିବେ, ଯଦି ପାରିବେ, ଯେକୌଣସି ପରିସ୍ଥିତିରେ ମଧ୍ୟ ନୀରବରେ, ଶାନ୍ତ ଭାବରେ ହସି ପାରିବାର ରହସ୍ୟଟିକୁ ମଧ୍ୟ ଶିଖାଇଦେବେ । ଅତି କମ୍ ବୟସ ବେଳୁ ଆପଣ ତାକୁ ଏହି କଥା ଶିକ୍ଷା ଦେବେ ଯେ, ଯେଉଁମାନେ ଉତ୍ପୀଡ଼ନକାରୀ ହିସାବରେ କ’ଣ ନା କ’ଣ କରି ପକାଇବେ ବୋଲି ଫଅଁ ଫଅଁ ହେଉଥାନ୍ତି ଓ ଚୋଟ ମାରିବାକୁ ଧାଇଁ ଆସୁଥାନ୍ତି, ସେହିମାନେ ହିଁ ସର୍ବପ୍ରଥମେ ପଦଲେହନ କରିବା ଲାଗି ପ୍ରସ୍ତୁତ ମଧ୍ୟ ହୋଇଯାଆନ୍ତି । .. ଯଦି ଆପଣ ପାରିବେ, ତେବେ ଆପଣ ତାକୁ ବହିଗୁଡ଼ିକ ମଧ୍ୟରେ ଲୁକ୍‍କାୟିତ ହୋଇ ରହିଥିବା ବିସ୍ମୟ ବିଷୟରେ ମଧ୍ୟ ଶିକ୍ଷା ଦେବେ, ସେହି ବିସ୍ମୟଗୁଡ଼ିକର ଆହରଣ କରିପାରିବା ଲାଗି ଶିକ୍ଷା ଦେବେ, ମାତ୍ର ତଥାପି ତା’ର ଜୀବନରେ ଏପରି କେତେକ ଶାନ୍ତ ତଥା ନିଷ୍କମ୍ପ ମୁହୂର୍ତ୍ତ ଲାଗି ମଧ୍ୟ ଥାନ ଛାଡ଼ି ଦେଇଥିବେ, ଯେତେବେଳେ କି ସିଏ ଆକାଶରେ ଉଡ଼ି ଯାଉଥିବା ଚଢ଼େଇ, ଖରାରେ ଚକଚକ ହୋଇ ଦିଶୁଥିବା କର୍ମରତ ମହୁମାଛି ଏବଂ ସବୁଜ ପାହାଡ଼ର ଧାରରେ ପ୍ରସ୍ଫୁଟିତ ହୋଇ ଉଠିଥିବା ଫୁଲଗୁଡ଼ିକର ଚିରନ୍ତନ ରହସ୍ୟମୟତା ବିଷୟରେ ମଧ୍ୟ ସତକୁସତ ପୂର୍ଣ୍ଣମଗ୍ନ ହୋଇ ଚିନ୍ତା କରିପାରିବ, ଏକାନ୍ତ ନିଷ୍ପନ୍ଦ ହୋଇ ସେଗୁଡ଼ିକର ଉପସ୍ଥିତିକୁ ଅନୁଭବ କରିପାରିବ ।

 

‘‘ବିଦ୍ୟାଳୟରେ ପାଠ ପଢ଼ାଇବା ସମୟରେ ଆପଣ ତାକୁ ଏକଥା ଶିକ୍ଷା ଦିଅନ୍ତୁ ଯେ, ଠକିବା ଅପେକ୍ଷା ବରଂ ଅକୃତକାର୍ଯ୍ୟ ହେବା ହେଉଛି ଅଧିକ ସମ୍ମାନଜନକ । ତା’ ନିଜର ବିଚାର ଏବଂ ଭାବନାଗୁଡ଼ିକ ଉପରେ ଯେପରି ତା’ର ଯଥାର୍ଥରେ ଏକ ବିଶ୍ୱାସ ରହିଥିବ, ଆପଣ ସେକଥା ତାକୁ ଶିକ୍ଷା ଦେବେ । ଅନ୍ୟ ସମସ୍ତେ ତା’ର ଭାବନାଗୁଡ଼ିକ ଭୁଲ୍‌ ବୋଲି ତା’ ଆଗରେ କହିବାରେ ଲାଗିଥିଲେ ମଧ୍ୟ ସିଏ ନିଜେ ସେଗୁଡ଼ିକୁ ଠିକ୍ ବୋଲି ବୁଝୁଥିବା ପର୍ଯ୍ୟନ୍ତ ସେଗୁଡ଼ିକରେ ଅବଶ୍ୟ ପ୍ରତ୍ୟୟ ରଖି ପାରୁଥିବ, ଆପଣ ତାକୁ ସେହିକଥା ଶିକ୍ଷା ଦେବେ । ....ଆପଣ ତାକୁ ଭଦ୍ର ଓ ଧୀର ମଣିଷଙ୍କ ସହିତ ଭଦ୍ର ଏବଂ ଧୀର ହେବା ଲାଗି ଶିକ୍ଷା ଦେବେ, କଠୋର ଓ କଠିନମାନଙ୍କ ପ୍ରତି ଅନୁରୂପ ଭାବରେ କଠୋର ଓ କଠିନ ହେବାକୁ ଶିକ୍ଷା ଦେବେ । ସମସ୍ତେ ଏକାଠି ଗୋଟିଏ ଶଗଡ଼ ଉପରେ ବସି ‘ଆମେ ହିଁ ଠିକ୍ ବାଟରେ ଯାଉଛୁ’ ବୋଲି ଏଡେବଡ଼ ପାଟିରେ ଚିତ୍କାର କରି ବାହାରିଥିବା ସମୟରେ ମୋ’ ପୁଅ ଯେପରି ତଥାପି ସେମାନଙ୍କ ସହିତ ସେହି ଶଗଡ଼ ଭିତରକୁ ଡେଇଁ ପଡ଼ିବ ନାହିଁ, ତା’ ଭିତରେ ପ୍ରକୃତରେ ସେତିକି ବଳ ରହିଥିବା ଉଚିତ । ଆପଣ ତାକୁ ସେହି ବଳର ଶିକ୍ଷା ଅବଶ୍ୟ ଦେବେ । ମୋ’ ପୁଅ ସମସ୍ତଙ୍କର କଥାକୁ ସହାନୁଭୂତି ଓ ଧୈର୍ଯ୍ୟର ସହିତ ଶୁଣି ପାରୁଥିବ; ଆପଣ ତାକୁ ସେହି ବିଷୟରେ ଅବଶ୍ୟ ଶିକ୍ଷା ଦେବେ; ମାତ୍ର, ତାକୁ ଏକଥା ମଧ୍ୟ ଶିକ୍ଷା ଦେଇଥିବେ ଯେ, ଏହିପରି ଭାବରେ ସିଏ ଯେଉଁଠି ଯାହା କିଛି ଶିଖିବ, ସେଗୁଡ଼ିକୁ ଗ୍ରହଣ କରିବା ପୂର୍ବରୁ ସେ ତାହାକୁ ସତ୍ୟର ଛାଙ୍କୁଣୀରେ ପ୍ରକୃତରେ ଛାଣିନେଇ ପାରୁଥିବ । ସେହି ଛାଙ୍କୁଣୀରେ ଯେତିକି ଗଳିବ, ସେ କେବଳ ସେତିକିକୁ ହିଁ ଗ୍ରହଣ କରୁଥିବ ।

 

‘‘ଆପଣ ଯଦି ପାରିବେ, ତେବେ, ଦୁଃଖ ବେଳେ ସେହି ଦୁଃଖରେ ବିମର୍ଷ ହୋଇ ନପଡ଼ି କିପରି ସେ ତଥାପି ହସି ପାରୁଥିବ, ଆପଣ ତାକୁ ସେହିକଥା ଶିକ୍ଷା ଦେବେ । ...ଚକ୍ଷୁରୁ ଲୋତକ ବର୍ଷଣ କରିବାରେ ଯେ ଆଦୌ କୌଣସି ଲଜ୍ଜା ନାହିଁ, ଆପଣ ତାକୁ ସେହି କଥା ଶିକ୍ଷା ଦେବେ । ଆପଣ ତାକୁ ଶିକ୍ଷା ଦେବେ, ଯେପରିକି ସିଏ ନିନ୍ଦୁକ ଓ ନିପଟ ଦୋଷଦର୍ଶୀମାନଙ୍କୁ ସିଧା ଉପହାସ କରିପାରୁଥିବ, ଅତିବେଶୀ ମଧୁର ଆଚରଣ ଓ ମିଷ୍ଟ ଭାଷଣକୁ ସିଏ ଯେପରି ସାବଧାନ ହୋଇ ରହିପାରିବ । ...ନିଜର ଶରୀର ତଥା ମସ୍ତିଷ୍କର ସାମର୍ଥ୍ୟକୁ ସିଏ ଯେପରି ସେଗୁଡ଼ିକୁ ସର୍ବୋଚ୍ଚ ମୂଲ୍ୟ ଦେଇ କିଣି ପାରୁଥିବା ବ୍ୟକ୍ତିମାନଙ୍କ ପାଖରେ ବିକ୍ରୟ କରିପାରିବ, ଆପଣ ତାକୁ ସେହିପରି ଶିକ୍ଷା ଅବଶ୍ୟ ଦେବେ । ମାତ୍ର ନିଜର ହୃଦୟ ଏବଂ ନିଜର ଆତ୍ମାକୁ ସିଏ ଯେପରି ଆଦୌ କୌଣସି ମୂଲ୍ୟ ବଦଳରେ କଦାପି ବିକ୍ରି କରିବାକୁ ରାଜୀ ହେବ ନାହିଁ, ତାକୁ ଆପଣ ସେହି ଶିକ୍ଷାଟିକୁ ମଧ୍ୟ ଦେଇଥିବେ । ଯେତେବେଳେ ବହୁସଂଖ୍ୟକ ମଣିଷ ଗୋଟାଏ ପଲରେ ଏକତ୍ର ରୁଣ୍ଡ ହୋଇ ଉଚ୍ଚ ସ୍ୱରରେ ଏଡ଼େବଡ଼ ରବ ବା ଚିତ୍କାର କରିବାରେ ଲାଗିଥିବେ, ସେତେବେଳେ ସେଆଡ଼କୁ ନିଜର କାନକୁ ବନ୍ଦ କରି ରଖିବା ନିମନ୍ତେ ଆପଣ ମୋ’ ପୁଅକୁ ଶିକ୍ଷା ଦେବେ । ..ଏବଂ, ସେହି ପରିସ୍ଥିତିରେ, ତାହାକୁ ଏକୁଟିଆ ଛିଡ଼ା ହୋଇ ଯୁଦ୍ଧ କରିବା ଆବଶ୍ୟକ ବୋଲି ମନେ କରୁଥିଲେ ସିଏ, ଯେପରି ତାହା ଅବଶ୍ୟ କରିବ,–ଆପଣ ତାକୁ ସେହି କଥାଟିକୁ ମଧ୍ୟ ଶିକ୍ଷା ଦେଇଥିବେ ।

 

‘‘ତା’ ପ୍ରତି ଆପଣ କଠୋର ହେବେ ନାହିଁ, ସର୍ବଦା ସହାନୁଭୂତି ରଖିଥିବେ ଏବଂ କୋମଳ ଆଚରଣ କରୁଥିବେ, ମାତ୍ର କଦାପି ଗେହ୍ଲା କରି ପକାଇବେ ନାହିଁ । କାରଣ ନିଆଁରେ ନପଡ଼ିଲେ ଲୁହା ଭିତରୁ ଅସଲ ଇସ୍ପାତ ସମ୍ଭବ ହେବ କିପରି ? ତା’ଭିତରେ ଧୈର୍ଯ୍ୟ ହରାଇ ପାରିବାର ସାହସ ଆସୁ । ସାହସୀ ହୋଇ ପାରିବାର ଧୈର୍ଯ୍ୟ ମଧ୍ୟ ଆସୁ । ନିଜ ଉପରେ ଯେପରି ତା’ର ସର୍ବଦା ଅଟଳ ବିଶ୍ୱାସ ରହିଥିବ, ଆପଣ ତାକୁ ସେହି କଥାର ଶିକ୍ଷା ଦିଅନ୍ତୁ । କାରଣ, ତେବେ ଯାଇ ତା’ର ମଧ୍ୟ ମନୁଷ୍ୟଜାତି ଉପରେ ଅବଶ୍ୟ ଅଟଳ ବିଶ୍ୱାସ ରହିପାରିବ ।’’

 

ଆମେ ଯେଉଁମାନେ ଶିକ୍ଷକ ଅଥବା ଅଭିଭାବକ ହିସାବରେ ଯେକୌଣସି ପିଲାର କକ୍ଷପଥ ମଧ୍ୟରେ ଆସି ପ୍ରବିଷ୍ଟ ହୋଇଛୁ, ଆମେ ତା’ଠାରୁ ପ୍ରକୃତରେ କର ସବୁ ଆଶା କରୁଛୁ ? ସିଏ କ’ଣ ସବୁ ହେଉ ବା କ’ଣ ସବୁ ଶିକ୍ଷା କରୁ ବୋଲି ଆମେ ଭାବନା ରଖିଛୁ ? ଅନେକ ଅଭିଭାବକ ଅଛନ୍ତି, ଯେଉଁମାନେ କି ଜୀବନ କହିଲେ ସଂସାରର ଘଣାରେ ଘାଣ୍ଟି ହେବାକୁହିଁ ବୁଝନ୍ତି-। ତେଣୁ ସେମାନେ ଆଦୌ କୌଣସି ଜୀବନ ବଞ୍ଚନ୍ତି ନାହିଁ, ଧର୍ମତଃ ଖାଲି ଘାଣ୍ଟି ହେଉଥାନ୍ତି-। ଅନେକ ଶିକ୍ଷକ ମଧ୍ୟ ଅଛନ୍ତି, ଯେଉଁମାନେ ଅହର୍ନିଶ ହୁଏତ ଇସ୍କୁଲରୂପକ ଘଣା ଭିତରେ ପଡ଼ି ଘାଣ୍ଟି ହେଉଥାନ୍ତି । ସଂସାରଟାକୁ ଘାଣ୍ଟି ହେଉଥିବାର ଏକ ଥାନଭଳି ଗ୍ରହଣ କରୁଥିବା ପର୍ଯ୍ୟନ୍ତ ସଂସାର ଆମକୁ ଆଦୌ କୌଣସି ଆହ୍ୱାନ ଦେଇପାରେ ନାହିଁ । ଆମ ଇସ୍କୁଲଟାକୁ ମଧ୍ୟ ଆମେ ପ୍ରଧାନତଃ ଘାଣ୍ଟି ହେବାର ଏକ ସ୍ଥାନ ପରି ଅନୁଭବ କରୁଥିବା ପର୍ଯ୍ୟନ୍ତ ଇସ୍କୁଲ ଆମକୁ ଆଦୌ ଏକ ଆହ୍ୱାନ ପରି ମନେ ହୁଏନାହିଁ । ଏବଂ, ଇସ୍କୁଲ ଭିତରେ ଘାଣ୍ଟି ହେଉଥିବା ଶିକ୍ଷକ ଓ ସଂସାର ଭିତରେ ଘାଣ୍ଟି ହେଉଥିବା ଅଭିଭାବକ ପିଲାଏ କ’ଣ ହେବେ ବା ନହେବେ, ସେମାନେ ପ୍ରକୃତରେ କ’ଣ ଶିଖିବେ ବା ନଶିଖିବେ, ସେହି ବିଷୟରେ ମୁଣ୍ଡ ଖେଳାଇବାକୁ ଆଦୌ କାହିଁକି ମନ କରିବେ ? ସମ୍ଭବତଃ ସେହି କାରଣରୁ ହିଁ ପୃଥିବୀର ଅଧିକାଂଶ ଶିକ୍ଷକ ଓ ଅଧିକାଂଶ ଅଭିଭାବକ ପିଲାମାନଙ୍କୁ ତଥାକଥିତ କେତେକ ଭଲ ଗୁଣରେ ମଣ କରିବାକୁ ହିଁ ଶିକ୍ଷାର ଅସଲ ସାମର୍ଥ୍ୟ ବୋଲି ଗ୍ରହଣ କରି ନେଇଥାନ୍ତି ଏବଂ ଶାସ୍ତ୍ର ତଥା ସଂସ୍କୃତିର ପ୍ରମାଣ ଦେଖାଇ ତାହା ମାନିବାଟାକୁ ହିଁ ସଂସାରର ସବୁଠାରୁ ଅଧିକ ଭଲ ଗୁଣ ବା ବଡ଼ ଗୁଣ ବୋଲି ଘୋଷଣା କରି ବୁଲୁଥାନ୍ତି ।

 

ଇଏ ହେଉଛି ପ୍ରକୃତରେ ଏକ ଅଦ୍‌ଭୂତ ସୁଆଙ୍ଗର କଥା । ପୃଥିବୀଟା ଯେମିତି ସେମିତି ପଙ୍କମୟ ହୋଇ ରହିଥିବ, ସମ୍ବନ୍ଧଗୁଡ଼ାକ ଯେମିତି ସେମିତି ଅବର୍ଜିଆ ଓ ଅସମ୍ମାନଜନକ ହୋଇ ରହିଥିବ,–ଏବଂ, ଆମେ ସେଥିରେ ମୋଟେ ହାତ ବଜାଇବାକୁ ଯିବା ନାହିଁ; ଆମେ ଭଲ ଗୁଣଗୁଡ଼ିକୁ ଦେହରେ ଅଳଙ୍କାର କରି ପିନ୍ଧିଥିବା, ଭଲ ମୁଖାଗୁଡ଼ିକୁ ମୁହଁରେ ଲଗାଇଥିବା, ଏବଂ ସକଳ ପ୍ରକାରର ପୁରୁଣା କୁହାଗୁଡ଼ାକୁ ମାନି ପୁରୁଣାଟାକୁ ହିଁ ସ୍ଥାୟୀ କରି ରଖିବାରେ ସବୁଠାରୁ ଅଧିକ ସାହାଯ୍ୟ କରୁଥିବା,–ଏମିତି ସୁଆଙ୍ଗ ଆମ ପୃଥିବୀରେ ହୁଏତ ଆବହମାନ କାଳରୁ ଚାଲିଆସିଛି । ତାହା ଏବେ ମଧ୍ୟ ସକଳ ସନ୍ତର୍ପଣ ସହିତ ବହ୍ୱାଡ଼ମ୍ବରରେ ଚାଲିଛି । ପିଲାଏ କେବଳ କୁହା ମାନୁଛନ୍ତି, ଆମର ବାଜା ଅନୁସାରେ ପାଦ ପକାଉଛନ୍ତି । ସେମାନେ କିଛି ହେଉନାହାନ୍ତି, କିଛି ଖୋଜୁନାହାନ୍ତି,–କେଡ଼େ ଚମତ୍କାର ଭାବରେ ପୁରୁଣା ଜାଲଗୁଡ଼ାକ ଭିତରେ ଖାପ ଖାଇ ଯାଉଛନ୍ତି, ପୁରୁଣା ମନ୍ଦିରଗୁଡ଼ାକ ଭିତରେ କେଡ଼େ ସମ୍ମୋହିତ ଭାବରେ ଯାଇ ଶୋଇ ପଡ଼ୁଛନ୍ତି । ଆବ୍ରାହାମ ଲିଙ୍କନ୍‍ଙ୍କର ଚିଠିରୁ ତାଙ୍କ ଭିତରେ ଯେଉଁ ପ୍ରକାରର ଜଣେ ଅଭିଭାବକ ରହିଥିବାର ସଙ୍କେତ ମିଳୁଛି, ସିଏ ଆମ ପୃଥିବୀର ଅଧିକାଂଶ ଅଭିଭାବକଙ୍କଠାରୁ ଏକାବେଳେକେ ଅଲଗା । ଏପରି ଅଭିଭାବକ ପିଲାର ହାତରେ ଆଦୌ କୌଣସି ସୂର୍ଯ୍ୟକୁ ନେଇ ଧରାଇ ଦେବାକୁ କେବେହେଲେ ଚେଷ୍ଟା କରନ୍ତି ନାହିଁ । ପିଲା ନିଜେ ଉଚିତ ବ୍ୟାକୁଳତାଟି ସହିତ ନିଜର ଜୀବନରେ ସ୍ୱୟଂ ଏକ ସୂର୍ଯ୍ୟୋଦୟକୁ ଅନୁଭବ କରିବାଲାଗି ସମର୍ଥ ହେଉ, ଅସଲ ଅଭିଭାବକ ସେଇଥିଲାଗି ହିଁ ନିମିତ୍ତ ହୁଏ, ସେହିପରି ଭାବରେ ନିମିତ୍ତ ହୋଇ ସେ ସଂସାରରେ ପୁତ୍ରଋଣର ପରିଶୋଧ କରି ବାହାରେ ।

 

ଅସଲ ଶିକ୍ଷକ ମଧ୍ୟ ଠିକ୍ ସେହିକଥା କରିବ । ପିଲାଟିକୁ ସିଏ ତା’ ନିଜ ପାଖରେ ନେଇ ପହଞ୍ଚାଇ ଦେବ । ସେଇଠି ସେହି ଅସଲ ଥାନାରେ ଯାଇ ପହଞ୍ଚିଗଲେ ପିଲା ସମ୍ମାନର ସହିତ ନିଜକୁ ଦେଖିବ, ସେ ନିଜକୁ ଅପ୍ରମତ୍ତ ଓ କାତରତାମୁକ୍ତ ହୋଇ ଦେଖିବାର ଅବସର ଲାଭ କରିବ-। ଏବଂ ଯାବତୀୟ କାତରତା ମଧ୍ୟରୁ ମୁକ୍ତ ହୋଇପାରିଲେ ଯାଇ ପ୍ରତ୍ୟେକ ମଣିଷ, ସିଏ ବଡ଼ କିମ୍ବା ସାନ ଯାହା ହୋଇଥାଉ ପଛକେ, ଅସଲ ଚେତନାର ଯୋଗ୍ୟ ହେବ, ଅସଲ ସମ୍ବନ୍ଧସ୍ଥାପନର ମଧ୍ୟ ଯୋଗ୍ୟ ହୋଇପାରିବ । ବୋଲ ମାନି ଗୁଣବନ୍ତ ବୋଲାଇବାର ତାରିଫ୍‍ ପାଇବାକୁ ଚେଷ୍ଟା କରୁଥିବା ମଣିଷ ଦିନରାତି ସତ୍ୟର ତଥାକଥିତ ମନ୍ତ୍ରଗୁଡ଼ାକୁ ଆବୃତ୍ତି କରିବାରେ ଲାଗିଥିଲେ ମଧ୍ୟ ତଥାପି ହୁଏତ ଆଦୌ କିଛି ହୋଇପାରିବ ନାହିଁ । କିଛି ହୋଇ ପାରିବାର ଅର୍ଥ ହେଉଛି, ଭିତରେ ଯେଉଁ ପରମ ବନ୍ଧୁ ଓ ପରମ ନେତ୍ର କେନ୍ଦ୍ରରୂପେ ଆମ ଲାଗି ଅପେକ୍ଷା କରି ରହିଛି, ପ୍ରକୃତରେ ତାହାରି ଲାଖି ହୋଇପାରିବା । କାରଣ, ଆଗ ତାହାରି ଲାଖି ହୋଇପାରିଲେ ଯାଇ ଆମେ ସତକୁସତ ସକଳ ମନୁଷ୍ୟଙ୍କର ଲାଖି ମଧ୍ୟ ହୋଇପାରିବା ।

 

ମଇ, ୧୯୮୬

☆☆☆

 

ପୁତ୍ ନାମକ ନରକରୁ

 

ପୁଅ ପୁତ୍‍ ନାମକ ନରକରୁ ରକ୍ଷା କରେ । ନରକ ବି ଅନେକ ପ୍ରକାରର ରହିଛି । ଯେଉଁମାନେ ପ୍ରକୃତରେ ନରକ ଦେଖିଛନ୍ତି ଓ ନରକଗୁଡ଼ିକୁ ଦେଖି ସାରିବା ପରେ ଯେ ସେହିମାନେ ହିଁ ସେଗୁଡ଼ିକର ଏପରି ଶ୍ରେଣୀବିଭାଗ ଓ ନାମକରଣ କରିଛନ୍ତି, ସେକଥା ଆଦୌ ନୁହେଁ । ଏହି ସଂସାରରେ ଥାଉ ଥାଉ ଯେଉଁମାନେ ନାନା କାରଣରୁ ନର୍କର କଳ୍ପନାମାନ କରିଛନ୍ତି, ସେହିମାନେ ହିଁ ବୀଭତ୍ସତା ଓ ଭୟଙ୍କରତାର ବିଭିନ୍ନ ମାତ୍ରାନୁସାରେ ନରକମାନଙ୍କର ନାମକରଣ କରିଦେଇଛନ୍ତି-। ନରକର କଳ୍ପନା କରିଥିବା ଲୋକମାନେହିଁ କଳ୍ପନାର ଓଲଟା ପାଖଟାକୁ ନାନା ରଙ୍ଗ ଓ ରମଣୀୟତା ଦେଇ ସ୍ୱର୍ଗର କଳ୍ପନା କରିଛନ୍ତି । ସ୍ୱର୍ଗ ଓ ନରକ ବିଷୟରେ ସେହିମାନେ ହିଁ ପୁରାଣମାନ ଲେଖିଛନ୍ତି । କାହାଣୀମାନ ଫାନ୍ଦି ପୁରାଣକୁ ସତେଅବା ସତକୁସତ ଏକ ଜୀବନ-ଶାସ୍ତ୍ରର ପ୍ରତୀତି ଆଣି ଦେବାକୁ ଚେଷ୍ଟା କରିଛନ୍ତି । ସଂସାରରେ ଯେଉଁଗୁଡ଼ିକୁ ସେମାନେ ନୀତି ବୋଲି ଘୋଷଣା କରିଛନ୍ତି, ସେହି ନୀତିଗୁଡ଼ିକୁ ଅନୁସରଣ କଲେ ତୁମେ ସ୍ୱର୍ଗକୁ ଯିବ ଏବଂ ଅନୁସରଣ ନକଲେ ନର୍କ ଭୋଗିବ,–ଏହିପରି ଏକ ହିସାବକୁ ଧର୍ମର ମାଞ୍ଜା ଦେଇ କଠୋରରୁ ଅଧିକ କଠୋର କରି ଦେଖାଇବା ସକାଶେ ହିଁ ପୁରାଣମାନ ଲେଖାଯାଇଛି । କେବଳ ଆମ ଦେଶରେ ନୁହେଁ, ପୃଥିବୀର ଅନେକ ଦେଶରେ ଲେଖାଯାଇଛି ଅଥବା ଫନ୍ଦାଯାଇଛି । ବର୍ତ୍ତମାନ ମଧ୍ୟ ପୃଥିବୀର ଅଧିକାଂଶ ମଣିଷ ସେହି ପୁରାଣଗୁଡ଼ିକ ଦ୍ୱାରା ପରିଚାଳିତ ହେଉଛନ୍ତି । ଅର୍ଥାତ୍, ସ୍ୱର୍ଗର ଲୋଭରେ ଭଲ ବାଟରେ ଯାଉଛନ୍ତି, ନରକର ଭୟରେ ମନ୍ଦ ବାଟକୁ ଏଡ଼ୁଛନ୍ତି । ସଂସାର ଅନ୍ତେ ନରକର ଭୟ ରହିଛି ବୋଲି ଆମର ଏହି ସମାଜ ଚଳିପାରୁଛି ।

 

ନାନା ନରକ ଭିତରେ ପୁତ୍ ବୋଲି ଗୋଟିଏ ନରକ ଅଛି, ସେହି ନରକଟିରୁ ଉଦ୍ଧାର ପାଇବା ନିମନ୍ତେ ସଂସାରରେ ପୁରୁଷମାନଙ୍କୁ ବାପା ହେବାକୁ ହୁଏ ବୋଲି ଶାସ୍ତ୍ରବିଶ୍ୱାସର ବିଧାନ ରହିଛି । ପୁରୁଷ ଜନ୍ମ ପାଇଲେହିଁ ସତେ ଯେପରି ଅବଶ୍ୟ ପୁତ୍‌ ନରକର ଦଶା ଭୋଗ କରିବାକୁ ହୁଏ କି କ’ଣ କେଜାଣି, ପୁରୁଷମାନଙ୍କୁ ଏକ ପୁତ୍ରର ପିତା ହୋଇ ସେହି ନିଶ୍ଚିତ ନର୍କଭୋଗରୁ ରକ୍ଷା ପାଇବାର ପରାମର୍ଶ ଦିଆଯାଇଛି । ସେଇଥିଲାଗି ପୃଥିବୀର ଅଧିକାଂଶ ପାରମ୍ପରିକ ସମାଜରେ ଏକ ପୁତ୍ର ସନ୍ତାନର ପିତା ହେବା ଉପରେ ଏତେ ଗୁରୁତ୍ୱ ଦିଆଯାଇଛି । ସନ୍ତାନ ପୁଅ ହୋଇପାରେ, ଝିଅ ବି ହୋଇପାରେ, ଝିଅ ଜନ୍ମ ହେଲେ ଆଉ ଅନ୍ୟ ନାମରେ କୌଣସି ନରକରେ ପଡ଼ିବାକୁ ହୋଇଥାଏ କି କ’ଣ କେଜାଣି, ଶାସ୍ତ୍ରରେ ଝିଅ ଜନ୍ମର କୁଫଳ କିମ୍ବା ସୁଫଳ ବିଷୟରେ ଆମ ମୁନିମାନେ ବା ମନୁମାନେ ସେପରି ନିର୍ଦ୍ଦିଷ୍ଟ କରି କୌଣସି କଥା କହିନାହାନ୍ତି । ଭାରତବର୍ଷ ସମେତ ପୃଥିବୀର ଅଧିକାଂଶ ସମାଜରେ ପୁତ୍ରର ପିତା ଉପରେ ହିଁ ଅନେକ ମହତ୍ତ୍ୱ ଦିଆଯାଇଛି । ଅନେକ ସମୟରେ ଝିଅମାନଙ୍କୁ ପରିପୂର୍ଣ୍ଣ ଅର୍ଥରେ ଏକ ସନ୍ତାନ ବୋଲି ହୁଏତ ମୋଟେ ଘେନ କରାଯାଇନାହିଁ । ଏପରି ଅନେକ ବାପା ଓ ମାଆ ଆମ ସଂସାରରେ ଏବେ ମଧ୍ୟ ରହିଛନ୍ତି, ଯେଉଁମାନେ କି ସାତ ସାତଟା ଝିଅ ଜନ୍ମ କରି ମଧ୍ୟ ସନ୍ତାନଟିଏ ଲାଭ କଲେ ବୋଲି ନିଜର ମନକୁ ମୋଟେ ବୋଧ ଦେଇପାରନ୍ତି ନାହିଁ ଏବଂ ତେଣୁ ପୁଅଟିଏ ପାଇଁ ଅପେକ୍ଷା କରିଥାନ୍ତି ଓ ଝିଅ ପରେ ଝିଅ ଜନ୍ମ କରାଉ ଥାଆନ୍ତି । ଯେଉଁ ମାଆ ଅଧିକରୁ ଅଧିକ ପୁଅ ଜନ୍ମ କରି ବାପକୁ ଦିଏ, ଆମ ସମାଜରେ ଏବଂ ପୃଥିବୀର ଅଧିକାଂଶ ସମାଜରେ ତାହାକୁ ସୁଲକ୍ଷଣୀ ବୋଲି କୁହାଯାଏ । ସମାଜ ଅନୁସାରେ ଯେ ଶାସ୍ତ୍ର ଲେଖାଯାଏ, ସେଇଥିରୁ ହିଁ ତାହାର ସ୍ପଷ୍ଟ ପ୍ରମାଣ ମିଳି ଯାଇଥାଏ । ଏବଂ ଅଧିକାଂଶ ସମାଜରେ ପୁରୁଷମାନେ ହିଁ ଶାସ୍ତ୍ରଗୁଡ଼ାକୁ ଲେଖନ୍ତି ।

 

ପୁଅ ଆମକୁ ନର୍କରୁ ଉଦ୍ଧାର କରେ, ଆମେ ସେଇଥି ସକାଶେ ପୁଅକୁ ଲୋଡ଼ୁ । ଏହି ଲୋଡ଼ିବାକୁ ଅନେକ ସମୟରେ ଆମେ ଭଲ ପାଇବା ବୋଲି କହିଥାଉ ଏବଂ ସେଥିଲାଗି କେତେ ଗୌରବ ଅନୁଭବ କରିଥାଉ । ସଚରାଚର ଭୀରୁମାନେ ହିଁ ଏହିଭଳି ଭଲ ପାଇଥାନ୍ତି । ଭୀରୁମାନେ ହିଁ ଜାବୁଡ଼ି ଧରିଥାନ୍ତି । ଅନେକ ସମୟରେ ବାପାମାନେ ପ୍ରକୃତରେ ବାପାଟିଏ ହୋଇ ପାରିବାର ଯୋଗ୍ୟ ହୋଇପାରନ୍ତି ନାହିଁ ବୋଲି ପୁଅକୁ ଜାବୁଡ଼ି ଧରିଥାନ୍ତି, କାମୁଡ଼ି ଧରିଥାନ୍ତି । ସେହି ଜାବୁଡ଼ି ଏବଂ କାମୁଡ଼ି ଧରିବାକୁ ହିଁ ସେମାନେ ଭଲ ପାଇବା ବୋଲି କହୁଥାନ୍ତି । ପୁଅଟିକୁ ଉଚିତ ବାଟରେ ଚଳାଇ ନେବାକୁ ହିଁ ସେମାନେ ନିଜର ପରମ କର୍ତ୍ତବ୍ୟ ରୂପେ ଗ୍ରହଣ କରିଥାନ୍ତି । ଅନ୍ୟ କୌଣସି ବାଟରେ ଚାଲିଗଲେ କାଳେ ପୁଅ ପୁତ୍‌ ନରକ ପର୍ଯ୍ୟନ୍ତ ନଯିବ ଓ ତେଣୁ ସେମାନଙ୍କୁ ଉଦ୍ଧାର ନକରିବ, ସମ୍ଭବତଃ ସେହି କାରଣରୁ ହିଁ ସେମାନେ ପୁଅକୁ ଗୋଡ଼େ ଗୋଡ଼େ ଜଗିଥାନ୍ତି ଓ ଠିକ୍ ବାଟରେ ରଖିଥାନ୍ତି । ଅନ୍ୟ ଯାବତୀୟ ବାଟକୁ ସେହି ଅର୍ଥରେ ଅବାଟ ବୋଲି କୁହାଯାଏ । ଅର୍ଥାତ୍, ମୁଁ ଯାହାକୁ ବାଟ ବୋଲି କହିବି, ତାହାହିଁ ବାଟ, ଆଉ ସବୁଯାକ ବାଟ ଅବାଟ, ବାପାମାନେ ସତେଅବା ଏହିପରି ଗୋଟିଏ ଯୁକ୍ତିକୁ ସତ୍ୟର ପ୍ରତୀତି ଦେଇ ଗ୍ରହଣ କରିଥାଆନ୍ତି । ମାତ୍ର, ଅସଲ କଥା ହେଉଛି, ଯଦି ବାପାମାନେ ଅସଲ ବାଟଟିକୁ ଜାଣିଥାଆନ୍ତେ, ତେବେ ସେମାନେ ପୁତ୍ ନାମକ ନରକରେ ବା ଅନ୍ୟ କୌଣସି ନରକରେ କାଳେ ପଡ଼ିଯିବେ ବୋଲି ଆଦୌ କୌଣସି ଭୟ କରୁଥାନ୍ତେ କାହିଁକି ? ସତ୍ୟକୁ ଜାଣିଥିବା ଏବଂ ସତ୍ୟରେ ଚାଲୁଥିବା ମଣିଷ କାଳେ ନରକରେ ପଡ଼ିଯିବ ବୋଲି ଭୟ କରିବାକୁ ଫୁରସତ୍‌ ପାଆନ୍ତା କେତେବେଳେ ?

 

ଅଧ୍ୟାତ୍ମ ଅର୍ଥରେ ଏହି ଭଲ ପାଇବାର ଏକ ଅଲଗା ଅର୍ଥ ରହିଛି । ଅଧ୍ୟାତ୍ମ ଜୀବନ ଏବଂ ଅଧ୍ୟାତ୍ମ ବାସନାର ଭୂଗୋଳରେ ନରକ ନାହିଁ କିମ୍ବା ସ୍ୱର୍ଗ ମଧ୍ୟ ନାହିଁ । ଅର୍ଥାତ ସ୍ୱର୍ଗର ଲୋଭ ନାହିଁ କିମ୍ବା ନରକର ଭୟ ମଧ୍ୟ ନାହିଁ । ବୃହଦାରଣ୍ୟକ ଉପନିଷଦରେ ଯାଜ୍ଞବଳ୍‌କଙ୍କର ମୁହଁରୁ କୁହାଯାଇଛି: ନ ବା ଅରେ ପୁତ୍ରାଣାଂ କାମାୟ ପୁତ୍ରାଃ ପ୍ରିୟା ଭବନ୍ତି ଆତ୍ମନସ୍ତୁ କାମାୟ ପୁତ୍ରାଃ ପ୍ରିୟା ଭବନ୍ତି । (୨/୪/୫) ପୁତ୍ର ସକାଶେ ଯେ ପୁତ୍ର ପିତାମାତାଙ୍କର ପ୍ରିୟ ହୁଏ, ସେ କଥା ମୋଟେ ନୁହେଁ । ପୁତ୍ର ଭିତରେ ଯେଉଁ ଆତ୍ମା ରହିଛି, ସେହି ଆତ୍ମା ସକାଶେ ହିଁ ପୁତ୍ର ପ୍ରିୟ ହୋଇଥାଏ । ଆହୁରି ଖୋଲିଦେଇ କହିଲେ, ପିତା ମର୍ମତଃ ଯାହା, ପୁତ୍ର ମଧ୍ୟ ମର୍ମତଃ ସେଇଆ,–ସେହି କାରଣରୁ ହିଁ ପୁତ୍ର ପିତାର ଏତେ ପ୍ରିୟ ହୁଏ, ସଂସାର ଭିତରେ ସବୁଠାରୁ ନିକଟତର ବୋଲି ଲାଗେ, ସବାଆଗ ବୋଲି ଲାଗେ । ଅସଲ ଡୋରଟିକୁ ଚିହ୍ନିଲେ ଯାଇ ଭଲ ପାଇବାର ଅସଲ ମୂଳଦୁଆଟି ପଡ଼ିଥାଏ । ଅସଲ ଦର୍ପଣଟି ଉପରେ ଦେଖିପାରିଲେ ସତେଅବା ଅନେକ ଆଗରୁ, ଆବହମାନ କାଳରୁ ହିଁ ଏହି ସବୁକିଛି ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ଗଅଁଠା ହୋଇ ରହିଥିବାର ଅନୁଭବ ହୋଇଥାଏ । ସେହି ଦର୍ପଣଟି ହେଉଛି ଆତ୍ମୀୟତାର ଦର୍ପଣ, ଆତ୍ମବିସ୍ତାରର ଦର୍ପଣ । ଆତ୍ମବିସ୍ତାରକୁ ଆମେ ଅନେକ ବଡ଼ ମଣିଷ ସତେଅବା ଏକ ସାମ୍ରାଜ୍ୟବିସ୍ତାରର ଅର୍ଥରେ ବୁଝିଥାଉ-। ଆମେ ଯାହାକୁ ଗ୍ରାସ କରୁ, ଯାହା ଉପରେ ଅଧିକାର ବିସ୍ତାର କରୁ, ତାହାକୁ ହିଁ ଆମର ବୋଲି କହୁ,–ଯାହାକୁ ଗ୍ରାସ କରି ନଥାଉ, ଯାହା ଉପରେ ଅଧିକାର ବିସ୍ତାର କରିନଥାଉ, ତାହାକୁ ଅପର ବୋଲି କହିଥାଉ । ଆମରଗୁଡ଼ାକୁ ଯେତିକି ମୋହର ସହିତ ମାଡ଼ି ବସିଥାଉ, ଅପରଗୁଡ଼ାକୁ ପ୍ରାୟ ସେତିକି ଉତ୍ତେଜନା ସହିତ ଇର୍ଷ୍ୟା ମଧ୍ୟ କରୁଥାଉ । ଆମର ମୋହ ଭିତରେ ଉତ୍ତେଜନା ଭର୍ତ୍ତି ହୋଇ ରହିଥାଏ ଏବଂ ଆମର ଉତ୍ତେଜନା ଭିତରେ ମଧ୍ୟ ଗୁଡ଼ାଏ ମୋହ ଭର୍ତ୍ତି ହୋଇ ରହିଥାଏ-। ଏହି ମୋହ ଏବଂ ଉତ୍ତେଜନାର ସୁଆଙ୍ଗଗୁଡ଼ାକୁ ହିଁ ଆମେ ଅଧିକାଂଶ ସମୟରେ ଭଲ ପାଇବା ବୋଲି କହୁ ।

 

ତେଣୁ ଆମର ଭଲ ପାଇବା ଭିତରେ ଘୃଣା ପ୍ରଚ୍ଛନ୍ନ ହୋଇ ରହିଥାଏ,–ଏବଂ, ଯାହାକିଛି ଆମ ଭଲ ପାଇବାର ବାଟ ଭିତରେ କୌଣସି କାରଣରୁ ଧରା ନଦିଏ, ଆମେ ସେଗୁଡ଼ିକୁ ଘୃଣା କରିବାରେ ଲାଗିଥାଉ । ଆମେ ନିଜର ଚାରିପାଖରେ ନାନା ଗଣ୍ଠି ପକାଇ ରଖିଥାଉ ଓ ସେହି ଗଣ୍ଠିଗୁଡ଼ାକର ମାଧ୍ୟମରେ ହିଁ ସଂସାରକୁ ବୁଝୁ । ଅର୍ଥାତ, ସଂସାର ଆମ ଲାଗି କିଳିହୋଇ ରହିଥାଏ, ଆମେ ମଧ୍ୟ ସଂସାର ଲାଗି ପ୍ରାୟ ବାଛନ୍ଦ ହୋଇ ରହିଥାଉ । ବାଛନ୍ଦର ନାନା ଯୁକ୍ତି, ନାନା ବୁଦ୍ଧି ଓ ନାନା ଭେକର ଆଶ୍ରୟ ନେଇ ଏକ ଚମତ୍କାର ଉତ୍ତପ୍ତତା ସହିତ ଆମେ ଜୀବନ ବଞ୍ଚୁଥାଉ । ସେହି ଉତ୍ତପ୍ତତାକୁ ହିଁ ଜୀବନ ବୋଲି ଭ୍ରମ କରୁ । ଆତ୍ମୀୟତା ଅର୍ଜନ କରିବା ଅର୍ଥାତ ଆପଣା ଭିତରେ ରହିଥିବା ଗଣ୍ଠିଗୁଡ଼ିକୁ ଫିଟାଇଦେବା । ଆପଣାର ଗଣ୍ଠିଗୁଡ଼ିକୁ ଫିଟାଇ ଦେଇ ଯେଉଁ ବାପାମାଆ ନିଜର ପୁଅଆଡ଼କୁ ଅନାଇ ପାରିବେ, ସେହିମାନେ ହିଁ ଅସଲ ଆତ୍ମୀୟତାଟିକୁ ଆଘ୍ରାଣ କରିପାରିବେ । ସେମାନେ ଅସଲ ଆତ୍ମୀୟତାର ଯୋଗ୍ୟ ହୋଇ ପାରିବେ । ପୁତ୍ ନାମକ ନରକ ଏହି ସଂସାର ମଧ୍ୟରେ ହିଁ ରହିଥାଏ । ଆତ୍ମୀୟତା ବଢ଼ିଲେ ଯାଇ ସେହି ନରକରୁ ମୁକ୍ତି ମିଳେ । ବସ୍ତୁତଃ ଯାବତୀୟ ନର୍କ ଏଇଠି ଏହି ସଂସାରରେ ରହିଥାଏ,–ତଥାକଥିତ ଭଲ ପାଇବାର ଯାବତୀୟ ମୋହ ଏବଂ ଘୃଣା କରିବାର ଯାବତୀୟ ଉତ୍ତେଜନାରୁ ବାହାରି ଆସିଲେ ଯାଇ ସକଳ ନର୍କରୁ ମୁକ୍ତି ମିଳେ । ମୋ’ର ଆଉ ଅପର ମଧ୍ୟରେ ରହି ଆସିଥିବା ଦ୍ୱନ୍ଦ୍ୱଗୁଡ଼ାକ ଦୂର ହୋଇଯାଏ ।

 

ନିଜକୁ କେନ୍ଦ୍ରରେ ରଖି ସତେଅବା ସମସ୍ତଙ୍କୁ ଆପଣା ଅକ୍ତିଆରର ସୂତାଗୁଡ଼ାକ ଭିତରେ ଏକାଠି ଧରି ଏହି ସଂସାରରେ ଏକମାତ୍ର ରଥୀ ହୋଇ ରଥ ଚଳାଉଥିବା ପର୍ଯ୍ୟନ୍ତ ମଣିଷ ଦୁଃଖ ପାଏ । ଅସଲ ଜାଗାରେ ବଞ୍ଚିତ ହୋଇ ରହିବା,–ହୁଏତ ତାହାହିଁ ଆମ ସଂସାରରେ ସବୁଠାରୁ ବଡ଼ ଦୁଃଖ । ମାତ୍ର, ଖିଅଗୁଡ଼ିକୁ ଥରେ ଆବିଷ୍କାର କରି ନେଇ ପାରିଲେ ଓ ସେହି ଆବିଷ୍କାରକୁ ହିଁ ଜୀବନର ଅସଲ ପ୍ରେରଣା ରୂପେ କାମରେ ଲଗାଇ ପାରିଲେ ଦୁଃଖ ଦୂର ହୁଏ । ତା’ପରେ ଆଉ କେଉଁଠି ହେଲେ ଆଦୌ କୌଣସି ନର୍କ ରହିପାରେ ନାହିଁ,–କେବଳ ଦୁଆର ଖୋଲିଦେବା ଓ କାମରେ ଲାଗିବାହିଁ ଏକମାତ୍ର ଧର୍ମରେ ପରିଣତ ହୋଇଯାଏ । ସେହି ଖିଅଟି ହେଉଛି ଅସଲ ସମ୍ପଦ, ସକଳ ମୁକ୍ତିର ଅସଲ କାରଣ । ସେହି ଖିଅଟି ଦ୍ୱାରାହିଁ ଜାଣିବାକୁ ହୁଏ, ଖିଅଟି ଦ୍ୱାରା ଅନୁଭବ କରିବାକୁ ହୁଏ ଏବଂ ସେହି ଖିଅଟିକୁ ଧରି ବାଟ ଚାଲିବାକୁ ପଡ଼େ । ମଣିଷ ଅତ୍ୟନ୍ତ ବିମୂଢ଼ ଭାବରେ ଆତ୍ମକେନ୍ଦ୍ରୀ ଅର୍ଥାତ୍ ଅହଂବିଳାସୀ ହୋଇ ରହିଥିବା ପର୍ଯ୍ୟନ୍ତ ଖିଅଗୁଡ଼ାକୁ ମାୟା ବୋଲି କହୁଥାଏ । ଆପେ ମାୟାରେ ପଡ଼ିଥାଏ ବୋଲି ସିଏ ଏପରି କହୁଥାଏ ।

 

ଆମ ପିଲାମାନଙ୍କ ପାଖରେ ବାପାମାଆ ହିସାବରେ ଆମେ ମୂଳତଃ କୃତଜ୍ଞ ହୋଇ ରହିବା । ସେହିମାନେ ହିଁ ନିଜକୁ ନିମିତ୍ତରୂପେ ବ୍ୟବହାର କରି ଏହି ସଂସାର ସହିତ, ଏହି ସବୁଟି ସହିତ ଆମର ଖିଅ ଯୋଡ଼ି ରଖିଛନ୍ତି । ସେହିମାନେହିଁ ଏହି ସଂସାରରେ ଆମର ଯାବତୀୟ ପରିଚୟର ଦ୍ୱାର ହୋଇ ରହିଛନ୍ତି । ସେମାନେ ଆମକୁ ତାଙ୍କରି ଆଖିରେ ସଂସାରକୁ ଦେଖି ପାରିବା ଲାଗି କେତେ ଉତ୍ସାହ ନ ଦେଉଛନ୍ତି ! ସାନ ଗଛଟିଏ ମାଳିକୁ ପ୍ରେରଣା ଦିଏ, ଫୁଟି ଆସୁଥିବା କଢ଼ଟିଏ ଦେଖି ତପସ୍ୱୀ ପ୍ରେରଣା ପାଏ,–ଆମର ପିଲାମାନେ ଠିକ୍ ସେହିପରି ଆମକୁ ପ୍ରେରଣା ଦେବାରେ ଲାଗିଥାନ୍ତି । ବାପାମାଆ ହିସାବରେ, ଶିକ୍ଷକ ହିସାବରେ, ବୟସରେ ବଡ଼ ହୋଇ ଯାଇଥିବା ଜଣେ ଜଣେ ମଣିଷ ହିସାବରେ, ସେହି ପ୍ରେରଣାର ଯୋଗ୍ୟ ହେବାକୁ ପଡ଼େ । ଯିଏ ଯୋଗ୍ୟ ହୁଏ, ସେଇ ଯାବତୀୟ ନର୍କରୁ ଉଦ୍ଧାର ପାଏ । ସମସ୍ତ ପୃଥିବୀକୁ ମଧ୍ୟ ସକଳ ପ୍ରକାରର ନର୍କ ଭିତରୁ ପରିତ୍ରାଣ କରାଇ ଆଣିବାରେ ସାହାଯ୍ୟ କରେ । ତେଣୁ, ଆମ ପିଲାମାନଙ୍କର ଆଖିହିଁ ଆମର ଆଖିଗୁଡ଼ାକୁ ଶୁଦ୍ଧ ଓ ଆହୁରି ଅଧିକ ଶୁଦ୍ଧ କରିପାରୁଥିବା ଦରକାର-। ଶୁଦ୍ଧ ସହିତ ଖିଅ ଲଗାଇ ପାରିଲେ ଅଶୁଦ୍ଧତାର ଅଶୁଦ୍ଧତା କଟେ । ନିଷ୍ପାପ ସହିତ ଖିଅ ଲଗାଇ ପାରିଲେ ପାପ କଟିଯାଏ । ସରଳ ଓ ସାବଲୀଳ ସହିତ ଖିଅ ଲଗାଇ ପାରିଲେ ଯାଇ ମିଛ ଜଟିଳତାଗୁଡ଼ାକର ଯାବତୀୟ ଫନ୍ଦିରୁ ରକ୍ଷା ମିଳେ । ବାହାରର ଯାବତୀୟ କର୍କଶତା ସତ୍ତ୍ୱେ ଆମ ନିଜ ଭିତରେ ଅସଲ ଗଭୀର ସ୍ତରଟିରେ ଯେ ଏକ ନିଷ୍ପାପ, କୋମଳ ତଥା ଆଲୋକବୋଳା ଶିଶୁ ଅବଶ୍ୟ ରହିଛି, ସିଏ ଯେ ଆମର ଦ୍ୱାର ଖୋଲିବ ଓ ଗଣ୍ଠି ଫିଟିଯିବ ବୋଲି ଅପେକ୍ଷା କରି ରହିଛି, ସେତେବେଳେ ଆମକୁ ସେହି ସତ୍ୟଟିର ଦର୍ଶନ ମିଳିଯାଏ । ତା’ପରେ ଯାଇ ପିତୃତ୍ୱର ଅସଲ ଗୌରବର ଅଧିକାରୀ ହେବା ସମ୍ଭବ ହୁଏ । ସଖା ହୋଇ ପାରିଲେ ବାପା ମାଆ ଅସଲ ବାପା ମାଆ ହୋଇପାରନ୍ତି, ସଖା ହୋଇ ପାରିଲେ ଯାଇ ଶିକ୍ଷକ ଅସଲ ଶିକ୍ଷକ ହେବାର ଯୋଗ୍ୟ ହୋଇଥାଏ ।

 

ଜୁନ୍, ୧୯୮୬

☆☆☆

 

ନେତୃତ୍ୱ ଓ କର୍ତ୍ତୃତ୍ୱ

 

କର୍ତ୍ତା ଉପରେ ବସିଥାଏ, ସିଏ ଆଦେଶ ଦିଏ, ଆଦେଶ ଅନୁସାରେ ତଳେ ସବୁକିଛି ଚାଲେ । ନେତା ସାଙ୍ଗରେ ଥାଏ, ଏକାଠି ବାଟ ଚାଲୁଥାଏ । ସିଏ ହୁକୁମ ଦିଏ ନାହିଁ, ସମସ୍ତଙ୍କୁ ଏକତ୍ର କରେ, ଏକାଠି ବସାଏ । ସମସ୍ତେ ମିଳି ନିଷ୍ପତ୍ତିଟିଏ ବାହାର କରନ୍ତି । ନେତା ମଧ୍ୟ ସେହି ସମସ୍ତଙ୍କ ଭିତରେ ରହିଥାଏ । ନିଷ୍ପତ୍ତି ଗ୍ରହଣ କରିବାରେ ତା’ର ମଧ୍ୟ ଏକ ସକ୍ରିୟ ଭାଗ ରହିଥାଏ । ହୁଏତ ଅନ୍ୟମାନଙ୍କ ତୁଳନାରେ ସିଏ ସେଥିରେ ଅଧିକ ସକ୍ରିୟ ଭାବରେ ଅଂଶଗ୍ରହଣ କରେ । ନିଜେ ସକ୍ରିୟ ହୋଇ ସାଙ୍ଗରେ ଥିବା ଅନ୍ୟମାନଙ୍କୁ ସକ୍ରିୟ କରେ । ଅନ୍ୟମାନଙ୍କ ଭିତରେ ରହିଥିବା ନାନା ଜଡ଼ତାକୁ ସିଏ ତାହାରି ଦ୍ୱାରା ଭାଙ୍ଗେ । ନିଜର ଉତ୍ସାହ ଦ୍ୱାରା ଅନ୍ୟମାନଙ୍କୁ ସଂକ୍ରାମିତ କରେ-। ଏବଂ, ନିଷ୍ପତ୍ତିଟିଏ ଗୃହୀତ ହୋଇ ସାରିଲେ ସିଏ ହୁଏତ ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ସକ୍ରିୟ ଭାବରେ ନିଷ୍ପତ୍ତିଟିକୁ ପ୍ରକୃତରେ କାର୍ଯ୍ୟକାରୀ କରିବାରେ ଭାଗ ନିଏ । ଅର୍ଥାତ୍, ଅନ୍ୟମାନେ ଯେତିକି କରନ୍ତି, ସିଏ ତା’ଠାରୁ ଅଧିକ କରେ ।

 

ଭାରତବର୍ଷର ପରମ୍ପରାରେ ନେତୃତ୍ୱର ଭାଗ କମ୍‌ ଏବଂ କର୍ତ୍ତୃତ୍ୱର ଭାଗ ବେଶୀ । ଏହାକୁ ଅତିବେଶୀ ବୋଲି କହିଲେ ମଧ୍ୟ ତଥାପି ମୋଟେ ଅତିବେଶୀ କୁହାଯିବ ନାହିଁ । ଭାରତୀୟ ପରିବାରରେ କର୍ତ୍ତୃତ୍ୱଭାଗଟାହିଁ ନିଜକୁ ସବୁଠାରୁ ଅଧିକ ଅନମନୀୟ ଭାବରେ ପ୍ରତିଷ୍ଠିତ କରି ରଖିଥାଏ । ଭାରତୀୟ ସମାଜରେ ବୟସ ନେତୃତ୍ୱ ଯେତେ ନଦିଏ, ତା’ଠାରୁ ଅନେକ ଗୁଣରେ କର୍ତ୍ତୃତ୍ୱରହିଁ ଦାବି କରିଥାଏ । ଭାରତୀୟ ରାଜନୀତିରେ ଗତ ଚାଳିଶ ବର୍ଷ ହେଲା ସତେ ଯେପରି ନେତୃତ୍ୱ ହିଁ କ୍ରମଶଃ ଛିଣ୍ଡି ଛିଣ୍ଡି ଯିବାରେ ଲାଗିଛି ଏବଂ କର୍ତ୍ତୃତ୍ୱମାନେହିଁ ଯାବତୀୟ ଜାଗାଗୁଡ଼ିକୁ ଗିଳି ପକାଇବାରେ ଲାଗିଛନ୍ତି ! ଯାବତୀୟ କର୍ତ୍ତୃତ୍ୱ ପାଖରେ ସର୍ବତ୍ର ଯେଉଁ ଗୋଟିଏ ବୋଲି ଶିଙ୍ଗ ରହିଥାଏ, ତାହାକୁ କ୍ଷମତା ବୋଲି କୁହାଯାଏ । ନେତୃତ୍ୱ ଦେଇ ପାରିବାର ସାମର୍ଥ୍ୟ ଯେତିକି କମିଯିବାରେ ଲାଗିଥାଏ, କର୍ତ୍ତୃତ୍ୱର ଶିଙ୍ଗଟି ସେତିକି ଅଧିକ ହୋଇ କଅଁଳି ଉଠିବା ଲାଗି ସତେଅବା ଏକ ଆବଶ୍ୟକତା ଅନୁଭବ କରେ । କର୍ତ୍ତୃତ୍ୱ ଆପେ କିଛି ମାନେ ନାହିଁ । ନିଜର କଥା ଅଥବା ହୁକୁମଗୁଡ଼ାକୁ ନିରଙ୍କୁଶ ଭାବରେ କାର୍ଯ୍ୟକାରୀ କରିବା ଅଭିପ୍ରାୟରେ ତାହା ସର୍ବଦା ଅଧିକ କ୍ଷମତା ଆତ୍ମସାତ୍‌ କରିବା ପାଇଁ ବୁଲୁଥାଏ ।

 

ନେତୃତ୍ୱ ସାଙ୍ଗରେ ଥାଏ, ସମସ୍ତଙ୍କୁ ନେଇ ଆଗକୁ ଯିବାକୁ ହିଁ ସିଏ ଲକ୍ଷ ସାଧନର ଦୃଷ୍ଟିରୁ ଏକମାତ୍ର ସୁସ୍ଥ ଶୈଳୀ ବୋଲି ଭାବୁଥାଏ । ତେଣୁ ସମସ୍ତଙ୍କୁ ଅଧିକରୁ ଅଧିକ ପରିମାଣରେ ଯୋଗ୍ୟ କରି ଆଣିବାକୁ ଇଚ୍ଛା କରୁଥାଏ । କର୍ତ୍ତୃତ୍ୱ ଅଯୋଗ୍ୟମାନଙ୍କର ମେଳରେ ହିଁ ଆପଣାକୁ ଅଧିକ ନିରାପଦ ରହିଥିବା ପରି ଅନୁଭବ କରେ । ଅନ୍ୟମାନଙ୍କର ଅସହାୟତାରୁ ସିଏ ଅନେକ ଲାଭ ଉଠାଏ । ଏହି ଅସହାୟତାକୁ ହିଁ ଅନେକ ସମୟରେ ଆନୁଗତ୍ୟ ବୋଲି କୁହାଯାଏ । ଏବଂ, ଏକ କର୍ତ୍ତୃତ୍ୱପ୍ରଧାନ ସମାଜରେ ଆନୁଗତ୍ୟକୁ ଅତ୍ୟନ୍ତ ଯୁକ୍ତିଯୁକ୍ତ ଭାବରେ ମଣିଷର ଏକ ସର୍ବଶ୍ରେଷ୍ଠ ଗୁଣ ବୋଲି ମାନି ନିଆଯାଇଥାଏ ।

 

ଭାରତବର୍ଷରେ କର୍ତ୍ତୃତ୍ୱ ଦ୍ୱାରାହିଁ ଅଧିକାଂଶ କ୍ଷେତ୍ରରେ ଯାବତୀୟ କାର୍ଯ୍ୟ ନିର୍ବାହ ହେଉଥାଏ ବୋଲି, ଜଣେ କର୍ତ୍ତା ବିଦାୟ ନେଇ ଚାଲିଯିବା ମାତ୍ରକେ ଚାରିଆଡ଼େ ସତେଅବା ଗୋଟାସୁଦ୍ଧା ଅନ୍ଧକାର ହୋଇଯିବା ପରି ମନେ ହୁଏ । କର୍ତ୍ତାମାନେ କର୍ତ୍ତୃତ୍ୱ କରୁଥିବା ବେଳେ ଜାଲ ଓ କୌଶଳଗୁଡ଼ାକୁ ଏପରି ଉପଯୁକ୍ତ ସଣ୍ଠଣା ସହିତ ବିସ୍ତାର କରି ରଖିଥା’ନ୍ତି, ଯେପରିକି ଯାବତୀୟ ଅବସରରେ ସମସ୍ତେ ସେହିମାନଙ୍କୁ ହିଁ ଅପରିହାର୍ଯ୍ୟ ବୋଲି ଅନୁଭବ କରୁଥା’ନ୍ତି । ଗୋଟିଏ ବରଗଛ ତଳେ ଯେପରି ଅନ୍ୟ କୌଣସି ଗଛ ଉଧେଇ ପାରେ ନାହିଁ, ଆମ କର୍ତ୍ତାମାନଙ୍କର ଛାଇରେ ସେହିପରି ଅନ୍ୟ କେହି ଉଧେଇ ପାରନ୍ତି ନାହିଁ । କର୍ତ୍ତାମାନେ ଅଧିକରୁ ଅଧିକ ଆଦରନ୍ତି,–ଅଧିକରୁ ଅଧିକ ହାତମୁଠାରେ ରଖିଥା’ନ୍ତି,–ଅନ୍ୟମାନେ ଅବଶ୍ୟ ଅକିଞ୍ଚନ ହୋଇଥିବେ ବୋଲି ସେମାନେ ଏକ ପରମ ସତ୍ୟ ବୋଲି ଗ୍ରହଣ କରି ନେଇଥା’ନ୍ତି । ତେଣୁ ଅନ୍ୟମାନଙ୍କୁ ଅକିଞ୍ଚନ କରି ରଖିବାରେ ଚେତନ ଏବଂ ଅଚେତନ ଉଭୟ ବିଧିରେ ହିଁ ଆବଶ୍ୟକ ସକଳ ବ୍ୟବସ୍ଥାକୁ ପକ୍‌କା କରି ରଖିଥାନ୍ତି । ଆପଣାକୁ ସଂସ୍ଥାନାମକ ଘରେ ସତେଅବା ଅପରିହାର୍ଯ୍ୟ ବାପଟିଏ ପରି ଅନୁଭବ କରୁଥା’ନ୍ତି । ଅନ୍ୟମାନଙ୍କୁ ବାପମାଆ ଛେଉଣ୍ଡ ପିଲାଙ୍କ ସଦୃଶ ଦେଖୁଥାଆନ୍ତି । ସେମାନଙ୍କୁ ଶାସନ କରନ୍ତି, ସେମାନଙ୍କର ପ୍ରତିପାଳନ କରନ୍ତି, ସେମାନଙ୍କ ହାତର ବାଡ଼ିଟିଏ ହୋଇ ସେମାନଙ୍କୁ ବାଟ ଚଲାନ୍ତି,-ମାତ୍ର ବିଶ୍ୱାସ ଦେଇପାରନ୍ତି ନାହିଁ, ଆଖି ଦେଇପାରନ୍ତି ନାହିଁ । ସମ୍ମାନ ଓ ଶକ୍ତି ଦେଇପାରନ୍ତି ନାହିଁ । ଶକ୍ତିର ଅପହରଣ ହେବାରେ ହିଁ ଲାଗିଥାଏ । ତେଣୁ, ଉପରେ ଦେଖିବାକୁ କର୍ତ୍ତୃତ୍ୱର ନିର୍ଦ୍ଦେଶ ମାନି କାର୍ଯ୍ୟଗୁଡ଼ିକ ଯେତିକି ଧୁରନ୍ଧର ଭାବରେ ଚାଲିଥାଏ, ତେଣେ ଅନ୍ତଭିତରେ ଶକ୍ତିର ସେତିକି ଅବକ୍ଷୟ ଘଟିବାରେ ଲାଗିଥାଏ । ଗୋଡ଼ ତଳର ମାଟିଗୁଡ଼ାକ ଖସି ଖସି ଯିବାରେ ଲାଗିଥାଏ ।

 

ଆମେ ଓଡ଼ିଶାରେ ଶିକ୍ଷାରେ ଏକ ଅନ୍ୟ ବାଟ ବାହାର କରିବୁ ବୋଲି ସଙ୍କଳ୍ପ ଗ୍ରହଣ କରି ଯେଉଁ ନୂତନ ବିଦ୍ୟାଳୟଗୁଡ଼ିକ ଆରମ୍ଭ କରିଛୁ,–ସେଠାରେ ନେତୃତ୍ୱ ନା କର୍ତ୍ତୃତ୍ୱ, କାହା ବୋଲରେ କାମ ଚାଲିଛି ? ଆମ ଭିତରେ ଉତ୍ସାହର ହୁଏତ ଆଦୌ କୌଣସି ଅଭାବ ନାହିଁ, ନିଷ୍ଠାର ମଧ୍ୟ ଅଭାବ ନାହିଁ । ତଥାପି ଆମ ଭିତରେ ପୁରୁଣା ପୋକଗୁଡ଼ାକ ଏବେ ମଧ୍ୟ ଏଡ଼େ ପ୍ରବଳ ହୋଇ ରାଜତ୍ୱ କରିବାରେ ଲାଗିଛନ୍ତି ଯେ, ଆମେ ନୂଆ ବୋଲି ଯାହାକୁ ଆରମ୍ଭ କରିଦେଇଛୁ, ତାହାର ଶୃଙ୍ଖଳାରେ ଆପଣାକୁ ଆଦୌ ସମ୍ମତ କରାଇ ପାରି ନାହୁଁ । ଆମ ପିଲାମାନଙ୍କ ସହିତ ଆମର ସମ୍ପର୍କଗୁଡ଼ିକରେ ନେତୃତ୍ୱର ଏକ ନିତାନ୍ତ ଗୌଣ ସ୍ଥାନହିଁ ରହିଛି,–କର୍ତ୍ତୃତ୍ୱ ଗୁଡ଼ାକହିଁ ସତେଅବା ଅତି ପ୍ରବଳ ହୋଇ ରହିଛି । ଏହି ନୂଆ ଘରଟିରେ ଆସି ପ୍ରବେଶ କରିବା ପୂର୍ବରୁ ଆମକୁ ଯୁଗ ଯୁଗ ଧରି ମାଡ଼ି ବସି ରହିଥିବା ଯେଉଁ ପୁରୁଣା ପ୍ରକୋପଗୁଡ଼ାକ ଅବଶ୍ୟ ବାହାରେ ହିଁ ଛାଡ଼ିଦେଇ ଆସିବାକୁ ପଡ଼ିଥାନ୍ତା, ସେହି ପ୍ରକୋପଗୁଡ଼ିକହିଁ ଆମକୁ ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ କାମୁଡ଼ି ଧରିଛି । ଆଖି ବୁଜି ଧ୍ୟାନ କଲାବେଳେ ଆମ ଠାକୁରଙ୍କ ପାଖରେ ଆମେ କେଡ଼େ ନିକୁଛିଆ ଭାବରେ କାନ ଧରି ଘଷି ହେଉଛୁ ସତ, ମାତ୍ର ଆଖି ଖୋଲି ଆପଣାକୁ ଅଧିକରୁ ଅଧିକ ମଣିଷଙ୍କ ପାଖରେ ସବୁଠାରୁ ଅଧିକ ପାପୀ ବୋଲି ପ୍ରତିପାଦିତ କଲାବେଳେ ଆମେ ଗୋଟାସୁଦ୍ଧା ପାପିଷ୍ଠ ହୋଇଯାଉଛୁ ଓ ଧୃତିଗୁଡ଼ିକୁ ହରାଇ ଭାରି ପଦାରେ ପଡ଼ିଯାଉଛୁ । ଆମେ ଅନ୍ତର ଭିତରେ ପରସ୍ପରଠାରୁ ସତେଅବା ବହୁଯୋଜନ ଦୂରରେ ରହିଛୁ । ଆମର ଗଉଁଗୁଡ଼ାକ ଆମ ଭିତରେ ଥିବା କୋମଳ ଆତ୍ମାଟିକୁ ସତେଅବା ତ୍ରସ୍ତ କରି ରଖିବାରେହିଁ ଅଧିକ ଆନନ୍ଦ ଲାଭ କରୁଛି । ପୁରୁଣା ସଂସାରରେ ସଫଳତା ଅର୍ଜନ କରିବାର ମୃଗୟାରେ ମାତି ରହିଥିବା ବେଳେ ଯେଉଁ ଶିଙ୍ଘ ଓ ଯେଉଁ ନିଶଗୁଡ଼ାକ ଆମର ସବୁଠାରୁ ଅଧିକ କାମରେ ଲାଗି ପାରୁଛନ୍ତି, ଆମ ବିଦ୍ୟାଳୟରୂପକ ନୂଆ ଘରଟିରେ ମଧ୍ୟ ସେହି ନିଶଗୁଡ଼ିକହିଁ ଆମକୁ ସହାୟତା କରିପାରିବ ବୋଲି ଆମେ ଅତ୍ୟନ୍ତ ଆସକ୍ତ ଭାବରେ ଏବେ ମଧ୍ୟ ବିଶ୍ୱାସ କରୁଛୁ ।

 

ସମ୍ଭବତଃ ସେହି ଅସଲ କାରଣଟି ସକାଶେହିଁ ଆମ ବିଦ୍ୟାଳୟଗୁଡ଼ିକରେ ଯଥାର୍ଥ ସହଯୋଗୀ ଟିମ୍‍ଟିଏ ସମ୍ଭବ ହୋଇପାରୁନାହିଁ । ଅର୍ଥାତ୍‌ ଅସଲ ନେତୃତ୍ୱର ରୀତିଟି ସମ୍ଭବ ହେବା ଲାଗି ଆହୁରି ବହୁ ପଥ ବାକି ରହିଛି । ଆମ ଭିତରେ ଘୋଡ଼ାମାନେ ବୋଲ ବତାଉଛନ୍ତି ଓ ମେଣ୍ଢାମାନେ ବୋଲ ମାନୁଛନ୍ତି । ମେଣ୍ଡାମାନଙ୍କର ଚୁଟି ଘୋଡ଼ାମାନଙ୍କର ହାତରେ ରହିଛି । ଏବଂ, ବଡ଼ ଓ ବୟସ୍କମାନଙ୍କ ଭିତରେ ଏହି ତାମସା ଲାଗି ରହିଥିବା ପର୍ଯ୍ୟନ୍ତ, ଏହି ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କ ଲାଗି ଯେଉଁଭଳି ନେତୃତ୍ୱ ପ୍ରକୃତରେ ମିଳିବା ଉଚିତ, ତାହା ଆଶାନୁରୂପ ଅର୍ଥାତ୍ ଆବଶ୍ୟକ ଭାବରେ ଆଦୌ ମିଳିପାରୁ ନାହିଁ । ମଣିଷମାନଙ୍କ ମଧ୍ୟରେ ଯେଉଁମାନେ ବୁଢ଼ା ହୋଇ ସାରିଥାନ୍ତି, ସେହିମାନେ ଘୋଡ଼ା ହୋଇ ହୁକୁମ ଦେବାକୁ ମନ କରନ୍ତି ଏବଂ ମେଣ୍ଢା ହୋଇ ହୁକୁମ ମାନିବାକୁ ମନ କରନ୍ତି । ଅଥବା, ଅଧିକ ନିର୍ଭୁଲ ଭାବରେ କହିଲେ, ସେମାନେ ଏକାବେଳେକେ ଘୋଡ଼ା ଓ ମେଣ୍ଢା ଉଭୟ ଭୂମିକାରେ ଅବତୀର୍ଣ୍ଣ ହୋଇ ଥାଆନ୍ତି । ଉଚ୍ଚତରମାନଙ୍କ ପାଖରେ ମେଣ୍ଢା ହୁଅନ୍ତି ଓ ନିମ୍ନସ୍ଥମାନଙ୍କ ପାଖରେ ଘୋଡ଼ା ହୁଅନ୍ତି । ଯିଏ ଭିତରେ ତରୁଣ ହୋଇ ରହିଥାଏ, ସିଏ ଘୋଡ଼ା କିମ୍ବା ମେଣ୍ଢା କୌଣସିଟି ହେବାକୁ ମୋଟେ ମନ କରେ ନାହିଁ । ତରୁଣ ବାଟ ଚାଲେ,–ସାଙ୍ଗ ଖୋଜେ, ସାଙ୍ଗ ପାଏ । ସାଙ୍ଗ ପାଇବାକୁହିଁ ପରମ ଆଶୀର୍ବାଦ ବୋଲି ଗ୍ରହଣ କରେ । ଅନ୍ୟମାନଙ୍କ ସହିତ ଏକତ୍ର ସମ୍ମିଳିତ ହୋଇ ଯଥାସମ୍ଭବ ଅଧିକ ସମ୍ମତ ଭାବରେ ଅନ୍ୟମାନଙ୍କଠାରୁ ଗ୍ରହଣ କରିବାକୁ ଏବଂ ଆପଣାକୁ ଦେବାକୁ ତରୁଣ କଦାପି କୁଣ୍ଠିତ ହୁଏ ନାହିଁ । ବୁଢ଼ା କୌଣସି ବାଟ ଚାଲିବ ନାହିଁ ବୋଲି ନିଜ ଭିତରର ଭୀରୁ ଠାକୁରଟି ପାଖରେ ହଲପ କରି ସାରିଥାଏ । ଏବଂ ବାହାରେ କର୍ତ୍ତୃତ୍ୱ ଦେଖାଇ ଓ କର୍ତ୍ତୃତ୍ୱ ମାନି ସିଏ ଭିତରର ସେହି ଗ୍ଳାନି ନିମନ୍ତେ ବାହାରେ କ୍ଷତିପୂରଣ ଖୋଜି ବୁଲୁଥାଏ । ସିଏ ଆମ ସ୍ୱପ୍ନଗୁଡ଼ାକୁ ପଣ୍ଡ କରିଦେବାରେ ଭାରି ସାହାଯ୍ୟ କରେ ।

 

ଆଧ୍ୟାତ୍ମିକତାରେ କର୍ତ୍ତୃତ୍ୱ ନଥାଏ, ନେତୃତ୍ୱ ଥାଏ । ଆଧ୍ୟାତ୍ମିକ ମଣିଷର ଚକ୍ଷୁ ଉଚ୍ଚ ଦେଖେ ନାହିଁ କିମ୍ବା ନିମ୍ନ ବି ଦେଖେ ନାହିଁ । ଆଧ୍ୟାତ୍ମିକତା ସକଳ ପ୍ରକାର କ୍ଷମତାକୁ ମାୟା ବୋଲି ଜ୍ଞାନ କରେ । ସିଏ ଶକ୍ତି ଉପରେହିଁ ଆସ୍ଥା ରଖିଥାଏ । ସେହି ଶକ୍ତି ହେଉଛି ସତତ ସ୍ପର୍ଶ କରି ରହିଥିବାର ଶକ୍ତି, ତାଙ୍କରି କାର୍ଯ୍ୟରେ ତାଙ୍କରି ଦ୍ୱାରା ନିମିତ୍ତ ରୂପେ ନିର୍ବାଚିତ ହୋଇ ବାଟ ଚାଲୁଥିବାର ଶକ୍ତି । ସେହି ଶକ୍ତି ଭିତରେ ରହିଥିବା ସବୁଯାକ ଗଉଁକୁ ମାରିଦିଏ । ଅନ୍ୟମାନଙ୍କ ଭିତରେ ମଧ୍ୟ ସିଏ ସେହି ଶକ୍ତିର ଅନୁଭବ କରୁଥାଏ । ତେଣୁ ଅନ୍ୟମାନଙ୍କୁ ସଙ୍ଗୀ ରୂପେ ପାଏ । ଜୀବନ ସହିତ ଜୀବନକୁ, ବ୍ୟକ୍ତି ସହିତ ବ୍ୟକ୍ତିକୁ ଏକାଠି ଯୋଡ଼ି କରି ରଖିଥିବା ସୂତ୍ରଟିର ସନ୍ଧାନ ପାଇପାରିଲେ ମଣିଷ ଆଉ କର୍ତ୍ତୃତ୍ୱ ଆଡ଼କୁ ମନ କରେ ନାହିଁ । ତା’ପରେ ସିଏ ମୋଟେ କାହାକୁ ଗିଳି ପକାଇ ଅଧିକ ଗୁରୁ ଅଥବା ଅଧିକ ଗରୁ ହୋଇ ଦିଶିବ ବୋଲି ଆଦୌ ଆଗ୍ରହ ଦେଖାଏ ନାହିଁ । ସୂତ୍ରଟିକୁ ଚିହ୍ନିଥିବା ଓ ସୂତ୍ରକୁ ଅନୁଭବ କରିପାରୁଥିବା ମଣିଷମାନେ ଏକାଠି ହେଲେ ଯାଇ ଏକ ଯଥାର୍ଥ ଟିମ୍‌ର ପ୍ରତିଷ୍ଠା ସମ୍ଭବ ହୋଇଯାଏ । ତା’ପରେ ହୁଏତ ଉପରେ କେହି ଉଚ୍ଚ ହୋଇ ବସି ନଥାନ୍ତି କିମ୍ବା ନିମ୍ନରେ କେହି ନୀଚ ହୋଇ ରହିନଥାନ୍ତି ସତ, ମାତ୍ର ତଥାପି ନେତୃତ୍ୱର ପରିଚାଳନାରେହିଁ ସବୁକିଛି ଚାଲେ । ଯେଉଁଟିର ସମ୍ପାଦନ ନିମନ୍ତେ ଅର୍ଥାତ, ଯେଉଁ ସତ୍ୟ ଅଥବା ଲକ୍ଷ୍ୟର ଉପଲବ୍‌ଧି ନିମନ୍ତେ ସମସ୍ତେ ଆସି ଏକତ୍ର ହୋଇଥାନ୍ତି, ସେହି ସତ୍ୟ ଅଥବା ଲକ୍ଷ୍ୟ ହିଁ ନେତୃତ୍ୱ ଦିଏ । ସମସ୍ତେ ନିଜକୁ ନିମିତ୍ତ ପରି ଅନୁଭବ କରୁଥାନ୍ତି । ତେଣୁ, ଘୋଡ଼ା ହେବାର କିମ୍ବା ମେଣ୍ଢା ହେବାର ଆଦୌ କୌଣସି ପ୍ରୟୋଜନ ରହେ ନାହିଁ ।

 

ନେତୃତ୍ୱ ପରିଚାଳନା କରାଇନିଏ, ଗିଳି ପକାଏ ନାହିଁ । କର୍ତ୍ତୃତ୍ୱ ଗିଳି ପକାଏ । ନେତୃତ୍ୱର କ୍ଷେତ୍ରରେ ଯେଉଁମାନେ ଆଗରେ ଥାଆନ୍ତି, ସେମାନେ ଉତ୍‌ପ୍ରେରକ ରୂପେ କାର୍ଯ୍ୟ କରନ୍ତି । ପଛରେ ରହିଥିବା ମଣିଷମାନଙ୍କୁ ସେମାନେ ଯୋଗରୁ ଯୋଗ୍ୟତର କରିନେବାରେହିଁ ସତତ ସାହାଯ୍ୟ କରୁଥାନ୍ତି । ଅନ୍ୟ ସହଯାତ୍ରୀମାନଙ୍କ ଭିତରେ ରହିଥିବା ସର୍ବୋତ୍ତମ ଗୁଣ, ଶକ୍ତି ତଥା ସମ୍ଭାବନାଗୁଡ଼ିକୁ ସେମାନେ ଅତ୍ୟନ୍ତ କୋଳାହଳରହିତ ଭାବରେ ଉଦବୋଧିତ କରାଇ ଆଣନ୍ତି । ଅନ୍ୟମାନଙ୍କୁ ଆପଣାଠାରୁ ସାନ କରି ନଦେଖିଲେ କର୍ତ୍ତୃତ୍ୱର ପେଟ ଆଦୌ ପୂରେ ନାହିଁ-। ତେଣୁ ଯାବତୀୟ ଅଗ୍ରଗତିରେ ଯଥାସମ୍ଭବ ଏକ ବାଧା ରୂପେ ଛିଡ଼ା ହୋଇ ରହିବାକୁହିଁ ତାହା ସତେଅବା ନିଜର ଧର୍ମ ବୋଲି ଗ୍ରହଣ କରି ନେଇଥାଏ । ଆମ ବିଦ୍ୟାଳୟମାନଙ୍କରେ କର୍ତ୍ତୃତ୍ୱବିଶ୍ୱାସୀ ଶିକ୍ଷକମାନେ ପିଲାମାନଙ୍କୁ ନାନାବିଧ କ୍ଷମତା ପ୍ରଦର୍ଶନ ଦ୍ୱାରା ଅଧିକରୁ ଅଧିକ ନ୍ୟୂନ କରି ରଖିବାର ନାନାବିଧ ଉଗ୍ର ଚକ୍ରାନ୍ତ କରିବାରେ ଲାଗିଥାଆନ୍ତି । କର୍ତ୍ତୃତ୍ୱବିଶ୍ୱାସୀ ପରିଚାଳକମାନେ ଶିକ୍ଷକମାନଙ୍କୁ ସତେଅବା ନିତାନ୍ତ ଅସହାୟ କୁକ୍‌କୁଟଶାବକ ପରି ଦେଖିବାରେ ଲାଗିଥା’ନ୍ତି । ଏମାନେ ଅସଲ ଉଦ୍ୟମ ଓ ଅସଲ ଆକାଂକ୍ଷାଗୁଡ଼ିକର ପଥ-ଅବରୋଧ କରିବାରେହିଁ ସାହାଯ୍ୟ କରନ୍ତି । ନୂତନ ଉଦ୍ୟମଟି ଲାଗି ପୁରାତନ କର୍ତ୍ତୃତ୍ୱଗୁଡ଼ିକର ଆଦୌ କୌଣସି ପ୍ରୟୋଜନ ନାହିଁ । ନୂତନ ଉଦ୍ୟମଟି ଲାଗି ଏକ ନୂତନ ନେତୃତ୍ୱହିଁ ଆବଶ୍ୟକ । ଆମେ ସମସ୍ତେ ସେହି ନେତୃତ୍ୱ ଲାଗି ବାଟ ଛାଡ଼ିଦେବା, ଆମେ ସମସ୍ତେ ସେହି ନେତୃତ୍ୱର ଯୋଗ୍ୟ ହେବା ।

 

ସେଥିସକାଶେ ଆମ ପୁରୁଣାମାନଙ୍କୁ ନିଜ ଭିତରେ ଅନେକ ସୋପାନ ଅତିକ୍ରମ କରିବାକୁ ପଡ଼ିବ,–ଆହୁରି ଅନେକ ପରିମାଣରେ ଅଧିକ ସମ୍ମତ ହେବାକୁ ପଡ଼ିବ । ସମ୍ମତ ହେଲେ ଯାଇ ଆମେ ଆମ ପରସ୍ପରକୁ ଏକାଠି କରି ବାନ୍ଧି ରଖିଥିବା ସୂତ୍ରଟିକୁ ଅନୁଭବ କରିପାରିବା,–ନିଜ ଭିତରେ ଅନୁଭବ କରିପାରିବା, ନିଜ ବାହାରେ ବି ଅନୁଭବ କରିପାରିବା । ସେହି ଅନୁଭୂତି ଆମକୁ ଏକ ନୂତନ ଆଖି ଆଣିଦେବ । ସେଇ ଆଖିରେ ଦେଖିଲେ ଆମକୁ ଆଉ କେହିହେଲେ ଗୋଡ଼ିମାଟି ପରି ମୋଟେ ଦିଶିବେ ନାହିଁ । ସେମାନେ ମଣିଷ ପରି ଦିଶିବେ, ସନ୍ତାନ ପରି ଦିଶିବେ, ଆମର ସତୀର୍ଥ ରୂପେ ଦିଶିବେ ।

 

ଜୁଲାଇ, ୧୯୮୬

☆☆☆

 

ପିଲାର ଆଦର୍ଶ

 

ଗୋଟିଏ ଘରେ ବାପା ଆଉ ମାଆ ନିଜ ପୁଅଝିଅମାନଙ୍କୁ ବସାଇ ଭବିଷ୍ୟରେ ଏକ ଆଦର୍ଶ ଜୀବନ ଗଢ଼ିବାର ସମକ୍ଷରେ ଯୁକ୍ତି ଦେଖାଇ କେତେ କଥା କହୁଥିଲେ ଏବଂ ସେମାନଙ୍କର ମନକୁ ସେହିପରି ଭାବରେ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିଲେ । ବଡ଼ ହୋଇ ବଡ଼ ଦିଶିବା ପରି କ’ଣଟିଏ ହେବା, ଡାକ୍ତର ହେବା ଅଥବା ଇଞ୍ଜିନିୟର ହେବା, ନିଜ ଜୀବନରେ ସମବୟସୀ ଅନ୍ୟମାନଙ୍କର ତୁଳନାରେ ପ୍ରକୃତରେ କିଛି ଅଧିକ କଥା ସାଧ୍ୟ ଓ ହାସଲ କରି ଦେଖାଇଦେବା, ନିଜର ବୁଦ୍ଧି, ବୃତ୍ତି ଏବଂ ମନୀଷାକୁ ସେହି ଉଦ୍ଦେଶ୍ୟରେ ନିୟୋଜିତ କରି ରଖିବା,–ମାଆବାପା ଭାରି ଉତ୍ସାହରେ ଛୁଆଙ୍କ ଆଗରେ ସେହିସବୁ କଥା କହି ଯାଉଥିଲେ । ପୁଅ ଓ ଝିଅମାନେ ଶୁଣୁଥିଲେ ଓ ପ୍ରତିବାଦ କରୁଥିଲେ । ଝଗଡ଼ା କରୁନଥିଲେ, ପ୍ରତିବାଦ କରୁଥିଲେ ଏବଂ ସେତିକିରେ ମଧ୍ୟ ବାପାମାଆଙ୍କୁ ଭାରି ନିରାଶ କରି ଦେଉଥିଲେ ।

 

ପିଲାମାନଙ୍କର ଯୁକ୍ତି ମଧ୍ୟ ଆଦୌ ଅବୋଧ୍ୟ ନୁହେଁ । ସଂସାରରେ ବଡ଼ ହୋଇ କେଉଁଠି କୋଉମାନେ କ’ଣ କରି ପକାଇଲେ ଯେ ସେମାନେ ମିଛଟାରେ ସେପରି ଗୋଟାଏ କଥାରେ ମାତି ଜୀବନଯାକ ଭୁଆଁ ବୁଲିବେ ? ଅଧିକ ପରିଶ୍ରମ କରି ଲାଭ କ’ଣ,–ଯେମିତି ସେମିତି ପାସ୍‌ଟାଏ କରି ପକାଇଲେ ତ ଚଳିବ ! ତେଣୁ ଭଲ ଫଳ ଦେଖାଇବା ପାଇଁ ସେମାନେ ମିଛଟାରେ କାହିଁକି ବୋକା ମଣିଷଙ୍କ ପରି ଦିନରାତି ପଢ଼ିବେ–ଯେତିକି ଅତି କମ୍ ଚେଷ୍ଟା ଦ୍ୱାରା ମଧ୍ୟ ସମ୍ଭବ ହେବ, ସେମାନେ ସେତିକିରୁ ଅଧିକ ପାଇଁ କାହିଁକି ମନ କରିବେ, କାହିଁକି ସେମାନେ ଅନ୍ୟ କାହା ପରି ହେବେ ? –ଇତ୍ୟାଦି, ଇତ୍ୟାଦି । ନାଇଁ,–ସେମାନେ ଶହେରେ ଅଠାନବେ ଜଣଙ୍କ ପରି ହେବେ, ଯଥାସମ୍ଭବ ଅଳପ ଖଟିବେ, ଯଥାସମ୍ଭବ ଅଧିକ ଆରାମରେ ବି ରହିବେ,–ଏହି ସଂସାରରେ ସେମାନେ ଅନାମଧେୟ ହୋଇ ରହିବେ । ଅନାମଧେୟ ରହି ଯଦି ଜୀବନର ସବୁଯାକ ସୁଖ ଏବଂ ଆରାମ ଲାଭ କରି ହେଲା, ତେବେ ଅଧିକ ପାଇଁ ଆଉ କି ପ୍ରୟୋଜନ ରହିଛି ? ଜୀବନଟା ଖୁସୀରେ କଟିଯିବ,–ଏକ ଆନନ୍ଦମୟ ରୁଟିନ୍ ଭିତରେ ଜୀବନଟାଯାକ ଏପରି ମନୋରମ ଅଥଚ ଅବିକ୍ଷୁବ୍‌ଧ ଭାବରେ କଟି ଯାଉଥିବ ଯେ, ଜୀବନ ବଞ୍ଚୁଛ ବୋଲି ମୋଟେ ମନେ ହେବ ନାହିଁ । ଗୋଟାଏ ପାହାଚରୁ ଆଉ ଗୋଟାଏ ପାହାଚକୁ ଉଠିବାର କୌଣସି କଷ୍ଟ କରୁଥିବାର ଅନୁଭବ ହେଉ ନଥିବ । ନିଜ ଭିତରକୁ ଓ ନିଜ ବାହାରକୁ ତୁଚ୍ଛା ସମତଳ ଭାବରେ ଚିହ୍ନା ବାଟଗୁଡ଼ାକ ପଡ଼ିଥିବ । ସେହି ସମତଳରେ ନିଜ ପାଇଁ କୁନି କଣଟିଏ ବାଛି ନେଇ, ସେଇଠାରେ ଘର, ଦୁଆର ଆଉ ସଂସାର କରି ପ୍ରାୟ ଏକ ବ୍ୟକ୍ତିଗତ ଭୋଗ ଏବଂ ବ୍ୟକ୍ତିଗତ ଶାନ୍ତିର ନିକାଞ୍ଚନ ମଧ୍ୟରେ ଜୀବନଟାକୁ ସାରିଦେଲେ ତାହାହିଁ ସବୁଠାରୁ ଭଲ ହେବ ।

 

ପୂର୍ବକାଳରେ ମଧ୍ୟ ମନୁଷ୍ୟର ଜୀବନକୁ ଅନିତ୍ୟ ବୋଲି କୁହା ଯାଉଥିଲା । ମାତ୍ର ଏହି ଅନିତ୍ୟ ଜୀବନର ଚିହ୍ନା ସମତଳଟି ମଧ୍ୟରେ ବାନ୍ଧି ହୋଇ ନରହି ଆଉ କିଛି ଅଧିକର ଅନ୍ୱେଷଣ ନିମନ୍ତେ ସମ୍ଭବତଃ ମଣିଷକୁ ଏକ ଉଦ୍‍ ବୋଧନ ଦେବା ଲାଗି ହିଁ ସେ ଯୁଗରେ ସେପରି କୁହା ଯାଉଥିଲା । ଏକ ଅଧିକ ଲାଗି ବାସନାଗୁଡ଼ାକୁ ଉତ୍ତୋଳିତ କରିପାରିବା ଲାଗି, ଆମ ଚାରିପାଖରେ ଯେତିକି ଅଛି, ତାହାକୁ ଅଳପ ବୋଲି କୁହାଯାଉଥିଲା । ସତ୍ୟ ଆଡ଼କୁ ପରିଚାଳିତ କରାଇବାର ଆଳରେ ଏହି ନିତ୍ୟନୈମିତ୍ତିକତାର ରୁଟିନଗୁଡ଼ାକୁହିଁ ମାୟା ବୋଲି କୁହାଯାଉଥିଲା । ଯେଉଁମାନେ ସଂସାର ଛାଡ଼ୁଥିଲେ, ସେମାନେ ଅଧିକ କିଛିର ସନ୍ଧାନରେ ସଂସାର ଛାଡ଼ୁଥିଲେ । ଆଉ ଏକ ସ୍ତର ଲାଗି ସ୍ପୃହାକୁ ବଢ଼ାଇବା ଲାଗି ହୁଏତ ଏଠାରୁ ଏହି ନିତିଦିନିଆ ସବୁକିଛିଠାରୁ ସ୍ପୃହା ଛଡ଼ାଇ ନିଆଯାଉଥିଲା । ମାତ୍ର ଆମ ପିଲାମାନଙ୍କ ଭିତରେ ଏବେ ଯେଉଁ ନିସ୍ପୃହତା ଏଡ଼େ ପ୍ରବଳ ହୋଇ ସେମାନଙ୍କର ପ୍ରାୟ ସବୁଯାକ ଆଖିକୁ ଏହି ଅଳପ ଭିତରେ ବାନ୍ଧି କରି ରଖିଛି, ସେହି ନିସ୍ପୃହତା ପ୍ରକୃତରେ ଏକାବେଳେକେ ଏକ ଅନ୍ୟ ପ୍ରକାରର ନିସ୍ପୃହତା । ଏହା ହେଉଛି ଅଲୋଡ଼ାମାନଙ୍କର ନିସ୍ପୃହତା, ଅବସାଦରେ ରୁଷି ବସିଥିବା ଅର୍ଜୁନମାନଙ୍କର ନିସ୍ପୃହତା ।

 

ଏବର ପିଲାମାନଙ୍କର ନିସ୍ପୃହତା ପଛରେ ଏକ ପରାଜୟ ବୋଧ ରହିଛି, ଏକ ଭୋଗଲିପ୍‌ସା ରହିଛି, ଏକ ମୋହଭଙ୍ଗ ମଧ୍ୟ ରହିଛି । ସର୍ବପ୍ରଥମେ ଭୋଗର ଲିପ୍‌ସା । ବର୍ତ୍ତମାନର ସମାଜରେ ଯେଉଁମାନେ ସର୍ବୋଚ୍ଚ ଆସନରେ ସବା ଉପରେ ଅଛନ୍ତି, ଯେଉଁମାନେ ଆମର ଏହି କାଳଟାକୁ ପାଞ୍ଚଣ ଧରି ଚଳାଉଛନ୍ତି ଓ ସେହିମାନଙ୍କ ପାଇଁ ଆୟୋଜିତ ହୋଇ ରହିଥିବା ମଞ୍ଚମାନଙ୍କରୁ ପ୍ରାୟ ସବୁଯାକ କଥା କହୁଛନ୍ତି ଓ ସବୁଯାକ ସ୍ୱୀକୃତି ପାଉଛନ୍ତି, ସେମାନେ ଯେ ସମସ୍ତେ ମୂଳତଃ ରୋଗୀ, ସେକଥା ଆମ ପିଲାମାନେ ଆବିଷ୍କାର କରି ସାରିଲେଣି । ସବାବଡ଼ମାନେ ପୃଥିବୀଯାକର କଥା କହୁଛନ୍ତି ସିନା, ମାତ୍ର ଆପଣା ତୃଷ୍ଣାଗୁଡ଼ିକର ନିବିଡ଼ ଗଡ଼ିଆମାନଙ୍କରେ ସେମାନେ କେବଳ ଭୋଗିବାକୁ ହିଁ ସବାଆଗ ମନ କରୁଛନ୍ତି । ସେମାନେ ଲକ୍ଷ୍ମୀଙ୍କୁ ଭୋଗୁଛନ୍ତି, ସରସ୍ୱତୀଙ୍କୁ ଭୋଗ କରୁଛନ୍ତି, ସାହିତ୍ୟ ଓ ସଂସ୍କୃତି ସବୁକିଛି ସତେଅବା ଏହିମାନଙ୍କର ଭୋଗଘରର ଖାତାରେ ଲେଖା ହୋଇ ରହିଛି । ଠାକୁରମାନେ ମଧ୍ୟ ଖାସ୍‍ ଏହିମାନଙ୍କର ଭୋଗମଣ୍ଡପ ଓ ଜଗମୋହନମାନଙ୍କରେ ଦ୍ୱାରପାଳ ହୋଇ ଠିଆ ହୋଇଛନ୍ତି । ସେମାନେ ସତେଅବା ସଂସାରର ସବୁ କପଟ ସହିତ ପରିଣୟ-ସୂତ୍ରରେ ଏପରି ଆବଦ୍ଧ ହୋଇ ପାରିଛନ୍ତି ଯେ, ଏମାନେ ଯେତିକିର ଅଧିକାରୀ ନୁହନ୍ତି, ତାହାର ଶହେଗୁଣ ଅଧିକକୁ ମାଡ଼ିବସି ରହିପାରିଛନ୍ତି । ଆମ ପିଲାମାନେ ଏମାନଙ୍କୁ ବେଳରେ ଅବେଳରେ, ପାତ୍ରରେ ଅପାତ୍ରରେ, ଯାଉଣୁ ଆସୁଣୁ ସବୁବେଳେ ଦେଖୁଛନ୍ତି; ଏବଂ ଏମାନଙ୍କ ପାଖରେ ଭୋଗର ସାମଗ୍ରୀଗୁଡ଼ାକହିଁ ବହୁଳ ଭାବରେ ରହିଥିବାରୁ ଏମାନେ ଏଡ଼େ ନିପୁଣତା ସହିତ ସାମୁହିକ ଜୀବନଟାକୁ ଆପଣାର ମୃଗବିହାର କରି ରଖିପାରିଛନ୍ତି ବୋଲି ପିଲାମାନଙ୍କର ନାନା କାରଣରୁ ଏକ ହୃଦବୋଧ ହୋଇଯାଇଛି । ବଡ଼ମାନେ ଯାହା ସବୁ ଭୋଗ କରୁଛନ୍ତି, ସେଗୁଡ଼ାକୁ ସେମାନେ ପ୍ରକୃତରେ କମାଇ ନାହାନ୍ତି । ସେମାନେ ସେସବୁର ଯୋଗ୍ୟ ନୁହନ୍ତି, ସେମାନେ ତାହା ଆତ୍ମସାତ୍‍ କରିଛନ୍ତି । ଏହି ପିଲାମାନେ ମଧ୍ୟ ସେହିପରି ଭୋଗ କରିବେ ବୋଲି ଇଚ୍ଛା କରୁଛନ୍ତି; ନ କମାଇ, ଭାଜନ ନହୋଇ ଭୋଗ-ବଜାରର ଯାବତୀୟ ବସ୍ତୁର ଭର୍ତ୍ତା ହୋଇ ରହିବେ ବୋଲି ମନ କରୁଛନ୍ତି ।

 

ଏବଂ ସେଇଥିରୁହିଁ ସେମାନଙ୍କ ଭିତରେ ଏକ ଦାରୁଣ ପରାଜୟ--ବୋଧ ଆସି ଦେଖା ଦେଇଛି । ସେମାନେ ଯାହା ଚାହୁଛନ୍ତି, ତାହା ପାଉନାହାନ୍ତି । ସାମଗ୍ରୀ ଗୁଡ଼ାକ ଅତ୍ୟନ୍ତ କମ୍, ଅଥଚ ଭୋଗାକାଙ୍‍କ୍ଷୀମାନେ ବହୁସଂଖ୍ୟକ । ପୁନଶ୍ଚ, ଏକ କର୍ମବାଦୀ ଦେଶରେ ସମସ୍ତଙ୍କର କର୍ମପଛରେ ଯେ ଫଳଗୁଡ଼ାକ ମୋଟେ ଫଳିବ ନାହିଁ, ସେମାନଙ୍କର ରକ୍ତ ଭିତରେ ରହିଥିବା ସେହି ଆଦିବିଶ୍ୱାସଟି ସତେଅବା କଣ୍ଟା ଫୋଡ଼ି ପକାଇଲା ପରି ସେମାନଙ୍କୁ ସେହି କଥାଟିକୁ ଆସି କହିଦେବାରେ ଲାଗିଛି । ଅବସାଦରୁ ଉଗ୍ରତା ଜନ୍ମୁଛି । ମୁଁ ନିଜେ କାହିଁକି ଏହି ସଂସାରରେ ସବୁଠାରୁ ଅଧିକ ତେଜ ବାଲା ଏକ କର୍ମ ନେଇ ଜନ୍ମ ହେଲି ନାହିଁ ବୋଲି ନିଜ ବିଷୟରେ ଏକ ଉତ୍‌ଶୃଙ୍ଖଳ ଗ୍ଳାନିଭାବ ଆସି ଗ୍ରାସ କରି ପକାଉଛି । ଏହି ସବୁ କିଛିକୁ ଗୋଟାଏ ଗୋଇଠାରେ ଭାଙ୍ଗି ପକାଇବାକୁ ମନ ହେଉଛି । ମାତ୍ର, ସତକୁସତ ଭାଙ୍ଗିପାରିବା ସକାଶେ ଭିତରେ ଯେଉଁ କାଢ଼ ରହିଥିବା ଦରକାର, ସେହି କାଢ଼ ଆଦୌ ନାହିଁ । ତେଣୁ ଆପଣା ଉପରେ ଦାଉ ସାଧିବାହିଁ ସାର ହେଉଛି, ଆପଣା ଭିତରେ ସଇସ ହୋଇ ଆପଣା ଭିତରର ଘୋଡ଼ାଟାକୁ ପିଟିବା ସକାଶେ ଭାରି ମନ ହେଉଛି । ଆପଣାକୁ ଯଥାସମ୍ଭବ ବୈଚିତ୍ର୍ୟହୀନ ଏବଂ ସମତଳସ୍ଥ କରି ରଖି, ଆଗରେ ପଡ଼ି ରହିଥିବା ପାହାଚଗୁଡ଼ିକୁ ଓଗାଳି ରଖି ନିଜକୁ କଦାପି ଆଗକୁ ଯିବାକୁ ନଦେବାର ପଣ କରି ସେହି ପ୍ରତିଶୋଧ ନିଆଯାଉଛି । ଆଧୁନିକ ନାନା ବିନୋଦନ ଏବଂ ଅହେତୁକ କାଳକ୍ଷେପଣଗୁଡ଼ିକ ସେହି ଆତ୍ମ-ଉତ୍ପୀଡ଼ନ ଏବଂ ଆତ୍ମ-ପ୍ରତିଶୋଧର ଜ୍ୱାଳାଗୁଡ଼ିକୁ ଯଥାସମ୍ଭବ ଭୁଲି କରି ରହିବାରେ ଭାରି ସାହାଯ୍ୟ କରୁଛି । ତରୁଣମାନେ କେଡ଼େ ଚିତ୍ତାକର୍ଷକ ଭାବରେ ତାରୁଣ୍ୟ ପାଖରୁ ସନ୍ନ୍ୟାସ ଗ୍ରହଣ କରି ପାରୁଛନ୍ତି । ଏହି ପ୍ରତ୍ୟାହାର ପ୍ରକୃତରେ ଭାରି ପୀଡ଼ା ଦେଉଛି, ତଥାପି ଅନାମଧେୟ ଭାବରେ ଉପଲବ୍‍ଧ ହେଉଥିବା କେତେଟା ଅତ୍ୟନ୍ତ ମାମୁଲି ଭୋଗର ମିଛ ଉଚ୍ଚାଟନ ମଧ୍ୟରେ ବୁଡ଼ିରହି ସେହି ପୀଡ଼ାରୁ ନିଜକୁ ଭୁଲାଇ ରଖିବାକୁ ଚେଷ୍ଟା କରାଯାଉଛି । ପୀଡ଼ାର ପ୍ରତିକାର କରିବାକୁ ଅଣ୍ଟା ନାହିଁ, ପୀଡ଼ାର ପ୍ରତିକାର ହୋଇପାରିବ ବୋଲି ବିଶ୍ୱାସ ମଧ୍ୟ ନାହିଁ ।

 

ସେମାନଙ୍କର ଶେଷ ଦୁଃଖଟି ହେଉଛି ମୋହଭଙ୍ଗର ଦୁଃଖ । ସେମାନେ ଯେତେବେଳେ ସାନ ହୋଇଥିଲେ, ସେତେବେଳେ ଆମେ ସେମାନଙ୍କୁ କେତେ ବା କେତେ ମୋହ ଭିତରେ ନେଇ ରଖିଥିଲୁ । ଆମେ ସେମାନଙ୍କୁ କେଡ଼େ ଗେହ୍ଲା କରି ରଖିଥିଲୁ, ସେମାନେ ସରଗର ଚାନ୍ଦ ମାଗିଲେ ମଧ୍ୟ ଆମେ ସେମାନଙ୍କୁ ସେହି ସରଗର ଚାନ୍ଦ ମଧ୍ୟ ଆଣି ଯୋଗାଇ ଦେଇ ପାରିବୁ ବୋଲି ସେମାନଙ୍କ ମଧ୍ୟରେ ଆମେ କେତେ ପ୍ରତ୍ୟୟ ଜନ୍ମାଇ ରଖିଥିଲୁ । ଆମ ବାପାମାଆଙ୍କ ଲାଗି ସେମାନେ ଏହି ପୃଥିବୀର ସତେଅବା ଏକମାତ୍ର ପିଲା ହୋଇ ରହିଥିଲେ । ସେମାନେ ବଡ଼ ହେଲେ, ନିଜର ହେତୁଗୁଡ଼ିକୁ ଦେଇ ଜଗତକୁ ଦେଖିଲେ । ସେମାନଙ୍କ ଆଗରେ ଆମେ ଜଗତର ଯେଉଁ ଛବିଟିକୁ ନେଇ ରଖିଥିଲୁ, ଜଗତ ଆଦୌ ସେପରି ନୁହେଁ ବୋଲି ସେମାନେ କ୍ରମେ ଆବିଷ୍କାର କରିପାରିଲେ । କେବଳ ନିଜର ବାପା ଆଉ ମାଆହିଁ ଜୀବନର ଏକମାତ୍ର ଚେର ବା ଏକମାତ୍ର ମୂଳ ନୁହନ୍ତି ବୋଲି ସେମାନେ ଆବିଷ୍କାର କଲେ । ସେମାନଙ୍କ ଲାଗି ଆମେ ସଜାଇ ରଖିଥିବା ଘରଟିକୁ ସେମାନେ ଏକାନ୍ତ ଅଯଥେଷ୍ଟ ବୋଲି ଆବିଷ୍କାର କଲେ । ଆମକୁ ସେମାନେ ଯେତିକି ଭକ୍ତି ଦେଖାଇବା ପାଇଁ ତାଲିମ ପାଇଥିଲେ, ଆମେ ଆଦୌ ସେତେ ଭକ୍ତିର ଭାଜନ ନୋହୁ ବୋଲି ସେମାନେ ଉପଲବ୍‌ଧି କଲେ । ଏହିସବୁ କଥା ସେମାନଙ୍କର ମୋହଭଙ୍ଗ ଘଟାଇଲା-। ସେମାନେ ପଢ଼ୁଥିବା ପାଠମାନେ ସେମାନଙ୍କର ଅସଲ ପ୍ରଶ୍ନଗୁଡ଼ିକର ମୋଟେ ଉତ୍ତର ଦେଇ ପାରିଲେ ନାହିଁ । ସେମାନଙ୍କର ଆଖିଗୁଡ଼ିକୁ ଝଲସାଇ ଦେଇ ଚତୁର୍ଦ୍ଦିଗରେ ଯେଉଁସବୁ ଜୀବନମୂଲ୍ୟର ଧ୍ୱଜା ଉଡ଼ୁଥିଲା, ସେଗୁଡ଼ାକ ଅସଲ ମୂଲ୍ୟର ପ୍ରତୀକ ମୋଟେ ନୁହନ୍ତି ବୋଲି ସେମାନେ ଜଳ ଜଳ ଦେଖିବାକୁ ପାଇଲେ । ଆମ ସମ୍ବନ୍ଧର ବହ୍ୱାଡ଼ମ୍ବରମୟ ବଜାରଗୁଡ଼ାକରେ ପ୍ରକୃତରେ ଖାଣ୍ଟି ହୋଇ କେତେ ଅଳପ ଯେ ରହିଛି, ସେମାନେ ତାହା ଅତ୍ୟନ୍ତ ସ୍ପଷ୍ଟ ଭାବରେ ଆବିଷ୍କାର କରିପାରିଲେ ।

 

ମାତ୍ର ଏହି ଭୋଗଲିପ୍‍ସା, ଏହି ପରାଭାବ ଲଭିଥିବାର ଗ୍ଳାନି ଏବଂ ଏହି ମୋହଭଙ୍ଗ ଯେ ଆମ ମନୁଷ୍ୟ-ଜୀବନର ମୋଟେ ଶେଷ କଥା ନୁହେଁ, ଏହି ଦୁଃଖୀ ଛୁଆମାନଙ୍କୁ ସେମାନଙ୍କର ମନ ବୁଝିଲା ପରି କିଏ ଯାଇ କହିଦେଇ ପାରିବ ? କିଏ ସେମାନଙ୍କୁ ବୁଝାଇ ଦେଇ ପାରିବ ଯେ, ଆମେ ବାପାମାଆମାନେ ହିଁ ମନୁଷ୍ୟ ସମ୍ଭାବନାର ସମ୍ଭାବ୍ୟ ସର୍ବଶ୍ରେଷ୍ଠ ମଡେଲ ଆଦୌ ନୋହୁ ? ତେଣୁ ରୁଷିବାର, ଲୁଚି ରହିବାର ଅଥବା ଆପଣା ଉପରେ ପ୍ରତିଶୋଧ ନେବାକୁ ଯାଇ ନିମ୍ନତମ ସମତଳରେ କେତେଟା ମାମୁଲି ଓ କେତୋଟା ଅଳପକୁ ନେଇ ଏକ ବୈଚିତ୍ର୍ୟହୀନ ସୁଖଭୋଗର ରୁଟିନ୍‍ ଭିତରେ ଜୀବନକୁ ଯେକୌଣସି ମତେ ସାରିଦେବାର ମଧ୍ୟ ଆଦୌ କୌଣସି ଆବଶ୍ୟକତା ନାହିଁ ? ଯେଉଁ ପରିବାର, ଯେଉଁ ବିଦ୍ୟାଳୟ ଓ ଯେଉଁ ଜୀବନ ସନ୍ଦେଶ ସେମାନଙ୍କର ଅସଲ ଗଭୀରଟି ଯାଏ ଏହି ପ୍ରତ୍ୟୟଟିକୁ ନେଇ ପହଞ୍ଚାଇ ଦେଇ ପାରିବ, ଆମର ପୃଥିବୀ ବର୍ତ୍ତମାନ ସେହି ପରିବାର, ସେହି ବିଦ୍ୟାଳୟ ଓ ସେହି ଜୀବନ-ସନ୍ଦେଶ ଲାଗି ଅପେକ୍ଷା କରି ରହିଛି ।

 

ଜଣେ ମଣିଷ ହିସାବରେ ମୁଁ କେଉଁଥିଲାଗି ମୋର ଜୀବନଟିକୁ ବଞ୍ଚିବି, ସେକଥା ମୋତେ ସ୍ୱୟଂ ଖୋଜି ବାହାର କରିବାକୁ ପଡ଼ିବ । ମାତ୍ର, ଏହି କଥାଟିରେ ମୋଟେ ତିଳେମାତ୍ର ସନ୍ଦେହ ନାହିଁ ଯେ, ଆପଣାଠାରୁ ବୃହତ୍ତର ଗୋଟିଏ କୌଣସି ସମ୍ପଦ ଲାଗି ନିଜର ଜୀବନଟିକୁ ବଞ୍ଚି ନପାରିଲେ ମୋ’ ଆଗରେ ହାଣ୍ଡି ହାଣ୍ଡି ଭୋଗ ଜମା ହୋଇ ରହିଥିଲେ ମଧ୍ୟ ମୋତେ ତଥାପି ସୁଖ ମିଳିବ ନାହିଁ । ନିଜର ପରିଧିଟି ମଧ୍ୟରେହିଁ ଆପଣାକୁ ଭୋଗଲିପ୍‌ସୁ ଯନ୍ତ୍ରଟିଏ କରି ପକାଇ ରଖି ସଂସାରଯାକର ସବୁ ପଙ୍କକୁ ଏକୁଟିଆ ଉଦରସାତ୍‌ କରୁଥିବା ପର୍ଯ୍ୟନ୍ତ ମୁଁ କଦାପି ମୋ’ ଜୀବନର ଅସଲ ରୁଚିଟିକୁ ଜାଣି ପାରିବି ନାହିଁ । ବର୍ତ୍ତମାନର ବାପାମାଆ, ବର୍ତ୍ତମାନର ପରିବାର ଏବଂ ବର୍ତ୍ତମାନର ବ୍ୟବସ୍ଥାପକ ହିସାବରେ ଆମେ ଆମ ପିଲାମାନଙ୍କୁ କେବଳ ସେତିକିଯାଏ ନେଇ ପାରୁଛେଁ । ଆମେ ନିଜେ ଯେତିକି, ଆମ ପିଲାମାନଙ୍କୁ ନେଇ ଆମେ କେବଳ ସେତିକି ସ୍ୱପ୍ନ ଦେଖିପାରୁଛେଁ । ଏମାନଙ୍କୁ ଆମେ ଆମ ନିଜ ଛାଞ୍ଚଟି ଭିତରେହିଁ ମାଡ଼ିମୁଡ଼ି ରଖିବାର ଯାବତୀୟ ପ୍ରୟାସ କରୁଛେଁ । ଆମରି ଅଳପଗୁଡ଼ାକୁ ସବୁକିଛି ବୋଲି ଧରି ନେଇଥିବା ଏବର ବିଦ୍ୟାଳୟଗୁଡ଼ିକ ମଧ୍ୟ ପିଲାମାନଙ୍କୁ କେବଳ ସେତିକିଯାଏ ଯାହାକିଛି ବାରତା ଶୁଣାଇ ପାରୁଛନ୍ତି । ଯେଉଁ ଅନ୍ୟ ବିଦ୍ୟାଳୟଟି ସେମାନଙ୍କୁ ଗାର ଡିଆଁଇ ଅଧିକ ଭିତରକୁ ନେଇଯାଇ ପାରିବ, ଆମର ପିଲାଏ ସେହିପରି ଏକ ବିଦ୍ୟାଳୟ ଲାଗି ଅପେକ୍ଷା କରିଛନ୍ତି ।

 

ଏହି ଜୀବନ ମୋଟେ ଏକ ବଜାର ନୁହେଁ, ଏହା ଏକ ମୃଗୟାସ୍ଥଳ ନୁହେଁ ଅଥବା ଏପରି ଏକ ପାଷଣ୍ଡତାର ସାନ କୁଣ୍ଡଟିଏ ମଧ୍ୟ ନୁହେଁ, ଯେଉଁଠାରେ କି କର୍ମବାଦୀ ବଡ଼ମାଛମାନେ କର୍ମହୀନ ସାନ ମାଛମାନଙ୍କୁ ଖାଇଯିବାରେ ଲାଗିଥିବେ । ଏହି ଜୀବନ ହେଉଛି ବଞ୍ଚିବା ପାଇଁ, ମୋ ଚାରିପାଖରେ ଥିବା ସମସ୍ତଙ୍କ ସହିତ ନାନା ସଂଖ୍ୟା ଓ ସମ୍ବନ୍ଧ ଦ୍ୱାରା ଯୁକ୍ତ ହୋଇ ବଞ୍ଚିବା ପାଇଁ । ଖାଲି ନିଜର ବୃତ୍ତଟି ମଧ୍ୟରେ ବନ୍ଦୀ ହୋଇ ରହି ଯିଏ ଅହର୍ନିଶ ଯଥାସମ୍ଭବ ଅଧିକରୁ ଭୁଞ୍ଜିବା ନିମନ୍ତେହିଁ ଜୀବନଟିକୁ ବଞ୍ଚୁଛି, ସିଏ ଶେଷକୁ ଅବସାଦ ହିଁ ଭୋଗିବ, ଅସଲ ଜାଗାରେ ତାକୁ ଜୀବନବିଧାତା ପାଖରେ ହାରିବାକୁ ହିଁ ପଡ଼ିବ । ତା’ର ଯାବତୀୟ ଇନ୍ଦ୍ରଭୂବନ ତାକୁ ସେହି ପରାଭବରୁ ମୋଟେ ବଞ୍ଚାଇ ରଖି ପାରିବ ନାହିଁ । ଅସଲ ସୁଖ ଏହି ଅଳପ ଭିତରୁ ବାହାରକୁ ବାହାରି ଯିବାରେ, ଆପଣାକୁ ସଂପ୍ରସାରିତ କରି ପାରିବାରେ ଓ ନିଜଠାରୁ ବୃହତ୍ତର କୌଣସି ମୂଲ୍ୟ-ସମ୍ପଦର ପ୍ରତିଷ୍ଠା ଲାଗି ନିଜର ଜୀବନକୁ ସମର୍ପିତ କରି ପାରିବାରେ ଓ ଏହି ସତ୍ୟଟିକୁ ବୁଢ଼ାମାନେ କଦାପି ବୁଝି ପାରିବେ ନାହିଁ,–ତରୁଣ ଅବଶ୍ୟ ବୁଝିବ । ଆମର ଯାବତୀୟ ବିଦ୍ୟାଳୟ ଏପରି ହେବା ଉଚିତ, ଯେପରିକି ତାହା ସେହି ତରୁଣ ଲାଗି ଅସଲ ଦ୍ୱାରଟିକୁ ଯୋଗାଇ ଦେଇପାରିବ, ତାହାକୁ ସିଏ ଦ୍ୱାର ଭିତରକୁ ଆମନ୍ତ୍ରଣ କରି ଆଣିବ, ଆଖିଟିଏ ଯୋଗାଇଦେବ ।

 

ଅଗଷ୍ଟ-୧୯୮୬

☆☆☆

 

Unknown

ବୁଝିବା ଓ ବିଚାର କରିବା

 

When one understands, one no longer judges, and when one judges, it means that one does not know`

 

(ମାତୃରଚନାବଳୀ (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ, ନବମ ଖଣ୍ଡ-୧୯୭୭, ପୃଷ୍ଠା-୧୩୪)

 

ଆମେ ଯାହାକୁ ଜାଣି ନଥାଉ, ସେଗୁଡ଼ିକୁ ଜାଣିବା ଲାଗି ଚେଷ୍ଟା କରୁ । ନିଜର ଅଜ୍ଞାନ ବିଷୟରେ ସଚେତନ ହେବାର ଅବସ୍ଥା ହେଉଛି–ଯଥାର୍ଥ ବିନୟର ଅବସ୍ଥା । ସେହି ବିନୟ ହିଁ ଯାବତୀୟ ଜିଜ୍ଞାସାକୁ ଜନ୍ମ ଦେଇଥାଏ । ଜାଣିବାର ପ୍ରଥମ ଅବସ୍ଥାରେ ଆମେ ସତେଅବା ବାହାରେ ଥାଇ ଯାହାକିଛି ଜାଣୁ, ଜ୍ଞାନର ସଂଗ୍ରହ କରୁ, ନିଜର ଭଣ୍ଡାର ଭିତରେ ସେହି ଜ୍ଞାନଗୁଡ଼ିକୁ ସଂଗ୍ରହ କରି ରଖୁ । ସଂଗ୍ରହ ଅଧିକରୁ ଅଧିକ ହେବାରେ ଲାଗିଥାଏ, ଆମେ ପଣ୍ଡିତ ହେବାରେ ଲାଗିଥାଉ, ଜ୍ଞାନଧନରେ ଧନୀ ହେବାରେ ଲାଗିଥାଉ । ଆମ ଜାଣିବାର ଆଗ୍ରହ କ୍ରମେ ଏକ ଶ୍ରଦ୍ଧାରେ ପରିଣତ ହେଲେ ଆମ ଜାଣିବା ମଧ୍ୟ ବୁଝିବାରେ ପରିଣତ ହୋଇଥାଏ । ଜାଣିବାର ଗଭୀରତର ସ୍ତରଟି ହେଉଛି ବୁଝିବା । ଏହି ବୁଝିବା ହେଉଛି ଅନ୍ତଃପ୍ରବେଶ କରିବା । ଏହି ବୁଝିବାର ମଧ୍ୟ ସୋପାନକ୍ରମ ରହିଛି । ବୁଝିବା ଗଭୀରତର ହେଲେ କାହା ଏକାତ୍ମକତାକୁ ଉତ୍ତୋଳିତ ହୋଇଯାଏ । ପରିପୂର୍ଣ୍ଣ ଭାବରେ ବୁଝିବା, ତାହାହିଁ ଭଲ ପାଇବା ।

 

ସଂସାରରେ ଖୁବ୍ କମ୍ ମଣିଷ ଅଛନ୍ତି, ଯେଉଁମାନେ କି ପ୍ରକୃତରେ ବୁଝନ୍ତି । ଅଧିକାଂଶ ମଣିଷ ବିଚାର କରି ପକାନ୍ତି । ଭଲ ବୋଲି କହନ୍ତି ଅଥବା ମନ୍ଦ ବୋଲି କହନ୍ତି । ସେମାନେ ଯାହାକିଛି ମନକୁ ପାଏ, ତାହାକୁ ଭଲ ବୋଲି କହନ୍ତି ଏବଂ ଯାହା କିଛି ମନକୁ ନପାଏ, ତାହାକୁ ମନ୍ଦ ବୋଲି କହନ୍ତି । ଗୁଣଗୁଡ଼ାକୁ ସର୍ବଦା ଆପଣାପଟେ ରଖିଥାନ୍ତି ଏବଂ ତଥାକଥିତ ଦୋଷଗୁଡ଼ିକୁ, ଅର୍ଥାତ ଯାହା କିଛି ସେମାନେ ଗୁଣ ବୋଲି ଧରି ନେଇଥିବା କଥାଗୁଡ଼ିକ ସହିତ ଖାପ ନଖାଉଥାଏ, ସେଗୁଡ଼ିକୁ ନେଇ ଅପର ପଟଟା ଉପରେ ଲଦି ଦେଇଥାନ୍ତି । ଏହି ଦୃଷ୍ଟିରୁ ଦେଖିଲେ, ଜଣେ ମଣିଷ ଆଉ ଜଣେ ମଣିଷକୁ ଖୁବ୍ କମ୍ ସମୟରେ ବୁଝେ, ଅଧିକତର କ୍ଷେତ୍ରରେ ସିଏ ବୁଝିବା ନାଆଁରେ ଆଉଜଣେ ମଣିଷର ବିଚାରହିଁ କରି ପକାଉଥାଏ । ନିଜର ସଂସ୍କାରଗୁଡ଼ିକୁ ନେଇ ଅନ୍ୟକୁ ଓଜନ କରିବା,–ତାହା ବୁଝିବା ନୁହେଁ, ତାହା ହେଉଛି ବିଚାର କରିବା । ଜଣେ ମଣିଷକୁ, ସିଏ ପ୍ରକୃତରେ ଯାହା, ତାହାକୁ ସେହିପରି ଭାବରେ ଦେଖିବାକୁ ସମର୍ଥ ହେବା, ତାହା ହିଁ ବୁଝିବା । ଏଥିଲାଗି ନିଜର ଆଖିଗୁଡ଼ିକୁ ଅତ୍ୟନ୍ତ ମୋହମୁକ୍ତ ଓ ନିର୍ମଳ କରି ରଖିବାକୁ ପଡ଼େ । ଆମର ବିବେକ ସ୍ୱୀକାରତ୍ମକ ହୋଇଥିଲେ ଯାଇ ଆମେ ବିଭିନ୍ନତାକୁ ବିଭିନ୍ନତା ରୂପେ: ସ୍ୱୀକାର କରିବାକୁ ସମର୍ଥ ହେଉ ।

 

ଆମ ନିଜ ଦେଶର ସବୁକିଛି ଭଲ, ଆମ ଦେଶ ପୃଥିବୀଯାକରେ ଅନ୍ୟ ସବୁ ଦେଶ ଅପେକ୍ଷା ଶ୍ରେଷ୍ଠ, ଏହି ଦେଶର ପ୍ରକୃତି ସବୁଠାରୁ ସୁନ୍ଦର, ଏହି ଦେଶର ପର୍ବତ ଓ ନଦୀମାନେ ପବିତ୍ର–ଏହିସବୁ କଥାକୁ ଏଡ଼େବଡ଼ ପାଟିରେ କହିବା ବେଳେ ଅଥବା ତାହାକୁ ଗୀତରେ ଫାନ୍ଦି ଗାଇବାବେଳେ ଆମେ ସଚରାଚର ସତେଅବା କେତେ ନା କେତେ ମହକି ଉଠିବା ପରି ଅନୁଭବ କରୁଥାଉ । ଅନ୍ୟ ଦେଶ କଦାପି ଆମ ଦେଶର ସମତୁଲ ହେବ ନାହିଁ,–ଏ ଭୂଇଁକୁ ସରଗଭୂଇଁ କହି ଅନ୍ୟ ଭୂଇଁଗୁଡ଼ିକୁ ଏହାଠାରୁ ନୀରସ ବୋଲି କହିବା ସମୟରେ ଆମେ ପ୍ରକୃତରେ ଆଦୌ କୌଣସି ବିବେକ ଅଥବା ସତ୍ୟର ସମର୍ଥନ ସହିତ ଆଦୌ କୌଣସି କଥା କହୁନାହିଁ । ବିଭିନ୍ନ ଭାଷାରେ କଥା କହୁଥିବା ମଣିଷମାନେ ନିଜର ଭାଷାଟିକୁ ହିଁ ସବୁଠାରୁ ଶ୍ରେଷ୍ଠ ବୋଲି କହିଥାନ୍ତି । ଆମେ ଏହି ଭାଷାଟି ସହିତ ସବୁଠାରୁ ଅଧିକ ପରିମାଣରେ ପରିଚିତ, ତେଣୁ ଏଇଟି ଆମକୁ ସବୁଠାରୁ ଅଧିକ ସହଜ ଏବଂ ସ୍ୱାଭାବିକ ଲାଗେ; ଏହି ଭାଷାଟିକୁ ଆମେ ଆମର ମାଆ କୋଡ଼ରୁ ଶିଖିଛୁ, ତେଣୁ ଏହା ଆମର ମାତୃଭାଷା,–ଏପରି ଯୁକ୍ତିଟିକୁ ଭଲ କରି ବୁଝି ହୋଇଯାଏ । ମାତ୍ର, ଏହା ଆମ ନିଜର ଭାଷା ଏବଂ ମାତୃଭାଷା ବୋଲି ଏହା ହେଉଛି ଶ୍ରେଷ୍ଠ ଭାଷା,–ଏହି ଉକ୍ତିଟି ପଛରେ କୌଣସି ବିବେକ ନଥାଏ । ମୋହଟାହିଁ ଅଧିକ ପରିମାଣରେ ରହିଥାଏ । ଆମର ଏହି ବର୍ତ୍ତମାନ ସଂସାରରେ ନିଜର ଦେଶ ଓ ନିଜର ଭାଷା ବିଷୟରେ ଅଧିକାଂଶ ମଣିଷଙ୍କର ଧାରଣା, ପ୍ରଧାନତଃ ବିବେକ ଦ୍ୱାରା ନୁହେଁ, ମୋହ ଦ୍ୱାରା ପରିଚାଳିତ ହୋଇଥାଏ ।

 

ଧର୍ମର କ୍ଷେତ୍ରରେ ସେହିପରି ଧର୍ମ ମଧ୍ୟ ଅଧିକ ପ୍ରଚଣ୍ଡ ହେବା ଲାଗି ହୁଏତ ଅଧିକ ଖୋରାକ ପାଇଥାଏ । ହିନ୍ଦୁଧର୍ମରେ ମ୍ଳେଚ୍ଛ ବୋଲି ଗୋଟିଏ ଶବ୍ଦ ଅଛି । ସେହି ପ୍ରାଚୀନ କାଳରେ ଯେଉଁମାନେ ଆର୍ଯ୍ୟମାନଙ୍କର ସଂସ୍କାରଠାରୁ ଭିନ୍ନ ଆଉ ଏକ ସଂସ୍କାରସଂହିତାକୁ ମାନୁଥିଲେ, ଆର୍ଯ୍ୟମାନେ ସେମାନଙ୍କ ଉଦ୍ଦେଶ୍ୟରେ ଏହି ମ୍ଳେଚ୍ଛ ଶବ୍ଦଟିକୁ ପ୍ରୟୋଗ କରୁଥିଲେ । ଯେଉଁମାନେ ଆର୍ଯ୍ୟ ନୁହନ୍ତି, ସେମାନେ ହେଉଛନ୍ତି ଅନାର୍ଯ୍ୟ । ଆର୍ଯ୍ୟମାନଙ୍କର ବାହାରେ ଥିବା ଭାରତର ଅନ୍ୟମାନଙ୍କୁ ସେତେବେଳେ ଅନାର୍ଯ୍ୟ ବୋଲି ସୂଚାଇ ଦିଆଯାଉଥିଲା । ମାତ୍ର କାଳକ୍ରମେ ଅନାର୍ଯ୍ୟ ଶବ୍ଦଟି ଏକ ନିନ୍ଦାର୍ଥକ ଶବ୍ଦରେ ପରିଣତ ହେଲା, ନିମ୍ନସ୍ଥ ମଣିଷମାନଙ୍କୁ ବୁଝାଇଲା । ନିଜକୁ ଉପରିସ୍ଥ ଓ ସରସ ବୋଲି ସ୍ୱୀକାର କରିନେବା ମାତ୍ରକେ ଅନ୍ୟ ସମସ୍ତେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ହୀନ ଏବଂ ନୀରସ ହୋଇ ଦିଶନ୍ତି । ବ୍ୟବଧାନ ଓ ଦୂରତାଗୁଡ଼ିକ ତା’ପରେ ଅତ୍ୟନ୍ତ ନିର୍ମମ ଓ କର୍କଶ ହୋଇପଡ଼ନ୍ତି । ହିନ୍ଦୁଧର୍ମର ମ୍ଳେଚ୍ଛ ଶବ୍ଦ ପରି ମୁସଲମାନ ଧର୍ମରେ କାଫେର୍‍ ଏବଂ ଖ୍ରୀଷ୍ଟିଆନ ଧର୍ମରେ ‘ପାଗାନ୍’ ଶବ୍ଦ ବି ରହିଛି । ଏମାନେ ସମସ୍ତେ ସେହି ଗୋଟିଏ ବ୍ୟବଧାନ ଓ ଦୂରତାର ସୂଚନା ଦେଉଛନ୍ତି । ଯିଏ ଆମ ବାଟରେ ନଗଲା, ସିଏ ପାପାତ୍ମା, ତାହାର ମୁକ୍ତି ନାହିଁ,–ଭଗବାନଙ୍କ ରାଜ୍ୟର ନର୍କଗୁଡ଼ାକ ସେହିମାନଙ୍କ ସକାଶେହିଁ ସ୍ୱତନ୍ତ୍ର ଭାବରେ ବରାଦ ହୋଇ ରହିଛି-। ଏହି ସଂକ୍ରାନ୍ତରେ ଆମ ପୃଥିବୀରେ ନାସ୍ତିକ ଓ ଆସ୍ତିକ ବୋଲି ଦୁଇଟି ଉପଧା ଆମ ପୃଥିବୀର ପ୍ରତ୍ୟେକ ଧର୍ମରେ ବ୍ୟବହୃତ ହୋଇ ଆସିଛି । ଯିଏ ଭଗବାନଙ୍କୁ ବିଶ୍ୱାସ କରେ, ଏହି ଯାବତୀୟ ଦୃଶ୍ୟମାନ ଓ ତାତ୍କାଳିକର ପଶ୍ଚାତରେ ଜଣେ ପରମ ନିୟାମକ କର୍ତ୍ତା ବିଦ୍ୟମାନ ରହିଛନ୍ତି ବୋଲି ଯିଏ ବିଶ୍ୱାସ କରେ,–ସେହି ହେଉଛି ଆସ୍ତିକ । ଯିଏ ଏପରି କୌଣସି ନିୟାମକଙ୍କୁ ନମାନେ, ସିଏ ନାସ୍ତିକ । ଧର୍ମର ଇତିହାସରେ ଏହି ଅର୍ଥସଂଜ୍ଞାଟିକୁ ଭାରି ଅନ୍ୟପ୍ରକାରେ କରି ଦିଆଯାଇଛି-। ଆମେ ଆମ ଧର୍ମରେ ଯେଉଁପରି ମାର୍ଗ ବା ନାମରେ ଭଗବାନଙ୍କୁ ବିଶ୍ୱାସ କରୁଛୁ, ସେହି ମାର୍ଗ ଓ ନାମଠାରୁ ଭିନ୍ନ ଅନ୍ୟ ମାର୍ଗ ଓ ନାମର ଅନୁଗାମୀ ହୋଇ ଯିଏ ରହିଛନ୍ତି, ସେମାନେ ଅବଶ୍ୟ ନାସ୍ତିକ । ତେଣୁ ସେମାନଙ୍କର ମୁକ୍ତି ନାହିଁ । ଏହିପରି ଭାବରେ ଗୋଟିଏ ଧର୍ମର ଅଥବା ଗୋଟିଏ ମାର୍ଗର ଇଶ୍ୱର–ବିଶ୍ୱାସୀମାନେ ଆଉ ଗୋଟିଏ ଧର୍ମ ଓ ଆଉ ଗୋଟିଏ ମାର୍ଗର ଲୋକମାନଙ୍କୁ ନାସ୍ତିକ ବୋଲି କହି ଭର୍ତ୍ସନା କରି ଆସିଛନ୍ତି । ଏହାକୁ ଆଦୌ ବୁଝିବା ବୋଲି କୁହାଯିବ ନାହିଁ-। ବିଚାର କରିବା ଅଥବା ମାର୍କା ଦେଇ ଅନ୍ୟମାନଙ୍କୁ ବା ଅନ୍ୟମାର୍ଗକୁ ନିନ୍ଦିବା ବୋଲି କୁହାଯିବ ।

 

ପୃଥିବୀର ସଂସ୍କୃତିର କ୍ଷେତ୍ରରେ ମଧ୍ୟ ପ୍ରାୟ ସେହି କଥା । ସଂସ୍କୃତି କହିଲେ ନିଜର ବ୍ୟକ୍ତିଗତ ଏବଂ ସାମୁହିକ ଜୀବନକୁ ବଞ୍ଚିବାର ଓ ଅନୁଭବ କରିବାର ଗୁଣାତ୍ମକ ସୋପାନଗୁଡ଼ିକୁ ବୁଝାଏ । ଆମ ଜୀବନର ଗଭୀର ପ୍ରସ୍ଥଟିକୁ ବୁଝାଏ । ସଂସ୍କୃତିକୁ ଯଥାର୍ଥ ଭାବରେ ବୁଝିବାର ଅର୍ଥ ହେଉଛି ଏହି ଗଭୀର ପ୍ରସ୍ଥଟିକୁ ବୁଝିବା । ସଂସ୍କୃତିସ୍ଥ ଜଣେ ମଣିଷ ଆପଣାର ସେହି ଗଭୀର ପ୍ରସ୍ଥଟି ସହିତ ସଂଯୁକ୍ତ ହୋଇ ରହିଥାଏ, ଆପଣାର ସଂସ୍କୃତି ଦୃଷ୍ଟିଟିକୁ ସିଏ ସେହି ଗଭୀର ପ୍ରସ୍ଥରୁହିଁ ପ୍ରେରିତ କରି ଆଣୁଥାଏ । ଅନ୍ୟ ସମସ୍ତଙ୍କ ମଧ୍ୟରେ ରହିଥିବା ଗଭୀର ପ୍ରସ୍ଥଟିକୁ ଚିହ୍ନି ହିଁ ସିଏ ସେମାନଙ୍କର ସଂସ୍କୃତି-ପ୍ରସ୍ଥଟିକୁ ଚିହ୍ନେ । ବାହାରଟାକୁ ଭେଦ କରି ଭିତରଯାଏ ଯାଇପାରେ । ମାତ୍ର ସମସ୍ତେ ସେକଥା କରିପାରନ୍ତି ନାହିଁ । ଅଧିକାଂଶ ମଣିଷ ସେହି ବାହାରର କେତେଟା ଆଚାର ଓ ଛାଞ୍ଚକୁ ଦେଖି ହିଁ ସଂସ୍କୃତିର ବିଚାର କରନ୍ତି । ଆପେ ଆପଣାର ଅଜ୍ଞାନ କାଳରୁ ଯେଉଁ ଆଚାର ଓ ଛାଞ୍ଚଗୁଡ଼ିକ ସହିତ ଅଭ୍ୟସ୍ତ ଓ ଚଳପ୍ରଚଳ ହୋଇ ଆସିଥାଆନ୍ତି, ସେମାନେ ସେଗୁଡ଼ିକୁ ସଂସ୍କୃତିର ଅବୟବ ବୋଲି ମାନନ୍ତି । ଏବଂ, ଯେଉଁମାନେ ସେହିସବୁ ଆଚାର ଏବଂ ଛାଞ୍ଚଗୁଡ଼ିକ ଭିତରେ ନଥାନ୍ତି, ସେମାନଙ୍କୁ ସଂସ୍କୃତିହୀନ ବୋଲି ବଚାର କରନ୍ତି । ମାର୍କାଗୁଡ଼ିକରୁହିଁ ସଂସ୍କୃତିଗୁଡ଼ିକର ମୂଲ୍ୟାୟନ କରନ୍ତି । ଯାବତୀୟ ସଂସ୍କୃତିରେ କାଳକାଳର ଚଳଣି ଅନୁସାରେ ଆହାର, ବ୍ୟବହାର, ଶୌଚାଭ୍ୟାସ ଏବଂ ଉପାସନାର କେତେକ ଛାଞ୍ଚ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଆକୃତି ଧାରଣ କରି ଆସିଥାଏ । ଅଧିକାଂଶ ମଣିଷ ସେହି ଛାଞ୍ଚଗୁଡ଼ିକରୁହିଁ ସଂସ୍କତିକୁ ଚିହ୍ନନ୍ତି । ନିଜର ଛାଞ୍ଚଗୁଡ଼ିକୁ ସର୍ବଶ୍ରେଷ୍ଠ ବୋଲି କହିବାର ସଂସ୍କାରରେ ପଡ଼ି ଯାଇଥିବାରୁ ସେମାନେ ଅନ୍ୟ ଛାଞ୍ଚଗୁଡ଼ିକୁ ନ୍ୟୂନତର ବୋଲି ବିଚାର କରନ୍ତି । ଏହି ରୀତିଟି ପୃଥିବୀର ସଂସ୍କୃତି ସଂସ୍କୃତି ମଧ୍ୟରେ କାଳେ କାଳେ ବହୁ ବ୍ୟବଧାନର କାରଣ ହୋଇ ରହିଆସିଛି । ସଂସ୍କୃତିର ଅସଲ ଗର୍ଭଟିକୁ ବୁଝିପାରୁଥିଲେ ମଣିଷ କଦାପି ନିଜର ଚିହ୍ନା ମାର୍କାଗୁଡ଼ିକ ଅନୁସାରେ ଅନ୍ୟର ବିଚାର କରିବା ଲାଗି ମନ କରୁ ନଥାନ୍ତା ।

 

ଆମ ସମାଜର ବୟସ୍କମାନେ ବି ଆମ ପିଲାମାନଙ୍କୁ କେତେଦୂର ବୁଝନ୍ତି ? ସେମାନେ ସେମାନଙ୍କୁ ପ୍ରକୃତରେ ବୁଝନ୍ତି ନା ନିଜ ପ୍ରଚକ୍ଷୁଗୁଡ଼ିକର ମୂଲ୍ୟକାଠି ଅନୁସାରେ ସେମାନଙ୍କର ବିଚାର କରିବାରେ ଲାଗିଥାନ୍ତି ? ଯିଏ ସେହି କାଠିଗୁଡ଼ିକ ମଧ୍ୟରେ ରହିଥାଏ, ବୟସ୍କମାନଙ୍କର ଆଖିରେ ସେଇ ସୁନାପୁଅ ବୋଲି ପ୍ରମାଣିତ ହୁଏ । କାଠିଗୁଡ଼ିକ ମଧ୍ୟରେ ରହିବାର ଅର୍ଥ ହେଉଛି କଥା ମାନିବା । ଭଲ ମନ୍ଦ ଉଚିତ ଅନୁଚିତ ଓ ଠିକ୍ ଭୁଲ ଇତ୍ୟାଦି ବିଷୟରେ ଆମେ ବୟସ୍କମାନେ ଯେତେବେଳେ ଆମ ପ୍ରସ୍ଥ ଏବଂ ଦୈର୍ଘ୍ୟଗୁଡ଼ିକୁ ଆମ ପିଲାଙ୍କ ଉପରେ କେତେ ନା କେତେ ସଦ୍ଦିଚ୍ଛା ସହିତ ନେଇ ମଡ଼ାଇ ଦେଉ, ସେତେବେଳେ ଆମେ ସେମାନଙ୍କୁ ବୁଝୁନା ସେମାନଙ୍କ ଉପରେ ଅତ୍ୟାଚାର କରୁ ? ପିଲାମାନେ ଏହି ପୃଥିବୀରେ ନିଜେ ଖୋଜନ୍ତେ, ନିଜେ ପାଆନ୍ତେ, ଆମେ ସେହିମାନଙ୍କର ଏହି ଖୋଜିବାରେ ଏବଂ ପାଇବାରେ ସେମାନଙ୍କୁ ଉତ୍ସାହ ଦିଅନ୍ତେ, ସାହାଯ୍ୟ କରନ୍ତେ; ସେମାନଙ୍କର ବନ୍ଧୁପରି ପାଖେ ପାଖେ ରହିଥାନ୍ତେ, ମାତ୍ର ସେମାନଙ୍କୁ ଆମର ସକଳ ହସ୍ତକ୍ଷେପ ଓ ଉତ୍ପୀଡ଼ନରୁ ମୁକ୍ତ ରଖିଥାନ୍ତେ । ତେବେ ଆମ ସଂସାର ନିଶ୍ଚୟ ଅନ୍ୟ ପ୍ରକାରର ହୋଇ ଯାଆନ୍ତା । ମାତ୍ର, ଆମେ ବୟସ୍କମାନେ ନିଜକୁ ଏହି ସଂସାରରେ ଏକମାତ୍ର ଚକ୍ରବର୍ତ୍ତୀ ବୋଲି ସ୍ୱୀକାର କରିବାରେ ଅଭ୍ୟସ୍ତ ହୋଇ ଯାଇଥାଉ କି କ’ଣ କେଜାଣି, ଆମେ ଆମ ନିଜର ମାର୍କାଗୁଡ଼ିକୁ ଦେଇ ଆମ ପିଲାମାନଙ୍କର ବିଚାର କରିଥାଉ । ସେମାନଙ୍କୁ ଆମ ନିକିତିରେ ପକାଇ ଭଲ ଅଥବା ଆଉ କିଛି ବୋଲି କହୁ । ସେମାନେ ଆମ ମନକୁ ଆସିଲେ ଆମେ ସେମାନଙ୍କୁ ଭଲ ବୋଲି କହୁ ଏବଂ ଆମ ମନକୁ ନଆସିଲେ ମନ୍ଦ ବୋଲି କହୁ । ଅର୍ଥାତ, ଆମରି କ୍ଷୁଦ୍ର ଆୟତନଗୁଡ଼ିକ ମଧ୍ୟରେ ଆମେ ସେମାନଙ୍କୁ କ୍ଷୁଦ୍ର କରି ରଖୁ । ସେମାନେ ଆମରି ମାର୍କାଗୁଡ଼ିକ ଭିତରେ ଆମରି ପରିପାଟୀଗୁଡ଼ିକ ଅନୁସାରେ ବାନ୍ଧିବୁନ୍ଧି ହୋଇ ରହି ପାରିଲେ ଆମେ ସତେଅବା ଅପାର ଆନନ୍ଦ ଅନୁଭବ କରୁଥାଉ ।

 

ଆମର ନୂଆ ସ୍କୁଲଗୁଡ଼ିକରେ ଆମର ସକଳ ଆଗ୍ରହ ତଥା କାର୍ଯ୍ୟକ୍ରମର ପ୍ରାଣସାମଗ୍ରୀ ରୂପେ ଯେଉଁ ପିଲାମାନେ ପାଠପଢ଼ିବାକୁ ଆସନ୍ତି, ଆମେ ଶିକ୍ଷକମାନେ ସେମାନଙ୍କୁ ପ୍ରକୃତରେ ବୁଝୁନା ସେମାନଙ୍କର ବିଚାର କରି ନିଜର କାମ ସାରିଦେଉ ? ସେମାନେ ଏହି ସଂସାରରେ ସୁଖୀ ହୁଅନ୍ତୁ, ସଫଳତା ହାସଲ କରନ୍ତୁ,–ସେମାନଙ୍କ ବିଷୟରେ ଆମର ଏହିଭଳି କେତେ କ’ଣ ମନାସ ରହିଥାଏ । ମାତ୍ର ଅଧିକାଂଶ କ୍ଷେତ୍ରରେ ଏହିପରି ହୁଏ ଯେ, ଆମ ନିଜ ଜୀବନର ପହଞ୍ଚ ଏବଂ ଅନୁମାନଗୁଡ଼ିକ ଯେତିକି ଆୟତନ ମଧ୍ୟରେ ରହିଥାଏ, ଆମେ ନିଜ ଜୀବନରେ ଯେତିକି ସମ୍ଭାବନା ସହିତ ପରିଚୟରେ ଆସିଥାଉ, ଆମେ ସେତିକିକୁହିଁ ସମୁଦାୟ ମାପକ ଏବଂ ମାନଦଣ୍ଡ ବୋଲି ଗ୍ରହଣ କରିନେଇ ଆମ ପିଲାମାନଙ୍କର ବି ବିଚାର କରୁ । ସମ୍ଭାବନାର ଯେ ଆହୁରି କେତେକେତେ ପ୍ରସ୍ଥ ରହିଛି, ନିଜର ଛାଞ୍ଚଗୁଡ଼ିକ ଭିତରେ କିଳି ହୋଇ ରହିଥିବାରୁ, ଆମେ ସେହି ସତ୍ୟଟିର କଳନା ହିଁ କରିପାରୁ ନାହିଁ । ଆମ ପିଲାମାନଙ୍କ ସହିତ ଆମର ସମ୍ପର୍କ ଆମକୁ ଆମେ ଯେତିକି ହୋଇପାରିଛୁ, ତା’ଠାରୁ ଅଧିକ ହେବାଲାଗି ଉଦ୍‍ବୁଦ୍ଧ କରିପାରୁଥାନ୍ତା । ମାତ୍ର ନାନା ପୁରୁଣା ଅରୀତି ଭିତରେ ବାନ୍ଧି ହୋଇ ଓ ପୋଷା ମାନି ରହିଥିବାରୁ ଆମେ ନିଜକୁ ସେହି ସୌଭାଗ୍ୟରୁ ବଞ୍ଚିତ କରି ରଖୁ । ସତେଅବା ପ୍ରତିଶୋଧ ନେଲାପରି ଓ ନିଜ ଅତୃପ୍ତି ଗୁଡ଼ାକ ଲାଗି କ୍ଷତିପୂରଣ ଖୋଜି ବାହାରିଥିଲା ପରି ଆମେ ପିଲାମାନଙ୍କୁ ହିଁ ଆମର ପ୍ରାୟ ଏବଂ ପରିଚିତ ଖୋପଗୁଡ଼ିକ ମଧ୍ୟରେ ଆଣି ପକାଇବା ଲାଗି ଚେଷ୍ଟା କରୁଥାଉ । ଭବିଷ୍ୟତର ପୃଥିବୀଟିକୁ ଏହିପରି ଭାବରେ ସେହି ଦିହସୁହା ବର୍ତ୍ତମାନଟା ଭିତରେ ଆବଦ୍ଧ କରି ରଖିଦେଉ ।

 

ବୁଝିବାକୁ ଆରମ୍ଭ କଲେ ବିଚାର କରିବାକୁ ଆଦୌ ମନ ହୁଏ ନାହିଁ । ନିଜକୁ ବୁଝିବାକୁ ଆରମ୍ଭ କଲେ ନିଜକୁ ମଧ୍ୟ ଆଦୌ କୌଣସି ମାର୍କା ବା ଛାଞ୍ଚ ଭିତରେ ଆଣି ପକାଇବାକୁ ମୋଟେ ମନ ହୁଏନାହିଁ । ନିଜ ଜୀବନର ଅସଲ କେନ୍ଦ୍ରଟି ସହିତ ସୂତା ଲାଗିଥିଲେ ଯାଇ ତାହା ସମ୍ଭବ ହୁଏ । ନିଜ ଭିତରର ସକଳ ସମ୍ଭାବନାକୁ ବ୍ୟକ୍ତିରୂପୀ ନୌକାଟି ଉପରେ ବୋଝାଇ କରି ଆମରି ଭିତରେ ଯେଉଁ ସହାନୁଭୂତିଶୀଳ କାଣ୍ଡାରି ଆମର ସଖ୍ୟ ନିମନ୍ତେ ଅପେକ୍ଷା କରି ରହିଥାଏ, ସେହି କାଣ୍ଡାରି ସହିତ ଖିଅ ଲଗାଇ ଜୀବନଟିକୁ ବଞ୍ଚିବାରେହିଁ ଅସଲ ସୁଖ ଓ ଅସଲ ସାର୍ଥକତା ପାଇ ପାରୁଥିଲେ ଯାଇ ସେକଥା ହୁଏ । ତେବେ ବାହାରଟା ଭିତର ଉପରେ ଆଉ କୌଣସି ଅତ୍ୟାଚାର କରିପାରେ ନାହିଁ । ବାହାର ଭିତର ସହିତ ସହଯୋଗ କରେ । ଏହିପରି ଭାବରେ ଆମର ବାହାର ଆମର ଭିତରଟି ସହିତ ସହଯୋଗ କରୁଥିବାକୁହିଁ ଅସଲ ବୁଝିବା ବୋଲି କୁହାଯାଏ । ଯେଉଁ ଶିକ୍ଷକ ଆପଣା ଜୀବନର ଯାବତୀୟ ଆଚରଣ ଏବଂ ଅନ୍ୱେଷଣରେ ସେହି ସହଯୋଗର ଡୋରଟିକୁ ସକ୍ରିୟ କରି ରଖି ପାରିଥାଏ, ସିଏ ସବାଆଗ ପିଲାଟିର ଭିତରଟିକୁ ଦେଖେ, ସେ ପିଲାଟିର ଭିତରକୁ ବୁଝେ,–ସେହି ଭିତରଟି ସହିତ ଅଧିକରୁ ଅଧିକ ଯଥାର୍ଥ ଭାବରେ ସହଯୋଗ କରିପାରିବା ଲାଗି ନିଜକୁ କାମରେ ଲଗାଏ । ପିଲାର ବାହାରଟା ମଧ୍ୟ ଯେପରି ତା’ ଭିତରଟି ସହିତ ସହଯୋଗ କରିପାରିବ, ସେଥିଲାଗି ଜଣେ ପ୍ରକୃତ ଶିକ୍ଷକ ସମ୍ପର୍କ ତଥା ସାଧନର ଏକ ଯଥାନୁକୂଳ ପରିବେଶ ଆଣି ଖଞ୍ଜି ଦେବାକୁହିଁ ନିଜର ସବୁଠାରୁ ବଡ଼ କର୍ତ୍ତବ୍ୟ ବୋଲି ଗ୍ରହଣ କରି ନେଇଥାଏ । ସିଏ ମୋଟେ ବିଚାର କରେ ନାହିଁ, ଏଡ଼ାଇ ଦିଏ ନାହିଁ, ଖସି ପଳାଏ ନାହିଁ । ଖସି ପଳାଇଥିବା ଲୋକମାନେ ହିଁ ଭର୍ତ୍ସନା କରନ୍ତି, ଏଣୁତେଣୁ ଗୋଟାଏ ଖୋଳ ବା ମାର୍କା ପିନ୍ଧାଇଦେଇ ତାହାରି ଉପରେ ପ୍ରହାର କରିବାରେ ଲାଗିଥାନ୍ତି । ଏମାନେ ହୁଏତ ନିଜଠାରୁ ଖସି ପଳାଇଥାନ୍ତି । ନିଜ ଭିତରେ ଥିବା କାଣ୍ଡାରିଟିର ସମ୍ମୁଖୀନ ହେବାକୁ ଭୟ କରୁଥା’ନ୍ତି । ତେଣୁ, କେବଳ କେତେଟା ମାର୍କା ବା ଛାଞ୍ଚ ବ୍ୟତୀତ ନିଜର କୌଣସି ଅସଲ ପରିଚୟ ଦେବାକୁ ସେମାନେ ହାଡ଼େ ହାଡ଼େ ଭୟ କରନ୍ତି । ଭୟାଳୁମାନେହିଁ ବିଚାର କରନ୍ତି । ବିଚାର କରୁଥିବା ମଣିଷ ପ୍ରକୃତରେ ଆଦୌ କିଛିହେଲେ ଜାଣିନଥାଏ ।

 

ସେପ୍ଟେମ୍ବର, ୧୯୮୬

☆☆☆

 

ଉତ୍ତମ ଶିକ୍ଷାର ଆଡ଼ମ୍ବର

 

ବେଶୀ ପଇସା ନହେଲେ ଭଲ ଶିକ୍ଷା ମୋଟେ ସମ୍ଭବ ହୋଇପାରିବ ନାହିଁ ବୋଲି ଭାରତବର୍ଷରେ ଅପେକ୍ଷାକୃତ ଅଧିକ ଧନ ଥିଲାବାଲାଙ୍କ ମଧ୍ୟରେ ତଥା ଅଧିକ ଧନ ହାସଲ କରିବାର ସ୍ୱପ୍ନ ଦେଖୁଥିବା ବଡଆଖିଆନିମାନଙ୍କ ମଧ୍ୟରେ ଏକ ଅଷ୍ଟକାରୀ ଅନ୍ଧବିଶ୍ୱାସ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି; ଏବଂ, ଆହୁରି ଅଧିକ ଅନିଷ୍ଟକାରୀ କଥାଟି ହେଉଛି ଯେ, ଯେଉଁଠାରେ ପାଠ ବାବଦକୁ ଅଧିକ ପଇସା ଖରଚ ହେଉଛି ଓ ଯେଉଁସବୁ ବିଦ୍ୟାଳୟ ବା ମହାବିଦ୍ୟାଳୟ ଅଧିକରୁ ଅଧିକ ସୂତ୍ରରେ ଅଭିଭାବକମାନଙ୍କଠାରୁ ଅଧିକରୁ ଅଧିକ ପଇସା ଆଦାୟ କରୁଛନ୍ତି, ସେଠାରେ ଅବଶ୍ୟ ଉତ୍ତମ ପାଠପଢ଼ା ହେଉଥିବ ବୋଲି ଗୋଟାଏ ହାୱା କ୍ରମେ ଭାରି ପ୍ରବଳ ହୋଇ ଅନେକଙ୍କର ମୁଣ୍ଡକୁ ଗ୍ରାସ କରିବାକୁ ଆରମ୍ଭ କଲାଣି । ଅନ୍ୟଲୋଭୀ ଅନ୍ଧବିଶ୍ୱାସୀମାନେ ଏକ ମନ୍ଦ ଓ ଖଳ ଉତ୍ସାହ ଭିତରେ ପଡ଼ି ଶିକ୍ଷାର ବ୍ୟୟକୁ ଅଧିକରୁ ଅଧିକ କରିବାରେ ଲାଗିଛନ୍ତି ଏବଂ ଏଣେ ଶିକ୍ଷାର ମାନ ହ୍ରାସ ହେବାରେ ଲାଗିଛି । ଆହୁରି ଅଧିକ ସାଂଘାତିକ କଥା ହେଉଛି ଯେ, ଅନେକ ସମୟରେ ଉଦାର ଭାବରେ ଟଙ୍କା ଖର୍ଚ୍ଚ କରିପାରିଲେ ପରୀକ୍ଷାର ସିରସ୍ତାମାନଙ୍କ ଭିତରୁ ପିଲାମାନଙ୍କ ଲାଗି ଉତ୍ତମ ଫଳ ମଧ୍ୟ କିଣି ଅଣାଯାଇ ପାରୁଛି । ପରୀକ୍ଷାର ଫଳଟା ଭଲ ହେଲେ ଭାଗ୍ୟର ବି ଅବଶ୍ୟ ପ୍ରସନ୍ନ ହେବେ ଓ ତେଣିକି ଧର୍ମ ମଧ୍ୟ ଏହି ସଂସାରରେ ଆମକୁ କଦାପି ହରାଇ ଦେଇ ପାରିବ ନାହିଁ ବୋଲି ପାରିବାବାଲାଙ୍କ ଭିତରେ ଏକ ଟାଣପଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

 

କେତେ ବର୍ଷ ତଳେ ଶ୍ରୀଅରବିନ୍ଦ ଆଶ୍ରମ ଶିକ୍ଷାକେନ୍ଦ୍ରର ଜଣେ ଶିକ୍ଷକ ସେଠାରେ ପାଠ ପଢ଼ୁଥିବା ପିଲାମାନଙ୍କ ବିଷୟରେ ମାଆଙ୍କୁ ପ୍ରଶ୍ନଟିଏ ପଚାରିଥିଲେ । ପ୍ରଶ୍ନଟି ହେଉଛି ‘‘ କେତେକ ଭଲ ପିଲା ପଇସାକୁ ଏତେ ଅଧିକ ଗୁରୁତ୍ୱ ଦେଇ ବିଚାର କରୁଛନ୍ତି ଯେ ସେଥିରୁ ପ୍ରକୃତରେ ଅନେକ ଆଶଙ୍କା ଜାତ ହେଉଛି (it gives a shock) । ଆମେ ଏ ବିଷୟରେ ପିଲାମାନଙ୍କ ସହିତ ଆଲୋଚନା କରିପାରିବା କି ?’’ ମାଆ ଉତ୍ତର ଦେଇ କହିଥିଲେ, ‘‘ହଁ, ତୁମେ ଆଲୋଚନା କରିବାକୁ ଚେଷ୍ଟା କର । ଏହା ଏକ ଅତ୍ୟାବଶ୍ୟକ କଥା । ମନେ ହେଉଛି ଏବେ ସତେଅବା ଏହି ପଇସାହିଁ ସର୍ବୋଚ୍ଚ ପରମେଶ୍ୱରଙ୍କ ଆସନରେ ଯାଇ ବସିଲାଣି । ଏବଂ, ସତ୍ୟ ଯେପରି କ୍ରମେ ଖସି ଖସି ପଛରେ ଅଧିକରୁ ଅଧିକ ପରିମାଣରେ ଗୌଣ ହୋଇ ରହିଯାଉଛି । ଆଉ ପ୍ରେମ,–ତାହା ତ ସତେ ଯେପରି ସମ୍ପୂର୍ଣ୍ଣ ଭାବରେ ଅଦୃଶ୍ୟ ହୋଇ ରହିଲାଣି !’’ ଉପସଂହାର କରି ମାଆ କହିଥିଲେ, ‘‘ପ୍ରେମ କହିଲେ ଏଠାରେ ମୁଁ ଦିବ୍ୟ ପରମପ୍ରେମର କଥାହିଁ କହୁଛି । କାରଣ ଆଜିକାଲି ମନୁଷ୍ୟମାନେ ଯାହାକୁ ପ୍ରେମ ବୋଲି କହୁଛନ୍ତି ତାହା ତ ସେହି ପଇସାର ହିଁ ଏକ ଉତ୍ତମ ବନ୍ଧୁରେ ପରିଣତ ହୋଇ ରହିଛି ।’’ (ମାତୃ-ରଚନାମଳୀ (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ, ୧୨ଶ ଖଣ୍ଡ, ୧୯୭୮, ପୃଷ୍ଠା-୧୫୯)

 

ଏହି ପ୍ରସଙ୍ଗରେ ମାଆ ଆଉ ଦିନେ କହିଥିଲେ (ତତ୍ରୈବ), ‘‘ ନିଜ ପରିବାରର ବହୁତ ଟଙ୍କାପଇସା ଓ ଧନସମ୍ପତ୍ତି ବିଷୟରେ କାହାଣୀମାନ କହି ଯେତେବେଳେ ଜଣେ ପିଲା ତୁମକୁ ଚମତ୍କୃତ କରିବାକୁ ଇଚ୍ଛା କରୁଥିବ, ସେତେବେଳେ ତୁମେ କଦାପି ଚୁପ ହୋଇ ରହିଯିବ ନାହିଁ । ତୁମେ ତାକୁ ବୁଝାଇ କରି କହିଦେବ ଯେ, ଏଠାରେ ପାର୍ଥିବ ଧନସମ୍ପତ୍ତିକୁ ଆଦୌ କୌଣସି ମୂଲ୍ୟ ଦିଆଯାଏ ନାହିଁ । ଯେଉଁ ଧନସମ୍ପତ୍ତିକୁ ଦିବ୍ୟ ପରମସତ୍ତାଙ୍କ ପାଖରେ ସମର୍ପିତ କରାଯାଇଛି, ଏଠାରେ କେବଳ ତାହାରି କିଞ୍ଚିତ୍‌ ମୂଲ୍ୟ ରହିଛି । ତୁମେ ସେହି ପିଲାମାନଙ୍କୁ ଭଲ କରି ବୁଝାଇଦେବ ଯେ, ବଡ଼ ବଡ଼ ଘରମାନଙ୍କରେ ରହିଲେ, ପ୍ରଥମ ଶ୍ରେଣୀରେ ଯାତ୍ରା କଲେ ଏବଂ ମୁଠାମୁଠା ପଇସା କାଢ଼ି ଖର୍ଚ୍ଚ କଲେ ଜଣେ ମଣିଷ କଦାପି ବଡ଼ ହୋଇଯାଏ ନାହିଁ । କେବଳ ସତ୍ୟ ପ୍ରତି ନିଷ୍ଠା ବଢ଼ିଲେ, ଆନ୍ତରିକତା ବଢ଼ିଲେ ଓ ଆନୁଗତ୍ୟ ବୃଦ୍ଧି ପାଇଲେ ଏବଂ କୃତଜ୍ଞ ରହିପାରିଲେ ଯାଇ ତୁମର ମହତ୍ତ୍ୱ ବୃଦ୍ଧି ପାଇ ପାରିବ ।’’

ଭଗବାନ କ’ଣ ମନ୍ଦିରରେ ମିଳନ୍ତି ? ତଥାପି ଭଗବାନଙ୍କଠାରେ ଲୋଭ ରଖିଥିବା ମଣିଷ ଭଗବାନଙ୍କର ମନ୍ଦିରଟିକୁ କେତେ ପଇସା ଖରଚ କରି କେଡ଼େ ଆଖିଦୃଶିଆ କରି ତିଆରି କରିଥାଏ । ନିଜ ଜୀବନରେ ଭଗବାନଙ୍କର ବାନାଟି ସିନା ସବୁଠାରୁ ଉଚ୍ଚ ହୋଇ ଉଡ଼ୁଥାଆନ୍ତା, ମାତ୍ର ମନ୍ଦିରଗୁଡ଼ିକୁ ଯଥାସମ୍ଭବ ଅଧିକରୁ ଅଧିକ ଉଚ୍ଚ କରି ତା’ଉପରେ ସୁଦୃଶ୍ୟ ବାନାଟିଏ ଉଡ଼ାଇ ଦେଇପାରିଲେ ଅନେକ ମଣିଷ ସତେଅବା ଆପଣାର ସମ୍ମୁଖରେ ଆସି ପହଞ୍ଚି ଯାଉଥିବା ଅନେକ ଆହ୍ୱାନରୁ ଛୁଟି ପାଇଯିବା ପରି ଅନୁଭବ କରନ୍ତି । ମଣିଷର ଅସଲ ଆସ୍ଥାନଟି ତା’ର ହୃଦୟ ଭିତରେ ସିନା ତିଆରି ହେଉଥା’ନ୍ତା, ମାତ୍ର ବାହାରେ ଆମେ ତିଆରି କରୁଥିବା ଆସ୍ଥାନଗୁଡ଼ିକ କ୍ରମେ ଗୋଟିଏ ଗୋଟିଏ ମଠରେ ପରିଣତ ହୋଇଯାଏ । ଭିତରେ ଅସଲ ବ୍ୟାକୁଳତାଗୁଡ଼ିକୁ ଆମେ ଜୀଆଇ ରଖି ପାରୁନାହିଁ ବୋଲି ହୁଏତ ବାହାରେ ପ୍ରାୟ ଏକ ରାଜସିକ ପ୍ରକରଣରେ ଅହୋରାତ୍ର ସଂକୀର୍ତ୍ତନମାନ ଚାଲିଥାଏ । ଏହି ଧାରାଟି ଆମ ସଂସାରରେ ଭାରି ଚମତ୍କାର ଭାବରେ ବାହାରେ କଞ୍ଚା ଘରଗୁଡ଼ିକୁ ପକ୍‌କା କରି ବନାଇବାର ହୁନ୍ଦର ଭିତରେ ପଡ଼ି ଭିତରେ ଅସଲ ଘରଗୁଡ଼ିକୁ ଭାରି କଞ୍ଚା କରି ରଖିଦେଇଛି । ଆଧ୍ୟାତ୍ମିକ ଆହ୍ୱାନଗୁଡ଼ିକୁ ପ୍ରାୟ ଏକ ଧର୍ମୀୟ ଅନ୍ୟନିଶାରେ ପରିଣତ କରିବାରେ ଏହି ରୀତିଟି ଯୁଗେ ଯୁଗେ ଖୁବ୍ ସାହାଯ୍ୟ କରି ଆସିଛି । ଟଙ୍କା ନଥିଲେ ବାହାରେ ଆଖିଦୃଶିଆ କରି ପ୍ରକୃତରେ କିଛି ଗଢି ଥୋଇ ଦେଇ ହୁଏ ନାହିଁ । ଟଙ୍କା ନଥିଲେ ବାହାରର ତେଜଗୁଡ଼ାକ ଆଦୌ ପ୍ରକଟ ହୋଇପାରନ୍ତି ନାହିଁ । ଏବଂ, ଅନ୍ୟମାନଙ୍କର ଆଖିକୁ ଝଲସାଇ ଦେଇ ନପାରିଲେ ଆମ ମର୍ଯ୍ୟାଦାର ଗୋଡ଼ଗୁଡ଼ାକ ମୋଟେ ଆଗକୁ ପଡ଼ୁଥିବା ପରି ମନେ ହୁଅନ୍ତି ନାହିଁ । ବିଶେଷତଃ, ଯେଉଁ ପୃଥିବୀରେ ଅଧିକ ମନୁଷ୍ୟ ନିର୍ଦ୍ଧନ ହୋଇ ରହିଛନ୍ତି ଓ ନିର୍ଦ୍ଧନ ହୋଇ ଥିବାରୁହିଁ ଅସମର୍ଥ ହୋଇ ରହିଛନ୍ତି, ସେହି ପୃଥିବୀରେ ମାନବସ୍ତରୀୟ ଯାବତୀୟ ବାହାଦୁରୀ ଯେ ପ୍ରଧାନତଃ ସେହି ଧନ ଉପରେହିଁ ନିର୍ଭର କରିବ, ସେଥିରେ ବିସ୍ମିତ ହେବାର ଆଦୌ କିଛି ନାହିଁ ।

ଯାହା ଘରେ ଧନ ଅଧିକ ଥାଏ, ପ୍ରତିଭାମାନେ ଯେ କେବଳ ତାହାରି ଘରକୁ ସତେ ଅବା ଡକାଡ଼କି ହୋଇ ଆସିଥାନ୍ତି, ସେକଥା ମୋଟେ ନୁହେଁ । ବାପାଙ୍କର ଧନସମ୍ପତ୍ତି ଥିଲେ ଯେ ପିଲାମାନଙ୍କର ମଧ୍ୟ ବିଦ୍ୟାରେ ଅଧିକ ହୁଏ, ବିଦ୍ୟାର କୌଣସି ବିଜ୍ଞାନ ସେକଥା କହିବାକୁ କେବେ ହେଲେ ସାହାସ କରିବ ନାହିଁ । ଅଧିକ ପଇସା ଖରଚ ହୋଇ ଓ ପଇସା ଦ୍ୱାରା ସମ୍ଭବ ହେଉଥିବା ଠାଣିଗୁଡ଼ାକୁ ବଢ଼ାଇ ଯେଉଁ ପରିବେଶଟିକୁ ପରିବାର ମଧ୍ୟରେ ଅଥବା ପାଠଶାଳାରେ ସୃଷ୍ଟି କରାଯାଏ, ତାହା ଯେ ଅବଶ୍ୟ ବିଦ୍ୟାନୁକୂଳ ହେବ, ସେପରି ଅନୁମାନ କରିବା ପଛରେ ଆଦୌ କୌଣସି ପ୍ରମାଣ ନାହିଁ । ହୁଏତ ଏପରି ହୋଇପାରେ ଯେ, ଭିତରେ ଆଗ୍ରହ ଓ ଆକାଂଙ୍‍କ୍ଷାର ଅସଲ ଧାରାଗୁଡ଼ିକ ନାନା କାରଣରୁ ଶୁଷ୍କ ହୋଇ ଆସିଲେ ଓ ସେହି ଆହ୍ୱାନଟିର ସମ୍ମୁଖୀନ ହେବା ଲାଗି ମଣିଷ ଭିତରୁ କୌଣସି କାରଣରୁ ବଳ ନପାଇଲେ, ମଣିଷ ବାହାରଟାକୁ ଅଧିକ ସଜ୍ଜିତ କରି ରଖିବାକୁ ଇଚ୍ଛା କରେ ଓ ସେହି କାରଣରୁ ପଇସା ଖରଚ କରି ବାହାର ସଜ୍ଜାଗୁଡ଼ିକୁ ଅଧିକ ଶୋଭାଯୁକ୍ତ କରି ଦେଖାଇଲେ ସବୁ ସମାଧାନ ହୋଇଯିବ ବୋଲି ଏକ ଭ୍ରମରେ ଯାଇ ପଡ଼ିଯାଏ । ଏହି ଭ୍ରମଟାକୁ ଆଦରି ନେଇ ନିଜର ଦେହଟାକୁ ତେଲ ଚକଚକ କରି ଦେଖାଇବା ଲାଗି କେତେ ଉଦ୍ୟମ କରୁବା ମଣିଷମାନେ ଆଗକାଳେ ବି ଥିଲେ, ସେମାନେ ବର୍ତ୍ତମାନ ବି ଅଛନ୍ତି ।

ପ୍ରକୃତ ଶିକ୍ଷା ମଣିଷର ଭିତରେ ରହିଥିବା ଧନଗୁଡ଼ିକର ସନ୍ଧାନ କରେ । ସେହି ଧନଗୁଡ଼ିକୁହିଁ ସବୁଠାରୁ ବଡ଼ ଧନ ବୋଲି ସ୍ୱୀକୃତି ଦିଏ । ସେହି ଧନଗୁଡ଼ିକ ମଣିଷ ଭିତରେ ସମ୍ଭାବନା ରୂପେ ପ୍ରଚ୍ଛନ୍ନ ହୋଇ ରହିଛନ୍ତି । ବାହାରେ ନାନାବିଧ ଖଳତା ଓ ଖଳ ବ୍ୟବସ୍ଥା ଆପଣାର ଅଭିପ୍ରାୟଗୁଡ଼ିକୁ ସିଦ୍ଧ କରିବା ଲାଗି ଅଧିକରୁ ଅଧିକ ମଣିଷଙ୍କୁ ଭିତରର ସେହି ଗନ୍ତାଘରଗୁଡ଼ିକ ବିଷୟରେ ସମ୍ଭବ ହେଲେ ସମ୍ପୂର୍ଣ୍ଣ ରୂପେ ବିସ୍ମୃତ କରି ରଖିବାକୁ ଚେଷ୍ଟା କରୁଛନ୍ତି । ସେମାନେ କହୁଛନ୍ତି, ଧନ ବଢ଼ାଅ, ତୁମର ସବୁ କିଛି ଆପେ ଆପେ ବଢ଼ିଯିବ; ପ୍ରକୃତରେ ନବଢ଼ିଲେ ମଧ୍ୟ ବାହାରକୁ ବଢ଼ୁଥିଲା ପରି ଦିଶିବ ଏବଂ ଆଧୁନିକ ସଂସାର-ବଜାରରେ ତୁମେ ସଫଳତା ଅର୍ଜନ କରିବା ନିମନ୍ତେ ତାହା ହିଁ ଯଥେଷ୍ଟ । ପୃଥିବୀଯାକ ଏହି ବାହାରର ସଫଳତାହିଁ ଅଧିକରୁ ଅଧିକ ବୃଦ୍ଧି ପାଉଛି । ଭିତରେ ତଥାପି କ’ଣ ସବୁ ଶୁଖି ଶୁଖି ଯାଉଛି । ଜୀବନର ଅସଲ ପରୀକ୍ଷାରେ, ଅର୍ଥାତ୍ ବିଶ୍ୱାସ ବଢ଼ାଇବାରେ ସଖ୍ୟ ବଢ଼ାଇବାରେ ପ୍ରକୃତ ଗୁଣଗୁଡ଼ିକ ପାଖରେ ମନୁଷ୍ୟର ଆନୁଗତ୍ୟ ବଢ଼ାଇବାରେ ଏବେ ଅଧିକରୁ ଅଧିକ ମଣିଷ ବିଫଳ ହେବାରେ ଲାଗିଛନ୍ତି । କ୍ଷମତା ପ୍ରବଳ ହେଉଛି, ସେହି କ୍ଷମତାର ଧନ ସହିତ ପରିଣୟ ହୋଇ ଯାଇଥିବା ପରି ମନେ ହେଉଛି ଏବଂ ବିଦ୍ୟା ସତେଅବା ପୋଇଲୀ ହୋଇ ବାହାରେ ଛିଡ଼ା ହୋଇଛି । ଆଧୁନିକ ମଣିଷର ଅସହାୟତା କହିଲେ ଆମେ ପ୍ରଧାନତଃ ଏହି କଥାଟିକୁ ବୁଝିବା । ମଣିଷ ଲାଗି ସହି ପୃଥିବୀରେ ସବୁ ରହିଛି–ତଥାପି ଅସଲ ସାହସଥାନରେ ସାହସ ନାହିଁ ଏବଂ ଅସଲ ଭରସାଟି ଥାନରେ ତାକୁ ଭରସା ମିଳୁନାହିଁ ବୋଲି ସିଏ ଭିତରେ ବଡ଼ ଅସହାୟ ହୋଇ ରହିଛି । ସିଏ ଯେଉଁ ପୃଥିବୀରେ ନିଜେ ସୁନ୍ଦର ଓ ବଳବାନ୍ ହୋଇଥାନ୍ତା ଓ ତାହାରି ବଳରେ ପୃଥିବୀଟିକୁ ସୁନ୍ଦର କରି ଗଢ଼ିଥାନ୍ତା, ସେହି ପୃଥିବୀ ତା’ହାତରୁ ସତେଅବା ଖସି ଖସି ଯିବାରେ ଲାଗିଛି । ପୃଥିବୀରେ ସବୁଠାରୁ ବେଶୀ ପଇସା ଯାହା ହାତରେ ଅଛି, ତାହାରି ହାତରେହିଁ ସବୁଠାରୁ ବଡ଼ ବୋମାମାନ ରହିଛି । ବିବେକ ଉପରୁ ବିଶ୍ୱାସ ହରାଇ ବସିଥିବା ବଡ଼ ବଡ଼ ବୋମାର ମାଲିକମାନେ ଏଗୁଡ଼ିକ ଦ୍ୱାରାହିଁ ପୃଥିବୀରେ ଶାନ୍ତି ରଖିବେ ଓ ମଣିଷକୁ ଶାନ୍ତି ଦେବେ ବୋଲି କେଡ଼େ ଚାତୁରୀ ସହକାରେ କହିବାରେ ଲାଗିଛନ୍ତି ଯେଉଁମାନେ ବୋମାରେ ଅଧିକ ଖରଚ କରୁଛନ୍ତି, ସେହିମାନେହିଁ ଶିକ୍ଷାରେ ମଧ୍ୟ ଅନ୍ୟମାନଙ୍କଠାରୁ ଅଧିକ ଖରଚ କରୁଛନ୍ତି ଏବଂ ଅଧିକ ଖରଚ କଲେହିଁ ଉତ୍ତମ ଶିକ୍ଷା ଅଲବତ ସମ୍ଭବ ହେବ ବୋଲି ଭାବୁଛନ୍ତି । ବୋମାରେ ଭରସା କରୁଥିବା ମଣିଷ ଶିକ୍ଷା ଉପରେ ଭରସା କିପରି ରଖିପାରିବ ? ଶିକ୍ଷା ଆଉ ବୋମା ମଧ୍ୟରେ କୌଣସି ଗୋଟିକୁ ବାଛିନେବାକୁ ହେଲେ ଆଖର ବୋମାକୁହିଁ ଅଧିକ ଶକ୍ତିଶାଳୀ ଓ ତେଣୁ ଅଧିକ ନିର୍ଭରଯୋଗ୍ୟ ବୋଲି ବାଛିବାକୁ ପଡ଼ିବ ବୋଲି ବିଶ୍ୱାସ କରୁଥିବାରୁହିଁ ଏମାନେ ଶିକ୍ଷା ଓ ବୋମା ମଧ୍ୟରେ ରହିଥିବା ମୂଳଭୂତ ଫରକଟିକୁ ଆଦୌ ହୃଦୟଙ୍ଗମ କରି ପାରୁନାହାନ୍ତି । ଅସଲ ଶିକ୍ଷା ବର୍ତ୍ତମାନ ପୃଥିବୀର ଏହି ବିଡ଼ମ୍ୱନାଟିକୁ ଉତ୍ତମରୂପେ ହୃଦୟଙ୍ଗମ କରିବ । ତେବେଯାଇ ତାହା ସତକୁସତ କାମରେ ଲାଗିପାରିବ ।

ମନୁଷ୍ୟର ଅସଲ ବୃଦ୍ଧିର କାରଣ ହେଉଛି ସତ୍ୟନିଷ୍ଠ ହେବା, ନିଜର ଆନ୍ତରିକତାରେ ବୃଦ୍ଧି ସାଧନ କରିବା, ଗୁଣଗୁଡ଼ିକ ପାଖରେ ଅନୁଗତ ହୋଇ ରହିବା ଏବଂ ଯୁଗର ବିଧାତାଙ୍କ ପାଖରେ କୃତଜ୍ଞ ହୋଇ ରହିବା । ଅଧିକ ପଇସା ଖରଚ କଲେ ଏଗୁଡ଼ିକ କଦାପି ବଢ଼ିଯିବ ନାହିଁ । ଆମେ ଯେଉଁମାନେ ଜାଣତରେ ଅଥବା ଅଜାଣତରେ ସେହିଭଳି ଚିନ୍ତା କରୁଥିବା, ଆମେ ଅସଲ ସୂତ୍ରଟିକୁ ହୁଏତ ପଛରେ ପକାଇ ଦେଇ ଆଉ କୁଆଡ଼େ ଏଣେ ମାଡ଼ି ଆସିଲୁଣି ବୋଲି ଆଶଙ୍କା କରିବାର ଅବଶ୍ୟ ଏକ କାରଣ ରହିଥିବ । ଆମ ଭିତରୁ ଯେଉଁମାନଙ୍କର ଅନ୍ୟମାନଙ୍କ ତୁଳନାରେ କମ୍ ପଇସା ଅଛି ଓ ତେଣୁ ଯେଉଁମାନେ ହଠାତ୍ ଚକଚକ ହୋଇ ଦିଶି ପାରିବାଭଳି ଘରଟିଏ, ବଗିଚାଟିଏ ଅଥବା ସର୍କସ୍‌ଟିଏ ଦେଖାଇ ପାରୁନାହାନ୍ତି, ସେମାନେ ମଧ୍ୟ ଅଧିକ ପଇସା ଥିବା ଲୋକମାନଙ୍କର ଅନୁକରଣ କରୁଛନ୍ତି ଓ ଆହୁରି ଅଧିକ ଅନୁକରଣ କରି ଠିକ୍ ସେହିମାନଙ୍କ ପରି ଦିଶିବେ ବୋଲି ଭାରି ହାଇଁପାଇଁ ହେଉଛନ୍ତି । ସେଥିପାଇଁ ସେମାନେ ପିଲାମାନଙ୍କୁ ଭୂଇଁ ଉପରୁ ନେଇ ଚଉକିରେ ବସାଉଛନ୍ତି, ସେମାନଙ୍କର ଗୋଡ଼କୁ ଜୋତାମୋଜା ଖଞ୍ଜି ଦେଉଛନ୍ତି ଓ ନଙ୍ଗଳା ହାତଗୁଡ଼ାକରେ ରୂପାର ଖଡ଼ୁ ପିନ୍ଧାଇବେ ବୋଲି କେତେ ମିହନ୍ତ କରୁଛନ୍ତି । ଏହାଦ୍ୱାରା କଦାପି ଦରିଦ୍ରତା ଦୂର ହେବ ନାହିଁ । ଆନ୍ତରିକତା ବଢ଼ିଲେ ଯାଇ ଦରିଦ୍ରତା ଦୂର ହେବ, କୃତ୍ରିମତାମାନେ ଦୂର ହେଲେ ଯାଇ ଆନ୍ତରିକତାକୁ ଫୁରସତ ମିଳିବ,–ଏବଂ ଭିତରେ ଅସଲ ମେରୁଦଣ୍ଡଟି ସିଧା ହୋଇପାରିଲେ ଯାଇ ଅଶିକ୍ଷାର ଯାବତୀୟ ବନ୍ଧ୍ୟାଦୋଷରୁ ମୁକ୍ତି ମିଳିପାରିବ ।

ଶିକ୍ଷାର କ୍ଷେତ୍ରରେ ପ୍ରକୃତରେ ବିକଳ୍ପଟିଏ ଆଣି ଯୋଗାଇଦେବା ଲାଗି ଯଦି ଆମେ ଏହି ନୂତନ ଯାତ୍ରାଟିକୁ ମନ କରିଥିବା, ତେବେ ଆମେ ମୂଳରୁହିଁ ଅନ୍ୟପ୍ରକାର ହେବା । ଆମେ ମାଟି ଘରକୁ ରୁଷିବା ନାହିଁ, ଖାଲି ଗୋଡ଼କୁ ବି ରୁଷିବା ନାହିଁ । ଅର୍ଥଶକ୍ତି ବର୍ତ୍ତମାନ ଅସୁରମାନଙ୍କ ହାତରେ ରହିଛି । ଆମେ ନିଜ ଭିତରେ ସେହି ଅସୁରମାନଙ୍କୁ ନେଇହିଁ ସର୍ବୋଚ୍ଚ ଆସନରେ ବସାଇବାର କୌଣସି ଉଦ୍ୟମ କରିବା ନାହିଁ । ଅସୁରର ଅନୁଗ୍ରହ ନହେଲେ ଆମ ଦିଅଁଙ୍କର ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ମଧ୍ୟ କ୍ଷଣକ ପାଇଁ ଅନୁଭବ କରିବା ନାହିଁ । ମଣିଷ ଭିତରେ ଯାହା ଅସଲ, ଆମେ ତାହାକୁହିଁ ସବାଆଗ କରି ଚିହ୍ନିବା । ଆମ ଭିତରେ ଯାହା ଅସଲ, ନିଜକୁ ଆବିଷ୍କାର କରି ବାହାରିଥିବା ସମୟରେ ଆମେ ସବାଆଗ ତାହାରି ସହିତ ପରିଚିତ ହେବା, ତାହାକୁ ସାଙ୍ଗରେ ନେଇହିଁ ଯାବତୀୟ କାରବାର କରି ବାହାରିବା ।

ଆମ ପିଲାଙ୍କ ଭିତରେ ପ୍ରକୃତରେ ଯାହା ଅସଲ, ଆମେ ସେଇଟିକୁ ଦେଇହିଁ ସେମାନଙ୍କୁ ଚିହ୍ନିବା । ଜୀବନରେ ଦୁଇଟି ବାଟ ରହିଛି,–ଦୁଇଟି ଉଦ୍ଦେଶ୍ୟ ରହିଛି । ତେଣୁ ଦୁଇଟି ଆଧାର ମଧ୍ୟ ରହିଛି । ଗୋଟିଏ ହେଉଛି to have, ଅନ୍ୟଟି to be,–ଆମର ଶିକ୍ଷା to have ର ଯାବତୀୟ ଅର୍ଗଳକୁ ପାର ହୋଇ to beର ଉଦ୍‌ବୋଧନ ଦେଇ ପାରିବା ଉଚିତ । ତେବେଯାଇ ଶକ୍ତି ବଢ଼ିବ, ସଂଘ ବଢ଼ିବ । ଅସଲ ଆନୁଗତ୍ୟ ସେତିକିବେଳେ ସମ୍ଭବ ହେବ ।

ଅକ୍ଟୋବର, ୧୯୮୬

☆☆☆

 

ପଳାୟନର ପଚାଶ ବାଟ

 

.....there are million ways of fleeing–ମାଆ ଏକ କଥୋପକଥନରେ ଏକଦା ଏହିଭଳି ଏକ ମନ୍ତବ୍ୟ କରିଥିଲେ । (ମାତୃରଚନାବଳୀ (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ, ୧୯୭୭,ପୃଷ୍ଠା-୨୧୪) ପଳାଇ ଯିବାଲାଗି ପଚାଶ ଲକ୍ଷ ବାଟ ରହିଛି । ଆମ ଭିତରୁ ଅଧିକସଂଖ୍ୟକ ମଣିଷ ଏଥିରୁ କୌଣସି ନା କୌଣସି ବାଟକୁ ଧରି ପଳାଇ ଯିବାକୁ ଇଚ୍ଛା କରୁଥାନ୍ତି-। ବାଟଟିଏ ନମିଳିଲେ ମଧ୍ୟ ବାଟଟିଏ ଉଦ୍ଭାବନ କରି ପଳାଇ ଯାଆନ୍ତି । ଏମାନେ ସିଦ୍ଧି ଲାଗି ବାଟ ଚାଲୁଥାନ୍ତି,–ଏମାନଙ୍କର ଅସଲ ବ୍ୟାକୁଳତା ଏହିପରି କୌଣସି ସିଦ୍ଧିଲାଭ କରିବା ନିମନ୍ତେ ଉଦ୍ଦିଷ୍ଟ ହୋଇ ରହିଥାଏ । ସେମାନେ ନିଜ ଲାଗି କ’ଣ ଗୋଟିଏ ପାଇବେ, ଅନ୍ୟମାନଙ୍କର ତୁଳନାରେ ଟିକିଏ ଉଞ୍ଚ ହୋଇ, ଦୂରହୋଇ ରହିବେ, ଦୂରଛଡ଼ା ହୋଇ ରହିବେ । ଦୂରଛଡ଼ା ହୋଇ ରହିବାକୁହିଁ ସିଦ୍ଧି ତତ୍ତ୍ୱର ଶାସ୍ତ୍ରକାରମାନେ ସେଥିଲାଗି ଅସଲ ମୁକ୍ତି ବୋଲି ବର୍ଣ୍ଣନା କରିଛନ୍ତି । ଏହିପରି ପଳାଇ ବାହାରି ଯିବାକୁହିଁ ଅସଲ କାମ୍ୟ ବୋଲି ଘୋଷଣା କରିଛନ୍ତି । ଅପବିତ୍ରଗୁଡ଼ାକଠାରୁ ଦୂର ହୋଇ ରହିବା,–ଅଧିକାଂଶ କ୍ଷେତ୍ରରେ ଏହାକୁହିଁ ପବିତ୍ରତାକୁ ଅନୁଭବ କରିବାର ବା ଅନ୍ତତଃ ପବିତ୍ର ବୋଲି ଦିଶିବାର ଗୂହ୍ୟ ସୂତ୍ରରୂପେ ବୟାନ କରାଯାଇଛି । ଆମ ପୃଥିବୀର ଅଧିକାଂଶ ତଥାକଥିତ ସିଦ୍ଧି ଓ ପବିତ୍ରମାନେ ସେହିଭଳି ଆଚରଣ ମଧ୍ୟ କରିଛନ୍ତି ।

 

ସମ୍ଭବତଃ ଏହି ଦୃଷ୍ଟିରୁହିଁ ଧର୍ମବେତ୍ତାମାନେ ଓ ପୁରାତନ ପରମ୍ପରାର ଯୋଗୀମାନେ ଭଗବାନଙ୍କୁ ପରମ ଆଶ୍ରୟ ବୋଲି କହି ଯାଇଛନ୍ତି । ସେଠାରେ ଆଶ୍ରୟ ପାଇବା,–ଅର୍ଥାତ୍ ଏଠାରେ ଥିବା ଯାବତୀୟ ପଙ୍କ ଓ କର୍ଦ୍ଦମ ମଧ୍ୟରୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ହୋଇ ରହିବା । ପରିତ୍ରାଣର ଅର୍ଥ ହେଉଛି, ମୁଁ ଯାହାକୁ କର୍ଦ୍ଦମ ବୋଲି ଭାବୁଛି, ତାହାଠାରୁ ଅଲଗା ହୋଇ ରହିବା । ଅଲଗା ହୋଇ ରହିବାର ଅର୍ଥ ହେଉଛି ମୁକ୍ତହୋଇ ରହିବା । ସ୍ଥୂଳ ପୃଥିବୀରେ ମଧ୍ୟ ଅଲଗା ହୋଇ ଦିଶିବାକୁ ମନ କରୁଥିବା ମଣିଷମାନେ କେତେ ନା କେତେ ବାଗରେ ଅନ୍ୟମାନଙ୍କ ସହିତ ଏକାଠି ହୋଇ ରହିବା ଏବଂ ଏକାଠି ବାଟ ଚାଲିବାକୁ ସତେଅବା କର୍ଦ୍ଦମ ଭିତରେ ରହିବା ସଦୃଶ ଅନୁଭବ କରୁଥାନ୍ତି । ଜଣେ ଅଧିକ ମୋଟା ମଣିଷ ଯେପରି ଅନେକ ସରୁଆ ମଣିଷଙ୍କର ମେଳରେ ଅଲଗା ହୋଇ ଦିଶେ, ସ୍ପଷ୍ଟ ଭାବରେ ବାରିହୋଇ ପଡ଼େ, ଏମାନଙ୍କଠାରୁ ସତେ ଯେପରି ଫୁଟେ କି ହାତେ ଉଚ୍ଚରେ ରହିଥିବା ପରି ଲାଗୁଥାଏ ଓ ତେଣୁ ଅଧିକ ବୋଲି ଲାଗୁଥାଏ, ଠିକ୍ ସେହିପରି ଆମ ସଂସାରର ସିଦ୍ଧିଗତ ପ୍ରତିଯୋଗିତାର ହାଟରେ ମୋଟାମାନେ ସରୁଆମାନଙ୍କଠାରୁ ଅଲଗା, ଅଧିକ ଓ ଉଚ୍ଚ ହୋଇ ଦିଶିବାକୁହିଁ ଏକ ପ୍ରକୃତ ସିଦ୍ଧି ବୋଲି ମନେ କରିବାର ଫନ୍ଦି ଭିତରେ ଯାଇ ପଡ଼ିଯାଇଥାନ୍ତି । ଅନ୍ୟମାନଙ୍କର ଯାହା ନାହିଁ, ମୋର ସେଇଥିରୁ କେତେଟା ରହିଲେ ଯାଇ ମୁଁ ଅନ୍ୟମାନଙ୍କର ତୁଳନାରେ ଅଧିକ ହୋଇ ଦିଶିବି, ଆମ ସଂସାର ଭିତରେ ସତେଅବା ଏକ ଦୁଷ୍ଟ ବୈରାଗ୍ୟ ଭିତରେ ରହି ଆପଣାକୁ ଅଧିକ ବୋଲି ଦେଖାଇବାକୁ ସଂସାରୀମାନେ ମଧ୍ୟ ସଚରାଚର କେତେ ଶ୍ରମ ଓ ଉଦ୍ୟମ କରି ଆସିଛନ୍ତି । ପୁରାତନ ମାର୍ଗଗୁଡ଼ିକରେ ମନ୍ଦିରଗୁଡ଼ାକୁ ଯେପରି ଘରଗୁଡ଼ିକଠାରୁ ଅଲଗା ମିଜାଜ ଦେଇ ତିଆରି କରାଯାଇଛି, ସନ୍ନ୍ୟାସୀର ଭେକକୁ ଯେପରି ସଂସାରୀର ଭେକଠାରୁ ଅଲଗା କରି ଚିହ୍ନଟ କରି ରଖିବାର ସୂକ୍ଷ୍ମ ଓ ସ୍ଥୂଳ ଭିଆଣମାନ ହୋଇଛି, ଆମ ସଂସାରର ଅଧିକ ପାରିବାବାଲାମାନେ ମଧ୍ୟ ଅଳପ ପାରିବାବାଲାମାନଙ୍କ ଠାରୁ ଅଲଗା ହୋଇ ଦିଶିବେ ବୋଲି କେତେ ମିହନ୍ତ କରିଛନ୍ତି ଓ ତାହାରି ଦ୍ୱାରାହିଁ ସତେଅବା ସିଦ୍ଧି ପ୍ରାପ୍ତ ହୋଇଗଲା ବୋଲି ଅନୁଭବ କରିଛନ୍ତି । ଯାହାର ଅଧିକ ଧନ, ଅଧିକ ଜ୍ଞାନ, ଅଧିକ ସାମର୍ଥ୍ୟ ଓ ଅଧିକ ସଂଗ୍ରହ,–ଏହି ପୃଥିବୀରେ ତା’ର ଅଧିକତର ଦାୟିତ୍ୱ,–ପଳାଇ ଖସିଯିବାର ଲୋଭରେ ଆମେ ନାନା ଭାବରେ ସେହି କଥାଟିକୁ ଭୁଲିଯାଇଛୁ । ତେଣୁ ଖାଇଗୁଡ଼ାକ ବଢ଼ିବାରେ ଲାଗିଛି, ମିଛ ଗର୍ବମାନେ ଅଧିକ ଉତ୍ସାହ ପାଇଛନ୍ତି–ମୋଟାମାନେ ଯେତେ ଅଧିକ ମୋଟା ହୋଇ ଦିଶିବାକୁ ହରବର ହୋଇ ଲାଗିଥିଲେ ମଧ୍ୟ ତଥାପି ଭାରି ଅବର୍ଜିଆ ହୋଇ ସରୁଆମାନଙ୍କର ସଂସାରରେ ସେମାନେ ନାନା ଅଘଟଣର କାରଣ ହୋଇଛନ୍ତି । ସେମାନେ ଭିତରେ ବଡ଼ ଦରିଦ୍ର ହୋଇ ରହିଯାଇଛନ୍ତି ।

 

ଆମର ନୂତନ ବିଦ୍ୟାଳୟଗୁଡ଼ିକ ମଧ୍ୟରେ କେତେକ ବିଶିଷ୍ଟ ଅବିଶିଷ୍ଟମାନଙ୍କ ମଧ୍ୟରେ ତଥାପି ପୁରାତନ ଭଳି ଦେଖାଗଲେଣି । ଏହି ପୁରାତନମାନେ ମଧ୍ୟ ଦିନେ ନୂତନ ଥିଲେ । ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରତିଶ୍ରୁତି-ଗୃହଟିକୁ ଠିଆ କରିପାରିବାରେ ସେମାନେ ଖୁଣ୍ଟ ପରି କାର୍ଯ୍ୟ କରିଥିଲେ, ପ୍ରଥମକାଳୀନ ସବୁଯାକ ଝଡ଼ ସହିଲେ, ଅନେକ ଅନିଶ୍ଚିତର କୁହୁଡ଼ିକୁ କାଟି ଆମ ସମସ୍ତଙ୍କ ନିମନ୍ତେ ଏକ ନିଶ୍ଚିତ ପ୍ରତ୍ୟୟ ଏବଂ ପ୍ରତିଷ୍ଠା ଆଣିଦେଲେ । ସେମାନେ ବାଟ କଢ଼ାଇଲେ-। ସେମାନଙ୍କ ପରେ ଅନ୍ୟ ନୂତନମାନେ ଆସି ପହଞ୍ଚିବା ସଙ୍ଗେ ସଙ୍ଗେ ସେମାନେ କ୍ରମେ ପୁରାତନ ପରି ଦିଶିଲେ । ଏମାନଙ୍କର ଘର ବଡ଼ ହେଲା, ସରଞ୍ଜାମମାନ ବହୁଗୁଣିତ ହେଲା, ଅଲଗା ଖଳା ତିଆରି ହେଲା, ଗଉଣୀଗୁଡ଼ିକ ବି ବଡ଼ ହେଲା । ଅଭାବମାନେ ବଢ଼ିଲେ, ଅର୍ଥାତ୍ ଅଭାବବୋଧମାନେ ବଢ଼ିଲେ । ସରଳମାନେ ଜଟିଳ ହେଲେ । ସରଳରେଖା ସବୁ ବକ୍ର ହେଇ ଟଣାହେଲେ । ଦରବଗୁଡ଼ାକ ବଢ଼ିବାରୁ ନିଜ ଲାଗି ସ୍ୱତନ୍ତ୍ର ବାଡ଼ ବସାଇବା ଦରକାର ପଡ଼ିଲା, କ୍ରମେ ବାଡ଼ମାନେ ପକ୍କା ପାଚେରୀରେ ପରିଣତ ହେଲେ । ଖରଚର ତହବିଲମାନେ ନାନା ଅନ୍ୟଆଡ଼େ ଓ ଅନ୍ୟ ମିଜାଜରେ ଲଟେଇ ଯିବାକୁ ଲାଗିଲେ, ବିଦ୍ୟାଳୟ ସତେଅବା ଗୋଟିଏ ଦୁର୍ଗରକ୍ଷକମାନେ ଦୁର୍ଗଟିକୁ ସୁରକ୍ଷିତ କରି ରଖିବା ଲାଗି ପାଚେରୀଗୁଡ଼ାକୁ ଅଧିକ ମୋଟା କରି ତିଆରି କଲେ । ଏଣିକି ସତେଅବା ସେଇଟାହିଁ ସେମାନଙ୍କର ମୁଖ୍ୟ ସାଧନା ହୋଇ ରହିଲା ଓ ସେହି ସାଧନାରୁ ଲବ୍‌ଧ ହେଉଥିବା ସିଦ୍ଧିଗୁଡ଼ାକ ସତେଅବା ସେମାନଙ୍କ ଲାଗି ପ୍ରୀତିର ମୁଖ୍ୟ କାରଣ ହୋଇ ରହିଲା । ସିଦ୍ଧିମୁହାଁ ମଣିଷମାନଙ୍କର ଅନ୍ଦାଜ ଓ ଅନୁମାନଗୁଡ଼ାକ ମଧ୍ୟ ଅନୁରୂପ ଭାବରେ ବଦଳି ଯାଇଥାଏ । ସେମାନେ ଆଉ ବାଟଟିକୁ ପ୍ରାୟ ମୋଟେ ଦେଖି ପାରନ୍ତି ନାହିଁ । କେବଳ ଦୁର୍ଗଟିକୁ ଦେଖନ୍ତି; ସେମାନେ ଯେଉଁଠାରେ ବା ଯେଉଁଯାଏ ଯାଇ ଠିକି ଯାଇଥା’ନ୍ତି, କେବଳ ସେତିକିକୁ ଦେଖନ୍ତି, ତାହାରି ଭିତରେ ସାଞ୍ଜୁ ପିନ୍ଧି ବୀରବେଶ ହୋଇ ବସିଥାନ୍ତି । ରୂପା ସାଞ୍ଜୁଗୁଡ଼ାକୁ ସୁନା ସାଞ୍ଜୁ କରିବାରେହିଁ ସେମାନଙ୍କର ସର୍ବାଧିକ ଶକ୍ତି ଓ ଶ୍ରଦ୍ଧାର ବିନିଯୋଗ ହେବାରେ ଲାଗିଥାଏ । ଦୁର୍ଗ ଭିତରେ ରହିଥିବା ମଣିଷ ବାଟରେ ଥିବା ମଣିଷମାନଙ୍କୁ ଦେଖିପାରେ ନାହିଁ । ସିଦ୍ଧିଲାଭ କରିସାରିଛି ବୋଲି ଏକ ଆତ୍ମସନ୍ତୋଷ ଲାଭ କରିସାରିଥିବା ମଣିଷ ସାଧନାର ଭାଷାଟିକୁ କ୍ରମେ ଭାରି ଅଲିଅଳ ଭାବରେ ପାସୋରି ପକାଏ । ତେଣିକି ସିଏ କେବଳ ବିଶେଷଜ୍ଞ ପରି ପରାମର୍ଶ ଦିଏ, ଧୁରନ୍ଧର ପରି ବହିର ବିଧାନଗୁଡ଼ିକ ବିଷୟରେ ଚେତାବନୀମାନ ଦେଉଥାଏ । ମାତ୍ର ଭାରି ସୂତର ଭାବରେ ଉଚ୍ଚରେ ରହିଥାଏ, ଅଲଗା ହୋଇ ରହିଥାଏ । ସିଏ ଆଉ ଜଞ୍ଜାଳକୁ ମନ କରେ ନାହିଁ, ପଛମାନଙ୍କୁ ମନ କରେ ନାହିଁ, ସାଙ୍ଗକୁ ମନ କରେ ନାହିଁ ।

 

ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଯେଉଁମାନେ ନୂତନ, ସେମାନେ ପ୍ରଥମକାଳୀନ ପରିସ୍ଥିତିଗୁଡ଼ିକ ସହିତ ଯୁଝିବାରେ ଲାଗିଛନ୍ତି । ସେମାନଙ୍କର ଏଇଟା ଥିଲେ ସେଇଟା ନାହିଁ ତ ସେଇଟା ଥିଲେ ଏଇଟା ନାହିଁ । ଅର୍ଥ ନାହିଁ, ସମ୍ୱଳ ନାହିଁ, ସେମାନେ ରାଜଧାନୀଠାରୁ ବହୁ ଦୂରରେ ରହିଛନ୍ତି । ଶିକ୍ଷକ ପୁଞ୍ଜିଏ ପାଇବେ ବୋଲି ବାର କଲବଲ ହେଉଛନ୍ତି । ଶିକ୍ଷକମାନଙ୍କର ବି ପିଚାକୁ ଅଣ୍ଟିଲେ ପେଟକୁ ନିଅଣ୍ଚ ହେଉଛି, ପେଟକୁ ଅଣ୍ଚିଲେ ପିଚାକୁ ନିଅଣ୍ଚ ହେଉଛି । ବିଦ୍ୟାଳୟରେ ଅତ୍ୟାବଶ୍ୟକ ସାଧନଗୁଡ଼ିକ ଏବେ ମଧ୍ୟ ସଜିଲ ହୋଇ ପାରୁନାହିଁ । ସମସ୍ୟା ପଡ଼ିଲେ ବୁଦ୍ଧି ଦେବାକୁ ଓ ନିଜ ଅନୁଭବରୁ ପାଞ୍ଚ ପଦ କହି ବଳ ଦେବାକୁ ହାତ ପାଆନ୍ତାରେ କେହି ନାହାନ୍ତି । ଉତ୍ସାହ ସିନା ଅଛି, ମାତ୍ର ସେହି ଉତ୍ସାହର ହାତଗୋଡ଼ ବୋଲି କିଛି ନାହିଁ । ସେମାନେ ପୁରାତନମାନଙ୍କଠାରୁ ସେଥିଲାଗି ନାନାଭାବେ ସହଯୋଗ ଆଶା କରୁଛନ୍ତି, ମାର୍ଗଦର୍ଶନ ମାଗୁଛନ୍ତି-। ଆନେକ ସମୟରେ ଦୁର୍ଗଗୁଡ଼ିକର ଦୁଆର ସେମାନଙ୍କ ପାଇଁ ବନ୍ଦ ହୋଇ ରହିଥିଲା ପରି ମନେ ହେଉଛି । ଅଥବା କଟୁଆଳମାନେ ବାଟ ଛାଡ଼ୁନାହାନ୍ତି, କଟୁଆଳମାନଙ୍କୁ ଆଖି ପାଉ ନାହିଁ-। ଏକାପେଟର ବଡ଼ ଭାଇ ବଡ଼ଲୋକ ହୋଇ ଭୁବନେଶ୍ୱରଠାରେ ନିଜର ଅଲଗା ଘର କରି ରହିଥିବା ପରି ମନେ ହେଉଛି । ବେଳେବେଳେ ମଉଚ୍ଛବଗୁଡ଼ିକ ସମୟରେ ଦେଖା ହୋଇଯାଉଛି ସତ, ମାତ୍ର ସେହି ଦେଖାରେ ଆଦୌ ପେଟ ପୂରୂ ନାହିଁ ।

 

ଇଏ ମଧ୍ୟ ଗୋଟାଏ ପ୍ରକାରର ପଳାୟନ । ନିଜେ ସିଦ୍ଧିଲାଭ କରିସାରିଲେଣି ବୋଲି ଧରିନେଇ ଅନ୍ୟମାନଙ୍କୁ କାଦୁଅ ଭିତରେ ଛାଡ଼ିଦେଇ ନିଜର ଫଳଗୁଡ଼ାକୁ କେବଳ ନିଜେ ଭୁଞ୍ଜିବା ରୂପକ ପଳାୟନ । ଅସଲ ତପସ୍ୟା ନିଜର ଫଳଗୁଡ଼ିକୁ କଦାପି ନିଜେ ଭୁଞ୍ଜେ ନାହିଁ । ଅସଲ ତପସ୍ୟାର ଫଳକୁ ତପସ୍ୱୀ ଏକା ଭୁଞ୍ଜିବ ବୋଲି କଦାପି କୌଣସି ଦୁର୍ଗର ଫିକର କରେ ନାହିଁ । ଅସଲ ତପସ୍ୱୀ ସମଗ୍ର ବିଶ୍ୱର କଲ୍ୟାଣ ଅର୍ଥାତ୍ ପରିବର୍ତ୍ତନ ଲାଗି ତପସ୍ୟା କରେ । ସତତ ତପସ୍ୱୀ ଅଧିକରୁ ଅଧିକ ପରିମାଣରେ ସମସ୍ତଙ୍କର କାମରେ ଲାଗେ । ଅସଲ ବନ୍ଧୁ ଆପଣାର ସଙ୍ଗୀ ସହଧର୍ମୀମାନଙ୍କୁ ଛାଡ଼ି କଦାପି କୁଆଡ଼େ ପଳାଇ ଯାଏ ନାହିଁ । ମାଆଙ୍କର କଥା ଅନୁସାରେ ଏହି ପଳାଇବାର ସହସ୍ର ସହସ୍ର ବାଟ ରହିଛି । ପଳାଇବାର ସପକ୍ଷରେ ସହସ୍ର ସହସ୍ର କୈଫିୟତ୍ ମଧ୍ୟ ରହିଛି । ଏସବୁ ସେହି ପୁରୁଣା ପୃଥିବୀଟାର ଭାରି ଦେହସୁହା ହୋଇଯାଇଥିବାର କଥା । ଆମେ ଯେଉଁମାନେ ନିଜର ତପସ୍ୟା ଦ୍ୱାରା ପୃଥିବୀଟିକୁ ଏକ ନୂଆ ଆସ୍ଥାନ ରୂପେ ଗଢ଼ିବାକୁ ଏକତ୍ର ହୋଇ ବାହାରିଛେ, ଆମର ଧର୍ମ ଅନ୍ୟ ପ୍ରକାରର ହୋଇପାରୁଥିବା ଉଚିତ । ସିଦ୍ଧିଗୁଡ଼ାକ ଗୋଟିଏ ବା ଦୁଇଟି ବିଦ୍ୟାଳୟର କୃପଣ ଦୁର୍ଗରେ ପରିଣତ ହୋଇ ରହିଥିବା ପର୍ଯ୍ୟନ୍ତ ନୂତନ ଶିକ୍ଷାର ମାଧ୍ୟମ ଦ୍ୱାରା କୌଣସି ପ୍ରକୃତ ପରିବର୍ତ୍ତନ ଘଟାଇବା ସମ୍ଭବ ହେବ ନାହିଁ । ଅନମନୀୟ ଦୁର୍ଗମାନେ ପାଚେରୀଗୁଡ଼ାକୁ, ବ୍ୟବଧାନଗୁଡ଼ାକୁହିଁ ସିଦ୍ଧିର ଅସଲ ସନ୍ତକ ବୋଲି ଜ୍ଞାନ କରୁଥା’ନ୍ତି । ପ୍ରକୃତ ବନ୍ଧୁ ନମନୀୟ ହୋଇଥାଏ, ଏକାବେଳେକେ ପାଖରେ ଓ ସାଙ୍ଗରେ ଥିଲା ପରି ମନେ ହେଉଥାଏ ।

 

ମାଆଙ୍କର କଥାକୁ ସମ୍ପୂର୍ଣ୍ଣ ଭାବରେ କହିଲେ, ପଳାଇବାର ସହସ୍ର ପଥ ରହିଛି, ମାତ୍ର ତିଷ୍ଠି ରହିବା ନିମନ୍ତେ କେବଳ ଗୋଟିଏ ପଥ । ସେହି ପଥ ହେଉଛି ସାହସର ପଥ, ସହିଷ୍ଣୁତାର ପଥ । ଯଥାର୍ଥ ସାହସ ଓ ସହିଷ୍ଣୁତା ଶକ୍ତିହୀନତା, ଅସହାୟତା ଓ ଅବୋଧ୍ୟତାର ଯାବତୀୟ ପ୍ରତିଭାସକୁ ଗ୍ରହଣ କରିନିଏ । ଏପରିକି ତାହା ପରମ ସତ୍ୟପରି ପ୍ରତୀତ ହେଉଥିବା ଯାବତୀୟ ଅସ୍ୱୀକୃତିକୁ ମଧ୍ୟ ଗ୍ରହଣ କରିନିଏ । ମାତ୍ର କଦାପି ପଳାଇ ଯାଏ ନାହିଁ । ସେଗୁଡ଼ିକର ସମ୍ମୁଖୀନ ହୁଏ । ମାଆ ଆହୁରି ବ୍ୟାଖ୍ୟା କରି କହିଛନ୍ତି ଯେ, ଏହାକୁ ଗ୍ରହଣ ନକଲେ ଓ ଏହାର ସମ୍ମୁଖୀନ ନହେଲେ ଏହା କେବେହେଲେ ବଦଳି ଯାଇ ପାରିବ ନାହିଁ । ତା’ପରେ କେଡ଼େ ସ୍ପଷ୍ଟ ଭାବରେ ମାଆ ଗାର କାଟି ଦେବା ପରି କହୁଛନ୍ତି, Those who want to remain great, luminous, strong, powerful and so on and so forth, let them stay up there, they can not do anything for the earth. ଓଡ଼ିଆରେ ଅନୁବାଦ କରି କହିଲେ, ଯେଉଁମାନେ ବଡ଼ ହୋଇ ରହିବାକୁ ଇଚ୍ଛା କରୁଛନ୍ତି, ଉଜ୍ଜ୍ୱଳ, ବଳବାନ, ଶକ୍ତିଶାଳୀ ଏବଂ ଆହୁରି କ’ଣ ନା କ’ଣ ହୋଇ ରହିବାକୁ ଇଚ୍ଛା କରୁଛନ୍ତି, ସେମାନେ ସେହିପରି ଭାବରେ ଉପରେ ରହିଲେ ରହିନ୍ତୁ ପଛକେ, ମାତ୍ର ସେମାନେ ଏହି ପୃଥିବୀ ଲାଗି ଆଦୌ କୌଣସି କାର୍ଯ୍ୟ କରିପାରିବେ ନାହିଁ । (ତତ୍ରୈବ)

 

ସିଦ୍ଧି ଓ ସଫଳତାଗୁଡ଼ାକ କେବଳ ନିଜ ପାଇଁ ହୋଇ ରହିଥିବା ଯାଏ ମଣିଷମାନଙ୍କ ଦ୍ୱାରା ସଂସାରର ପ୍ରକୃତରେ ଆଦୌ କିଛି ହୋଇପାରେ ନାହିଁ । ସେମାନେ ବଡ଼ରୁ ଆହୁରି ବଡ଼ ହୁଅନ୍ତି, ଉଜ୍ଜ୍ୱଳତାରେ ଦଶଦିଗ ଝଲସାଇ ଦେଉ ଥଆନ୍ତି, କେତେ ବଳ ଏବଂ କେତେ ଶକ୍ତିର ପେଣ୍ଠ ହୋଇ ରହିଥା’ନ୍ତି-କେତେ ପ୍ରତାପ ହାସଲ କରିଥା’ନ୍ତି ସତ,–ମାତ୍ର ସେମାନେ ଏଠି କୌଣସି କାମରେ ମୋଟେ ଲାଗି ପାରନ୍ତି ନାହିଁ । ଦୂରରେ ରହିଥା’ନ୍ତି, ଉପରେ ରହିଥାନ୍ତି, ଆପଣା ସିଦ୍ଧି ଓ ସମ୍ପନ୍ନତାରେ ଅଧିକ ହୋଇ ରହିଥା’ନ୍ତି ଓ ଅଲଗା ହୋଇ ରହିଥା’ନ୍ତି । ଆମ ଏ ଆଡ଼କୁ ଆସିବା ଲାଗି ଆଦୌ ମନ କରୁ ନଥା’ନ୍ତି । ଏସବୁ କେବଳ ସେହି ପୁରୁଣା ଦୁର୍ଭାଗ୍ୟର କାହାଣୀଗୁଡ଼ିକୁ ଦୋରସ୍ତ କରି ରଖିବାରେ ସାହାଯ୍ୟ କରୁଥାଏ । ସିଦ୍ଧମାନେ ମଡ଼େଲ ହୋଇ ରହିଥାଆନ୍ତି । ନିଜ ନିଜର ଦୁର୍ଗ ଭିତରେ ରହିଥାଆନ୍ତି ।

 

ଆମେ ସେପରି କୌଣସି ଦୁର୍ଗତି ଆଡ଼କୁ ମନ ବଳାଇବା ନାହିଁ । ଆମେ ପରସ୍ପରକୁ ଲୋଡ଼ିବା । ଆଗାମୀ ଯେଉଁ ସଂସାରଟି ପ୍ରକୃତରେ ସମ୍ଭବ ହେବ ବୋଲି ଆମେ ପରସ୍ପର ସହିତ ସମ୍ମିଳିତ ହୋଇଛୁ, ସେହି ସଂସାରରେ ସମସ୍ତେ ସମସ୍ତଙ୍କୁ ଲୋଡ଼ିବେ, କେହି କାହାକୁ ଛାଡ଼ି ପଳାଇ ଯିବେ ନାହିଁ । କେହି ଅନ୍ୟମାନଙ୍କଠାରୁ ବଡ଼ ବା ଅଧିକ ହୋଇ ଦେଖାଯିବେ ବୋଲି ସାଙ୍ଗ ଛାଡ଼ି ଉପରକୁ ପଳାଇବେ ନାହିଁ । ଆପଣାର ସମସ୍ତ ଅର୍ଜନକୁ ସେମାନେ କେବଳ ନିଜର ବୋଲି ଦେଖାଇ ହେବେ ନାହିଁ । ଆପଣାର ଅନୁଭବ ଓ ଅଭିଜ୍ଞତାଗୁଡ଼ିକରୁ ମଧ୍ୟ ଆଉ ସମସ୍ତଙ୍କୁ ଭାଗ ଦେବେ । ମୋଟେ ବଡ଼ ହୋଇ ଦିଶୁ ନଥିବେ କିମ୍ୱା କିମ୍ବା ବାବୁ ହୋଇ ଦିଶୁ ନଥିବେ । ତେବେ ଯାଇ ପୁରାତନମାନେ ନୂତନମାନଙ୍କୁ ସାହାଯ୍ୟ କରିପାରିବେ । ତେବେ ଯାଇ ସଂସାରରେ ଆମର ବହୁ ଈପ୍‌ସିତ ସେହି ଅସଲ ସଂକ୍ରମଣଟି ସମ୍ଭବ ହେବ । ସେହି ସଂକ୍ରମଣରୁ ଏପରି ଏକ ଶକ୍ତିଶାଳୀ ରସାୟନ–ପ୍ରକ୍ରିୟା କାର୍ଯ୍ୟକାରୀ ହେବ, ଯାହାକି ପରିବର୍ତ୍ତନ ଆଡ଼କୁ ବାଟ ଦେଖାଇ ନେଇଯିବ । ତେଣୁ ଅଧିକ ସାମଗ୍ରୀ ଠୂଳ କରି ଆପଣାର ଉଦ୍ୟମଟିକୁ ସତେଅବା ଏକ ଜଟିଳ ଦୁର୍ଗ ପରି ଦେଖାଇ ଆମେ ଆଦୌ କୌଣସି ଦୂରତାର କାରଣ ହେବା ନାହିଁ । ଆମେ ସହଜ ହେବା,–ସହଜ ହୋଇ ନେଇ ପାରୁଥିବା ଓ ସହଜ ହୋଇ ଦେଇ ପାରୁଥିବା । ଯେଉଁ ଆତ୍ମୀୟତାଟି ବୃଦ୍ଧି ପାଇଲେ ଜଣେ ମଣିଷ ପରସ୍ପର ପାଖରେ ପ୍ରକୃତରେ ସହଜ ହୋଇପାରେ, ଅକୃପଣ ଓ ଅକୃତ୍ରିମ ମଧ୍ୟ ହୋଇପାରେ, ଆମେ ସମସ୍ତେ, ବିଶେଷତଃ ଅପେକ୍ଷାକୃତ ପୁରୁଣାମାନେ, ସେହି ଆତ୍ମୀୟତାର ଭାଜନ ଅବଶ୍ୟ ହେବା । ତେବେ ଯାଇ ଅସଲ ଗତିଶୀଳତାଗୁଡ଼ିକର କାରଣ ମଧ୍ୟ ହୋଇପାରିବା ।

 

ପଳାଇ ନଯିବା ପାଇଁ, ସତକୁସତ ପରସ୍ପରର ଆତ୍ମୀୟ ହୋଇ ରହିବା ପାଇଁ ଆହୁରି ଅଧିକ ସାହସ ଦରକାର, ଆହୁରି ଅଧିକ ସହିଷ୍ଣୁତା ଦରକାର । ତେବେଯାଇ ଆମେ ଆମ ସମସ୍ତଙ୍କ ଆଗରେ ଆସି ଉପସ୍ଥିତ ହେଉଥିବା ପ୍ରତିକୂଳ ପରିସ୍ଥିତିଗୁଡ଼ିକର ଶକ୍ତିଶାଳୀ ଭାବରେ ସମ୍ମୁଖୀନ ହୋଇପାରିବା । ତେବେ ଯାଇ ଏକ ନୂତନ ଦିଗ ବାହାର କରିବାର ଯୋଗ୍ୟ ହୋଇ ପାରିବା । ନହେଲେ, ଆମର ଅମାରଗୁଡ଼ାକ ଯେତିକି ବଡ଼ ହେବାରେ ଲାଗିଥିବ, ଆମ ଦୃଷ୍ଟି ଭିତରେ ମଧ୍ୟ ସେତିକି ଅଧିକ ଗ୍ରନ୍ଥିଲତାମାନ ସୃଷ୍ଟି ହେବାରେ ଲାଗିଥିବ ଓ ଆମେ ପ୍ରାୟ ସେତିକି ଅଧିକ ଆତ୍ମବିସ୍ମୃତତା ସହିତ ପୁରୁଣା ଗୁଳା ଗୁଡ଼ାକରେ ମିଶିଯିବାରେ ଲାଗିଥିବା । ପୁରୁଣା କାରବାର ଭିତରେ ଅଧିକରୁ ଅଧିକ ଡୁବି ଯାଉଥିବା । କେଡ଼େ ମୋଟା ହୋଇ ଦିଶୁଥିବା, ତଥାପି ଅସଲ କାମରେ ମୋଟେ ଲାଗିପାରୁ ନଥିବା । ଆମ ଅସଲ ଶକ୍ତି ଓ ନିର୍ଭୟତାର ଘରମାନଙ୍କରେ ଅତ୍ୟନ୍ତ ଅସହାୟ ଭାବରେ ହାରି ହାରି ଯାଉଥିବା ।

 

ଜାନୁଆରୀ, ୧୯୮୭

☆☆☆

 

ପ୍ରୟୋଗରୁ ପ୍ରମାଦ

 

ଓଡ଼ିଶାରେ ଯେତେବେଳେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକ ଆରମ୍ଭ ହେଲା ଓ ଆମେ ଆମର ଏହି ନୂତନ ସ୍ୱପ୍ନୋଦ୍ୟମଗୁଡ଼ିକୁ ନେଇ ସରକାରଙ୍କର ଦ୍ୱାରସ୍ଥ ହେଲୁ, ସେତେବେଳେ ସରକାର ଆମକୁ ମୋଟେ ଚିହ୍ନିପାରିଲେ ନାହିଁ । ଶିକ୍ଷାଳୟ ନାମରେ ସରକାରଙ୍କ ଘରେ ଯେତେ .ଯେତେ ମାର୍କା ରହିଥିଲା, ଆମେ ତ ସେହି ମାର୍କାଗୁଡ଼ିକ ମଧ୍ୟରୁ କୌଣସିଟି ସହିତ ଖାପ ଖାଇ ପାରୁ ନଥିଲୁ, ତେଣୁ ସରକାର ଆମକୁ ଚିହ୍ନି ପାରିଲେ ନାହିଁ । ଆମର ସଂଖ୍ୟା ବଢ଼ିଲା, ଆମର ଶିକ୍ଷା କେନ୍ଦ୍ରଗୁଡ଼ିକ ସହରରୁ ଗାଆଁକୁ ବ୍ୟାପିଲା,–ସତେଅବା ଏକ ନୂତନ ତରଙ୍ଗ ପରି ଆସି ତାହା ଆମ ନିଜକୁ ମଧ୍ୟ ଅବାକ୍ କରିଦେଲା । ଆମେ ଅଧିକ ହେବାରୁ ସରକାରଙ୍କ ଆଖି ମଧ୍ୟ କ୍ରମେ ଆମ ଉପରେ ଆସି ପଡିଲା । ସରକାରଙ୍କ ଘରେ ଥିବା ଜଣେ ଭଲ ହାକିମ ଆମକୁ ହୁଏତ କିଞ୍ଚିତ୍ ସହାନୁଭୂତି ଦେଖାଇବା ଭଳି ଆମ ଆଡ଼କୁ ଚାହିଁଲେ । ଆମେ ସତକୁସତ ଏହି ଶିକ୍ଷାଳୟଗୁଡ଼ିକର ମାଧ୍ୟମରେ କ’ଣ କରିବାକୁ ଯାଉଛୁ, ସେକଥା ଭଲକରି ତଲାସି ସନ୍ଧାନ ପାଇବା ପୂର୍ବରୁ ମଧ୍ୟ ସେମାନେ ଆମ ପ୍ରତି କିଛି ସହାନୁଭୂତି ପ୍ରକାଶ କଲେ । ଆମେ ଭଲ କାମ କରୁଛୁ ବୋଲି କହିଲେ । ଆମେ ଡାକିଲେ ଆମ ଘରକୁ ଆସିଲେ । ଆମକୁ ଖୁସୀ କରିବା ଭଳି ଆମ ସ୍କୁଲଗୁଡ଼ିକ ବିଷୟରେ କେତେ ଭଲ କଥା କହିଲେ । ପ୍ରଚଳିତ ଅପଦ୍ଧତିଗୁଡ଼ାକ ଦ୍ୱାରା ଶିକ୍ଷାର କ୍ଷେତ୍ରରେ ଯେଉଁସବୁ ଅଶିକ୍ଷିତ ବ୍ୟାପାରମାନ ହେଉଛି ଏବଂ ଘଟୁଛି, ଆମର ନୂତନ ବିଦ୍ୟାଳୟଗୁଡ଼ିକ ସେଗୁଡ଼ିକ ପାଇଁ ଏକ ବିକଳ୍ପ ଯୋଗାଇଦେଇ ପାରିବ ବୋଲି ସେମାନେ ଆମକୁ ଉତ୍ସାହ ଦେଇ ଆମ ସଭାମାନଙ୍କରେ କେତେ କ’ଣ କହିଗଲେ ।

 

ଆମର ସାହାଯ୍ୟ ଲୋଡ଼ା ଥିଲା, ଆମ ପ୍ରତି ସହାନୁଭୂତିଶୀଳ ରହିଥିବା ସରକାର ବି ଆମକୁ ସାହାଯ୍ୟ କରିବାକୁ ଇଚ୍ଛା କରୁଥିଲେ । ଏହିପରି ଭାବରେ ତାଙ୍କ କଚେରୀମାନଙ୍କରେ ଆମର ଭେଟାଭେଟି ହେଲା । ଆମକୁ କେଡ଼େ ଖୁସୀ ଲାଗିଲା । ଆମରି ଭିତରୁ କେତେଜଣ ଏଥିରେ ବିଶେଷ ଉତ୍ସାହ ସହିତ ଅଗ୍ରଗାମୀ ହୋଇ ବାହାରିଲେ । ସରକାରଙ୍କର ସାହାଯ୍ୟରେ ଆମେ ଅଧିକ ତ୍ୱରାନ୍ୱିତ ଭାବରେ ଶିକ୍ଷାର ଏହି ନୂତନ ବାଟଟିକୁ ଚାଲିପାରିବୁ ବୋଲି ଆମ ଭିତରେ ମଧ୍ୟ କ୍ରମେ ଏକ ପ୍ରତ୍ୟୟ ଜନ୍ମଲାଭ କଲା । ସେହି ପ୍ରତ୍ୟୟଟିର ଖିଅ ଉପରେ ବସି ଆମର କାରିନ୍ଦାମାନେ ଆମକୁ କେଡ଼େ ବାଗରେ ଯେ ସରକାରଙ୍କ ସହିତ ନେଇ ବାନ୍ଧିଦେଲେ, ସେକଥା ଆମେ ଜାଣି ବି ପାରିଲୁ ନାହିଁ । ଗୁଡ଼ ଖାଉଖାଉ ତେଣେ ଯେମିତି କାନଫୋଡ଼ା ହୋଇଯାଏ ଓ ଗୁଡ଼ ଖାଉଥିବା ବାଳକଟି ଯେପରି କାନରେ ଛୁଞ୍ଚି ଗଳୁଛି ବୋଲି କିଛି ଜାଣିପାରେ ନାହିଁ, ଏକଥା ପ୍ରାୟ ସେହିପରି ହେଲା । ଆମ ଶିକ୍ଷାକେନ୍ଦ୍ର ଓ ସେଗୁଡ଼ିକୁ ନେଇ ଆମର ଯେ ଏକ ବିଶେଷ ଭବିଷ୍ୟଚିତ୍ର ରହିଛି, ଆମେ ଯେ ପ୍ରଚଳିତ ଅଚଳନ୍ତିଗୁଡ଼ିକୁ ବଦଳାଇ ଆଉ କିଛି କରିବା ଲାଗି ବାହାରିଛୁ, ସରକାର ଏ ବିଷୟରେ କିଛି ଜାଣିପାରିଲେ ନାହିଁ । ହୁଏତ ଜାଣିବାର ଆବଶ୍ୟକତା ମଧ୍ୟ ନଥିଲା । ଆଖୁ ପେଡ଼ିବା ହେଉଛି ଆଖୁ ପେଡ଼ୁଥିବା କଳର କାମ; ସିଏ ଆଖୁର ଖବର କାହିଁକି ରଖିବାକୁ ଯିବ ?

 

ଯହୁଁ ଯହୁଁ ଆମର ସଂଖ୍ୟା ବଢ଼ିଲା, ଅଧିକରୁ ଅଧିକ ଜିଲ୍ଲାରେ ଆମର ଏହି ନୂତନ ଅଭିକ୍ରମଟିର ଚେର ମାଡ଼ିବାକୁ ଆରମ୍ଭ କଲା, ସରକାର ଆମକୁ ଏକ ନାଆଁ ଦେଇ ଚିହ୍ନିବାକୁ ମନ କଲେ । ନାଆଁ ଦେଇ ଚିହ୍ନିବା ଅର୍ଥାତ୍ କୌଣସି ଚିହ୍ନା ବାଡ଼ି ପକାଇ ଚିହ୍ନିବା । ଆମେ ସରକାରଙ୍କର କୌଣସି ଚିହ୍ନା ବାଡ଼ିରେ ମପା ହୋଇ ପାରିଲୁ ନାହିଁ । ସରକାର କେତେଦିନ ଭାରି ଅଡ଼ୁଆରେ ପଡ଼ିଲେ । ସରକାରୀ ଶିକ୍ଷାଘରର କନିଷ୍ଠବଳମାନେ ଅଧିକ ଅଡ଼ୁଆରେ ପଡ଼ିଲେ । ଆମ ପାଇଁ ତାଙ୍କ ବହିରେ ଗୋଟାଏ ନାଆଁ ଖୋଜାଗଲା । ଏବଂ ଖୋଜୁ ଖୋଜୁ ଗୋଟାଏ ନାଆଁ ମିଳି ବି ଗଲା-। ଯାହାକୁ ପରିଚିତ ଓ ପ୍ରଚଳିତ କୌଣସି ଖୋପରେ ପକାଇ ନହେବ, ତାହାକୁ experimental School ବୋଲି ଯେ କୁହାଯାଇ ପାରିବ, ସେକଥା ବହିମାନଙ୍କରୁ ମିଳିଲା-। ସରକାର ଆମକୁ ସେହି ନାମ ଦେଲେ । ଅଥଳ ଜଳରେ ସତେଅବା କାତ ପାଇଯିବା ପରି ଅନୁଭବ କଲେ । ଆମର ପ୍ରୟୋଗ-କ୍ଷେତ୍ରଟି ଯେତେ ଅଥଳ ହୋଇଥିଲେ ମଧ୍ୟ ତଥାପି ଯେମିତି ମନ ସେମିତି ସେଥିକୁ ସରକାରଙ୍କର କାତ ପାଇଯାଉ ବୋଲି ଆମମାନଙ୍କ ଭିତରୁ ଯେଉଁମାନେ ଠାକୁରଙ୍କୁ ଡାକୁଥିଲେ, ସେମାନେ ସତେଅବା ଏକ ବୃହତ୍ ସିଦ୍ଧିଲାଭ କଲାଭଳି ଅନଭବ କଲେ-। ଅତି ଉତ୍ସାହରେ ସେମାନେ ହୁଏତ ଏପରି ଅନୁଭବ କରୁଥିଲେ ଯେ, ଆମ ପାଖରେ ଡଙ୍ଗାଟିଏ ଥିଲେ ସରକାର ନିଜେ କାତମାରି ତାହାକୁ ଅବଶ୍ୟ ଆମର ଠିକଣା ଲକ୍ଷ୍ୟକୁ ନେଇଯାଇ ପାରିବେ-। କାତୁଆମାନଙ୍କ ସହିତ ସୁସମ୍ପର୍କ ରଖିବା ନିମନ୍ତେ ଆମ ଘରେ ନୂଆ ସିରସ୍ତାଟିଏ ବସିଲା-। ନୂଆ କାଗଜପତ୍ରର ବିପଣିଟିଏ ଖୋଲାହେଲା । ଓଡ଼ିଶାରେ ଯେତେ ଶିକ୍ଷାକେନ୍ଦ୍ର ଥିଲେ, ଆମେ ସମସ୍ତଙ୍କୁ ଗୋଟିଏ ପଘାରେ ବାନ୍ଧି ଠିକଣା ହାତରେ ଆଣି ହାବୁଡ଼େଇ ଦେଲୁ । ଏହିପରି ଭାବରେ ମେରିଖୁଣ୍ଟରେ ଆସି ସମସ୍ତେ ବାନ୍ଧିହୋଇ ରହିଲେ, ଆମ କ୍ଷେତରେ ଯାହା କିଛି ଫଳୁ ବା ନଫଳୁ ପଛକେ, ଆମକୁ ଅଧିକ ଧାନ ଅବଶ୍ୟ ମିଳିଯିବ ବୋଲି ଆମର ମନରେ ଏକ ପ୍ରତ୍ୟୟ ମଧ୍ୟ ଭାରି ଆଣ୍ଚର ସହିତ ଆମକୁ ମାଡ଼ି ବସିଲା ।

 

ଆମେ ସମସ୍ତେ Experimental ହେଲୁ, ଅନାମିକାମାନେ ନାମ ପାଇଗଲେ । ଯେଉଁ ବ୍ରାହ୍ମଣଶାସନରୁ ଏହି ନାମଟି ଆସି ଆମକୁ ଅପାଂକ୍ତେୟ ହୋଇ ରହିବାର ଦୋଷରୁ ମୁକ୍ତ କଲା, ତାହାରି ପାଖରେ ଆମେ ଶୁଦ୍ରଭାବରେ କେତେ କୃତଜ୍ଞ ହୋଇ ରହିଲୁ । କ୍ରମେ ଅଧିକରୁ ଅଧିକ କୃତଜ୍ଞ ହୋଇ ରହିବାକୁ ଇଚ୍ଛା କଲୁ । ଆଗରୁ ଯେଉଁସବୁ କଥାରେ ହୁଏତ ମୋଟେ ମଙ୍ଗିନଥାନ୍ତୁ, ଏଣିକି କ୍ରମେ ଅଧିକ ଆଗ୍ରହର ସହିତ ମଙ୍ଗିଯିବାକୁ ବାହାରିଲୁ । ତାଙ୍କରି ବରାଦ ଅନୁସାରେ ଆମର କାଗଜପତ୍ରଗୁଡ଼ିକୁ ତିଆରି କରି ରଖିଲୁ । ସେମାନେ ବି କାଗଜରେ କେଡ଼େ ଆନନ୍ଦରେ ରାଜୀ ହୋଇ ଯାଉଥିବା ପରି ମନେହେଲେ । ସେମାନଙ୍କର ଅସଲ ରୀତିଗୁଡ଼ିକୁ ଗୋଟାସୁଦ୍ଧା ବୁଝୁଥିବାର ଏକ ଆତ୍ମପ୍ରତାରଣାକାରୀ ପ୍ରଜ୍ଞାକୁ କାମରେ ଲଗାଇ ଆମେ ପ୍ରକୃତରେ କିଛି ନଥିଲେ ମଧ୍ୟ କାଜଗପତ୍ରରେ ସବୁ ଅଛି ବୋଲି ଲେଖି ସେମାନଙ୍କୁ ଦେଖାଇଲୁ, ସ୍ୱୀକୃତ ହେଲୁ-। ଯେଉଁଠାରେ ଚାରିଟା ଅଛି, ସେଠାରେ ଚଉଦଟା ଅଛି ବୋଲି ଦେଖାଇ ପାରିଲେ କେଡ଼େ ଅଧିକ ଭଲ ହୁଅନ୍ତା ବୋଲି ମନରେ ବେଳେବେଳେ ପାଞ୍ଚମାନ ମଧ୍ୟ ଆସିଲା । ଭିତରେ ସ୍ୱପ୍ନଗୁଡ଼ିକ ମାଡ଼ ଖାଇଗଲେ । ଆମେ ଅଧିକରୁ ଅଧିକ ପରିମାଣରେ ଆମ ନିଜ ଅକ୍ତିଆରରେ ନରହି ତାଙ୍କ ଅକ୍ତିଆରରେ ରହିବାକୁ ମନ କଲୁ । ନିଜର ନହୋଇ ସତେଅବା ଆଉ କାହାରି ହେବାକୁ ଅଧିକ ଉଷତ ହୋଇ ବାହାରିଲୁ. । ଆମର ପୁରାତନ ସମ୍ପର୍କଗୁଡ଼ାକ ମାଡ଼ ଖାଇଗଲା ପଛକେ, ତଥାପି ଆମେ ସେଥିଲାଗି ଦୁଃଖିତ ହେଲୁ ନାହିଁ । ଆମ ଶିକ୍ଷାକେନ୍ଦ୍ରମାନଙ୍କରେ ରହିଥିବା ଶିକ୍ଷକ/ଶିକ୍ଷୟିତ୍ରୀ ଆମକୁ ସତେଅବା ଆମେ ହାଟରୁ କିଣି ଆଣିଥିବା ଏତେଟା ବଳଦ ପରି ଲାଗିଲେ, ବଳଦ ଅମଙ୍ଗ ହେଲେ ତାକୁ ବିକି ନୂଆ ବଳଦଟାଏ କିଣାଯାଇ ପାରିବ, ଆମର ମନ ଭିତରେ କ୍ରମେ ଏହିସବୁ ଦମ୍ଭ ବେଶ୍ ସ୍ଥାନ ପାଇବାକୁ ଲାଗିଲା । ସରକାର ଆମକୁ Experiment ବୋଲି କହିଲେ, ସେହି ନାମରେ ଆମକୁ ଅର୍ଥ ସାହାଯ୍ୟ ଦେଲେ । ଏବଂ ଏଣେ ଆମ ପ୍ରୟୋଗର ପଥଟିକୁ ଆମେ ଅଧିକରୁ ଅଧିକ ଉତ୍ସାହର ସହିତ ହୁଡ଼ିଲୁ । ଉତ୍ସାହଟି ଅନ୍ୟଆଡ଼କୁ ମୁହାଁଇଲେ ମଣିଷର ଯେଉଁ ଦଶା ହୁଏ, ଆମର ପ୍ରାୟ ସେହିପରି ହେବାକୁ ବସିଲା । ଆମକୁ Experiment ବୋଲି କାଗଜପତ୍ରରେ କୁହା ନଯାଉଥିବା ସମୟରେ ଆମେ ପ୍ରକୃତରେ କିଛି ନା କିଛି ପ୍ରୟୋଗ କରୁଥିଲୁ-। ଆମେ ବିଦ୍ୟାଳୟରୂପୀ ଘରଟି ସତକୁସତ ସମଧର୍ମ୍ମୀମାନଙ୍କର ଘର ସଦୃଶ ଲାଗୁଥିଲା-। ସେତେବେଳେ ଆମେ ପରସ୍ପର ସହିତ ଅଧିକ ସହଜରେ ଏକାଠି ବସି ପାରୁଥିଲୁ, ଅଧିକ ନିଶ୍ଚଳ ଭାବରେ ପରସ୍ପରକୁ ହିମ୍ମତ ଦେଇ ପାରୁଥିଲୁ । ମାତ୍ର ଆମକୁ Experiment ବୋଲି ସ୍ୱୀକାର କରାଯିବା ପରେ ଆମେ ସରକାରଙ୍କର କାଗଜ ଓ ଛାଞ୍ଚଗୁଡ଼ିକ ସହିତ ଅଧିକରୁ ଅଧିକ ପରିମାଣରେ ଖାପ ଖାଇଯିବାକୁ ମନ କଲୁ; ଅଲଗା ହୋଇ ଦେଖାଯିବାକୁ ହୁଏତ କିଞ୍ଚିତ୍ ଭୟ ମଧ୍ୟ କଲୁ । କାତୁଆଳ କାତ ଛାଡ଼ିଦେଲେ, ଅନୁଗ୍ରହକାରୀ ତା’ ଅନୁଗ୍ରହକୁ ପ୍ରତ୍ୟାହାର କରିନେଲେ କାଳେ ପୁନର୍ବାର ଆମ ନିଜକୁ ହିଁ କାତ ଧରିବାକୁ ପଡ଼ିବ ଏବଂ ତଦ୍ଦ୍ୱାରା ସେହି ପୁରାତନ ହୀନସ୍ତାମାନ ଆରମ୍ଭ ହୋଇଯିବ, ଆମକୁ ହୁଏତ ସେହି ଭୟଟା କେଡ଼େ ବଡ଼ ହୋଇ ଦେଖାଗଲା-

 

ଶିକ୍ଷାର କ୍ଷେତ୍ରରେ ଦୁଇପ୍ରକାର ପ୍ରୟୋଗର କଳ୍ପନା କରା ଯାଇପାରେ । ଗୋଟିଏ ପ୍ରୟୋଗ ହେଉଛି ଯେ, ଅନ୍ତିମ ଲକ୍ଷ୍ୟ ବିଷୟରେ ଆମେ ସ୍ପଷ୍ଟ ଭାବରେ ସେପରି କିଛି ଜାଣି ନାହୁଁ । ତେଣୁ ପ୍ରୟୋଗ କରୁଛୁ ଏବଂ ଏହିପରି ଭାବରେ ଯାଉ ଯାଉ ଯେଉଁଠାରେ ପହଞ୍ଚିଯିବୁ, ଆମେ ତାହାକୁ ଆମର ଲକ୍ଷ୍ୟ ବୋଲି କହିବୁ । ତେଣୁ ଯାହା ହେବ, ତାହା ଆକସ୍ମିକ ଭାବରେ ହେବ । ପ୍ରୟୋଗଗୁଡ଼ିକ ମଧ୍ୟରୁ ଆମକୁ ତାତ୍କାଳିକ ଭାବରେ କେଉଁଟି ଅଧିକ ସଫଳତା ଦେଉଛି ଅଥବା ଆଉ କେଉଁଟି କମ୍ ସଫଳତା ଦେଉଛି, ସେହିପରି ଏକ ତରାଜୁରେ ଓଜନ କରି ଆମେ ପ୍ରଯୋଗଗୁଡ଼ିକର ଠିକ୍ ଭୁଲ୍ ନିର୍ଣ୍ଣୟ କରୁଥିବୁ । ଏପରି ବି ହୋଇପାରେ ଯେ ଆମର ଏହି ପ୍ରୟୋଗଟି ସମ୍ପୂର୍ଣ୍ଣ ଭାବରେ ମାଡ଼ ବି ଖାଇ ଯାଇପାରେ । ସେହିଭଳି ପରିସ୍ଥିତିରେ ଆମେ ଏ ପ୍ରୟୋଗଟିକୁ ଛାଡ଼ିଦେବୁ ଓ ଆଉ ଗୋଟିଏ ପ୍ରୟୋଗକୁ ଆରମ୍ଭ କରିବୁ । ଅର୍ଥାତ୍ ଯେଉଁ ପ୍ରୟୋଗଟିର ପକ୍ଷରେ ପରିସ୍ଥିତିଗତ ଅଧିକ ଅନୁକୂଳତା ରହିଥିବ, ଶେଷରେ ସେହି ପ୍ରୟୋଗଟିହିଁ ଜିତିବ, ଆଉମାନେ ରହିଯିବେ । ଆମେ ସଫଳଟିର ପକ୍ଷରେ ରହିଥିବା, ତେଣୁ ଅବଶ୍ୟ ଲାଭବାନ୍ ହେଉଥିବା ।

 

ଅନ୍ୟ ପ୍ରୟୋଗଟିରେ ଲକ୍ଷ୍ୟ ସ୍ଥିର ହୋଇ ସାରିଥାଏ । ଆମେ ଅଧିକରୁ ଅଧିକ ଯୋଗ୍ୟ ହେବା ସଙ୍ଗେ ସଙ୍ଗେ ତାହା ଅଧିକରୁ ଅଧିକ ସ୍ପଷ୍ଟହୋଇ ଦେଖା ଯାଉଥାଏ । ଝରକାଗୁଡ଼ିକୁ ଅଧିକ ଖୋଲିଦେବା ସଙ୍ଗେ ସଙ୍ଗେ ଯେପରି ଆକାଶକୁ ଅଧିକ ସମଗ୍ର ଭାବରେ ଦେଖିବାକୁ ମିଳେ, ଏକଥା ପ୍ରାୟ ଠିକ୍ ସେହିପରି । ଆମର ଏହି ପ୍ରୟୋଗଟି ଏକ ମୂଳଭୂତ ଦୃଷ୍ଟିରୁ ବିଚାର କରି ଦେଖିଲେ ଆମ ନିଜର ଉନ୍ମୋଚନ ଅର୍ଥାତ୍ ଆମ ନିଜ ସମ୍ମତି ଉପରେ ନିର୍ଭର କରୁଛି । ସରକାର ଉପରେ ନିର୍ଭର କରୁ ନାହିଁ । ନୂଆର ସଂସ୍ଥାପନ ଯେତେବେଳେ ତଥାପି ପୁରୁଣାର ଅନୁମୋଦନ ଉପରେ ନିର୍ଭର କରୁଥାଏ, ସେତେବେଳେ ଆମର ଯାବତୀୟ ଉଦ୍ୟମ ଅନେକତଃ ସେହି ପୁରୁଣାଟାର ଖଟୁଲିଗୋଡ଼ରେହିଁ ବାନ୍ଧିହୋଇ ରହିଥାଏ । ନୂଆର ନାଆଁରେ ପ୍ରୟୋଗ ଚାଲେ, ମାତ୍ର ପୁରୁଣାହିଁ ଅଧୀଶ୍ୱର ହୋଇ ବସିଥାଏ । ଏବଂ, ପୁରୁଣାଟି ଅଧୀଶ୍ୱର ହୋଇ ବସିଥିବା ପର୍ଯ୍ୟନ୍ତ ନୂଆ କଦାପି ଅଣ୍ଟା ସିଧା କରି ଛିଡ଼ା ହୋଇପାରେ ନାହିଁ । ନୂଆ ନାମରେ ହୁଏତ ଆଉ କିଛି ଚାଲିଥାଏ ।

 

ଆମର ପ୍ରୟୋଗ ଆମ ନିଜକୁ ନେଇ, ଲକ୍ଷ୍ୟକୁ ନେଇ କଦାପି ନୁହେଁ । ଲକ୍ଷ୍ୟସ୍ଥିର ହୋଇ ରହିଛି । ସେହି ଲକ୍ଷ୍ୟରେ ପହଞ୍ଚିବାକୁ ଯେଉଁ ବାଟ ତିଆରି ହେବ, ତାହା ମୂଳତଃ ଆମରି ଉପରେ ନିର୍ଭର କରୁଛି । ଆମ ଭିତରେ ଗଢ଼ି ଉଠୁଥିବା ପାରସ୍ପରିକତା ଉପରେ ନିର୍ଭର କରୁଛି । ଆମେ ସତକୁସତ କେତେଦୂର ଏକ ନୂତନ ପୃଥିବୀ ଇଚ୍ଛା କରୁଛୁ, ଆମର ଯୋଗ୍ୟ ହେବା ତାହାରି ଉପରେ ନିର୍ଭର କରୁଛି । କୋଉ ସରକାର ଏସବୁ ରହସ୍ୟକୁ କ’ଣ ବୁଝିବ ? ତେଣୁ, ଆମ ଭିତରେ ଅସଲ ବ୍ୟାକୁଳତାଟିକୁ ଜାଗୃତ କରାଇ ଆଣିବାରେ ସରକାର ଆମକୁ କି ସାହାଯ୍ୟ କରିବ ? ବାବୁମାନେ ସୁନା ଯାଚିବେ, ରୂପା ଯାଚିବେ, ଆମକୁ ସୁନାପୁଅ ହୋଇ ରହିବାକୁ ସେମାନେ କେତେ କ’ଣ ଯାଚିବେ । ଯଦି ଆମେ ସୁନାକୁ ବା ରୂପାକୁ ମନ କରୁଥିବା, ତେବେ ଅତ୍ୟନ୍ତ ଆଡ଼ମ୍ୱରପୂର୍ଣ୍ଣ ଭାବରେ ସେହି ପୁରୁଣା ଗାତଗୁଡ଼ାକ ଭିତରେ ଖାପ ଖାଇଯିବା । ଅଟକି ରହିଯିବା । ଆମର ମୂର୍ତ୍ତିଗୁଡ଼ାକ ମଧ୍ୟ ଠିକ୍ ଆମରି ପରି ବାସ୍ତବତାକୁ ଆଦରି ରହିଯିବେ । ମାତ୍ର ଯଦି ଆମେ ଅନ୍ୟ ଏକ ବାସ୍ତବତାକୁ ମନ କରୁଥିବା, ଯଦି ଆମେ ପ୍ରକୃତରେ ନୂତନର ସଞ୍ଚରଣ ନିମନ୍ତେ ଆମର ଭିତରେ ଓ ବାହାରେ ପ୍ରକୃତରେ ସମ୍ମତ ହୋଇ ପାରିଥିବା, ତେବେ ଆମର ଯାବତୀୟ ପ୍ରୟୋଗ ଏକାବେଳେକେ ଅନ୍ୟ ପ୍ରକାରର ହେବ । ଏବଂ ଆମକୁ ନିମିତ୍ତ କରି ତାହା ଏହି ପୃଥିବୀରେ ବହୁତ କିଛି ସମ୍ଭବ କରିପାରିବ ।

 

ଫେବୃଆରୀ, ୧୯୮୭

☆☆☆

 

ଆମ ପ୍ରଭାବ ଆଉ କ’ଣ ପଡ଼ିଲା ?

 

ଆଗେ ଭାରତବର୍ଷରେ ଋଷିମାନେ ଥିଲେ । ସେମାନେ ସାଧନା କରି ସିଦ୍ଧିପ୍ରାପ୍ତ ହେଉଥିଲେ । ସିଦ୍ଧିପ୍ରାପ୍ତ ହେବାପରେ ସେମାନେ ଆଶ୍ରମ ତିଆରି କରୁଥିଲେ । ଆଶ୍ରମରେ ବିଦ୍ୟାର୍ଥୀମାନେ ବିଦ୍ୟାର୍ଜନ କରିବାକୁ ଯାଉଥିଲେ । ବିଦ୍ୟାର୍ଜନ ମାଧ୍ୟମରେ ସିଦ୍ଧ ଗୁରୁମାନଙ୍କର ପ୍ରଭାବ ଅନୁଗତ ଶିଷ୍ୟମାନଙ୍କ ଉପରେ ଖୁବ୍ ପଡ଼ୁଥିଲା । ବିଦ୍ୟାର ପ୍ରଭାବ କ’ଣ କେତେଦୂର ପ୍ରକୃତରେ ପଡ଼ୁଥିଲା କେଜାଣି, କିନ୍ତୁ ଗୁରୁଙ୍କର ପ୍ରଭାବ ଅବଶ୍ୟ ପଡ଼ୁଥିଲା । ସେହି ପ୍ରଭାବ ପଡ଼ୁଥିଲା ବୋଲି ସେତେବେଳେ ଆଶ୍ରମମାନଙ୍କରେ ଗୋଟିଏ ନିର୍ଦ୍ଦିଷ୍ଟ ରୁଟିନ୍ ଚାଲୁଥିଲା । ସେହି ରୁଟିନକୁ ସାଧୁଭାଷାରେ ଚର୍ଯ୍ୟା ବୋଲି କୁହାଯାଉଥିଲା । ବିଦ୍ୟାର୍ଥୀମାନେ ନିର୍ଦ୍ଧାରିତ ରୁଟିନ୍ ଅନୁସାରେ ଯାବତୀୟ କାର୍ଯ୍ୟ କରୁଥିଲେ, କିଏ କେତେ ନିଷ୍ଠା ସହକାରେ ସେହି ରୁଟିନ୍‍ଗୁଡ଼ିକୁ ମାନୁଛି ବା ନମାନୁଛି, ସେହି ଅନୁସାରେ ବିଦ୍ୟାର୍ଥୀର ଆନୁଗତ୍ୟ ବିଷୟରେ ବିଚାର କରାଯାଉଥିଲା-। ସିଦ୍ଧ ଗୁରୁମାନେ ସେହି ଆନୁଗତ୍ୟ ଦେଖିହିଁ ତୃପ୍ତ ହୋଇ ଯାଉଥିଲେ ।

 

ରୁଟିନ୍‌ଟାଏ ମାନିବା ସଙ୍ଗେ ସଙ୍ଗେ ଯେ କୌଣସି ବିଦ୍ୟାଳୟର ପ୍ରଭାବ ବିଦ୍ୟାର୍ଥୀମାନଙ୍କ ଉପରେ ତତ୍‍କ୍ଷଣାତ୍ ପଡ଼ିବାକୁ ଆରମ୍ଭ କରିବ, ସେକଥାରେ ଆଦୌ କୌଣସି ସ୍ଥିରତା ନାହିଁ । ଅଧିକାଂଶ ସ୍ଥଳରେ ବିଦ୍ୟାଳୟର ଶିକ୍ଷକମାନଙ୍କ ମଧ୍ୟରେ ଏକ ଧାରଣା ରହିଥାଏ ଯେ, ଛାତ୍ର ଗୁରୁ ଦ୍ୱାରା ନିର୍ଦ୍ଧାରିତ ନିୟମ ଓ ମାର୍ଗଗୁଡ଼ିକୁ ମାନିଲେ ତାହାକୁହିଁ ପ୍ରଭାବ ପଡ଼ିବାର ପ୍ରମାଣ ବୋଲି ମାନି ନିଆଯାଇ ପାରିବ । ପ୍ରଭାବ ପଡ଼ୁଥିବାର ଅନ୍ତର୍ଗତ ପ୍ରମାଣ ପାଇବା ଲାଗି ଆମ ପାଖରେ ହୁଏତ କୌଣସି ଯଥାର୍ଥ ସନ୍ତକ ନଥାଏ ବୋଲି ଆମେ ଅନେକ ସମୟରେ ବାହାରେ ନାନା ସନ୍ତକର ଉଦ୍ଭାବନ କରି ରଖିଥାଉ ଓ ସେଇଥିରୁ ପ୍ରଭାବଟିଏ ପଡ଼ୁଛି ବୋଲି ଅନୁମାନ କରିନେଇ କେତେ ସାନ୍ତ୍ୱନା ମଧ୍ୟ ଅନୁଭବ କରିଥାଉ । ବିଦ୍ୟାର ପ୍ରଭାବ ନପଡ଼ୁ ପଛକେ, ଅର୍ଥାତ୍ ଭିତରେ ଆଦୌ କୌଣସି ଦ୍ୱାର ନଖୋଲୁ ଓ ଆହୁରି ଭିତରେ ଅପେକ୍ଷା କରି ରହିଥିବା ଅସଲ ବନ୍ଧୁଟି ସହିତ ଯଥାର୍ଥରେ କୌଣସି ଭେଟ ନହେଉ ପଛକେ, ଅନ୍ତତଃ ବାହାରେ ଆମ ନିଜର କେତେଟା ପ୍ରଭାବ ପଡ଼ୁ ବୋଲି ଆମେ ଅତ୍ୟୁତ୍ସାହୀ ଶିକ୍ଷକମାନେ ଅନେକ ସମୟରେ ଭାରି ଆଶା କରିଥାଉ ।

 

ଏପରି କେତୋଟି ସନ୍ତକ ରହିଛି,–ଏଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଗୋଟିଏ ଗୋଟିଏ ବାହ୍ୟ ସନ୍ତକ,–ଯେଉଁଗୁଡ଼ିକ ରହିଥିଲେ ଆମେ ଗୋଟିଏ ଥାନକୁ ମନ୍ଦିର ବୋଲି କହୁ । ଜଣେ ମଣିଷ ଦେହରେ, ତା’ର ପରିଚ୍ଛଦ ଓ ଅନ୍ୟାନ୍ୟ କେତେକ ପରିପାଟୀରେ କେତୋଟି ବିଶେଷ ସନ୍ତକ ରହିଥିଲେ, ପ୍ରାୟ ଏକ ଅଭ୍ୟାସରେ ପଡ଼ି ଆମେ ସେହି ମଣିଷଟିକୁ ବାବାଜୀ ବା ସନ୍ନ୍ୟାସୀ ବୋଲି କହିଥାଉ । ହୁଏତ ସେହି ସୁଲଭ ନ୍ୟାୟଗଣିତଟି ଅନୁସାରେ ଏହି ସଂସାରରେ କେତେକ ମଣିଷ ଗେରୁଆ ବସ୍ତ୍ର ପିନ୍ଧିଲେହିଁ ଆପଣାକୁ ଜଣେ ବାବାଜୀ ପରି ଅନୁଭବ କରନ୍ତି, ସତରେ ନିଜ ଜୀବନର ନ୍ୟାସ ତାହାରି ଦ୍ୱାରା ହୋଇଗଲା ବୋଲି ପ୍ରତ୍ୟୟ କରି ନିଅନ୍ତି । ସଂସାରରେ ଅଧିକାଂଶ ଦୀକ୍ଷାଗୁରୁ ସମ୍ଭବତଃ ସେହି କାରଣରୁ ଅସଲ ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବାର କୌଣସି ଜଞ୍ଜାଳରେ ନପଡ଼ି ବା ଅସଲ ସଂକ୍ରମଣଗୁଡ଼ିକ ଦିଗରେ ମନ ନବଳାଇ ଭୋଗ ବଦଳାଇ, ଭେକ ବଦଳାଇ ଶିଷ୍ୟ କରିନେଲେ ଓ ତେଣୁ ପ୍ରଭାବ ପକାଇଲେ ବୋଲି ବିଶ୍ୱାସ କରିବାକୁ ପ୍ରଲୁବ୍‌ଧ ହୋଇଛନ୍ତି । ସେମାନଙ୍କର ବଣିଜ ଭାରି ଆଖିଦୃଶିଆ ଭାବରେ ଚାଲିଛି ଓ ବାନାଗୁଡ଼ାକ ଭାରି ଆଖିଦୃଶିଆ ଭାବରେ ଉଡ଼ିଛି । ତେଣୁ, ହୁଏତ ଅନେକ ମଣିଷ ବାବାଜୀମାନଙ୍କର ପ୍ରଭାବରେ ପଡ଼ିଛନ୍ତି, ତଥାପି ବାବାଜୀ ହୋଇ ନାହାନ୍ତି, ସନ୍ନ୍ୟାସୀମାନଙ୍କର ସେବା କରିଛନ୍ତି, ତଥାପି ଆପଣାକୁ ସତ୍‌ରେ ନ୍ୟସ୍ତ କରିନାହାନ୍ତି । ତଦ୍ଦ୍ୱାରା ହୁଏତ ଲାଭ ମଧ୍ୟ ହୋଇଛି । ଏହି ବାହାର ପ୍ରଭାବ ପଡ଼ିବା ଦ୍ୱାରା ଯେ ଜୀବନର କିମ୍ୱା ସଂସାରର ଉଦୟ ବା ଉଦ୍ଧାର ହୋଇପାରିବ ନାହିଁ, ବାଟ ଖୋଜୁଥିବା ଓ ଉଦୟ ଲୋଡ଼ୁଥିବା ଅନେକ ମଣିଷଙ୍କ ଲାଗି ସେହି ସତ୍ୟଟି ଭାରି ସ୍ପଷ୍ଟ ହୋଇଯାଇଛି ।

 

ଆମ ନୂଆ ସ୍କୁଲଗୁଡ଼ିକରେ ଯେଉଁମାନେ ଆମେ ସତେଅବା କୌଣସି ହଠାତ୍ ଉଦ୍ଦୀପନାରେ ପଡ଼ି ଶିକ୍ଷକତା କରିବାକୁ ଆସିଛୁ, ଆମେ ବେଳେବେଳେ ଭାରି ହତାଶ ହୋଇ ପଡ଼ୁଛୁ । ଏକଦା ଯେଉଁ ଶୃଗାଳଟି ବାଟରେ ଚାଲି ଯାଉ ଯାଉ ହୁଏତ ହତାଶ ହୋଇ ପଡ଼ୁଛୁ । ଏକଦା ଯେଉଁ ଶୃଗାଳଟି ବାଟରେ ଚାଲି ଯାଉ ଯାଉ ହୁଏତ ଭାରି ଅଣଅକ୍ତିଆର ଭାବରେ ନୀଳରଙ୍ଗ ଗୋଳା ହୋଇ ରହିଥିବା କୁଣ୍ଡଟି ଭିତରେ ପଡ଼ିଯାଇଥିଲା, ସେଇ କେଡ଼େ ଉତ୍ସାହ ଓ ବ୍ୟଗ୍ରତା ସହିତ ସବୁ ଶୃଗାଳ ମଧ୍ୟ ନିଷ୍ଠାର ସହିତ ନୀଳବର୍ଣ୍ଣ ହୋଇଯାଆନ୍ତୁ ବୋଲି କେତେ ଇଚ୍ଛା କରିଥିଲା । ଆମ ପିଲାମାନେ ସାନ ଥିଲାବେଳେ କେଡ଼େ ସହଜରେ ଆମରି ବାଗରେ ହସୁଥିଲେ, ଆମରି ବାଗରେ ଧାଡ଼ିରେ ଛିଡ଼ା ହେଉଥିଲେ, ଆମକୁ ଆଦେଶ ମାତ୍ରକେ ହାତର ନଖ ଓ ମୁହଁର ଦାନ୍ତ ଦେଖାଇ ସବୁ ପରିଚ୍ଛନ୍ନ ରହିଛି ବୋଲି ଜଣାଇ ଦେଉଥିଲେ । ଆମେ କହୁଥିବା ଥାନମାନଙ୍କରେ ଯାଇ ଆଖି ବୁଜି ବସୁଥିଲେ, ମୁଣ୍ଡ ନୁଆଁଇ ପ୍ରଣାମ କରୁଥିଲେ । ଯୁଆଡ଼େ ଥାଆନ୍ତୁ, ଯେମିତି ଥାଆନ୍ତୁ ପଛକେ, ଆମେ ଡାକିଦେବା ମାତ୍ରକେ ଆମ ନୂତନ ପ୍ରୟୋଗଶାଳାର ଅନୁଗତ ଶାବକମାନଙ୍କ ପରି ଆମ ପାଖକୁ ତତ୍‌କ୍ଷଣାତ୍‌ ଦଉଡ଼ି ଆସୁଥିଲେ । ସେମାନଙ୍କ ଉପରେ ଆମର ପ୍ରଭାବ ଯେ ସତକୁସତ ପଡ଼ିଛି ଓ ପଡ଼ିବାରେ ଲାଗିଛି, ଆମକୁ ତାହାରି ପ୍ରମାଣ ଦେଇ ଯାଉଥିଲେ-। ଆମ ନୂଆ ସ୍କୁଲଟି ଯେ ପ୍ରକୃତରେ ନୂଆ, ଆମକୁ ସତେଅବା ଆମ ବେକଯାଏ ତାହାରି ପ୍ରତ୍ୟୟ ମିଳି ଯାଉଥିଲା । ଆମେ ନିଜକୁ ଏକ ଅଭିନବ ପଥର ଅଭିଯାତ୍ରୀ ପରି ଅନୁଭବ କରୁଥିଲୁ ଏବଂ ଆମ ପିଲାମାନେ ଆମ ଆଧ୍ୟାତ୍ମିକ ବିଶେଷ ଗୁହାଳଗୁଡ଼ିକର ଗୋଟିଏ ଗୋଟିଏ ଗିନିପିଗ୍ ହୋଇ ରହିଥିଲେ । ଏସବୁ ଆମକୁ ଭାରି ଭଲ ଲାଗୁଥିଲା । ମୋହରେ ପଡ଼ିଥିବା ମଣିଷକୁ ମୋହଗୁଡ଼ାକ ଯେମିତି ଭଲ ଲାଗେ ଇଏ ପ୍ରାୟ ଠିକ୍ ସେମିତି ।

 

ଆମ ପିଲାଏ କ୍ରମେ ବଡ଼ ହେଲେ ଆମର ମୋହ ଭାଙ୍ଗିଲେ । ଏପରି ହେଲା, ତାହା ମଧ୍ୟ ଭଲ ହେଲା । ଆମର ପ୍ରଭାବ ଯେ ଆଦୌ କେଉଁଠି କିଛି ପଡ଼ି ନାହିଁ, ତାହା ପ୍ରମାଣିତ ହେଲା-। ଆମକୁ ତାହା ଭାରି ବାଧିଲା ସତ, ମାତ୍ର ତଥାପି ଭଲ ହେଲା । ଆମ ପିଲାଏ ଆଉ ଆଗ ପରି ଆମ କଥାଗୁଡ଼ାକୁ ମୋଟେ ମାନିଲେ ନାହିଁ । ଆମ ବାଟରୁ ବଙ୍କେଇ ବଙ୍କେଇ ଚାଲିଲେ-। ଆମ ବଡ଼ମାନଙ୍କର ସୁକୁଟ ଦେଖିଲ । ଆମର ଶିକ୍ଷାକେନ୍ଦ୍ରମାନଙ୍କରେ ଯେଉଁଠି ପିଲାମାନେ ଟିକିଏ ବଡ଼ ହୋଇ ଆସିଲେଣି, ସେଠାରେ ଏଇ କଥାଟି ବିଶେଷ ଭାବରେ ଦେଖିବାକୁ ମିଳୁଛି-। ଆମେ ଦେଖାଇ ଦେଇଥିବା ବାଟଗୁଡ଼ିକ ଯେ ଜୀବନରେ ମୋଟେ ଚୂଡ଼ାନ୍ତ ବାଟ ନୁହେଁ, ଆମେ ପିନ୍ଧାଇ ଦେଇଥିବା ଜର୍ସିଗୁଡ଼ିକ ଯେ ସଂସାରରେ ମୋଟେ ଅସଲ ଜର୍ସି ନୁହନ୍ତି, ଆମ ବାଟରୁ ବଙ୍କାଇ ଗଲା ପରେ ଯାଇ ଆମ ପିଲାମାନେ ଆବିଷ୍କାର କଲେ । ଆମ ଆଖିରେ ବା ଆଉ କାହା ଆଖିରେ ସୁନା ପୁଅ ବା ସୁନା ଝିଅ ହୋଇ ଦିଶିବା ଯେ ଆଦୌ ସମ୍ମାନର ବିଷୟ ନୁହେଁ, ସେକଥା ସେମାନେ ବୁଝି ପାରିଲେ । ତେଣୁ ଆମେ ସେମାନଙ୍କୁ ଶିଖାଇବା ଡ୍ରିଲଗୁଡ଼ିକୁ ପ୍ରତ୍ୟାଖ୍ୟାନ କଲେ-। ଆମକୁ ପ୍ରାୟ ଏକ ନୂଆ ଆହ୍ୱାନର, ପୁନରାବଲୋକନର ସମ୍ମୁଖୀନ କଲେ ।

 

ଭଗବାନ କରନ୍ତୁ, ଆମର କୌଣସି ପ୍ରଭାବ ଏହି ପିଲାମାନଙ୍କ ଉପରେ ନପଡ଼ୁ । ଆମର ପୁରାତନ ଅହଂକାର ଏବଂ ଆଖିଗୁଡ଼ିକ ଲାଗି ସେମାନେ ସର୍ବଦା ପୀଡ଼ାର କାରଣ ହୋଇ ରହିଥାନ୍ତୁ । ସେମାନଙ୍କର ନିଜ ଭିତରର ଦ୍ୱାରଟି ଖୋଲିଯାଉ ଓ ତାହାରି ଭିତରେ ଆହୁରି ଆଗକୁ ଯାଇ ସେମାନଙ୍କର ଅସଲ ବନ୍ଧୁଟି ସହିତ ଭେଟ ହେଉ । ଅସଲ ଦ୍ୱାରଟି ଖୋଲିପାରିଲେ ମଣିଷ ପ୍ରକୃତରେ ଯେଉଁ ସାହସର ଅଧିକାରୀ ହୋଇଥାଏ, ଆମେ ଯେତେ ଯାହା ଅନ୍ୟ ପ୍ରକାର ଇଚ୍ଛା କରୁଥିଲେ ମଧ୍ୟ ଆମର ପିଲାମାନେ ସେହି ସାହସର ଅଧିକାରୀ ହୁଅନ୍ତୁ । ଆମ ବଡମାନଙ୍କ ଭିତରେ କେତେ ବିରକ୍ତି, କେତେ ଅସହିଷ୍ଣୁତା, ସଂସାର ପ୍ରତି ଓ ନିଜ ପ୍ରତି କେତେ ଘୃଣା ବାହାରେ ଆମର ଏହି ମଞ୍ଜୁଳ ଭେକଗୁଡ଼ାକର ତଳେ ଅବଦମିତ ହୋଇ ରହିଛି । ବାହାରେ ଆମକୁ କେଡ଼େ ଉଗ୍ର କରି ରଖିଛି ଏବଂ ଭିତରେ କେଡ଼େ ହୀନ କରି ରଖିଛି । ମୁଖାଗୁଡ଼ିକ ବାହାରେ ଯେତିକି ଉଜ୍ଜ୍ୱଳ ଓ ଉଦ୍ୟତ ପ୍ରାୟ ଦିଶୁଛନ୍ତି, ଭିତରେ ମୁଖଗୁଡ଼ିକ ହୁଏତ କେଉଁ ଅନ୍ଧାରଗୁଡ଼ାକର କାନି ଧରି କେତେ ସନ୍ଧିରେ ଯାଇ ପଶିଛି । ଆମର ଆଦୌ କୌଣସି ପ୍ରଭାବ ଆମ ପିଲାମାନଙ୍କ ଉପରେ ନପଡ଼ୁ । ସେମାନେ ଶ୍ରଦ୍ଧା ଦେଇ ନିଜକୁ ଦେଖନ୍ତୁ, ଶ୍ରଦ୍ଧା ଦେଇ ଜଗତକୁ ଓ ଜଗତକର୍ତ୍ତାଙ୍କୁ ଦେଖିବାର ଅସଲ ଶୁଦ୍ଧତାଟିକୁ ଅର୍ଜନ କରନ୍ତୁ । ସେମାନେ ପରସ୍ପରକୁ ମଧ୍ୟ ଶ୍ରଦ୍ଧା ଦେଇ ଦେଖନ୍ତୁ । ଆପଣାର ଯଥାର୍ଥ ଗୁଣ ଓ ଯଥାର୍ଥ ସାହସଗୁଡ଼ିକ ଦ୍ୱାରା ଉଜ୍ଜ୍ୱଳ ହୋଇ ରହନ୍ତୁ ।

 

ଯାହାର ନିଜ ରୁଟିନ୍‍ଗୁଡ଼ିକର ପ୍ରଭାବ ନିଜ ଉପରେ ମଧ୍ୟ ପଡ଼ି ନଥାଏ, ଭିତରେ ମହଲଗୁଡ଼ାକୁ ଅର୍ଥାତ୍ ପରାଜୟବୋଧଗୁଡ଼ାକୁ ଲୁଚାଇ ରଖିବା ପାଇଁ ଯାହାର ରୁଟିନ୍ ସବୁ ଉପରର ସଫା ଆଚ୍ଛାଦନଟିଏ ପରି କାର୍ଯ୍ୟ କରୁଥାଏ, ସେହିମାନେହିଁ ସଂସାରରେ ପ୍ରଭାବ ପକାଇବେ ବୋଲି ବାହାରି ଥାଆନ୍ତି । ନିଜ ଘରେ ନିଜ ପାଖରେ ହାରିଯାଇ ଥାଆନ୍ତି ବୋଲି ହୁଏତ ଅନ୍ୟମାନଙ୍କର ଗଡ଼ମାନ ଜିତିବାକୁ ଦର୍ପ ସହିତ ବାହାରି ଥାଆନ୍ତି । ଅନ୍ୟମାନେ ମଧ୍ୟ ଅସଲ ଥାନରେ ପରାଜୟ ସ୍ୱୀକାର କରନ୍ତୁ ଓ ରୁଟିନ୍ ମଧ୍ୟରେ ଅଟକି ରହନ୍ତୁ ବୋଲି ସତେଅବା ଏକ ଉଗ୍ର ଆକ୍ରୋଶ ନେଇ ସେମାନେ ସଂସାର ଭିତରକୁ ବାହାରି ଥାଆନ୍ତି । ଆମ ସଂସାରର ଅଧିକାଂଶ ଶିକ୍ଷକ ଓ ଶିକ୍ଷାଦାତା ସମ୍ଭବତଃ ଏହି କାଟଇ ଗୋଟିଏ ଗୋଟିଏ ମଣିଷ ହୋଇଥିବାରୁହିଁ ଏଠାରେ ଦେଉଳଗୁଡ଼ାକ ଅତ୍ୟଧିକ ସଂଖ୍ୟାରେ ଓ ଅତିରିକ୍ତ ଠାଣିରେ ରହିଛି ସତ, ମାତ୍ର ଅସଲ ପହଡ଼ଗୁଡ଼ିକ ପ୍ରାୟ କେଉଁଠି ହେଲେ ଖୋଲି ପାରୁନାହିଁ ।

 

ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକ କୌଣସି ପ୍ରକାର ପୁରୁଣା ରୁଟିନ୍ ଦେଇ ପିଲାମାନଙ୍କ ଉପରେ ପ୍ରଭାବ ପକାଇବାର ଚେଷ୍ଟା କରିବେ ନାହିଁ । ପୁରୁଣା ଯାବତୀୟ ଗୁଳାରେ ବାଟ ଚାଲି ଆସିଥିବା ଓ ସେହିଭଳି କେତୋଟି ଗୁଳାକୁ ଏବେ ମଧ୍ୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜାବୁଡ଼ି ଧରିଥିବା ଆମମାନଙ୍କର ତଥାକଥିତ ଯାହା କିଛି ପ୍ରଭାବ ଆମ ପିଲାମାନଙ୍କ ଉପରେ ପଡ଼ିବ, ତାହା ହୁଏତ କେବଳ ପୁରୁଣାଟାକୁହିଁ ଆହୁରି ଅନେକ ବର୍ଷ ଯାଏଁ ବଜ୍ର କରି ରଖିବାରେ ସାହାଯ୍ୟ କରିବ । ତେଣୁ ଆମେ ଯଦି ପ୍ରକୃତରେ ସାଧୁ ହୋଇଥିବା, ତେବେ ଭାରି ସାବଧାନ ରହିବା । ଇତିହାସରେ ଅନେକ ନୂଆ ବିବିଧ ନୂଆ ରୁଟିନ୍‍କୁ ଲଦିବାର ଦୁର୍ବୁଦ୍ଧି କରି ନାନା ଭାବେ ପୁରୁଣା ଗୁଳାଗୁଡ଼ାକରେ ଯାଇ ପଡ଼ିଯାଇଛନ୍ତି । ଏହି ଭାରତରେ ମଧ୍ୟ ଏକାଧିକ ବାର କୌଣସି ଅଭୀପ୍‌ସା ଦ୍ୱାରା ଉପଲବ୍‌ଧ ନୂତନ ବୋଧିକୁ ବୟସ୍କମାନଙ୍କର ବୁଦ୍ଧି ମୂର୍ତ୍ତିଟିଏ ଅଥବା ଅବତାର କରି ଥୋଇ ଦେଇଛନ୍ତି । ଧର୍ମାଶୋକମାନେ ଏଥିରେ ସକ୍ରିୟ ଭାବରେ ସାହାଯ୍ୟ କରିଛନ୍ତି ।

 

ତେଣୁ ଏହି ପିଲାମାନଙ୍କ ଉପରେ ଆମର ଆଦୌ କୌଣସି ପ୍ରଭାବ ନପଡ଼ୁ । ମାତ୍ର ଆଗକୁ ବାଟଟିଏ ଖୋଲୁ । ଅନ୍ତର ଭିତରକୁ ବାଟ ଖୋଲିଯାଉ । ଯାବତୀୟ ଯେଉଁ ଆଳସ୍ୟମାନ ଆମକୁ ନାନାଭାବେ ବୁଢ଼ା କରି ରଖିଛି, ଆମ ପିଲାଏ ସେହିସବୁ ଆଳସ୍ୟର କବଳରେ ମୋଟେ ନପଡ଼ନ୍ତୁ । ସେମାନେ ଅଭିନୟର ଦୂରରେ ରହନ୍ତୁ, ଅହଙ୍କାର ପାଖରୁ ଦୂରରେ ରହନ୍ତୁ । କୌଣସି ପରିସ୍ଥିତିରେ ମଧ୍ୟ ଅଟକି ରହି ନଯାନ୍ତୁ । ଯିଏ ଯୁଗର ରୁଟିନ୍ ସହିତ ଖାପ୍ ଖାଇଯିବାକୁ ଆସେ, ସିଏ ସବୁ ଯୁଗରେ ସୁଖରେ ଜୀବନଧାରଣ କରି ରହିବାକୁ ସମର୍ଥ ହୋଇଯାଏ । ଆମ ପିଲାମାନଙ୍କ ଭିତରୁ ଯେଉଁମାନେ ବଡ଼ ହୋଇ ସତକୁସତ ଯୁଗକୁ ବଦଳାଇବାକୁ ମନ କରିବେ, ପାହାଚ ଉଠିବାକୁ ମନ କରିବେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେମାନେ ବହୁ ଦୁଃଖରେ ସମ୍ମୁଖୀନ ହେବେ । କେବଳ ବିଶ୍ୱାସ ଓ ସାହସ ବଳରେ ସେମାନେ ଦୁଃଖଗୁଡ଼ାକ ସତ୍ତ୍ୱେ ଆଗକୁ ଯାଇପାରିବେ । ଆମର ସକଳ ଶିକ୍ଷା ସେମାନଙ୍କୁ ସବାଆଗ ସେହି ବିଶ୍ୱାସ ଏବଂ ସାହସ ଲାଗି ଭାଜନ କରାଉ । ଅସଲ ବିଦ୍ୟା ବିଶ୍ୱାସକୁ ବଢ଼ାଏ, ସାହସରେ ବଳୀୟାନ୍ କରେ । ଆମେ ଦେଉଥିବା ସକଳ ଶିକ୍ଷା ସେହି ବିଶ୍ୱାସ ଓ ସାହସ ବଢ଼ାଇବାରେ ନିମିତ୍ତ ହୋଇ ରହିଥାଉ ।

 

ମାର୍ଚ୍ଚ, ୧୯୮୭

☆☆☆

 

ଆଧ୍ୟାତ୍ମିକ ଶିକ୍ଷା

 

“Spiritual things.... They are taught history or spiritual things, they are taught science or spiritual things. That is the stupidity. In history, the spirit is there; in science, the spirit is there–the Truth is everywhere.”

 

(ମାତୃରଚନାବଳୀ (ଇଂରାଜୀ) ୧୨ଶ ଖଣ୍ଡ, ଶତବାର୍ଷିକୀ ସଂସ୍କରଣ, 1978, ପୃଷ୍ଠା–୪୦୩)

 

ଆମେ ପିଲାମାନଙ୍କୁ ସାହିତ୍ୟ ବହିରୁ ସାହିତ୍ୟ ପଢ଼ାଉ, ଇତିହାସ ବହିରୁ ଇତିହାସ ପଢ଼ାଉ । ଗଣିତ ପଢ଼ାଇବାକୁ ହେଲେ ଆମର ଗଣିତ ବିଷୟରେ ବହିଟିଏ ଦରକାର ହୁଏ । କେବଳ ବାଡ଼ିର ସାହାଯ୍ୟରେ ବାଟ ଚାଲି ପାରୁଥିବା କୌଣସି ବୁଢ଼ାର ହାତରୁ ଯଦି ତା’ ବାଡ଼ିଟିକୁ ନେଇ ନିଆଯାଏ, ତେବେ ସିଏ ଯେପରି ଆତଙ୍କିତ ହୋଇଉଠେ ଏବଂ ଅସହାୟ ଅନୁଭବ କରେ, ବହିଟିଏ ନଥିଲେ ଅଧିକାଂଶ ଶିକ୍ଷକ ସେହିପରି ଆତଙ୍କିତ ହୋଇଉଠନ୍ତି ଓ ଅତ୍ୟନ୍ତ ଅସହାୟ ଅନୁଭବ କରନ୍ତି । ଆମେ ପିଲାମାନଙ୍କୁ ସାମାଜିକ ପାଠ ପଢ଼ାଉ, ପରିବାର ବିଷୟରେ ପଢ଼ାଉ, ଗାଆଁ ବିଷୟରେ, ଓଡ଼ିଶା ବିଷୟରେ ଓ ଭାରତବର୍ଷ ବିଷୟରେ ପଢ଼ାଉ । ଏଗୁଡାକ ସିଲାବସ୍ ଭିତରେ ଥାଏ । ସିଲାବସ୍ ଅନୁସାରେ ଗୁଣୀ ଲୋକମାନେ ବହିସବୁ ଲେଖିଥାନ୍ତି । ଆଗାମୀ ବର୍ଷକୁ ସାମାଜିକ ପାଠ ବିଷୟରେ ଶ୍ରେଣୀରେ ଅମୁକ ବହି ଚଳିବ ନାହିଁ ବୋଲି ଆଗରୁ ଘୋଷଣା କରି ଦିଆଯାଇଥାଏ । ଇସ୍କୁଲ ଖୋଲିବା ବେଳକୁ ପିଲାମାନେ ବହି କିଣି ସାରିଥାନ୍ତି । ପାଠ ପଢ଼ା ହେବା ସମୟରେ ପିଲାଙ୍କ ହାତରେ ବହି ଥାଏ, ମାଷ୍ଟ୍ରେଙ୍କ ହାତରେ ବହି ଥାଏ । ତେଣୁ ସାଧନା ସହଜ ହୋଇଯାଏ । ବହି ନଥିଲେ ଅଫିମ ଖାଉଥିବା ମଣିଷ ଅଫିମ ନପାଇଲେ ସନ୍ନିପାତ ହୋଇଗଲା ପରି ମାଷ୍ଟ୍ରମାନେ ମଧ୍ୟ ସନ୍ନିପାତ ହୋଇଗଲା ପରି ଅନୁଭବ କରନ୍ତି । ମାଷ୍ଟ୍ରେ ବହିରୁ ପଢ଼ନ୍ତି, ପିଲାମାନେ ବହି ଫିଟାଇ କାନରେ ଯାହା ଶୁଣୁଥାନ୍ତି, ଆଖିରେ ମଧ୍ୟ ତାହାକୁ ଦେଖିପାରନ୍ତି । ସାମାଜିକ ପାଠ ଦୋରସ୍ତ ହୋଇଯାଏ ।

 

ଏହିପରି ଭାବରେ ବହି ଆମ ଲାଗି ସତେଅବା ଏକ ପରିତ୍ରାଣକର୍ତ୍ତା ଭଳି କାର୍ଯ୍ୟ କରେ-। ବହିଟାଏ ଥିଲେ ଆମେ କେତେକେତେ ଧରା ପଡ଼ିଯିବାରୁ ରକ୍ଷା ପାଇଯାଉ; ପିଲାମାନଙ୍କ ପାଖରେ ଧରା ପଡ଼ିଯିବାଠାରୁ ଜଣେ ଶିକ୍ଷକ ଲାଗି ଆଉ ଅଧିକ ବଡ଼ ଦୁର୍ଭାଗ୍ୟ କ’ଣ ହୋଇପାରେ-? ପୁନଶ୍ଚ, ପୂର୍ଣ୍ଣାଙ୍ଗ ଶିକ୍ଷା–ଯେଉଁଟା ଭିତରେ ଆମ ଭିତରୁ ଅନେକେ ସତେଅବା ଘାଣ୍ଟି ହେଉଥିବା ପରି ଅନୁଭବ କରନ୍ତି–ସେଥିରେ ଖାଲି ପାଠ ପଢ଼ାଇ ଦେବା ବ୍ୟତୀତ ଆହୁରି କେତେପ୍ରକାର ଶିକ୍ଷା ଅନ୍ତର୍ଭୁକ୍ତ ହୋଇ ରହିଛି । ଆମ ବୁଝିବା ଅନୁସାରେ ଆମେ ପାଠ ପଢ଼ାଇ ଦେବାଟାକୁ ମାନସିକ ଶିକ୍ଷା ବୋଲି କହୁ । ଇସ୍କୁଲମାନଙ୍କରେ ଏହି ପାଠ ପଢ଼ାଇ ଦେବାଟା ତ ଆଗରୁ ଥିଲା-। ତେଣୁ ଆମ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ମଧ୍ୟ ମାନସିକ ଶିକ୍ଷାକୁ ଆମେ ସାଧାରଣତଃ ଭାରି ସହଜ ବୋଲି ଧରି ନେଇଥାଉ । ଆମେ କହୁ ,ପ୍ରଚଳିତ ଶିକ୍ଷାରେ କେବଳ ମାନସିକ ଶିକ୍ଷା ଥିଲା । ବହିରୁ ପଢ଼ାଇ ଦେବା, ବହିରୁ ପରୀକ୍ଷା ନେବା–ଏତିକିରେ ହିଁ ଆମ ତଥାକଥିତ ମାନସିକ ଶିକ୍ଷାର କାର୍ଯ୍ୟକ୍ରମରେ ମୁଣ୍ଡି ମରିଯାଏ । ମାନସିକ ଶିକ୍ଷା ବ୍ୟତୀତ ପୂର୍ଣ୍ଣାଙ୍ଗ ଶିକ୍ଷାର ସମଗ୍ରଟି ଭିତରେ ଶାରୀରିକ ଶିକ୍ଷା ଥାଏ, ପ୍ରାଣିକ ଶିକ୍ଷା ଥାଏ, ତା’ ସାଙ୍ଗକୁ ଆଧ୍ୟାତ୍ମିକ ଶିକ୍ଷା ମଧ୍ୟ ରହିଥାଏ । ଶାରୀରିକ ଶିକ୍ଷାର ଗରଜଟାକୁ ତୁଲାଇବା ଲାଗି ଆମ ବିଦ୍ୟାଳୟମାନଙ୍କରେ ସ୍ୱତନ୍ତ୍ର ଖେଳଶିକ୍ଷକମାନେ ରହନ୍ତି-। ସରକାରଙ୍କର ସିରସ୍ତାରେ ଠିକ୍ ଏହି ବ୍ୟବସ୍ଥାଟି ରହିଛି । ଆମେ ବି ତାହାର ଅନୁକରଣ କରି ସେତିକିରେ କାମ ସାରି ଦେଉ । ଛବି, ନାଚ,ଗୀତ ଓ ନାଟକରେ ପ୍ରାଣିକ ଶିକ୍ଷାର ସମୀକରଣ ହୋଇଯାଏ । ମାତ୍ର ଆଧ୍ୟାତ୍ମିକ ଶିକ୍ଷାଟାହିଁ ଆମକୁ ଯାହା ଜଞ୍ଜାଳରେ ପକାଏ ।

 

ଆମ ଭିତରୁ ଯେଉଁମାନେ ଆଖିଦୃଶିଆ ଭାବରେ ଅଧିକ ଧର୍ମାନୁରକ୍ତ ହୋଇ ରହିଥାନ୍ତି, ସେମାନେ ଆଧ୍ୟାତ୍ମିକତା କହିଲେ କେତେଟା ବିଶେଷ ରୁଟିନ୍‍କୁ ବୁଝନ୍ତି । ସେହି ରୁଟିନ୍ ଭିତରେ ଧ୍ୟାନ ଥାଏ, ପ୍ରଣାମ ଥାଏ,–ଏବଂ ଆମେ ସେହି ରୁଟିନ୍‍କୁ ପୂର୍ଣ୍ଣାଙ୍ଗ ବିଦ୍ୟାଳୟରେ ଆମ ପିଲାମାନଙ୍କ ଲାଗି ମଧ୍ୟ ଲାଗୁ କରି ରଖିଥାଉ । ପୁନଶ୍ଚ, ଆମ ଭିତରେ ଯେଉଁମାନେ ଅଧିକ ବୁଦ୍ଧିଆ ଥାଆନ୍ତି, ଅର୍ଥାତ୍ ବୁଦ୍ଧି ଦ୍ୱାରା ଯାବତୀୟ ସମସ୍ୟାର ଏକ ସମାଧାନ କରିବାକୁ ମନ କରିଥାନ୍ତି, ସେମାନେ କହନ୍ତି, ଆମ ସ୍କୁଲର ସାପ୍ତାହିକ ପାଠ୍ୟନିର୍ଘଣ୍ଟରେ ଆଧ୍ୟାତ୍ମିକ ଶିକ୍ଷା ନିମନ୍ତେ କେତୋଟି ସ୍ୱତନ୍ତ୍ର ପିରିଅଡ଼୍ ରହୁ । ସାପ୍ତାହରେ ଗୋଟିଏ ବା ଦୁଇଟି ପିରିଅଡ଼ ରହିଲେ ଆଧ୍ୟାତ୍ମିକ ଶିକ୍ଷା ଲାଗି ତାହା ଅବଶ୍ୟ ଯଥେଷ୍ଟ ହେବ ବୋଲି ସେମାନେ ଧରି ନେଇଥା’ନ୍ତି । ସେହି ପିରିଅଡ଼୍ ରେ ଅପା ବା ଭାଇ ଆସି ପିଲାମାନଙ୍କୁ କେତୋଟି ସ୍ୱତନ୍ତ୍ର ବହି ପଢ଼ାଇବେ । କେଉଁ ଶ୍ରେଣୀରେ କେଉଁ ବହି ସବୁ ପଢ଼ାଯିବ, ସେକଥା ବର୍ଷ ଆରମ୍ଭରୁ ସ୍ଥିର କରି ଦିଆଯାଇଥିବ । ଯେମିତି ଅଙ୍କ ପଢ଼ାଯାଉଛି, ସାହିତ୍ୟ ବା ଭୂଗୋଳ ପଢ଼ାଯାଉଛି ଓ ବିଭିନ୍ନ ବିଷୟଗୁଡ଼ିକର ତୁଳନାତ୍ମକ ଗୁରୁତ୍ୱ ଅନୁସାରେ ସେଗୁଡ଼ିକ ସକାଶେ ପିରିଅଡ଼୍-ସଂଖ୍ୟା ନିର୍ଦ୍ଧାରିତ କରି ଦିଆଯାଇଛି, ସେହିପରି ଆଧ୍ୟାତ୍ମିକ ଶିକ୍ଷା ଲାଗି ବି ବ୍ୟବସ୍ଥା ହୋଇ ରହିବ । ଏପରି ଗୋଟାଏ କିଛି ବ୍ୟବସ୍ଥା କରି ନରଖିଲେ, ସରକାର ଆମକୁ ଯେତେବେଳେ ଆଧ୍ୟାତ୍ମିକ ଶିକ୍ଷାର ହିସାବ ମାଗିବେ, ଆମେ ସେତେବେଳେ ସେମାନଙ୍କର ବୁଝିବା ଭଳି କ’ଣ ଉତ୍ତର ଦେଇପାରିବା ଓ ଆମ ସ୍କୁଲଟି ଯେ ଯଥାର୍ଥ ଭାବରେ ଚାଲୁଛି, ସେହି ବିଷୟରେ କିପରି ତାଙ୍କର ହୃଦବୋଧ କରାଇ ପାରିବା ? ତେଣୁ ସିଲାବସ୍ ରହିବ, ସିଲାବସ୍ ଅନୁସାରେ ପ୍ରକୃତରେ ସବୁ କିଛି ପଢ଼ା ହେଉଛି ବୋଲି ଆମକୁ ଓ ଆମର ପ୍ରତିପାଳକମାନଙ୍କୁ ପ୍ରତ୍ୟୟ ହେବା ଲାଗି ବହିମାନ ମଧ୍ୟ ରହିବ । ଇତିହାସ ପାଇଁ ଯେପରି ବହି ଅଛି, ବିଜ୍ଞାନ ଓ ଇଂରାଜୀ ପାଇଁ ଯେପରି ବହି ଅଛି, ଆଧ୍ୟାତ୍ମିକ ଶିକ୍ଷା ପାଇଁ ମଧ୍ୟ ସେହିପରି ବହି ରହିବ । ପୂର୍ଣ୍ଣାଙ୍ଗ ଶିକ୍ଷା ତ ଆଉ ସଂସାରୁ ବାହାର ହୋଇ ରହିବ ନାହିଁ, ତେଣୁ ତାକୁ ଅଲବତ ସଂସାରର ବୋଲ ମାନି ଚାଲିବାକୁ ପଡ଼ିବ ।

 

ମାତ୍ର, ମାଆଙ୍କର ଯେଉଁ ଉଦ୍ଧୃତିଟି ଏହି ଲେଖାଟିର ଆରମ୍ଭରେ ରହିଛି, ସେଇଟି ଅନୁସାରେ, ବର୍ତ୍ତମାନ ଆମେ ବିଜ୍ଞାନ ବା ଇତିହାସକୁ ଗୋଟିଏ ଗୋଟିଏ ଅଲଗା ବିଷୟରୂପେ ପଢ଼ାଉଛୁ ଓ ସେହିପରି ଆଧ୍ୟାତ୍ମିକତାକୁ ମଧ୍ୟ ଏକ ଅଲଗା ବିଷୟରୂପେ ପିଲାଙ୍କୁ ପରଷିଦେଇ ହେବ ବୋଲି କଳ୍ପନା କରୁଛୁ । ଏହି ପ୍ରବୃତ୍ତିଟିକୁ ମାଆ ଅସଲ ଶିକ୍ଷାର ଦୃଷ୍ଟିରୁ ନିର୍ବୋଧତା ବୋଲି କହିଛନ୍ତି । ଆମେ ବିଜ୍ଞାନ, ଅଙ୍କ, ସାହିତ୍ୟ ବା ଇତିହାସ ଯାହା ପଢ଼ାଉଥିଲେ ମଧ୍ୟ ସେଥିରେ ଆଧ୍ୟାତ୍ମିକତାହିଁ ମୂଳ ଭୂମି ହୋଇ ରହିଥିବ, ତେବେ ଯାଇ ହେବ । ଶାସ୍ତ୍ରରେ ଯେମିତି ଅନ୍ନ, ପ୍ରାଣ ଓ ମନକୁ ଆନନ୍ଦର ଗୋଟିଏ ଗୋଟିଏ ଭୂମିରୂପେ ଘୋଷଣା କରାଯାଇଛି, ଏହି କଥାଟି ପ୍ରାୟ ସେହିପରି । ଆନନ୍ଦ ଅନ୍ନକୁ ଛାଡ଼ିକରି ରହି ନାହିଁ; ଅନ୍ନ, ପ୍ରାଣ, ମନ–ଏଗୁଡ଼ିକ ଆନନ୍ଦ ଆଡ଼କୁ ଗୋଟିଏ ଗୋଟିଏ ପାହାଚ ପରି ହୋଇ ରହିଛନ୍ତି, ତେଣୁ ଜୀବନୋତ୍ତରଣର ସମଗ୍ର ଯୋଜନାଟି ମଧ୍ୟଦେଇ ଅନ୍ତର୍ଗତ ହୋଇ ରହିଛନ୍ତି । ପୂର୍ଣ୍ଣାଙ୍ଗ ଶିକ୍ଷାର ସମଗ୍ର ଯୋଜନାଟି ମଧ୍ୟରେ ସେହିପରି ଆଧ୍ୟାତ୍ମିକ ଶିକ୍ଷା ତଥାକଥିତ ଅନ୍ୟ ଯେକୌଣସି ଶିକ୍ଷାର ମୂଳଭୂତ ଜୀବନିକା ହୋଇ ରହିବ । ପାରମ୍ପରିକ ଧାରାର ସାଧୁ ବା ସଂସାରତ୍ୟାଗୀମାନେ ସତେଅବା ପ୍ରୟୋଜନରେ ପଡ଼ି ଆଧ୍ୟାତ୍ମିକ ଜୀବନ ଓ ସାଧାରଣ ଜୀବନର ଅଲଗା ଅଲଗା କଳ୍ପନା କରିବାକୁ ମନ କରୁଥିଲେ । ଆମେ ମଧ୍ୟ ସେହି ପୁରୁଣା ଗଡ଼ିଆଗୁଡ଼ାକ ମଧ୍ୟରେ ପହଁରିବାକୁ ଆଗ୍ରହ ରଖିଥିବା ଯାଏ ଏଇଟାକୁ ସେଇଟାଠାରୁ ଅଲଗା କରି ଦେଖୁଥିବା, ଗୋଡ଼ ଧୋଇ ଲୁଗା ବଦଳି ଦେଉଳ ଭିତରକୁ ଆସୁଥିବା ଓ ସେଠୁ କାମ ସାରି ପୁନର୍ବାର ତଥାକଥିତ ସାଧାରଣ ସଂସାରର ଅନୁରୋଧଗୁଡ଼ିକୁ ତୁଲାଇବା ପାଇଁ ଘୁଅବଣ ଭିତରେ ଯାଇ ବୁଲୁଥିବା । ଆମର ଖଣ୍ଡିଆ ଦୃଷ୍ଟି ଅନୁସାରେ ଶିକ୍ଷା ମଧ୍ୟ ଖଣ୍ଡିଆ ଓ ଭାଗ ଭାଗ ହୋଇ ରହିଥିବ । ମାଆଙ୍କ ଭାଷାରେ କହିଲେ, ନିର୍ବୋଧତା ଲାଗି ରହିଥିବ ।

 

ସେହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରି ମାଆ ପୁଣି କହିଛନ୍ତି (ତତ୍ରୈବ, ପୃଷ୍ଠା-୪୦୪)-For the children, precisely because they are children, it would be best to instill in them the will to conquer the future, the will to look ahead and to move on as swiftly as they can towards.....what will be.–ପିଲାମାନେ ଭବିଷ୍ୟତ ଉପରେ ବିଜୟ ହସଲ କରିବା ଲାଗି ଆବଶ୍ୟକ ଇଚ୍ଛାଶକ୍ତି ଦ୍ୱାରା ଜୀବନ୍ତ ଭାବରେ ପରିପ୍ରେରିତ ହୋଇ ରହିବେ, ଏକ ସ୍ୱତଃପ୍ରେରିତ ଅନ୍ତର୍ଗତ ଇଚ୍ଛା ଦ୍ୱାରା ସେମାନେ ଆଗକୁ ଆଗକୁ ଅନାଇ ପାରୁଥିବେ ଏବଂ ଭବିଷ୍ୟତ ନିମନ୍ତେ ଯାହା ଅଭିପ୍ରେତ ହୋଇ ରହିଛି, ଯଥାଶକ୍ତି ଅଧିକ ବେଗରେ ସେମାନେ ସେହି ଆଡ଼କୁ ଅଗ୍ରସର ହୋଇ ପାରୁଥିବେ । ସ୍ୱତନ୍ତ୍ର ବହିମାନ ପଢ଼ାଇ ଆମେ ଆମର ବିଦ୍ୟାଳୟମାନଙ୍କରେ ପିଲାମାନଙ୍କୁ ଏହି ଦିଗରେ କଦାପି ଉଦ୍‍ବୁଦ୍ଧ କରାଇ ପାରିବା ନାହିଁ । ସପ୍ତାହରେ ଅଧିକାଂଶ ସମୟରେ ସେମାନେ ପୁରୁଣା ପ୍ରତ୍ୟାଶା ଓ ଫଳାକାଙ୍‍କ୍ଷାଗୁଡ଼ାକ ପାଖରେ ବହଳ ହୋଇ ରହିଥିବେ ଏବଂ ସପ୍ତାହରେ ଦୁଇ ବା ତିନି ପିରିଅଡ଼୍ ଆମେ ପଢ଼ାଉଥିବା ବହିରୁ କିମ୍ୱା ଆମ ମୁହଁରୁ ତଥାକଥିତ ଆଧ୍ୟାତ୍ମିକ କଥା ବା କାହାଣୀମାନ ଶୁଣି ବୀରଯୋଦ୍ଧା ପରି ଆଗକୁ ବାହାରି ପଡ଼ୁଥିବେ, ସେକଥା କେବେହେଲେ ହୋଇପାରିବ ନାହିଁ । ତେଣୁ ଆଧ୍ୟାତ୍ମିକତା ଆମର ସମଗ୍ର ପରିବେଶରେ ରହିବ, ସମଗ୍ର ସମ୍ୱନ୍ଧଗୁଡ଼ିକରେ ରହିବ, ସମ୍ଭବତଃ ତେବେଯାଇ ହେବ । ଆମ ପିଲାମାନେ କ୍ଲାସରେ ଥାଆନ୍ତୁ ଅଥବା ଖେଳପଡ଼ିଆରେ ଥାଆନ୍ତୁ, ଗୀତ ଗାଉଥାନ୍ତୁ ଅଥବା କୌଣସି ହସ୍ତକର୍ମ କରୁଥାନ୍ତୁ ପଛକେ, ଆମର ସମସ୍ତ ପ୍ରେରଣା ଆଧ୍ୟାତ୍ମିକ ହୋଇଥିବ,–ପିଲାଟି ଭିତରେ ରହିଥିବା ସର୍ବଶ୍ରେଷ୍ଠ ଶକ୍ତିମତ୍ତା ଏବଂ ସର୍ବଶ୍ରେଷ୍ଠ ସମ୍ମତିଗୁଡ଼ିକୁ ତାହା ଉଦବୋଧିତ କରି ଆଣି ପାରୁଥିବ, ତେବେଯାଇ ହେବ । ସେହି ଉଦବୋଧିତ କରି ଆଣିବାକୁହିଁ ଆମେ ଆଧ୍ୟାତ୍ମିକ ଶିକ୍ଷାର ସର୍ବମୂଳ ସୂତ୍ର ଓ ସର୍ବୋତ୍ତମ ଅନୁଜ୍ଞା ବୋଲି ମାନିବା ।

 

ତଥାପି, ଏହା ପଛରେ ଦୁଇଟି ଆସଲ କଥା ରହିଛି, ଯାହା ବ୍ୟତୀତ କି ବିଦ୍ୟାଳୟରେ ଏକ ଆଧ୍ୟାତ୍ମିକ ପରିବେଶକୁ ସୃଷ୍ଟି କରି ରଖିବା ମୋଟେ ସମ୍ଭବ ହେବ ନାହିଁ । ପ୍ରଥମ କଥାଟି ହେଉଛି ଯେ, ଆମ ପିଲାମାନଙ୍କୁ ଆମେ ସେମାନଙ୍କ ମଧ୍ୟରେ ସଂଗୁପ୍ତ ଅଥଚ ପ୍ରତିଭାତ ହୋଇ ରହିଥିବା ଦିବ୍ୟ ସମ୍ପଦ ଏବଂ ସମ୍ଭାବନା-ଗୁଡ଼ିକର ଆୟତନ ଭିତରେ ଦେଖିବାକୁ ସମର୍ଥ ହେବା । ସେମାନଙ୍କୁ ଗୋଡ଼ିମାଟି ପରି କଦାପି ଦେଖିବା ନାହିଁ । ବୟସ୍କତାର ଯାବତୀୟ ଅହଙ୍କାରକୁ ଜୟ କରି ଓ ନିଜ ଭିତରେ ଗଭୀରରେ ରହିଥିବା ଆମର ପରମ ବନ୍ଧୁ ସ୍ୱରୂପ ସେହି ଶାଶ୍ୱତ ଅଥଚ ସତତ-ଉନ୍ମୋଚନଶୀଳ ପିଲାଟିକୁ ଅନୁଭବ କରିପାରିଲେ ଯାଇ ଆମେ ସେକଥା କରିପାରିବା । ଭାରତବର୍ଷରେ କାଳ କାଳ ଧରି ଆମର ସାମାଜିକ ସମ୍ୱନ୍ଧ ଓ ବ୍ୟବସ୍ଥାଗୁଡ଼ିକର କ୍ଷେତ୍ରରେ ପଙ୍କରୁ ସମ୍ଭବ ହେଉଥିବା ପଦ୍ମଟି ଅପେକ୍ଷା ପଙ୍କ ଉପରେ ଏବଂ ପୁରୁଷାର୍ଥ ଅପେକ୍ଷା କର୍ମ ଉପରେହିଁ ଅଧିକ ଜୋର ଦିଆଯାଇ ଆସିଥିବାରୁ କାଳକ୍ରମେ ଆଉ କାହାକୁ ଛୋଟ ଓ ହୀନ ବୋଲି ଦେଖିବା ଦ୍ୱାରାହିଁ ନିଜକୁ ଉଚ୍ଚ ଓ ଗୁଣସଂପନ୍ନ ବୋଲି ବୋଧ କରିବାର ଅପସଂସ୍କାରଟି ଆମ ଭିତରେ ପ୍ରାୟ ରକ୍ତଗତ ହୋଇ ରହିଆସିଛି । ଆମକୁ ଅତ୍ୟନ୍ତ ସଚେତନ ଭାବରେ ସେହି ପ୍ରାରବ୍‌ଧର ଗାରଟିକୁ ଅତିକ୍ରମ କରି ବାହାରି ଆସିବାକୁ ପଡ଼ିବ । ତେବେଯାଇ ହେବ । ତେବେଯାଇ ଆମେ ଆମ ପିଲାମାନଙ୍କ ଭିତରେ ବିଶ୍ୱାସ ଓ ଭବିଷ୍ୟର ଉଦ୍‌ବୋଧନ ଦେଇପାରିବା, ସେମାନଙ୍କର ଉନ୍ନୋଚନ-ପ୍ରକ୍ରିୟାରେ ଯଥାର୍ଥ ସଖ୍ୟ ଦେଇପାରିବା ।

 

ଦ୍ୱିତୀୟ କଥା ହେଉଛି, ଆମେ ନିଜେ ନିଜ ଜୀବନର ନାନା ଆତଯାତ ମଧ୍ୟରେ ଖଣ୍ଡିଆ ହୋଇ ରହିଥିବା ପର୍ଯ୍ୟନ୍ତ ଆମେ କିପରି ପିଲାମାନଙ୍କ ଲାଗି ପୂର୍ଣ୍ଣତାର ଉଦ୍‌ବୋଧକ ହୋଇପାରିବା-? ଆପଣାର ନାନା କ୍ଷତି ଓ ତଜ୍ଜନିତ ଗ୍ଳାନିଗୁଡ଼ାକୁ ବୋଝ କରି ବୋହି ସେହି କଷଣ ଏବଂ ପରାଜୟଗୁଡ଼ାକୁ ଲୁଚାଇ ରଖିବା ନିମନ୍ତେ ବାହାରେ ପ୍ରଚଣ୍ଡ ଓ ପ୍ରଦର୍ଶନପ୍ରିୟ ହୋଇ ରହିଥିବା ପର୍ଯ୍ୟନ୍ତ ଆମେ କିପରି କାହାକୁ ଜାଗୃତିର ପ୍ରେରଣା ଦେଇ ପାରିବା ? ତେଣୁ ଆଧ୍ୟାତ୍ମିକ ଶିକ୍ଷା କେବଳ ଆମ ପିଲାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ କୌଣସି ଶିକ୍ଷା ନୁହେଁ, ଏହା ଆମ ଲାଗି ମଧ୍ୟ ଉଦ୍ଦିଷ୍ଟ-। ଆମ ଲାଗି ଏକ ଆହ୍ୱାନ ଓ ଆମ ଲାଗି ଏକ ପରୀକ୍ଷା । ଏହି ପରୀକ୍ଷାରେ ଗାରଗାର ହୋଇ ଉତ୍ତୀର୍ଣ୍ଣ ହେବାର ଶ୍ରଦ୍ଧା ଓ ପ୍ରଚେଷ୍ଟାଟି ଆମ ଭିତରେ ବଳବତ୍ତର ରହିଥିଲେ ଯାଇ ଆମେ ଆମ ପିଲାଙ୍କର ଯାବତୀୟ ଉତ୍ତୀର୍ଣ୍ଣ ହେବାରେ ମଧ୍ୟ କୌଣସି ଯଥାର୍ଥ ସହାୟତା କରିପାରିବା । ନିଜେ ଫୁଲଟିଏ ହୋଇଥିଲେ ଯାଇ ଆଉ କାହାକୁ ଫୁଟି ଉଠିବାର ପ୍ରତ୍ୟୟ ଦେଇପାରିବା-। ସେତେବେଳେ ଯାଇ ଆମ ବିଦ୍ୟାଳୟ ଭଗବାନଙ୍କ ଆଖିକୁ ସତକୁସତ ଏକ ଫୁଲବଗିଚା ପରି ଦେଖାଯିବ ।

 

ଏପ୍ରିଲ-ମେ, ୧୯୮୭

☆☆☆

 

ଶିକ୍ଷା ଅଶିକ୍ଷାର ବିଡ଼ମ୍ୱନା

 

ଆମରି ଓଡ଼ିଶାର ଗୋଟିଏ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସହିତ ଅନ୍ତରଙ୍ଗ ଭାବରେ ସଂପୃକ୍ତ ଥିବା ଜଣେ ଭାଇଙ୍କଠାରୁ ପତ୍ର ଦ୍ୱାରା ଯାହା ଜାଣିବାକୁ ପାଇଲି, ଏଥର ତାହାରି ବିଷୟରେ ଲେଖିବି । ଶିକ୍ଷାକେନ୍ଦ୍ରରେ ଯେଉଁ ପିଲାମାନେ ପାଠ ପଢ଼ନ୍ତି, ସେମାନଙ୍କ ମଧ୍ୟରୁ କେତେକଙ୍କର ବାପା ଅଥବା ମାଆମାନେ ପିଲାଏ କେବଳ ଇସ୍କୁଲରେ ପଢ଼ା ଯାଉଥିବା ପାଠରେ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ । ସେମାନେ ସମ୍ଭବତଃ ମନେ ମନେ ଭାବନ୍ତି, ଏଗୁଡ଼ାକ ନୂଆ ଇସ୍କୁଲ, ଏବେ ତିଆରି ହୋଇଛି । ସେସବୁ ସ୍କୁଲରେ ନୂଆ ଢଙ୍ଗରେ ପାଠପଢ଼ା ହେଉଛି; ଯେଉଁମାନେ ଶିକ୍ଷକ ହିସାବରେ ଅଛନ୍ତି, ସେମନେ ମୋଟେ ଶିକ୍ଷକ ଭଳି ଦେଖା ଯାଉ ନାହାନ୍ତି । ସେଠି ଶାସକ ନାହିଁ, ଆକଟ ନାହିଁ, ତୋଡ଼ ନାହିଁ କିମ୍ୱା ତର୍ଜନୀ–ପ୍ରଦର୍ଶନ ମଧ୍ୟ ନାହିଁ । ଏବଂ ସଂସାରଟା ଯେମିତି ହେଲାଣି, ସେହି ଦୃଷ୍ଟିରୁ ପିଲାଏ ଆଉଟିକିଏ ଅଧିକ କଡ଼ା ହୋଇ ମୂଳରୁ ତିଆରି ନହେଲେ ବଡ଼ ହୋଇ ହୁଏତ ଆଦୌ କେଉଁଠି ହେଲେ ଖାପ ଖାଇପାରିବେ ନାହିଁ କିମ୍ୱା ଆଦୌ କୌଣସି ପ୍ରତିଯୋଗିତାରେ ଉତୁରି ପାରିବେ ନାହିଁ । ଏହିପରି ଭାବି ସନ୍ଦେହତ୍ମାମାନେ ନିଜ ପିଲାଙ୍କ ଲାଗି ଘରେ ଘରୋଇଶିକ୍ଷକ ବି ନିଯୁକ୍ତ କରି ରଖିଥାନ୍ତି । ସେମାନେ ଦୁଇଆଡ଼େ ଗୋଡ଼ ରଖିଥାନ୍ତି । ପିଲାମାନଙ୍କୁ ଏଇ ନୂଆ ଇସ୍କୁଲଗୁଡ଼ିକ ଭଲ ଲାଗୁଛି, ସେଠାରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଭଲ ମଣିଷଙ୍କ ପରି ଦେଖା ଯାଉଛନ୍ତି । ପିଲାମାନେ ସେଠାକୁ ଅବଶ୍ୟ ଯାଆନ୍ତୁ । କିନ୍ତୁ ଘରେ ସେମାନଙ୍କ ପାଇଁ ଘରୋଇ ଶିକ୍ଷକ ରହନ୍ତୁ । ସେମାନେ ଆକଟ କରି ପାଠ ପଢ଼ାଇ ପାରିବେ, ଆକଟ କରି ପାଠ ପଢ଼ିଲେ ଯାଇ ପିଲାମାନେ ସଂସାର ପାଇଁ ମଜବୁତ ହୋଇପାରିବେ, ଇତ୍ୟାଦି ଇତ୍ୟାଦି ।

 

ଆମ ଭାଇଙ୍କର ପତ୍ରରେ ଏହିପରି ଜଣେ ଘରୋଇ ଶିକ୍ଷକ ଓ ତାଙ୍କ ପାଖରେ ଘରେ ପାଠ ପଢ଼ୁଥିବା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଗୋଟିଏ ପିଲା ବିଷୟରେ ଉଲ୍ଲେଖ କରାଯାଇଛି । ଟିଉସନ୍ ,ସାର୍ ଥରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଆସି ଅଭିଯୋଗ କରି କହିଲେ ଯେ ଏହି ସ୍କୁଲର ପିଲାମାନେ ଘରେ ଟିଉସନ୍ ହେଲାବେଳେ ମୋଟେ ସେମାନଙ୍କର କଥା ମାନୁ ନାହାନ୍ତି । ପିଲାମାନଙ୍କର କ’ଣ କେଉଁଠି ଭୁଲ୍ ରହିଲା ବୋଲି ପ୍ରଶ୍ନ କରିବାକୁ ଟିଉସନ୍ ସାର୍ କହିଲେ ଯେ, ଥରେ ସିଏ ଟିଉସନ୍ କରୁଥିବା ପିଲାକୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ପାଖକୁ କେମିତି ଦରଖାସ୍ତ ଲେଖାଯାଏ, ସେହି କଥା ଶିଖାଇ ଦେଉଥିଲେ । ସଚରାଚର ଦରଖାସ୍ତ–ବିଜ୍ଞାନରେ ଯାହା କୁହାଯାଇଛି, ସେହି ଅନୁସାରେ ‘ମାନନୀୟ ପ୍ରଧାନ–ଶିକ୍ଷକ ମହୋଦୟ’ ବୋଲି ସମ୍ୱୋଧନ କରି ଲେଖାଯିବା କଥା । ପିଲାଟି ଆପତ୍ତି କରି କହିଲା, ଆମ ସ୍କୁଲରେ ଶିକ୍ଷକ ଫିକ୍ଷକ କେହି ନାହାନ୍ତି, କେବଳ ଅପା ଭାଇମାନେ ଅଛନ୍ତି । ଆମକୁ ଯେଉଁମାନେ ପାଠପଢ଼ାନ୍ତି, ସେମାନଙ୍କୁ ଆମେ ଅପା ଓ ଭାଇ ବୋଲି ଡାକୁ । ଆମର ପ୍ରକୃତ ପ୍ରଧାନ ଶିକ୍ଷକ ହେଉଛନ୍ତି ଶ୍ରୀଅରବିନ୍ଦ । ହଁ, ଆପଣ ପ୍ରଧାନଶିକ୍ଷକ ବୋଲି ଯାହାଙ୍କୁ ଭାବୁଛନ୍ତି, ଆମେ ତାଙ୍କୁ ଆମର ବଡ଼ ଭାଇ ବୋଲି କହୁ । ତେଣୁ ଦରଖାସ୍ତରେ ସମ୍ୱୋଧନ କରି ମୁଁ ବଡ଼ ଭାଇ ବୋଲି ଲେଖୁଛି ।

 

ବକଟେ ବୋଲି ପିଲା, ମାତ୍ର ତୃତୀୟ ଶ୍ରେଣୀରେ ପଢ଼ୁଛି, ଟିଉସନ୍ ସାର୍ ରାଗିଗଲେ । ଆଗ ରାଗିଲେ, ତା’ପରେ ବୁଝାଇ କରି ବି କହିଲେ । ଯେତେ ମାଠିଲେ, ତଥାପି ହେଲା ନାହିଁ । ପିଲାଟି ଦରଖାସ୍ତରେ ପ୍ରଧାନଶିକ୍ଷକ ସ୍ଥାନରେ ବଡ଼ ଭାଇ ବୋଲି ଲେଖିଲା । ଟିଉସନ୍ ସାର୍ ପରାସ୍ତ ହେଲେ । ଆଉ ଦିନକର କଥା । ସାର୍ ‘ତୁମ ଇସ୍କୁଲ ବଗିଚା’ ବିଷୟରେ ରଚନା ଲେଖିବାକୁ ଦେଲେ । ପିଲା ଶିକ୍ଷାକେନ୍ଦ୍ରର ବଗିଚାଟିକୁ ଯେଉଁପରି ଭାବରେ ଦେଖିଥିଲା, ରଚନାରେ ଠିକ୍ ସେହିପରି ଭାବରେ ଲେଖିଲା । ସିଏ ଲେଖିଥିଲା ‘‘ଆର ବର୍ଷ ଆମ ସ୍କୁଲ ବଗିଚାରେ କେତେ ରକମର ସୁନ୍ଦର ଫୁଲମାନ ଫୁଟୁଥିଲା । ଏବେ ବଗିଚା ନାରଖାର ହୋଇ ପଡ଼ିଛି । ଫୁଲ ଫୁଲ କିଛି ନାହିଁ । ବାଡ଼ ଭାଙ୍ଗିଗଲାଣି ଯେ ଗାଈ ପଶି ଯାଉଛନ୍ତି । ହାତରେ ବାଡ଼ି ଧରି ଗାଈମାନଙ୍କୁ ବିଦା କରିବାରେ ମାଳିର ବେଳ ଯାଉଛି’’ । ଶିକ୍ଷକ ଆକଟ କରି କହିଲେ, ଏମିତି ମୋଟେ ଲେଖନ୍ତି ନାହିଁ-। ଏମିତି ଲେଖିଲେ ତୁମକୁ କୌଣସି ପରୀକ୍ଷକ ନମ୍ୱର ଦେବେ ନାହିଁ । ବଗିଚା ନଥିଲେ ମଧ୍ୟ ଆମ ସ୍କୁଲରେ ସୁନ୍ଦର ବଗିଚାଟିଏ ରହିଛି, ସେଥିରେ କେତେ କିସମର ଫୁଲ ଫୁଟିଛି, ଫୁଲମାନଙ୍କରେ ସୂର୍ଯ୍ୟକିରଣ ପଡ଼ି ଚକଚକ ଦେଖାଯାଉଛି ଓ ତାକୁ ଦେଖି ଆମର ମନ ଖୁସୀ ହୋଇଯାଉଛି ବୋଲି ତୁମକୁ ଲେଖିବାକୁ ହେବ । ତେବେ ଯାଇ ରଚନା ପରି ରଚନାଟିଏ ହେବ । ପିଲା ବି ଦବିବାର ନୁହେଁ । ସିଏ ଅତ୍ୟନ୍ତ ସ୍ୱାଭାବିକ ଭାବରେ ଉତ୍ତର ଦେଲା, ନାଇଁ ନାଇଁ ଆମ ଭାଇ ମନା କରିଛନ୍ତି ମିଛ ଲେଖିବା ପାଇଁ । ବଗିଚାରେ ଯେତେବେଳେ ଫୁଲ ଫୁଲ କିଛି ନାହିଁ, ବାଡ଼ ଭଙ୍ଗା ହୋଇ ପଡ଼ିଛି, ସେତେବେଳେ ମୁଁ ଏସବୁ କଥା କାହିଁକି ଲେଖିବି ? ଟିଉସନ୍ ସାରଙ୍କର ଅଭିଯୋଗଟି ଶୁଣି ଆମ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଭାଇ ଜଣକ କହିଲେ, ‘‘ପିଲା ଆଉ ଭୁଲ୍ କ’ଣ କହିଲା ? ସିଏ ତାଙ୍କ ସ୍କୁଲ ବଗିଚାକୁ ପ୍ରକୃତରେ ଯେଉଁଭଳି ଦେଖିଥିଲା, ଠିକ୍ ସେହିପରି ହିଁ କହିଛି-।’’ ଟିଉସନ୍ ସାର୍ ଆଉ ନ ରାଗି ରହି ପାରିଲେ ନାହିଁ । କହିଲେ, ’’ତୁମ ଶ୍ରୀଅରବିନ୍ଦ କ’ଣ କହିଛନ୍ତି ସ୍କୁଲରେ ଶିକ୍ଷକମାନଙ୍କୁ ଅପା ଓ ଭାଇ ଡାକିବା ପାଇଁ ? ଆପଣଙ୍କ ସ୍କୁଲରେ ଯେଉଁ ଝିଅ-ପିଅନ କାମ କରୁଛି, ପିଲାମାନେ ତାକୁ ପୁଣି ନାନୀ ବୋଲି ସମ୍ୱୋଧନ କରୁଛନ୍ତି । ନାନୀ ବଗିଚାର ଯତ୍ନ ନିଏ ବୋଲି ଖାତାରେ ଲେଖିଲେ ପିଲାଙ୍କୁ କିଏ ନମ୍ୱର ଦେବାକୁ ମନ କରିବ ?’’ ଆମ ଶିକ୍ଷାକେନ୍ଦ୍ରର ଭାଇ ଉତ୍ତର ଦେଲେ, ‘‘ ପିଲା ପରୀକ୍ଷାରେ କେତେ ନମ୍ୱର ପାଇବ, ତା’ ସାଙ୍ଗ ଅନ୍ୟ ପିଲାଙ୍କ ତୁଳନାରେ ଅଧିକ ନମ୍ୱର ପାଇ ବାହାଦୁରି ନେବ, ସେଥିଲାଗି ଆମ ପିଲାମାନେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଆସୁନାହାନ୍ତି, ସେମାନେ ଆସୁଛନ୍ତି, ମୁକ୍ତ ଓ ଭୟଶୂନ୍ୟ ଭାବରେ ନିଜର ଜୀବନକୁ ଗଢ଼ିବା ପାଇଁ, ଠିକ୍ ଫୁଲଟିଏ ପରି ଫୁଟି ଉଠିବା ପାଇଁ ।’’ କଥୋପକଥନ ସେଇଠି ସରିଲା, ମାତ୍ର ଅସଲ କଥାଟି ତୁଟି ପାରିଲା ନାହିଁ ।

 

ଅସଲ କଥାଟି ହୁଏତ ମୋଟେ ତୁଟି ପାରିବ ନାହିଁ । ପ୍ରାଞ୍ଜଳ ଭାବରେ ସବୁ ବୁଝାଇ କହିଦେଲେ ଯେ ଆଉ ଜଣେ ମଣିଷ ସବୁ ବୁଝିଯିବ, ସେକଥା ଆଦୌ ନୁହେଁ । ମଣିଷ ଇଚ୍ଛା କଲେ ଯାଇ ବୁଝିପାରିବ । ଆଲୋକକୁ ମନ କଲେ ଯାଇ ଆଲୋକ କ’ଣ ବୋଲି ବୁଝିପାରିବ । ଆମେ ସବୁ ଯେତେବେଳେ ଆଉ ଅଧିକ କିଛି କରିବାକୁ ସମର୍ଥ ନହେଉ, ସେତିକିବେଳେ ଆମେ ବୋଲ ବଢ଼ାଉ, ଅନ୍ୟମାନଙ୍କୁ ବାଗକୁ ଆଣିବାକୁ ଚେଷ୍ଟା କରୁ । ବାଗ ବୋଲି ଆମେ ଯେତିକି ବୁଝିଥାଉ, ସବୁଯାକ ବାଗ କହିଲେ ଆମେ ସାଧାରଣତଃ କେବଳ ସେତିକିକୁହିଁ ବୁଝୁ । ଥୁଣ୍ଟାଗଛକୁ ଫୁଲ ଫୁଟାଇବାର ମର୍ମ ବିଷୟରେ କିପରି କଥା କହି ବୁଝାଇ ଦିଆଯାଇ ପାରିବ ? ଶିକ୍ଷାରେ ମଧ୍ୟ ଥୁଣ୍ଟାଗଛ ଅନେକ ଅଛନ୍ତି । ଶିକ୍ଷାନାମକ ପୁରୁଣା ଡାକବଙ୍ଗଳା ଗୁଡ଼ାକର ବାବୁମାନେ ଏବେ ମଧ୍ୟ ଭଙ୍ଗା କାନ୍ଥ ଓ ଫୁଟା କବାଟ-ଗୁଡ଼ାକ ଭିତରେ ବସି କୋଟି କୋଟି ଟଙ୍କାର ହିସାବରେ ଦେଶକୁ ଏକବିଂଶ ଶତାଦ୍ଦୀ ଓ ସମ୍ଭବ ହେଲେ ଏକାବେଳକେ ତ୍ରୟୋବିଂଶ ଶତାଦ୍ଦୀ ଭିତରକୁ ହୁଡ଼ାଇ ନେଇଯିବେ ବୋଲି ଘୋଷଣା କରିବାରେ ଲାଗିଛନ୍ତି । ଯୋଜନା ନାମରେ ଗଛରେ ଗଛେ ବଉଳ ଖଞ୍ଜି ଦିଆଯାଇଛି, ମାତ୍ର ଗଛର ମୂଳଟାରେ ଉଇ ଲାଗିଛନ୍ତି । ଏସବୁର ସମ୍ମୁଖୀନ ହେବାକୁ ହେବ । ଅର୍ଥାତ୍ ଏସବୁ ରହିଥିଲେ ମଧ୍ୟ ତଥାପି ଆଉ କିଛି କରିବାକୁ ପଡ଼ିବ । ସତକୁସତ ନୂଆ ଲାଗି ମନ କରି ଘରୁ ବାହାରିଥିଲେ ଯାଇ ଆମେ ଏସବୁ କରିପାରିବା । ନହେଲେ ପୁରୁଣା ପାଖରେ ହାରିଯିବା-। ଯହୁଁ ଯହୁଁ ହାରିଯାଉଥିବା, ତହୁଁ ତହୁଁ ଆମକୁ ଡାକବଙ୍ଗଳାମାନଙ୍କରୁ ଅଧିକ ପଇସା ଓ ଅଧିକ ସ୍ୱୀକୃତି ମିଳୁଥିବ, ଗଛମୂଳରୁ ମାଟିଘରକୁ ଓ ତା’ପରେ ମାଟିଘରୁ କୋଠାଘର ଭିତରକୁ ଆମର ଉନ୍ନତି ହେବାରେ ଲାଗିଥିବ,–ଆମେ ତଥାପି ନିଜ ଭିତରେ ରହିଥିବା ବିଧାତା ଓ ପରମବନ୍ଧୁଟି ପାଖରେ ହାରି ହାରି ଯାଉଥିବା ।

 

ଖାଲି ଓଡ଼ିଶାରେ ବା ଖାଲି ଭାରତବର୍ଷରେ ନୁହେଁ, ଭାରତବର୍ଷ ବାହାରେ ଆହୁରି କେତେ କେତେ ଦେଶରେ ମଧ୍ୟ ଶିକ୍ଷାରେ ନୂତନ ପ୍ରୟୋଗମାନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ମୂଳତଃ ସାହସୀମାନେ ସେହି ପ୍ରୟୋଗଗୁଡ଼ିକୁ ଗ୍ରହଣ କରିଛନ୍ତି । ପ୍ରାୟ ସମ୍ପୂର୍ଣ୍ଣ ନିଃସମ୍ୱଳ ଭାବରେ ପ୍ରୟୋଗ ଆରମ୍ଭ ହୋଇଛି । ମାତ୍ର କ୍ରମେ ସମ୍ୱଳ ବଢ଼ିଛି,–ତା’ପରେ ସତେଅବା ଗୋଡ଼ରେ ପଥର ବାନ୍ଧିହୋଇ ଯାଇଛି । ବାହାରେ ସବୁକଥା ବଢ଼ିଛି ଓ ଭିତରେ ସବୁ ପୋଲା ହୋଇଯାଇଛି । ବାହାରେ ଭେକ ଓ ସନ୍ତକଗୁଡ଼ାକୁ କେଡ଼େ ମଞ୍ଜୁଳ କରି ଦେଖାଇବାର ସରାଗ ବଢ଼ି ବଢ଼ି ଚାଲିଛି ସିନା, ମାତ୍ର ସାହସ କମିଯାଇଛି,–ଭୀରୁମାନେ, ଥୁଣ୍ଟା ଗଛମାନେ ଥାନ ମାଡ଼ି ବସିବେ ବୋଲି ଧାଇଁ ଆସିଛନ୍ତି । ଅନୁକରଣହିଁ ପରମ ଧର୍ମ ରୂପେ ସ୍ୱୀକୃତ ହୋଇଛି । ତା’ପରେ ନୂତନଟି ସେହି ପାରମ୍ପରିକ ଓ ପୁରାତନ ସହିତ ଅତ୍ୟନ୍ତ ଚମତ୍କାର ଭାବରେ ଖାପ ଖାଇ ରହିଯାଇଛି । ପ୍ରେରଣାମାନେ ଗୋଟିଏ ଗୋଟିଏ ଠାକୁରରେ ପରିଣତ ହୋଇ ରହିଛନ୍ତି, ଧର୍ମର ଆହ୍ୱାନଗୁଡ଼ାକ ଭବ୍ୟ ମଠରେ ପରିଣତ ହୋଇ ଯାଇଛନ୍ତି । ଅତୀତରେ ଏହି ଘଟଣା ବହୁବାର ଘଟିଛି; ଏବେ ଯେ ଠିକ୍ ସେହି କଥା ନଘଟିବ, ସେପରି ଆଣ୍ଟ କରିବାର ଆଦୌ କୌଣସି କାରଣ ନାହିଁ ।

 

ଆମେ ଯଦି ଗୁଳାରେ ପଡ଼ିବା ନାହିଁ ବୋଲି ଯଥାର୍ଥରେ ଏକ ସଂକଳ୍ପ ନେଇ ଆମ ପ୍ରୟୋଗଟିକୁ ଆରମ୍ଭ କରିଥିବା, ତେବେ ଯାଇ ଆମେ ସେକଥା କଦାପି ଘଟିବାକୁ ନଦେବା ଲାଗି ସମର୍ଥ ହେବା । ମାତ୍ର, ସେିଥିଲାଗି ଆମ ଭିତରେ ଏକ ଅଟଳ ବିଶ୍ୱାସ ଏବଂ ଅବିଚଳିତ ସମ୍ମତି ଆମର ଅସ୍ଥି ଓ ମଜ୍ଜାରେ ପରିଣତ ହୋଇ ରହିଥିବା ଉଚିତ । ଆମ ପରସ୍ପର ଭିତରେ ରହିଥିବା ଅସଲ ସୂତ୍ରଗୁଡ଼ିକ ମଧ୍ୟ ଯଥାର୍ଥ ଭାବରେ ଦୃଢ଼ ହୋଇ ରହିଥିବା ଉଚିତ । ପୁରୁଣା ପୃଥିବୀରେ ଯାହାକୁ ସଫଳତା ବୋଲି କୁହାଯାଇଛି, ସେଥିଲାଗି ଆମ ଭିତରେ ବା ଆମ ଶିକ୍ଷାକେନ୍ଦ୍ରରେ ଆଦୌ କୌଣସି ଆକର୍ଷଣ ରହିବା ଉଚିତ୍ ନୁହେଁ । ପୁରୁଣା ପୃଥିବୀରେ ବହୁତଙ୍କୁ ବିଫଳ କରାଇ ଅଳପ କେତେଜଣଙ୍କର ସଫଳ ହେବାକୁହିଁ ପ୍ରାୟ ସବୁଯାକ ସଫଳତା ବୋଲି କୁହାଯାଉଛି । ତେଣୁ, ଆମ ଭିତରୁ ଥୋକେ ବାହାରର ମାପକାଠିଗୁଡ଼ାକ ଅନୁସାରେ ସତେଅବା ମଞ୍ଚା ଉପରେ ଯାଇ ବସିଛନ୍ତି ସତ, ମାତ୍ର, ଆତ୍ମୀୟତା ମାଡ଼ ଖାଇ ଯାଉଛି । ଏବଂ, ଆତ୍ମୀୟତା ବଢ଼ିଲେ ସତକୁସତ ଯେଉଁ ଚେତନାଟି ସମ୍ଭବ ହୁଏ, ଅଥବା, ସତକୁସତ ଯେଉଁ ଚେତନାଟିକୁ ଆଦରିନେଇ ପାରିଲେ ସଂସାର ଭିତରେ ଆତ୍ମୀୟତା ବୃଦ୍ଧି ଲାଭ କରେ, ସେହି ଚେତନା ସୁଦୂରପରାହତ ହୋଇ ରହିଛି । ଆମ ନିଜ ଭିତରେ ପୁରୁଣା ଢଙ୍ଗ ଓ ଛାଞ୍ଚଗୁଡ଼ାକ ପ୍ରତିପତ୍ତି ବିସ୍ତାର କରି ରହିଛନ୍ତି,–ତେଣୁ ବାହାରେ ଖଟୁଲି ଉପରେ ନୂଆ ସନ୍ତକମାନଙ୍କୁ ଠାକୁର କରି ବସାଉଥିଲେ ମଧ୍ୟ ଆମେ ତଥାପି ନୂତନର ଭାଜନ ହୋଇ ପାରୁନାହୁଁ । ଯେଉଁ ପୁରୁଣାକୁ ଭାଙ୍ଗିବା ଲାଗି ଆମେ ପଣ କରି ବାହାରିଥିଲୁ, ଆମେ ତାହାରି ଅନୁକରଣ କରିବାର ଫାନ୍ଦରେ ଆସି ପଡ଼ିଯାଉଛୁ । ଏ ଖେଳ କେବେ ସରିବ ?

 

ଜୁନ୍, ୧୯୮୭

☆☆☆

 

ସଂକ୍ରମଣର ଆଉ ଏକ ସୂତ୍ର

 

ଯେଉଁ ରୋଗ ବ୍ୟାପିଯାଏ, ଆମେ ତାହାକୁ ଏକ ସଂକ୍ରାମକ ରୋଗ ବୋଲି କହିଥାଉ । ସଂକ୍ରାମକ ରୋଗମାନଙ୍କର ନିରାକରଣ ଲାଗି ଆଧୁନିକ ବିଜ୍ଞାନ ଓ ବୈଜ୍ଞାନିକ ମାନସ କେତେ କ’ଣ କରୁଛି । ଏଥିପାଇଁ କେତେ ଗବେଷଣା କରାଯାଉଛି । ମାତ୍ର, ସ୍ୱାସ୍ଥ୍ୟର ମଧ୍ୟ ଯେ ଏକ ସଂକ୍ରମଣ-ଶକ୍ତି ରହିଛି, ସେକଥା କେତେଜଣ ବୈଜ୍ଞାନିକ ଏକାଠି ବସି ଚର୍ଚ୍ଚା କରୁଛନ୍ତି ? ଠିକ୍ ସେହିପରି, ମନ୍ଦିର ନିରାକରଣ ନିମନ୍ତେ ସଂସାରରେ କେତେ କେତେ ଲୋକ କେତେ କ’ଣ ଚିନ୍ତା କରିଛନ୍ତି । ମନ୍ଦିର ଭୟଙ୍କର ସଂକ୍ରମଣ-ସାମର୍ଥ୍ୟ ରହିଛି । ବାଳୁଙ୍ଗାମାନଙ୍କୁ ଛାଡ଼ିଦେଲେ ଶେଷକୁ ବିଲଯାକ ବାଳୁଙ୍ଗା ମାଡ଼ିଯାଏ ଏବଂ ତା’ପରେ ସବୁ ଉଚ୍ଛନ୍ନ ହୋଇଯାଏ,–ଏକଥା ପୃଥିବୀର ନୀତିଶାସ୍ତ୍ରମାନଙ୍କରେ କେତେ କେତେ ବାଗରେ କୁହାଯାଇଛି । ଏହିଭଳି ଏକ ଉତ୍ସାହର ବଶବର୍ତ୍ତୀ ହୋଇ ଆମ ଭାରତରେ ମଧ୍ୟ ଋଷିମାନେ ନୀତିଶତକ ଲେଖିଛନ୍ତି । ତଥାପି, ମନ୍ଦ ପ୍ରତି, ବାଳୁଙ୍ଗାଗୁଡ଼ାକ ପ୍ରତି ରହିଥିବା ଭୟ ସଂସାରରେ ହୁଏତ ଏ ପର୍ଯ୍ୟନ୍ତ ମଧ୍ୟ କମି ନାହିଁ । ସ୍ୱାସ୍ଥ୍ୟ ପ୍ରତି ଶ୍ରଦ୍ଧା ଯେତେ ନବଢ଼ିଛି, ରୋଗ ପ୍ରତି ଭୟ ସମ୍ଭବତଃ ତାହାର ଦଶଗୁଣ ଅଧିକ ବୃଦ୍ଧି ପାଇଛି ।

 

ଶିକ୍ଷାର କ୍ଷେତ୍ରରେ ମଧ୍ୟ ହୁଏତ ପ୍ରାୟ ସେହିପରି ହୋଇଛି । ପୃଥିବୀର ପ୍ରାୟ ସବୁ ଶିକ୍ଷକଙ୍କ ଆଖିରେ କେତେକ ପିଲା ଭଲ ବୋଲି ଦେଖାଯା’ନ୍ତି ଓ ଆଉ କେତେକ ମନ୍ଦ ବୋଲି ଦେଖାଯାଇଥାନ୍ତି । ଭଲମାନଙ୍କ ଅପେକ୍ଷା ମନ୍ଦମାନେହିଁ ସତେଅବା ଅଧିକ ହୋଇ ଦିଶନ୍ତି । ଶିକ୍ଷକମାନଙ୍କର ଆଖିରେ ପ୍ରକୃତରେ କୋଉ ସଂସ୍କାରବଶତଃ କ’ଣ ରହିଥାଏ କେଜାଣି, ସେମାନେ ଭଲ ଅପେକ୍ଷା ମନ୍ଦ ଅଧିକ ରହିଛନ୍ତି ବୋଲି ଅନୁଭବ କରୁଥାଆନ୍ତି । ଏହିପରି ଏକ ଅନୁମାନକୁ ଭିତ୍ତି କରି ସେମାନେ ଆପଣାର ଆଚରଣକୁ ମଧ୍ୟ ଅନୁରୂପ ଭାବରେ ତିଆରି କରିଥା’ନ୍ତି । ସେମାନେ ଦୃଷ୍କୃତମାନଙ୍କର ବିନାଶରେହିଁ ଅଧିକ ସମୟ ଦିଅନ୍ତି । ଦୁଷ୍କୃତମାନଙ୍କର ବିନାଶ ଦ୍ୱାରାହିଁ ଯେ ସାଧୁମାନଙ୍କର ପରିତ୍ରାଣ ହୋଇଯିବ, ଅର୍ଥାତ୍ ମନ୍ଦମାନଙ୍କର ପଛରେ ଗୋଡ଼ାଇ ସେମାନଙ୍କୁ ସାଧ୍ୟ କରି ରଖିଲେ ଯାଇ ଯେ ଭଲଗୁଡ଼ିକର ସମୃଦ୍ଧି ହୋଇପାରିବ, ପ୍ରାୟ ଏକ ଅନ୍ତ୍ରର୍ଗତ ରକ୍ତସଂସ୍କାର ପରି ସେମାନେ ସେହିପରି ବିଶ୍ୱାସ କରୁଥାନ୍ତି । ମନ୍ଦଗୁଡ଼ାଙ୍କୁ ସାଧ୍ୟ ନକଲେ ଭଲମାନଙ୍କ ଲାଗି ଆଉ ଭବିଷ୍ୟ ବୋଲି କିଛି ରହିବ ନାହିଁ ବୋଲି ସେମାନେ ଭାରି ଭୟ କରୁଥାନ୍ତି-। ମାତ୍ର, ଅନ୍ୟ ପକ୍ଷରେ, ଭଲମାନଙ୍କୁ ପ୍ରୋତ୍ସାହନ ଦେଲେ ତାହାରି ପ୍ରତିକ୍ରିୟା ସ୍ୱରୂପ ମନ୍ଦମାନେ ମଧ୍ୟ ଯେ କ୍ରମେ ଧାଡ଼ି ଭିତରକୁ ଆସିଯିବେ, ବାଗର ହୋଇପାରିବେ, ବଦଳିଯିବେ, ସେକଥା ବିଶ୍ୱାସ କରିବା ସେମାନଙ୍କ ଲାଗି କାଠିକର ପାଠ ହୋଇ ରହିଥାଏ । ଭଲ ମନ୍ଦକୁ ବଦଳାଇ ପାରିବ, ଓ ତାହାରି ଦ୍ୱାରା ଯେ ସଂସାର ଅଧିକ ସ୍ୱାଭାବିକ ଭାବରେ ସୁସ୍ଥ ହୋଇପାରିବ, ନାନା କାରଣରୁ ସଂସାରର ଅଧିକ ମଣିଷଙ୍କର ଏଥିରେ ପ୍ରତ୍ୟୟ ନଥାଏ । ଏହାର ହୁଏତ ଏକାଧିକ କାରଣ ରହିଛି ।

 

ପ୍ରାୟ ତିରିଶିବର୍ଷ ପୂର୍ବେ ମାଆ ଏକଦା ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ଏହି ପ୍ରସଙ୍ଗରେ କିଛି କହିଥିଲେ । (ମାତୃରଚନାବଳୀ (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ,୬ଷ୍ଠ ଖଣ୍ଡ, ୧୯୭୯,ପୃଷ୍ଠା–୧୫୫) ତାଙ୍କରି ଭାଷାରେ କହିଲେ : ‘‘ଠିକ୍ ଯେପରି ଶୃଙ୍ଖଳା ରକ୍ଷା କରୁ ନଥିବା ଓ ଅସଦିଚ୍ଛାରେ ପୂର୍ଣ୍ଣହୋଇ ରହିଥିବା ଜଣେ ଅବାଧ୍ୟ ଛାତ୍ର ସମଗ୍ର ଶ୍ରେଣୀର ଶୃଙ୍ଖଳାରେ ମଧ୍ୟ ବ୍ୟାଘାତ ସୃଷ୍ଟି କରିପାରିବ–ଏବଂ ସେହି କାରଣରୁହିଁ ବେଳେବେଳେ ତାହାକୁ ଶ୍ରେଣୀରୁ ବାହାର କରିଦେବାକୁ ହୋଇଥାଏ, କାରଣ କ୍ଲାସରେ ତା’ର ଉପସ୍ଥିତ ରହିବା ଦ୍ୱାରାହିଁ ସିଏ ପୂରା କ୍ଲାସଟାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବିଶୃଙ୍ଖଳିତ କରି ଦେଇପାରେ,–ଠିକ୍ ସେହିପରି, ଯଦି ଶ୍ରେଣୀରେ ଏପରି ଗୋଟିଏ ଛାତ୍ର ରହିଥାଏ, ଯାହାର ସମ୍ପୂର୍ଣ୍ଣ ଭାବରେ ଯଥାର୍ଥ ଦୃଷ୍ଟିକୋଣଟି ରହିଥାଏ, ସବୁ କ୍ଷେତ୍ରରେ ତା’ର ଏକ ଶିଖିବା ମନୋଭାବ ରହିଥାଏ, ଯେପରିକି ତାକୁ ପାଟି ଖୋଲି କୌଣସି କଥା ନକହିଲେ କିମ୍ୱା ଆଦୌ କୌଣସି ସଙ୍କେତ ଦିଆଯାଉ ନଥିଲେ ମଧ୍ୟ ସିଏ ଆପଣା ଲାଗି କିଛି ନା କିଛି ଶିକ୍ଷା କରିବାର ଏକ ଅବସର ସୃଷ୍ଟି କରି ନେଉଥାଏ,–ତେବେ ଶ୍ରେଣୀରେ ତା’ର ଉପସ୍ଥିତି ଦ୍ୱାରା ଠିକ୍‌ ଏକ ବିପରୀତ ପ୍ରଭାବ ବି ପଡ଼ିପାରେ ଏବଂ ତଦ୍ଦ୍ୱାରା ସେ ସମଗ୍ର କ୍ଲାସକୁ ମଧ୍ୟ ଶିକ୍ଷାର ପ୍ରକ୍ରିୟାରେ ଅବଶ୍ୟ ସାହାଯ୍ୟ କରିପାରେ । ଯଦି ତା’ ଭିତରେ ସଚେତନ ଭାବରେ ସତତ ଶିକ୍ଷା କରିବାର ଓ ଆପଣାକୁ ସଂଶୋଧନ କରିବାର ଆକାଂକ୍ଷାଟି ରହିଥାଏ, ତେବେ ସିଏ ନିଜର ଏହି ଗୁଣଟିକୁ ଅନ୍ୟମାନଙ୍କ ମଧ୍ୟକୁ ବି ସଂକ୍ରମିତ କରି ଦେଇପାରେ ।’’ ମାଆ ତା’ପରେ କହିଛନ୍ତି, ‘‘ଏକଥା ସତ ଯେ ସଂସାରରେ ବର୍ତ୍ତମାନ ସ୍ଥିତି ଯେପରି ହୋଇ ରହିଛି, ସେଥିରେ ମନ୍ଦ ଉଦାହରଣଗୁଡ଼ିକରହିଁ ଭଲ ଉଦାହରଣଟିଏ ଅପେକ୍ଷା ଅଧିକ ସଂକ୍ରମଣ-ଶକ୍ତି ରହିଛି । ଭଲ ଦୃଷ୍ଟାନ୍ତଟିଏ ଅପେକ୍ଷା ଗୋଟିଏ ମନ୍ଦ ଦୃଷ୍ଟାନ୍ତର ଅନୁସରଣ କରିବା ମଧ୍ୟ ଅଧିକ ସହଜ ବୋଲି ମନେ ହୋଇଥାଏ । ତଥାପି, ସେହି ଅନ୍ୟଟିର ମଧ୍ୟ ଯଥେଷ୍ଟ ଉପଯୋଗିତା ରହିଛି । ଏବଂ, ଯଦି ଗୋଟିଏ ଶ୍ରେଣୀରେ ଏପରି ଉପଯୁକ୍ତ ଛାତ୍ରଟିଏ ଥାଏ, ଯିଏକି ପ୍ରକୃତରେ ଶିକ୍ଷା ଲାଗି ଓ ସେହି ଶିକ୍ଷାକୁ କାମରେ ଲଗାଇବା ଲାଗି ଆଗ୍ରହ ରଖିଥାଏ, ଶିଖିବାର ସକଳ ଅବସର ବିଷୟରେ ଯାହାର ଗଭୀର ଔତ୍ସୁକ୍ୟ ରହିଥାଏ,–ତେବେ ତଦ୍ଦ୍ୱାରା ଶ୍ରେଣୀରେ ଏକ ସ୍ଥାୟୀ ପରିବେଶ ଅବଶ୍ୟ ସମ୍ଭବ ହୋଇଯାଏ ।’’

 

ମଣିଷ ଭିତରେ ଭଲ ବେଶୀ ନା ଖରାପ ବେଶୀ ? ଆମ ଶ୍ରେଣୀଗୃହରେ ଭଲ ବେଶୀ ନା ମନ୍ଦ ବେଶୀ ? ଆମ ପିଲାଙ୍କ ଭିତରେ ପ୍ରକୃତରେ ଭଲ ବେଶୀ ନା ମନ୍ଦ ବେଶୀ ? ଏବଂ, ଆମ ନିଜ ଭିତରେ ଭଲ ବେଶୀ ନା ମନ୍ଦ ବେଶୀ ? ଏହିସବୁ ପ୍ରଶ୍ନ ଓ ସେଗୁଡ଼ିକ ଉପରେ ଆମ ଦ୍ୱାରା ଅନୁମିତ ଉତ୍ତରଗୁଡ଼ିକୁ ଭିତ୍ତି କରି ପୃଥିବୀରେ ପ୍ରାୟ ଆବହମାନ କାଳରୁ ନାନାବିଧ ନୀତିବାଦର ମସୁଧା ହୋଇ ଆସିଛି । ସଂସାରରେ ଭଲ ବେଶୀ ନା ମନ୍ଦ ବେଶୀ, ସେକଥା ଆଦୌ କୌଣସି ଗାଣିତିକ ପ୍ରଣାଳୀରେ ମାପିକରି କହିଦେଇ ହେବ ନାହିଁ । ହୁଏତ ଅସଲ କଥାଟି ହେଉଛି ଯେ, ଆମେ ନିଜେ ଭଲ ଉପରେ ଅଧିକ ବିଶ୍ୱାସ ରଖିଛୁ ବା ମନ୍ଦ ଉପରେ ଅଧିକ ବିଶ୍ୱାସ ରଖିଛୁ, ଆମର ଭଲମନ୍ଦର ମାତ୍ରାନିର୍ଦ୍ଧାରଣ ପ୍ରଧାନତଃ ତାହାରି ଉପରେ ନିର୍ଭର କରିବ । ଜଣେ ମଣିଷର ଜୀବନରେ କାହିଁକି କ୍ରମେ ଭଲ ଉପରେ ବିଶ୍ୱାସ ତୁଟି ତୁଟି ଯାଏ ଓ ତେଣୁ ଶେଷକୁ ମନ୍ଦଗୁଡ଼ାକହିଁ ପ୍ରାୟ ଏକମାତ୍ର ନିୟାମକ ବୋଲି ଅନୁଭୂତ ହେବାରେ ଲାଗନ୍ତି, ତାହାର ଏକାଧିକ କାରଣ ରହିଛି । ସାଧାରଣତଃ ପିଲାମାନେ ଭଲ ଉପରେହିଁ ଅଧିକ ବିଶ୍ୱାସ ରଖିଥାନ୍ତି ଓ ବଡ଼ ହେବା ସଙ୍ଗେ ସଙ୍ଗେ ବୟସ୍କମାନଙ୍କର ଆକଟ ମାନି କ୍ରମଶଃ ମନ୍ଦଟାକୁହିଁ ଅଧିକ ବୋଲି ଗ୍ରହଣ କରି ନିଅନ୍ତି । ଶ୍ରେଣୀ-ଗୃହରେ ଆମ ପିଲାମାନଙ୍କରହିଁ ସଚରାଚର ଭଲ ଉପରେ ଅଧିକ ବିଶ୍ୱାସ ରହିଥାଏ । ବଡମାନଙ୍କର ଅର୍ଥାତ୍ ଶିକ୍ଷକମାନଙ୍କର, ସେମାନଙ୍କୁ ଉପଯୁକ୍ତ ଓ ଯୁଗୋପଯୋଗୀ କରି ଗଢ଼ିବାର ଅଭିଳାଷ ରଖିଥିବା ବଡମାନଙ୍କର ଭଲ ଉପରେ ସେତେ ବିଶ୍ୱାସ ଆଦୌ ନଥାଏ ଓ ମନ୍ଦ ବିଷୟରେ ଗଦାଏ ଭୟ ରହିଥାଏ । ସେମାନେ ଭଲ ବିଷୟରେ ବଚସ୍କର ଭାବରେ କେତେ କ’ଣ କହନ୍ତି ସତ, ମାତ୍ର ଭଲ ଉପରେ ଆସ୍ଥା ରଖିବାକୁ ଆପଜ୍ଜନକ ମନେ କରୁଥାନ୍ତି, କାରଣ ମନ୍ଦକୁ ଅତିରିକ୍ତ ପରିମାଣରେ ଭୟ କରୁଥାନ୍ତି । ସେମାନଙ୍କର ନିଜ ଭିତରର ଭଲଟି ଯେ କେବେ ସେମାନଙ୍କ ଭିତରେ ଥିବା ଅର୍ଥାତ୍ ଯତ୍ନ ସହକାରେ ଘୋଡ଼ାଇ କରି ରଖି ଦିଆଯାଇଥିବା ମନ୍ଦଟି ସହିତ ଯୁଝି ପାରିବ ଓ ହଟାଇଦେଇ ପାରିବ, ସେମାନେ ସେହି ଆସ୍ଥାଟିକୁ ହରାଇ ସାରିଥାନ୍ତି ।

 

ପିଲା ଭିତରେ ଭଲ ଅଧିକ ପ୍ରମୁଖ ହୋଇ ରହିଥାଏ । ଅର୍ଥାତ୍ ତା’ ଭିତରେ ବିଶ୍ୱାସ ଅଧିକ ଥାଏ, ଛଳ ଓ କପଟ କମ୍ ଥାଏ । ଚତୁରତା କମ୍ ଥାଏ, ଆପଣାକୁ ଲୁଚାଇ ରଖିବାର ଟେକ୍‌ନିକ୍‌ଗୁଡ଼ାକ ମଧ୍ୟ ତାକୁ ସେତେବେଶୀ ସ୍ପର୍ଶ କରି ନଥାନ୍ତି । ଶିକ୍ଷକ ଯଦି ପ୍ରକୃତରେ ଭଲ ଉପରେ ଅଧିକ ବିଶ୍ୱାସ ରଖିଥାନ୍ତା, ତେବେ ସିଏ ତା’ ଶ୍ରେଣୀର ପିଲାମାନଙ୍କୁ ଏକାବେଳେକେ ଅନ୍ୟପ୍ରକାରେ ଦେଖୁଥାନ୍ତା । ସବାଆଗ ଭଲଗୁଡ଼ିକୁ ଦେଖୁଥାନ୍ତା, ମନ୍ଦ ବିଷୟରେ ଆଦୌ ଏତେ ଗବେଷଣା ବା ଚର୍ଚ୍ଚା କରୁ ନଥାନ୍ତା । ଅର୍ଥାତ୍, ଅଧିକ ସିଧା କରି କହିଲେ, ସିଏ ପିଲାମାନଙ୍କ ଭିତରେ ରହିଥିବା ଭଲଦ୍ୱାରା ନିଜେ ସଂକ୍ରମିତ ହୋଇ ପାରୁଥାନ୍ତା,–ଶ୍ରେଣୀଗୃହର ଅସଲ ସଖ୍ୟଟି ତାହାରି ଦ୍ୱାରାହିଁ ସମ୍ଭବ ହେଉଥାନ୍ତା । ଶିକ୍ଷକମାନେ ଯୁଗେ ଯୁଗେ ସେହି ସଖ୍ୟଟିର ଅଯୋଗ୍ୟ ହୋଇ ରହିଛନ୍ତି, ସେହି ସଖ୍ୟମୂଳ ଅବସରଗୁଡ଼ିକୁ ଅତ୍ୟନ୍ତ ନିର୍ବୋଧ ଭାବରେ ହରାଇ ଆସିଛନ୍ତି । ଏଣେ ମନ୍ଦଦଳନ କରିବାର ମହିଷମର୍ଦ୍ଦିନୀ ବେଶ ହୋଇ ବାହାରିବାର ସୁଆଙ୍ଗମାନ ଲଗାଇ ରଖିଛନ୍ତି । ଶିକ୍ଷକମାନେ ସତେଅବା କେଉଁ ପାପ ବା ଅଭିଶାପର ଫଳରେ ନିଜ ଭିତରେ ଅଶେଷ ଅଶେଷ ମନ୍ଦକୁ ଚାପିକରି ରଖିଛନ୍ତି କେଜାଣି, ବାହାରେ ସବାଆଗ ମନ୍ଦଗୁଡ଼ାକୁହିଁ ଦେଖୁଛନ୍ତି ଏବଂ ତେଣୁ ଭଲଗୁଡ଼ାକୁ ଆଦୌ ଦେଖିପାରୁ ନାହାନ୍ତି । ଏବଂ, ମନ୍ଦ ଦେଖି ବାହାରିଥିବା ଶିକ୍ଷକ ତା’ ଶ୍ରେଣୀଗୃହରେ ସେହି ମନ୍ଦ ବ୍ୟତୀତହିଁ ଆଉ କ’ଣ ଦେଖିବାକୁ ପାଆନ୍ତା ? ଶ୍ରଦ୍ଧାକୁ ଆବିଷ୍କାର କରିବାକୁ ହେଲେ ନିଜ ଭିତରେ ବି ଶ୍ରଦ୍ଧା ଥାଆନ୍ତା, ଜିଜ୍ଞାସାର ଆବିଷ୍କାର କରିବାକୁ ହେଲେ ଆମ ନିଜ ଆଖିଗୁଡ଼ିକ ମଧ୍ୟରେ ଜିଜ୍ଞାସାହିଁ ନିର୍ଣ୍ଣାୟକ ଏବଂ ନିୟାମକ ହୋଇ ରହନ୍ତେ । ତେବେ ଆମ ପିଲାମାନେହିଁ ଆମକୁ ସଂକ୍ରମିତ କରିପାରନ୍ତେ, ଆମର ବ୍ରତରେ ଆମକୁ ସତକୁସତ ବିଜୟୀ କରି ନିଅନ୍ତେ । ସେମାନେ ଆମ ସହିତ ପୂର୍ଣ୍ଣ ନିଶ୍ଚଳ ଭାବରେ ସହଯୋଗ କରନ୍ତେ । ମନ୍ଦ ପିଲାମାନେ ମଧ୍ୟ ଶେଷକୁ ପରମ ନିର୍ଭର ସହିତ ମାଆ ପାଖକୁ ଲେଉଟି ଆସିବା ପରି ଶ୍ରେଣୀଗୃହର ସଂପୃକ୍ତ ସମସ୍ତେ ଭଲ ପାଖକୁ, ବିଶ୍ୱାସ ପାଖକୁ ଓ ତେଣୁ ଜୀବନର ଅସଲ ସ୍ୱୀକାରାତ୍ମକତାଗୁଡ଼ିକ ପାଖକୁ ଲେଉଟି ଆସନ୍ତେ । ଆଧ୍ୟାତ୍ମ ଶିକ୍ଷାଶାସ୍ତ୍ରରେ ଏହି ଲେଉଟି ଆସିବାକୁହିଁ ଉନ୍ମୋଚନ ବୋଲି କୁହାଯାଇଥାଏ । ସେହି ଉନ୍ମୋଚନ ଆହୁରି ଅନେକ ସଂକ୍ରମଣର କାରଣ ହୁଏ ।

 

ଆମ ପିଲାମାନଙ୍କ ଭିତରେ ଭଲ ରହିଛି, ମନ୍ଦ ରହିଛି । ଗୋଟିଏ ଦୃଷ୍ଟିରୁ ଦେଖିଲେ ହୁଏତ କେବଳ ଭଲହିଁ ରହିଛି । ଭଲ ଆପଣାକୁ ମୁକୁଳିତ କରି ଆଣି ପାରୁନାହିଁ ବୋଲି ତାହାର ପ୍ରତିବାଦ ସ୍ୱରୂପ ଆମ ଭିତରେ ଯାହା ଘଟୁଛି, ବାହାରେ ତାହାହିଁ ମନ୍ଦ ବୋଲି ପ୍ରତୀତ ହେଉଛି । ପ୍ରତ୍ୟେକ ମନୁଷ୍ୟ ଭିତରେ ସେହି ପ୍ରତିବାଦ ଓ ପ୍ରତିକ୍ରିୟା ସତତ ଲାଗିରହିଛି । ଯଦି ଶିକ୍ଷକ ଆପଣାର ଚିତ୍ତଦର୍ପଣଟିକୁ ଉଚିତ ଶ୍ରଦ୍ଧାର ସହିତ ଉତ୍ତୋଳିତ କରି ଧରିଥିବ, ତେବେ ତାକୁ ହୁଏତ ପିଲାଟି ଭିତରର ଭଲଟିହିଁ ଦୃଶ୍ୟ ହେବ, ମନ୍ଦଟି ମୋଟେ ଦିଶିବ ନାହିଁ । ଭଲ ମନ୍ଦ ଭିତରକୁ ମାଡ଼ି ମାଡ଼ି ଯାଉଥିବ,–ବିଶ୍ୱାସ ଅବିଶ୍ୱାସ ଭିତରକୁ ମାଡ଼ି ମାଡ଼ି ଯାଉଥିବ । ଗ୍ରାସ କରୁ ନଥିବ, ସଂକ୍ରମିତ କରି ନେଉଥିବ । ରୂପାନ୍ତର-ପ୍ରକ୍ରିୟାର ଏହି ରସାୟନଟି ବିଷୟରେ ଅନ୍ତର୍ଗତ ଭାବରେ ଅବଗତ ରହିଥିଲେ ଯାଇ ଆମେ ଏହି ରହସ୍ୟଗୁଡ଼ିକୁ ବୁଝିପାରିବା, ସେହିଗୁଡ଼ିକ ଉପରେ ସତକୁସତ ନିର୍ଭର ବି କରିପାରିବା ।

 

ଜଣେ ଜଣେ ଶିକ୍ଷକ ହିସାବରେ ଆମ ଭିତରେ ଭଲ ଥିବ, ମନ୍ଦ ବି ଥିବ । ପ୍ରତିକ୍ରିୟା ଏବଂ ପ୍ରତିବାଦର ଏକ ସତତ ଓଲଟପାଲଟ ଲାଗି ରହିଥିବ । ଯଦି ଆମେ ନିଜ ଭିତରେ ମନ୍ଦ ଅପେକ୍ଷା ଭଲଟାକୁହିଁ ଅଧିକ ଅନ୍ତରଙ୍ଗ ଭାବରେ ଦେଖିପାରନ୍ତେ, ଭଲର ସଂକ୍ରମଣ ଶକ୍ତି ଉପରେ ବିଶ୍ୱାସ ରଖିପାରନ୍ତେ, ଭଲର ସଂକ୍ରମଣକୁ ସ୍ୱୀକାର କରିନେବା ସକାଶେ ଯଦି ଆମେ ଆମ ମନ୍ଦଗୁଡ଼ିକୁ ଉଚିତ ଭାବରେ ଗ୍ରହଣଶୀଳ କରି ଗଢ଼ିପାରନ୍ତେ, ତେବେ ପିଲାଙ୍କ ଭିତରେ ଆଗ ମନ୍ଦଗୁଡ଼ାକୁ ନ ଶୁଙ୍ଘି ଭଲଗୁଡ଼ିକୁହିଁ ଆବିଷ୍କାର କରିବା ଆମ ଲାଗି ପ୍ରକୃତରେ କେଡ଼େ ସହଜ ହୋଇଯାଆନ୍ତା । ସତକୁସତ ଅନ୍ତରଙ୍ଗ ଏବଂ ପ୍ରୀତିପୂର୍ଣ୍ଣ ଭାବରେ ନିଜ ଭିତରକୁ ଅନାଇଲେ ସେଠି କେବଳ ଯୋଡ଼ିଏ ପାଦ ବ୍ୟତୀତ ଆଉ କିଛିହେଲେ ଦେଖାଯାଏ ନାହିଁ । ଏବଂ, ପାଦଦ୍ୱୟର ଆସ୍ଥାନରୂପେ ଆମ ଅସ୍ତିତ୍ୱର ସମସ୍ତ ଆୟତନଟି ଯଥାର୍ଥରେ ସବୁ ବାରି ପାରୁଥିବା ମଣିଷକୁ କେବଳ ଭଲରେହିଁ ଅନୁସିକ୍ତ ହୋଇ ରହିଥିବା ପରି ଦୃଶ୍ୟ ହୋଇପାରିବ । ଆମର ଆଖିଗୁଡ଼ିକ ମଧ୍ୟ ସେତେବେଳେ ସେହି ଭଲ ଦ୍ୱାରାହିଁ ଅନୁସିକ୍ତ ହୋଇ ରହିଥିବ । ତଥାକଥିତ ମନ୍ଦମାନେ ସେତେବେଳେ କୁଆଡ଼େ ଥିବେ କେଜାଣି ? ସେମାନେ ଅପେକ୍ଷା କରି ରହିଥିବେ । ସେମାନେ କୁମ୍ଭାର ହାତର ମାଟି ପରି ଅପେକ୍ଷା କରି ରହିଥିବେ । ହାତଗୁଡ଼ିକ ସ୍ପଷ୍ଟ ଦିଶିଯାଉଥିବ, ମାଟି ମୋଟେ ଦିଶୁ ନଥିବ ।

 

ଜୁଲାଇ-ଅଗଷ୍ଟ, ୧୯୮୭

☆☆☆

 

ସାଧୁ ସତକଥା କହିବ

 

ଗୋଟାଏ କଥା ସତକଥା, ଆଉ ଗୋଟାଏ ହେଉଛି ଭଲ କଥା । ସବୁ ସତକଥା ମୋଟେ ଭଲ କଥା ନୁହେଁ । ସତକଥା ଦୁଆରଗୁଡ଼ାକୁ ଭାଙ୍ଗେ, ଭିତରକୁ ବାଟ ଫିଟାଇଦିଏ, ଆମକୁ ବାହାରକୁ ବାହାର କରି ଆଣେ; ଯାହା ପାଖରୁ ଆମେ କେତେ ବୁଦ୍ଧି ଏବଂ କେତେ କୌଶଳରେ ହୁଏତ ଲୁଚି ଲୁଚି ବୁଲୁଥିଲେ, ସତକଥା ଆମକୁ ସତେଅବା ଗୋଟାସୁଦ୍ଧା ତାହାରି ସମ୍ମୁଖରେ ଆଣି ହାବୁଡ଼େଇ ଦିଏ । ଭଲ କଥା କଥାଗୁଡ଼ାକୁ ସାଉଁଳେଇ ରଖିବାକୁ ଚେଷ୍ଟା କରୁଥାଏ । ଅନେକ ନାହାକ ଅଛନ୍ତି ଯେଉଁମାନେ କି ଆମ ହସ୍ତରେଖା କିମ୍ୱା ଭାଗ୍ୟପତ୍ର ଗୁଡ଼ାକର ଗଣନାକରି ଆମକୁ ଯଥାସମ୍ଭବ ଭଲକଥା ଗୁଡ଼ିକୁ କହିବା ନିମନ୍ତେ ଚେଷ୍ଟା କରୁଥାନ୍ତି । ସତକଥା ଉପରେ ପୁଟ ଦେଇ, ସେଗୁଡ଼ିକୁ ବହୁ ବକ୍ରତା ଦ୍ୱାରା ସୁନ୍ଦର ଓ ସୁଗୋଲ କରି ବାନ୍ଧି ଭଲକଥାର ରୂପ ଦେଇ ଆମକୁ କେତେ କଅଣ କହନ୍ତି । ଆମର ଅବବୋଧ ଗୁଡ଼ିକୁ ଥାପୁଡ଼େଇ ରଖିଥାନ୍ତି । ପ୍ରଧାନତଃ ସେହି କାରଣରୁ ସିନା ବହୁ ମଣିଷ ଏଡ଼େ ଆଗ୍ରହରେ ନାହାକମାନଙ୍କ ପାଖକୁ ଯାଆନ୍ତି । ଜାତକ ଦେଖାନ୍ତି, ହାତଗୁଡ଼ାକୁ ବଢ଼ାଇ ଦିଅନ୍ତି । ଭିତରେ ଘାଆଗୁଡ଼ାକ ସଲସଲ ହେଉଥିବା ମଣିଷମାନେ ନାହାକକୁ ହାତ ଦେଖାଇବା ନିମନ୍ତେ ହୁଏତ ସବୁଠାରୁ ଅଧିକ ଭଲ ପାଉଥାନ୍ତି ।

 

ଏସଲ ସାଧୁ ସତକୁସତ ସତକଥା ହିଁ କହିବ । ଖାଲି ଭଲ କଥା କହିବ ନାହିଁ । ଖାଲି ଭଲକଥା ଗୁଡ଼ାକ କହି ମନବୋଧ କରାଇବ ନାହିଁ । ଖାଲି ଭଲ କଥାମାନ କହି ସଜ୍ଜନ ବୋଲାବ ନାହିଁ । ସିଏ ଆମର ଅସଲ ସମ୍ଭାବନାଗୁଡ଼ିକର ଦ୍ୱାର ଉପରେ ଆଘାତ ଦେଇ ଜାଣିଥିବ । ଆମର ଅସଲ ଦ୍ୱାରଗୁଡ଼ିକୁ ଖୋଲିଦେଇ ପାରୁଥିବ । ଆମକୁ ସାମ୍‍ନା ସାମ୍‍ନି ଆଣି ଠିଆ କରାଇଦେଇ ପାରୁଥିବ । ଯେଉଁ ଦ୍ୱାରଗୁଡ଼ିକ ଖୋଲିଗଲେ ମଣିଷର ଭୟ ତୁଟିଯାଏ, ମିଛ ଅସହାୟତା ଏବଂ ନିର୍ଭରଶୀଳତା ଗୁଡ଼ିକର ମୋହ ଭାଙ୍ଗିଯାଏ, ଅସଲ ସାଧୁ ଆମକୁ ସେହି ଦ୍ୱାରଗୁଡ଼ିକ ଖୋଲିଯାଇ ପାରିବାର ଉଦ୍‌ବୋଧନ ଦେଇ ପାରୁଥିବ ।

 

ପ୍ରଧାନତଃ ଭଲକଥା କହି ମନବୋଧ କରାଇ ରଖିବାକୁ ଚେଷ୍ଟାକରି ଆସିଥିବା ସାଧୁମାନେ ସଂସାରରେ ବହୁ ପ୍ରକାରର ନିର୍ଭରଶୀଳତାକୁ ବୃଦ୍ଧି କରିବାରେ ହିଁ ଭାରି ସାହାଯ୍ୟ କରିଛନ୍ତି । ତଦ୍ଦ୍ୱାରା ଏକ ଅସାଧୁ ସଂସାରରେ ତଥାକଥିତ ସାଧୁମାନଙ୍କର ବାନା ଉଡ଼ିବାରେ ଅଥବା ସଦାବର୍ତ୍ତ ବଢ଼ିବାରେ ହିଁ ଅଧିକ ସହାୟତା ମିଳିଛି ଏବଂ ସଂସାର ଅସାଧୁ ହୋଇ ରହିବା ସକାଶେ ସତେଅବା ଭାରି ପ୍ରଶ୍ରୟ ପାଇଛି । କେବଳ ସଜ୍ଜନମାନଙ୍କର ସଙ୍ଗତି ଲାଭ ଦ୍ୱାରା ହିଁ ଭବରୂପୀ ଅର୍ଣ୍ଣବକୁ ପାରିହେବାର ନୌକା ସମ୍ଭବ ହୋଇପାରିବ ବୋଲି ଭଲ କଥାମାନ କହି ଆମ ସାଧୁମାନେ ଆମକୁ ଭାରି ଥୋବରା କରି ରଖିଛନ୍ତି । ସଜ୍ଜନର ସଙ୍ଗତି ଲାଭ ଅପେକ୍ଷା ନିଜେ ସଜ୍ଜନଟିଏ ହେବା ଅର୍ଥାତ୍ ଭିତରକୁ ବାଟଟିଏ କାଢ଼ି ସମ୍ପୂର୍ଣ୍ଣ ଏକ ଅଲଗା ଆଖିରେ ସଂସାରକୁ ଦେଖି ଜୀବନରେ ପାହାଚ ପାହାଚ ଉଠିଯିବା ଯେ ଆମ ସମସ୍ତଙ୍କ ସକାଶେ ଏକ ବୃହତ୍ତର ଆହ୍ୱାନ, ଭଲକଥା କହିବାକୁ ସାଧୁମାନେ ଆମକୁ ସେକଥା କ୍ୱଚିତ୍ କହିଛନ୍ତି । ସେକଥା କହିବାକୁ କ୍ୱଚିତ୍ ସାହାସ କରିଛନ୍ତି ।

 

୧-୯-୮୮

☆☆☆

 

ମଣିଷ ଭିତରେ ଯାହା ଅସଲ, ଆମେ ତାହାକୁହିଁ ସବାଆଗ କରି ଚିହ୍ନିବା । ଆମ ଭିତରେ ଯାହା ଅସଲ, ନିଜକୁ ଆବିଷ୍କାର କରି ବାହାରିଥିବା ସମୟରେ ଆମେ ସବାଆଗ ତାହାରି ସହିତ ପରିଚିତ ହେବା, ତାହାକୁ ସାଙ୍ଗରେ ନେଇହିଁ ଯାବତୀୟ କାରବାର କରି ବାହାରିବା । ଆମ ପିଲାଙ୍କ ଭିତରେ ପ୍ରକୃତରେ ଯାହା ଅସଲ, ଆମେ ସେଇଟିକୁ ଦେଇହିଁ ସେମାନଙ୍କୁ ଚିହ୍ନିବା । ଜୀବନରେ ଦୁଇଟି ବାଟ ରହିଛି,–ଦୁଇଟି ଉଦ୍ଦେଶ୍ୟ ରହିଛି । ତେଣୁ ଦୁଇଟି ଆଧାର ମଧ୍ୟ ରହିଛି । ଗୋଟିଏ ହେଉଛି to have, ଅନ୍ୟଟି to be,–ଆମର ଶିକ୍ଷା to haveର ଯାବତୀୟ ଅର୍ଗଳକୁ ପାର ହୋଇ to be ରେ ଉଦ୍‌ବୋଧନ ଦେଇପାରିବା ଉଚିତ୍ । ତେବେଯାଇ ଶକ୍ତି ବଢ଼ିବ, ସଂଘ ବଢ଼ିବ । ଅସଲ ଆନୁଗତ୍ୟ ସେତିକିବେଳେ ସମ୍ଭବ ହେବ ।

Image